Unknown

 

 

 

 

 

 

 

 

 

 

 

ମତ ଓ ମତାନ୍ତର

ଡକ୍ଟର ଉମେଶ ପତ୍ରୀ

 

ତାଙ୍କୁ......

 

ଯାହାଙ୍କର ଅନୁପ୍ରେରଣା ମୋର ସାରସ୍ୱତ-ସାଧନାପାଇଁ ପ୍ରତ୍ୟେକ କ୍ଷେତ୍ରରେ ସହାୟତା କରି ଆସିଛି ସେଇ ବନ୍ଧୁ, ନାଟ୍ୟକାର ଅଧ୍ୟାପକ ରମେଶ ଦାସଙ୍କୁ ଶ୍ରଦ୍ଧାର ସହିତ ମୋର ସୃଷ୍ଟି ‘‘ମତ ଓ ମତାନ୍ତର’’ ଉତ୍ସର୍ଗ କରୁଛି ।

 

ଡକ୍ଟର ଉମେଶ ପତ୍ରୀ

ବାହୁଡ଼ା ଯାତ୍ରା, ୧୯୮୨

Image

 

ସୂଚିପତ୍ର

 

୧.

ଇଂରାଜୀ ଓ ଆମ ଭାଷାଗତ ହୀନମ୍ମନ୍ୟତା

୨.

ସଂସ୍କୃତ କ’ଣ ଏକ ମୃତ ଭାଷା

୩.

ଆସନ୍ତୁ ଓଡ଼ିଆରେ କହିବା ଓ ଲେଖିବା

୪.

ଆଗାମୀ ଓଡ଼ିଆ ଭାଷାର ଏକ ପ୍ରାୟୋଗିକ ରୂପରେଖ

୫.

ବହୁଭାଷୀ ରାଷ୍ଟ୍ରରେ ରାଷ୍ଟ୍ରଭାଷା ଏକ ସମସ୍ୟା

୬.

କାଳିଦାସ ପାଠକଙ୍କ ଦୃଷ୍ଟିରେ ସେକ୍‌ସପିୟର

୭.

ପରିଭାଷାର ସିଦ୍ଧାନ୍ତ ପର୍ଯ୍ୟନ୍ତ ସାହିତ୍ୟରେ ତର୍କ

୮.

ସାହିତ୍ୟ ନିୟନ୍ତ୍ରଣ ଓ ଶାସନତନ୍ତ୍ର

୯.

ପ୍ରଗତିଶୀଳ ସାହିତ୍ୟରେ ଆଦର୍ଶ ଓ ଅବଜ୍ଞା

୧୦.

ଅସ୍ତିତ୍ୱବାଦର ଏକ ପରିଚୟାତ୍ମକ ବୃତ୍ତ

୧୧.

ଅଶ୍ଳୀଳତାର ସ୍ୱରୂପ ଓ ସିଦ୍ଧାନ୍ତ

୧୨.

ଓଡ଼ିଆ ଭାଷାପାଇଁ ଆଉ ଏକ ସହ ଲିପିର ଆବଶ୍ୟକତା

୧୩.

ପତ୍ରିକା ସୂଚୀ

Image

 

ମୁଖବନ୍ଧ

 

ଆଜିକି ୧୫ ବର୍ଷ ତଳେ ସମାଜରେ ଯେଉଁମାନେ ନେତୃତ୍ୱ ନେଉଥିଲେ, ସେମାନଙ୍କ ଜନ୍ମ ପରାଧୀନ ଭାରତରେ ହୋଇଥିଲା । ତେଣୁ ପରାଧୀନ ଜୀବନର ପରମୁଖାପେକ୍ଷିତା, ବିଦେଶ ପ୍ରତି ଅନୁଗାମିତା ଓ ନିଜର ଚାଲିଚଳନରେ ବିଦେଶପ୍ରିୟତା ଦେଖାଦେଉଥିଲା । ଦିବଂଗତ ପ୍ରଭୁଙ୍କୁ ସମ୍ମାନ ଦେଖାଇ ଅନେକ ନିଜକୁ ଇଂରେଜୀ ଠାଣିରେ ସଜାଇ ହେଉଥିଲେ ଏବଂ ନିଜକୁ ସାଧାରଣ ଲୋକଙ୍କଠାରୁ ଦୂରେଇ ରଖୁଥିଲେ । ନିଜର ଦେଶବାସୀ ବିଶେଷତଃ ପଲ୍ଲିବାସୀଙ୍କୁ ହୀନ ଦୃଷ୍ଟିରେ ଦେଖିବା କେତେକଙ୍କ ଏକ ପରମ୍ପରା ହୋଇ ଯାଇଥିଲା ।

 

ଯାହାହେଉ ବୈଷୟିକ କର୍ମଚାରୀମାନେ ବିଜ୍ଞାପିତ ସ୍ଥାନକୁ ଉନ୍ନୀତ ହେବା, ସେମାନଙ୍କ କର୍ମକୁଶଳତା, ବୁଦ୍ଧିମତ୍ତା ତଥା ପଲ୍ଲିବାସୀଙ୍କ ସମସ୍ୟା ସମାଧାନରେ ସହଯୋଗିତା ପାଇଁ ସେମାନେ ପଲ୍ଲିଜୀବନରେ ଲୋକପ୍ରିୟ ହୋଇ ଉଠିବା ସଙ୍ଗେ ସଙ୍ଗେ ଏ କ୍ଷିପ୍ତଭାବ ଏବେ ଆମର ଗାଁ ଗହଳରେ ଦେଖାଯାଉ ନାହିଁ ।

 

ଭାରତ ସ୍ୱାଧୀନ ହୋଇ ଆଜି ୩୫ ବର୍ଷ ଗଡ଼ିଗଲାଣି । କିନ୍ତୁ ସମ୍ୟକ ଦୃଷ୍ଟି ଅଭାବରୁ କୌଣସି ଏକ ଭାଷା ଏ ଜାତିର ସର୍ବସମ୍ମତ ଜାତୀୟ ଭାଷା ଭାବରେ ପ୍ରତିଷ୍ଠିତ ହୋଇ ପାରିନାହିଁ ।

 

ଯଦିଓ ହିନ୍ଦୀ ‘‘ରାଷ୍ଟ୍ର-ଭାଷା’’ ହିସାବରେ ଆମ ସମ୍ୱିଧାନରେ ଗୃହୀତ ହୋଇଛି, କିନ୍ତୁ ସମସ୍ତେ ଏହାକୁ ସ୍ୱୀକାର କରି ପାରିନାହାନ୍ତି । ହିନ୍ଦୀଭାଷୀ ଲୋକଙ୍କ ପାର୍ଶୀଭାଷାପ୍ରିୟତା ତଥା ହିନ୍ଦୀ ଲେଖାଗୁଡ଼ିକରେ ଊର୍ଦ୍ଦୁ ଶବ୍ଦର ବହୁଳତା ଯୋଗୁଁ ଅନ୍ୟ ଭାଷୀ ଲୋକେ ଏହାକୁ ନିଜର ପ୍ରାଣର ଭାଷା ବୋଲି ସ୍ୱୀକାର କରି ପାରୁନାହାନ୍ତି ।

 

ପାଞ୍ଚହଜାରବର୍ଷ ତଳେ ‘‘ସଂସ୍କୃତି’’ ଏଦେଶରେ ଜାତୀୟଭାଷା ଭାବରେ ସ୍ୱୀକୃତ ହୋଇଥିଲା । କାଳକ୍ରମେ ବୈଦେଶିକ ଆକ୍ରମଣ ଓ ଦେଶବାସୀଙ୍କ ସାଂସ୍କୃତିକ ପତନ ଯୋଗୁଁ ଏ ଭାଷାର ପତନ ଘଟିଥିଲା ।

 

ଇଂରେଜମାନେ ଏଦେଶ ଶାସନ କଲାବେଳେ ଦେଖିଲେ ସଂସ୍କୃତଭାଷା ଏକ ମହାନ୍ ଦୁର୍ଗ । ଏଦୁର୍ଗକୁ ଭାଙ୍ଗି ଏଠାରେ ପାଶ୍ଚାତ୍ୟ ପ୍ରଭାବ ବିସ୍ତାର କରିବା ବହୁତ କଠିନ । ଖ୍ରୀଷ୍ଟଧର୍ମ ଭଳି ଏକ ଦୁର୍ବଳ ବିଚାରକୁ କିପରି ଲୋକଙ୍କ ଭିତରେ ବିସ୍ତାର କରାଯାଇପାରେ ତାହା ସେମାନଙ୍କ ଚିନ୍ତାର ବିଷୟ ଥିଲା । ସେମାନେ ଦେଖିଲେ, ପଣ୍ତିତଲୋକେ ଶୁଦ୍ଧଭାଷାରେ କଥା କହିଲେ ମଧ୍ୟ ସାଧାରଣ ମୂର୍ଖଲୋକେ ପ୍ରାୟ ‘‘ଭାଷା’’ର ଅଶୁଦ୍ଧ ପ୍ରୟୋଗ କରିଥାନ୍ତି । ଏହାଫଳରେ ପ୍ରତ୍ୟେକ ଅଞ୍ଚଳରେ ଏକ ଆଞ୍ଚଳିକ ଭାଷା ଗଢ଼ି ଉଠିଛି, ଯାହା ଅଳ୍ପବହୁତେ ସଂସ୍କୃତଠାରୁ ଭିନ୍ନ ରହୁଛି ।

 

ସେମାନେ ଆମର ଏଦୁର୍ବଳତାର ସୁଯୋଗ ନେବାକୁ ସ୍ଥିର କଲେ । ତେଣୁ ମିସନାରୀ ପ୍ରେସ୍ ସ୍ଥାପନ କରି ଆଞ୍ଚଳିକ ଲିପିର ଉଦ୍ଭାବନ କଲେ ଏବଂ ଆଞ୍ଚଳିକ ଭାଷାକୁ ମାତୃଭାଷା ବୋଲି ପ୍ରଚାର ଆରମ୍ଭ କଲେ । ନିଜସ୍ଥାପିତ ବିଦ୍ୟାଳୟଗୁଡ଼ିକରେ ‘‘ଆଧୁନିକ ଭାରତୀୟ ଭାଷା’’ ବା ‘‘ଏମ୍‌: ଆଇ: ଏଲ୍‌’’ ନାମରେ ଏହା ପ୍ରଚଳନ କଲେ । ଏହାଫଳରେ ଓଡ଼ିଆ, ବଙ୍ଗାଳୀ, ତେଲୁଗୁ ପ୍ରଭୃତି ଆଞ୍ଚଳିକ ଭାଷାଗୁଡ଼ିକ ପ୍ରତ୍ୟେକ ପ୍ରାନ୍ତରେ ‘‘ମାତୃଭାଷା’’ ନାମରେ ବନ୍ଦନୀୟ ହୋଇ ଉଠିଲା ।

 

ଏତଦ୍‍ଦ୍ୱାରା ସାଧାରଣ ସମାଜ ମହାନ୍ ‘‘ସଂସ୍କୃତି’’ ଭାଷାଠାରୁ ଦୂରେଇ ଯିବାକୁ ଲାଗିଲା-। ତେଣୁ ନାମରେ ନହେଲେବି କାମରେ ଖ୍ରୀଷ୍ଟୀୟ ମିସନାରୀମାନଙ୍କ ଚତୁରତାର ଆମେ ଶିକାର ହୋଇଗଲୁ ।

 

ତାହାଫଳରେ ସମାଜର ଅତି ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରିବା ସହଜ ହୋଇ ପଡ଼ିଲା । ବିଜ୍ଞସମାଜ ସଂସ୍କୃତଭାଷା ସହିତ ଅଙ୍ଗାଅଙ୍ଗୀ ଜଡ଼ିତ ଥିବାରୁ ନିଜଧର୍ମ ଓ ଜାତୀୟତା ବଜାୟ ରଖିଲା ।

 

ବର୍ତ୍ତମାନ ଆମର ‘‘ସଂସ୍କୃତ’’ ସହିତ ଆଞ୍ଚଳିତ ଭାଷାଗୁଡ଼ିକର ଏକ ତୁଳନାତ୍ମକ ଅଧ୍ୟୟନ କରାଯାଉ ।

 

ସଂସ୍କୃତରେ ଆମେ କହୁଁ–ହସନ୍ତୁ, ଓଡ଼ିଆରେ ହସନ୍ତୁ,–ବଙ୍ଗଳାରେ ହସୁନ୍‌–ସମ୍ୱଲପୁରୀ ଓଡ଼ିଆରେ ହସୁନ୍‌, ମହାରାଷ୍ଟ୍ରରେ ହସୁନ୍, ଅଥଚ ଜଣେ ସମ୍ୱଲପୁରବାସୀ ଏ ଶବ୍ଦକୁ ଓଡ଼ିଆ ବୋଲି ଗର୍ବ କଲାବେଳେ ଜଣେ ବଙ୍ଗବାସୀ ଏହାକୁ ନିଜର ମାତୃଭାଷା ବୋଲି ଗର୍ବ କରେ । ମେଦିନୀପୁରରେ କେତେକ ଓଡ଼ିଆ ଅଛନ୍ତି, ସେମାନେ କଥାରେ ‘‘ହସଣ୍ଟ, ଖାଅଣ୍ଟ’’ ବୋଲି କହନ୍ତି । ପଚାରିଲେ ନିଜକୁ ‘‘ଓଡ଼ିଆ’’ ବୋଲି ପରିଚୟ ଦିଅନ୍ତି । ଆମେ ସେମାନଙ୍କୁ ଓଡ଼ିଆ ବୋଲି ଗ୍ରହଣ କରିନେଉଁ, କିନ୍ତୁ କେହି ଜଣେ ‘‘ରାଣ୍ତି’’ ‘‘କୁର୍ଚଣ୍ତି’’ କହିଲେ ଆମେ ତାକୁ ‘‘ତେଲୁଗୁଭାଷୀ’’ ବୋଲି କହୁ । ଆମେ ଯଦି ଏ ସମସ୍ତଙ୍କୁ ଗୋଟିଏଭାଷୀ ବୋଲି ଗ୍ରହଣ କରିନିଅନ୍ତୁ, ତାହାହେଲେ ତା’ପାଇଁ ଆମେ ଯେଉଁ ଶବ୍ଦ ପ୍ରୟୋଗ କରିବୁ, ତାହା ହେବ ‘‘ସଂସ୍କୃତଭାଷୀ’’ ।

 

ହଁ, ଏଇଟା ସତକଥା ଆମେ ଖାଣ୍ଟି ସଂସ୍କୃତରେ କଥାବାର୍ତ୍ତା କରିପାରୁ ନାହୁଁ । କିନ୍ତୁ ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳର ବ୍ୟକ୍ତି, ଯେ ନିଜକୁ ଓଡ଼ିଆ ବୋଲି ପରିଚୟ ଦିଏ, ସେ କ’ଣ ଖାଣ୍ଟି ଓଡ଼ିଆରେ କହେ । ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ଗୋଟିଏ ମଜାକଥା କହିଲେ, ‘‘ମୁଁ ଭଲପାଏଁ’’କୁ ‘‘ଆମି ଭାଲବାସୀ’’ କହିଲେ କିଛି ଭୁଲ ନାହିଁ । ନିଜକୁ ‘‘ଓଡ଼ିଆ ବୋଲି ପରିଚୟ ଦେଲେ ହେଲା ।’’ ତାଙ୍କରି କଥାକୁ ନେଇ ଯୁକ୍ତି କରାଯାଇପାରେ ସଂସ୍କୃତ ‘‘ପଠନ୍ତୁ’’କୁ ‘‘ପଢ଼ନ୍ତୁ’’ କହିଲେ କିଛି ଭୁଲ ନାହିଁ । ନିଜକୁ ‘‘ସଂସ୍କୃତଭାଷୀ’‘ ବୋଲି କହିଲେ ହେଲା ।’’

୧୯୭୧ ଜନଗଣନାବେଳେ ଜଣେ ଜନଗଣନାକାରୀ ମୋ ପାଖକୁ ଆସିଥାଆନ୍ତି । ପ୍ରତି ଦଶବର୍ଷରେ ଆମର ଯେଉଁ ଜନଗଣନା ହୁଏ, ସେଥିରେ ବୈଷୟିକ ଉପାଧିଧାରୀଙ୍କ ଏକ ଅଲଗା ଜନଗଣନା ମଧ୍ୟ ହୋଇଥାଏ । ସେଥିପାଇଁ ଅଲଗା ଫର୍ମ୍ ଥାଏ । ତାହା ବୈଷୟିକ ଉପାଧିଧାରୀ ନିଜେ ପୂରଣ କରନ୍ତି ।

ସେ ଫର୍ମ୍‍ରେ ମୁଁ ମୋର ମାତୃଭାଷା ‘‘ସଂସ୍କୃତ’’ ବୋଲି ଲେଖିଲାବେଳକୁ ଜନଗଣନାକାରୀଜଣକ ମୋତେ ବାଧା ଦେଲେ । ସେ କହିଲେ ‘‘ଆପଣ ତ ସଂସ୍କୃତ ଭାଷାରେ କଥାବାର୍ତ୍ତା କରନ୍ତି ନାହିଁ ।’’ ଉତ୍ତର ଦେଲି–‘‘ମୁଁ ସଂସ୍କୃତର ଆଞ୍ଚଳିକ ପ୍ରୟୋଗ କରୁଛି ମାତ୍ର ।’’

ମୁଁ ପିଲାବେଳେ ବାରିପଦାରେ ପଢ଼ୁଥିଲାବେଳେ ଯେତେବେଳେ ଆମ ଗାଁ ବେତନଟୀକୁ ଯାଉଥିଲି ‘‘ବେତନଟୀ’’ ଲୋକଙ୍କ ଭାଷା ବାରିପଦାବାସୀଙ୍କଠାରୁ ସାମାନ୍ୟ ଅଲଗା ହେଉଛି ବୋଲି ଲକ୍ଷ୍ୟ କରିଥିଲି । ଏହାଦ୍ୱାରା କ’ଣ ବେତନଟୀ ଲୋକେ ନିଜର ମାତୃଭାଷା ‘‘ବେତନଟିଆ’’ କି ବାରିପଦାବାସୀ ‘‘ବାରିପଦିଆ’’ ବୋଲି ଲେଖିବେ ? ସେହିପରି ମାତୃଭାଷା ‘‘ବାଲେଶ୍ୱରୀ’’ ‘‘ସମ୍ୱଲପୁରୀ’’ ପ୍ରଭୃତି କ’ଣ ଲେଖା ହେବ ?

ମନୁଷ୍ୟ ନିଜକୁ ସଂକୀର୍ଣ୍ଣ ଗଣ୍ତି ଭିତରେ ରଖିବାକୁ ଭଲପାଏ ନାହିଁ । ମନୁଷ୍ୟର ସ୍ୱଭାବ ହେଲା ନିଜକୁ ବିସ୍ତୃତ କରିବା । ସେଥିପାଇଁ ଏକ ପ୍ରାନ୍ତର ଭାଷାକୁ ନିଜର ‘‘ମାତୃଭାଷା’’ ବୋଲି କହୁଛି ।

ସେହିଭଳି ‘‘ଓଡ଼ିଆ’’, ‘‘ବଙ୍ଗାଳୀ’’, ‘‘ତେଲୁଗୁ’’ ବୋଲି ପରିଚୟ ଦେଇ, ନିଜଭିତରେ ବିଭେଦ ସୃଷ୍ଟି କରିବାରେ ଜଣକୁ ସଂକୀର୍ଣ୍ଣତାବୋଧ ଗ୍ରାସ କଲେ ସେ ନିଜର ମାତୃଭାଷା ‘‘ସଂସ୍କୃତ’’ ବୋଲି ଅଭିହିତ କରିବା ଯୁକ୍ତିଯୁକ୍ତ ହେବ ।

ହଁ, ବର୍ତ୍ତମାନ ଖାଣ୍ଟି ସଂସ୍କୃତଭାଷା ପ୍ରୟୋଗ ନେଇ ଯୁକ୍ତି କରାଯାଇପାରେ । ଇଂଲଣ୍ତର କୌଣସି ଲୋକ ଖାଣ୍ଟି ଇଂରେଜୀରେ କଥାବାର୍ତ୍ତା କରିପାରେ ନାହିଁ । କେବଳ ଲେଖାଗୁଡ଼ିକରେ ଖାଣ୍ଟି ଇଂରେଜୀ ଥାଏ ।

ସ୍କଟିସ୍‌ଇଂଲିଶ୍, ଆଇରିସ୍‌ ଇଂଲିଶ୍, ନଚେତ୍‌ ନରଦେନ ଓ ସାଉଦେନ ଇଂଲିଶ୍ ଇତ୍ୟାଦି ବହୁତ ଆଞ୍ଚଳିକ ଭାଷା ପ୍ରୟୋଗ କରିଥାଏ । କେବଳ ଭାରତୀୟମାନେ ଖାଣ୍ଟି ଇଂରେଜୀରେ କଥାବାର୍ତ୍ତା କରନ୍ତି । ଜଣେ ଇଂରେଜ ‘‘ହ୍ୱେର ହେବ ୟୁ କମ୍‌ ଫ୍ରମ୍‌ ?’’ ନ କହି ‘‘ହ୍ୱେ ଫୋମ୍‌ ?’’ କହେ । ଏହା କ’ଣ ଖାଣ୍ଟି ଇଂରେଜୀ ପ୍ରୟୋଗ ?

ସେହିପରି ଜର୍ମାନୀର କେତେକ ପଣ୍ତିତ ଖାଣ୍ଟି ସଂସ୍କୃତରେ କଥାବାର୍ତ୍ତା କରିବା ଶୁଣାଯାଏ । ଆମେ କିନ୍ତୁ ଆମ ମାତୃଭାଷା ‘‘ସଂସ୍କୃତ’’ର ଆଞ୍ଚଳିକ ପ୍ରୟୋଗ କରୁ । ଏଥିରେ ଲଜ୍ଜା କରିବାର ବା ଦୁଃଖ କରିବାର କିଛି ନାହିଁ ।

‘‘ଶକୁନ୍ତଳୋପାଖ୍ୟାନମ୍‌’’ ‘‘ମୃଚ୍ଛ କଟିକମ୍‌’’ ପ୍ରଭୃତି ସଂସ୍କୃତ ନାଟକ ପଢ଼ିଲେ ଦେଖାଯାଏ ସେଠାରେ କେବଳ ରଜା, ମନ୍ତ୍ରୀ, ଋଷି ଓ ବ୍ରାହ୍ମଣ ଖାଣ୍ଟି ସଂସ୍କୃତ ପ୍ରୟୋଗ କରିଛନ୍ତି । ଅନ୍ୟମାନେ ଏପରି କି ‘‘ଶକୁନ୍ତଳା’’, ‘‘ଅନସୂୟା’’ ପ୍ରଭୃତି ଚରିତ୍ରଗୁଡ଼ିକ ଆଞ୍ଚଳିକ ଓ ଅଶୁଦ୍ଧ ପ୍ରୟୋଗ କରିଛନ୍ତି-। ଅଥଚ ଏମାନେ ରଜା, ମନ୍ତ୍ରୀଙ୍କ ଭାଷା ବୁଝିଛନ୍ତି ଏବଂ ରଜା, ମନ୍ତ୍ରୀ ଏମାନଙ୍କ ଭାଷା ବୁଝି ପାରିଛନ୍ତି-

ତେଣୁ ଖାଣ୍ଟି ସଂସ୍କୃତରେ କହି ନପାରିଲେବି ମାତୃଭାଷା ‘‘ସଂସ୍କୃତ’’ କହିବା ଯୁକ୍ତିଯୁକ୍ତ ହେବ ।

ହଁ, ଆମେ ପରାଧୀନକାଳରେ ନିଜ ‘‘ମାତୃଭାଷା’’କୁ ଭୁଲିଯାଇ ଆଞ୍ଚଳିକ ଭାଷାଗୁଡ଼ିକୁ ନିଜର ମାତୃଭାଷାର ମର୍ଯ୍ୟାଦା ଦେଉଥିଲୁ । ପରାଧୀନକାଳର ମନୋବୃତ୍ତି ସ୍ୱାଧୀନଯୁଗରେ ରହିବା ସମ୍ଭବ ନୁହେଁ । ସମୟର ପରିବର୍ତ୍ତନ ସଙ୍ଗେ ସମାଜରେ ନୂତନ ଚିନ୍ତାଧାରା ଓ ତଦନୁଯାୟୀ କର୍ମଶୀଳ ମହାପୁରୁଷ ସୃଷ୍ଟି ହୁଅନ୍ତି ।

ମହାଭାରତରେ ଅଛି–

‘‘କାଳଃ ସୂଜତି ଭୂତାନି, କାଳଃ ସଂହରତେ ପ୍ରଜା

ସଂହରନ୍ତଂ ପ୍ରଜା କାଳଃ କାଳଃ ଶମୟତେ ପୁନଃ । ୨୪୮

 

କାଳଃ ହି କୁରୁତେ ଭାବାନ ସର୍ବଲୋକେ ଶୁଭାଶୁଭାନ୍‌

କାଳଃ ସଂକ୍ଷିପତେ ସର୍ବାଃ ପ୍ରଜା ବିସୃଜତେ ପୁନଃ । ୨୪୯

 

କାଳଃ ସୁପ୍ତେଷୁ ଜାଗର୍ତି କାଳଃ ହି ଦ୍ୱରତିକ୍ରମଃ

କାଳଃ ସର୍ବେଷୁ ଭୂତେଷୁ ଚରତି ଅବିଧୂତଃ ସମଃ । ୨୫୦

 

ଅତୀତାନଗତା ଭାବା ୟେ ଚ ବର୍ତ୍ତନ୍ତି ସାଂପ୍ରତମ୍

ତାନ୍‌ କାଳନିର୍ମିତାନ୍‌ ବୁଦ୍ଦ୍ୱା ନ ସଂଜ୍ଞା ହାତୁମର୍ହସି । ୨୫୧

 

ଆଦିପର୍ବ–୧ମ ଅଧ୍ୟାୟ–

 

ତେଣୁ ଆଗାମୀ ୫୦ ବର୍ଷ ଭିତରେ ଏପରି ସିଦ୍ଧପୁରୁଷ ଆସିବେ । ସେମାନେ ଏତେ ବିଶାଳହୃଦୟ ନେଇ ଜନ୍ମ ନେବେ ଯେ, ଆଞ୍ଚଳିକ ଭାଷାଗୁଡ଼ିକୁ ନେଇ ନିଜର ମାତୃଭାଷା କହିବାକୁ ସଂକୋଚ ଅନୁଭବ କରିବେ । ଫଳତଃ ୫୦ ବର୍ଷ ପରେ ଦଶ ପ୍ରତିଶତ ଲୋକେ ସଂସ୍କୃତକୁ ନିଜର ମାତୃଭାଷା ବୋଲି ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରକାଶ କରିବାରେ ଗର୍ବ ଅନୁଭବ କରିବେ ।

 

କୌଣସି ସାହିତ୍ୟିକ ଯେତେବେଳେ ନିଜର ଲେଖନୀ ଚାଳନା କରେ, ସେ ଭବିଷ୍ୟତ ବଂଶଧରଙ୍କ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ନିଜର ଭାବ ପ୍ରକାଶ କରେ । ଦେଶବାସୀଙ୍କ ସାଂସ୍କୃତିକ ଓ ବୈଚାରିକ ବିକାଶହିଁ ତା’ର ଲକ୍ଷ୍ୟ ଥାଏ ।

 

ଏସବୁ ଦୃଷ୍ଟିରୁ ବିଚାର କଲେ, ଶ୍ରୀମାନ ପତ୍ରୀଙ୍କ ଲେଖାଗୁଡ଼ିକ ଅତି ଉପାଦେୟ, ହୃଦୟଗ୍ରାହୀ ତଥା ଯୁଗୋପଯୋଗୀ ହୋଇଛି ।

 

ସେ ନିଜେ ଜଣେ ଇଂରେଜୀ ସାହିତ୍ୟର ଅଧ୍ୟାପକ । ଇଂରେଜୀ ଭାଷାର ଦୁର୍ବଳତା ନେଇ ତାଙ୍କର ଜ୍ଞାନ ଓ ବିଚାର ଅତି ପ୍ରାଞ୍ଜଳଭାବରେ ପ୍ରକଟିତ ତଥା ପ୍ରଣିଧାନଯୋଗ୍ୟ ହୋଇଛି ।

 

ତିନିଶହବର୍ଷ ପୂର୍ବେ ଇଂରେଜୀଭାଷାର ସ୍ଥିତି ଅତି ଦୟନୀୟ ଥିଲା । କିନ୍ତୁ ବାରମ୍ୱାର ପ୍ରୟୋଗ ଫଳରେ ତାହା କ୍ଳିଷ୍ଟ ଶବ୍ଦଗୁଡ଼ିକ କିପରି ସହଜ ହୋଇଗଲା, ତାହା ସେ ବର୍ଣ୍ଣନା କରିଛନ୍ତି-

 

ଆମେ ସେଇ ଇଂରେଜୀଭାଷୀଙ୍କ ଉଦାହରଣରୁ କିଛି ଶିକ୍ଷା କଲେ ଆମ ନିଜ ମାତୃଭାଷାର ପ୍ରଭୂତ ଉନ୍ନତି କରିପାରନ୍ତୁ ।

 

‘‘ସଂସ୍କୃତ କ’ଣ ଏକ ମାତୃଭାଷା’’ ପ୍ରବନ୍ଧରେ ସେ ଯୁକ୍ତି କରିଛନ୍ତି, ‘‘ଦୀର୍ଘ ତିନିହଜାରବର୍ଷ ତଳେ ପୋତା ହୋଇଥିବା ଇଜିପ୍‌ଟର ଏକ ସ୍ତମ୍ଭ ମଧ୍ୟରେ ଥିବା ଶସ୍ୟକଣାଗୁଡ଼ିକୁ ଯେତେବେଳେ ଆଜି ଜୀବନ୍ତ ବୋଲି କୁହାଯାଉଛି’’, ସେତେବେଳେ ସଂସ୍କୃତ ପରି ନିତ୍ୟ ପ୍ରଚଳିତ ଭାଷାକୁ ମୃତ କହିବା ଅର୍ଥ ସତ୍ୟର ଅପଳାପ କରିବା ନୁହେଁ କି ?’’

 

ସେ ପୁଣି ‘‘ଆସନ୍ତୁ ଓଡ଼ିଆରେ କହିବା ଓ ଲେଖିବା’’ ପ୍ରବନ୍ଧରେ ଆମେ କିପରି ଆମର ଶବ୍ଦକୋଷ ବଢ଼ାଇ ପାରିବୁ, ତା’ର ଏକ ଉଦାହରଣ ଦେଇଛନ୍ତି ।

 

ସେ ‘‘ନାଗରୀଲିପି’’ ବ୍ୟବହାରର ପକ୍ଷପାତୀ । ଅବଶ୍ୟ ଏଥିପାଇଁ ସମୟ ଲାଗିବ । ମୋ ମତରେ ଭାଷାଗତ ଐକ୍ୟ ଅର୍ଥାତ୍‌ ‘‘ସଂସ୍କୃତ ଆମର ମାତୃଭାଷା’’ ବିଚାର ପ୍ରଥମେ ପ୍ରତିଷ୍ଠିତ ହେବ । ଲିପିଗତ ଐକ୍ୟ ତା’ପରେ ଆସିବ ।

 

ସମ୍ୱିଧାନ ପ୍ରଣେତାମାନେ ଇଂରେଜୀ ଅଙ୍କଗୁଡ଼ିକର ପ୍ରଚଳନ ପାଇଁ ଯେଉଁ ନିୟମ କରିଛନ୍ତି, ତାହା ଶ୍ରୀମାନ ପତ୍ରୀ ସମର୍ଥନ କରିଛନ୍ତି । ଯେଉଁ ଭାରତୀୟମାନେ ପ୍ରଥମେ ଅଙ୍କ ଶାସ୍ତ୍ର ଉଦ୍ଭାବନ କରିଥିଲେ, ତାଙ୍କୁ ସମ୍ମାନ ଦେଖାଇ ବରଂ ପୃଥିବୀର ସବୁ ଦେଶ ନାଗରା ‘‘ଅଙ୍କ’’ଗୁଡ଼ିକୁ ଗ୍ରହଣ କରିନେବା ଉଚିତ ହେବ ।

 

ବାରିପଦା

ଡଃ ଶିରୀଶ ଚନ୍ଦ୍ର ପରିଡ଼ା

ଦୀପାବଳି ୧୯୮୧

 

Image

 

ଇଂରାଜୀ ଓ ଆମ ଭାଷାଗତ ହୀନମ୍ମନ୍ୟତା

 

ଇଂରାଜୀ ଏକ ମହାନ୍‌ ଜାତିର ମହାନ୍‌ ଭାଷା, ଯେଉଁ ଜାତି ସୂର୍ଯ୍ୟ ଅସ୍ତ କେବେ ଦେଖିନାହିଁ । ନେଲସନଙ୍କ ସଦୃଶ ସେନାପତି ଓ ଏଲିଜାବେଥ୍‌ ପ୍ରଥମଙ୍କ ସଦୃଶ ମହାରାଣୀଙ୍କୁ ପାଇ ସେ ଦେଶ ମହାନ୍‌ ବର୍ତ୍ତନିକା ବା ଗ୍ରେଟ ବ୍ରିଟେନ ହୋଇଛି । ତଦ୍ରୂପ ସେକ୍‌ସପିୟରଙ୍କପରି ନାଟ୍ୟକାର, ମିଲଟନଙ୍କପରି ମହାକବି, ଥମାସ୍‌ ହାର୍ଡ଼ିଙ୍କପରି ଔପନ୍ୟାସିକ ଓ ଇଲିୟଟଙ୍କପରି କବି ସମାଲୋଚକଙ୍କୁ ଆମେ କେଉଁ ସାହିତ୍ୟରେ ପାଇବୁ ? ସେଥିପାଇଁ ତ ନୋଭଲି କାର୍ଡ଼ୁସ୍‌ ତାଙ୍କ ‘କ୍ରିକେଟ୍’ ଶୀର୍ଷକ ପ୍ରବନ୍ଧରେ ଏହା ସାବ୍ୟସ୍ତ କରନ୍ତି ଯେ, ଇଂରାଜୀଭାଷା, ଇଂଲଣ୍ତର ଗ୍ରୀଷ୍ମ ଓ ଇଂଲଣ୍ତହିଁ କ୍ରିକେଟ୍‍ପରି ଏକ ସମ୍ଭ୍ରାନ୍ତ କ୍ରୀଡ଼ାପାଇଁ ଉପଯୁକ୍ତ । ବିବିଧତାରେ ପରିପୂର୍ଣ୍ଣ ଇଂରାଜୀ ଆଜି ସବୁ ଦୃଷ୍ଟିରୁ ସ୍ୱୟଂ ସମ୍ପନ୍ନ, ସୁନ୍ଦର, ସୌଖୀନ ଓ ବିଚିତ୍ରଭାଷା । ବିଶ୍ୱକୁ ଦେଖିବାକୁ ହେଲେ ଇଂରାଜୀ ଭାଷାର ବାତାୟନ ଦେଇ ଦେଖିବାକୁହିଁ ହେବ । ଅନ୍ୟ ଉପାୟ ନାହିଁ । ଏ ପୃଥିବୀର ସମ୍ପର୍କ ଭାଷା, ସଭ୍ୟ ଜାତିର ଉପଭାଷା, ବାଣିଜ୍ୟ ଓ ବିଜ୍ଞାନର ମାଧ୍ୟମ ଭାଷା ଏବଂ ଭାରତପରି ବହୁଭାଷୀ ରାଷ୍ଟ୍ରର ସଂଗଠନର ଏକମାତ୍ର ଭାଷା ଅଟେ ।

 

ଇଂରାଜୀକୁ ଯେତେ କ୍ଳିଷ୍ଟ, ଦୁର୍ବୋଧ୍ୟ ଓ ଅରାଷ୍ଟ୍ରୀୟ ଭାଷା ବୋଲି ଆକ୍ଷେପ କରାଯାଉ ନା କାହିଁକି, ଏହା ଏପରି ଏକ ସର୍ବଗ୍ରାସୀ ଓ ଶୈଳୀର ଭାଷା, ଯାହା ଭାରତୀୟ ଶିକ୍ଷା ସଭ୍ୟତାର ମାନଦଣ୍ତରୂପେ ଅଦ୍ୟାବଧି ବହୁଗୁଣରେ ସମ୍ମାନିତ । ଏ କଥାରେ ଯେବେ ବିଶ୍ୱାସ ହେଉନାହିଁ ତାହାହେଲେ ଭାରତର କୌଣସି ବିଶ୍ୱବିଦ୍ୟାଳୟକୁ ଯାଇ ଇଂରାଜୀରେ ବାରମ୍ୱାର ବିଫଳ ହେଉଥିବା ଜଣେ କଳାଛାତ୍ରକୁ ପଚାରନ୍ତୁ–ଶୁଣିବେ, ଏହା ଏକ ସମୃଦ୍ଧ ଭାଷା ଯାହା ପାଖରେ ଏକ ସୁବିଶାଳ ଶବ୍ଦ ଭଣ୍ତାର ରହିଛି । ବାଣିଜ୍ୟଛାତ୍ର କୁହନ୍ତି ଏହା ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟର ଭାଷା ଓ ବିଜ୍ଞାନ ଛାତ୍ରଙ୍କ ମତରେ ଏହା ବିନା ବିଜ୍ଞାନ ପଢ଼ିବା ପୂର୍ଣ୍ଣତଃ ଅସମ୍ଭବ ।

 

ଆପଣ ଏଥର ମାନିବାକୁ ବାଧ୍ୟ । ସେମାନଙ୍କ କଥାରେ ଯଦି ଅବିଶ୍ୱାସ କରି କୌଣସି ଶିକ୍ଷିତ ନାଗରିକଙ୍କୁ ଜିଜ୍ଞାସା କରନ୍ତି ତାଙ୍କ ପାଖରୁ ମଧ୍ୟ ଠିକ୍ ସେଇଆ ଶୁଣିବେ । ସେମାନଙ୍କ ମତ, ଏହା ବିଦେଶୀ ଭାଷା ହେଲେ କ’ଣ ହେଲା–ଅନ୍ତଃରାଷ୍ଟ୍ରୀୟ ଭାଷା ହୋଇଥିବାରୁ ଏହା ଭାରତପାଇଁ ବର୍ଜନୀୟ ନୁହେଁ । ଏହି ଭାଷାହିଁ ଭାରତର ସ୍ୱାଧୀନତା ପାଇଁ ଆମ ମଧ୍ୟରେ ସଂଗଠନର ଭାବ ସଞ୍ଚାର କରିଥିଲା । ନତୁବା ଏତେଗୁଡ଼ାଏ ଭାଷା କହୁଥିବା ଗୋଟିଏ ଦେଶରେ ସଙ୍ଗଠନ ଆଣିବା କ’ଣ ଏତେ ସହଜ କଥା ?

 

ଏହି ପାରମ୍ପରିକ ଭାବରେ ଶୁଣି ଆସୁଥିବା ଉତ୍ତର ମଧ୍ୟରେ କୌଣସି ପ୍ରଶ୍ନ ଉଠାଇବାକୁ ଆମେ ଚାହୁଁନା । ଭାରତ ଦୀର୍ଘଦିନ ହେଲା ଏକ ସ୍ୱାଧୀନ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରଭାବରେ ନିଜ ଗୋଡ଼ରେ ଠିଆହେବା ପରେ ମଧ୍ୟ ଏପ୍ରକାର ଦାସତ୍ୱ ମନୋବୃତ୍ତି ପ୍ରାୟ ସର୍ବତ୍ର ବିଦ୍ୟମାନ । ଦାସତ୍ୱ ଶବ୍ଦ ଅପେକ୍ଷା ଗଭୀର ଆନୁଗତ୍ୟ କହିବା ଭଲ ହେବ । ଏତେବର୍ଷ ଧରି ଗୋଟିଏ ଭାଷାରେ କିରାଣିଗିରି କଲୁଁ, ଅଥଚ ଆଜି ଭାରତ ସ୍ୱାଧୀନ ହୋଇଗଲା ବୋଲି ଏ ଭାଷାକୁ ଅପମାନିତ କରି ତଡ଼ି ଦେବୁ ? ଏହା ବିଶ୍ୱର କୌଣସି ଜାତି କରୁ ନା କାହିଁକି ଆତିଥ୍ୟ ପରାୟଣ ଭାରତୀୟ ଏହା କରିନପାରେ । ଏଣୁ ଇଂରେଜମାନଙ୍କୁ ଏଦେଶରୁ ହଟାଇବା ପରେ ମଧ୍ୟ ଇଂରାଜୀଭାଷା ଯେପରି ଅସହାୟ ହୋଇ ନ ପଡ଼େ, ତା’ର ସମସ୍ତ ଦାୟିତ୍ୱ ଆଜି ଆମେ ସମସ୍ତେ ଗ୍ରହଣ କରିଛୁଁ । ଇଂରାଜୀଭାଷା ପ୍ରତି କେବଳ ଆମେ ସହାନୁଭୂତିଶୀଳ ନୋହୁଁ ବରଂ ଏହାର ସଂରକ୍ଷକ ମଧ୍ୟ ଅଟୁଁ ।

 

ଏଥିପାଇଁ ଅନେକ ବାପା, ମା’ ‘‘ମମି ଡାଡ଼ି’’ ଶୁଣିବାକୁ, ପିଲାଙ୍କୁ ମାତୃଭାଷାରେ ଶିକ୍ଷା ଦେଉଥିବା ଶିକ୍ଷାନୁଷ୍ଠାନକୁ ନ ପଠାଇ ଆଜି କନ୍‌ଭେଣ୍ଟ, ଷ୍ଟ୍ରଆର୍ଟ, କେନ୍ଦ୍ରୀୟ ଓ ପବ୍ଲିକ୍ ସ୍କୁଲ୍‍ମାନଙ୍କୁ ପଠାଉଛନ୍ତି । ‘‘ନମସ୍ତେ’’ର ସ୍ଥାନ ଆଜି ‘‘ଗୁଡ଼୍‍ ମର୍ନିଙ୍ଗ୍, ଗୁଡ଼୍‍ନାଇଟ, ଟାଟା’’ ନେଇ ସାରିଲାଣି, ଜନ୍ମଦିନରେ ଦୀପଜାଳିବା ଅନ୍ଧପରମ୍ପରା ପରିବର୍ତ୍ତେ ଆମେ ଦୀପଲିଭାଇବା ଶିଖି ଗଲୁଣି । ଘରୁ ସାମ୍ନାରୁ ‘‘ସ୍ୱାଗତମ୍’’ ହଟାଇ ଆମେ ଆଜିକାଲି ଲେଖୁଛୁ ‘‘ବି ଏୱେର ଅଫ୍‌ ଡଗ’’ । କେବଳ ବାହ୍ୟ ପରିବର୍ତ୍ତନ ହୋଇଛି କହି ଇଂରାଜୀର ଅତିଭକ୍ତ ବୋଲି ତାଚ୍ଛଲ୍ୟ କରିପାରିବେ ନାହିଁ । କାରଣ ଇଂରାଜୀ ବାକ୍ୟ ପ୍ରମାଣକୁ ଆମେ ସମ୍ମାନ କରିବା ଉଦ୍ଧୃତ କରିବା ମଧ୍ୟ ଶିଖି ଯାଇଛୁ । ଭଙ୍ଗା ଭଙ୍ଗା ଇଂରାଜୀ ଆମ ସଭ୍ୟତାର ଏକ ଶ୍ରେଷ୍ଠ ଶୈଳୀ ହୋଇ ସାରିଲାଣି । ଏସବୁ ଭାବିଲେ ଜଣେ ଇଂରାଜୀ ସାହିତ୍ୟର ଛାତ୍ର ହିସାବରେ ମନ କୁଣ୍ଢେମୋଟ ହୋଇଯାଏ ଯେତେବେଳେ କୌଣସି ୟୁରୋପୀୟ ଆମ ଇଂରାଜୀ କହିବା ଓ ଲେଖିବାକୁ ପ୍ରଶଂସା କରି କିଛି କହିପକାନ୍ତି । ସେତେବେଳେ ଆମର ମନେହୁଏ ଇଂଲଣ୍ତରେ ମଧ୍ୟ ଇଂରାଜୀ ଏତେ ଲୋକପ୍ରିୟ ହୋଇ ନଥିବ ଯେତେ ଆମ ଦେଶରେ ।

 

ଇଂରାଜୀ ଭାଷାର ଶ୍ରେଷ୍ଠତା ଉପରେ ଆମ ପାଖରେ ଦୁଇଡ଼ଜନ୍‍ରୁ ଅଧିକ କାରଣ ରହିଛି । ଗ୍ରୀସ୍‌ର ଦାର୍ଶନିକ ଆରିଷ୍ଟଟଲଙ୍କ ଦୁଇ ଦୁଇଟି ପତ୍ନୀ ଥିବା ସତ୍ତ୍ୱେ, ପୁରୁଷ ଅପେକ୍ଷା ନାରୀର କିଛି କମ୍‌ ଦାନ୍ତଅଛି କହିବାପରି ଆମେ ଆଜି କହିବାକୁ ଆରମ୍ଭ କରିଦେଲୁଣି ଯେ ଭାରତୀୟ ଭାଷା ପାଖରେ ଇଂରାଜୀଠାରୁ ଅଳ୍ପ ଶବ୍ଦ ରହିଛି । ଇଂରାଜୀ ଭାଷାର ସୁବିଶାଳ ଶବ୍ଦକୋଷହିଁ ଆମ ଭାଷାଗୁଡ଼ିକର ଦରିଦ୍ରତାର କାରଣ ପରି ମନେ ହେଉଛି ।

 

କିନ୍ତୁ ଆମେ ମନେରଖିବା ଉଚିତ ଯେ ଇଂରାଜୀ ଶବ୍ଦକୋଷର ସମସ୍ତ ଶବ୍ଦର ମାଲିକ ଇଂରାଜୀ ଭାଷା ନୁହେଁ । ଏଫ୍‌: ବୋଡ଼ମୋର ତାଙ୍କ ‘‘ଦ ଲୁମ୍‌ ଅଫ୍‌ ଲାଙ୍ଗୁଏଜ୍‌’’ରେ ଏକ ମନୋଜ୍ଞ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଇଂରାଜୀ ଭାଷାର ମୌଳିକତା ପ୍ରତିପାଦନ କରିବାକୁ ଯାଇ ‘‘କନସାଇଜ୍‌ ଅକ୍‌ସଫୋର୍ଡ଼ ଡିକ୍ସନାରୀର ପ୍ରଥମ ଏକହଜାର ପୃଷ୍ଠା ପରୀକ୍ଷା କରି ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ, ସେଥିରେ ୫୩.୬% ଶବ୍ଦ ମୂଳତଃ ଲାଟିନ୍‌, ଇଟାଲିୟନ, ସ୍ପେନିସ୍‌ ଓ ଫ୍ରେଞ୍ଚ । ୩୧.୧% ଶବ୍ଦ ଟ୍ର୍ୟୁଟେନିକ୍‌ ଓ ୧୦.୮% ଗ୍ରୀକ୍‌ ଅଟେ । ଭାଷାବିଦ୍‌ମାନଙ୍କ ମତରେ ଇଂରାଜୀର ପ୍ରାୟତଃ ଅର୍ଦ୍ଧେକ ଶବ୍ଦ ମୂଳତଃ ଓ ଚରିତ୍ରତଃ ଲାଟିନ୍ । ଡେନିସ ଭାଷାବିଦ୍ ଓଟୋ ଜେସ୍‌ଫରସନ୍‌ ‘‘ଦ ଗ୍ରୋଥ୍‌ ଏଣ୍ତ ଷ୍ଟ୍ରକଚର ଅଫ୍‌ ଦ ଇଂଲିଶ୍ ଲାଙ୍ଗୁଏଜ୍‌’’ରେ ବିଭିନ୍ନ ସମୟରେ ଇଂରାଜୀ ଭାଷାକୋଷକୁ କିପରି ଫରାସୀ ଶବ୍ଦ ସମୃଦ୍ଧ କରିଛି ତାହା କୁହନ୍ତି । ଏହାହିଁ ଇଂରାଜୀ ଭାଷାର ମୌଳିକତା ଉପରେ ସବୁଠାରୁ ବଡ଼ ଆକ୍ଷେପ ।

 

ଇଂରେଜମାନେ ଭାରତର ‘ପାଇଜାମା’, ମାଳୟରୁ ‘ବମ୍ୱୋ’, ୱେଷ୍ଟଇଣ୍ତିଜରୁ ‘ମାଜି’, ଅଷ୍ଟ୍ରେଲିଆରୁ ‘ବଜରିଜର’, ମେକ୍‌ସିକୋରୁ ‘ଟମାଟୋ’ ଟୋକିଓରୁ ‘କଫି’, ଚୀନରୁ ‘ଟି’, ନେଇ ତାଙ୍କ ଭାଷାକୋଷକୁ ସମୃଦ୍ଧ କଲେ । ତାଙ୍କର କଳାତ୍ମକ ଅଭିବ୍ୟକ୍ତି ପାଇଁ ସେମାନେ ଫରାସୀ ଭାଷାଠାରୁ ‘କ୍ରିଟିକ୍‌’, ‘କୋନୋସୋର’, ‘ପୋନ୍‌ଟିଲିଜମ୍‌’, ପୁନଶ୍ଚ ସାମାଜିକ ଜୀବନପାଇଁ ‘ପରଭେନ୍ୟୁ’, ‘ଇଟିକେଟ୍‌’, ଯାନବାହାନ ପାଇଁ, ‘ଗାରେଜ୍‌’ ‘ଅଙ୍ଗର୍‌’, ସେଫର ଏବଂ ‘ଫୁଜିଲ୍‌ଜ୍’ ଆଜି ଶବ୍ଦ ଋଣ କରି ଶେଷରେ ନିଜର କରିନେଲେ । ସେହିପରି ସେମାନେ ଇଟାଲୀୟଙ୍କ ପାଖରୁ ‘ଷ୍ଟୁଡ଼ିଓ’ ‘ରିପ୍‌ଲିକା’ ‘ସିନେରୀ’, ‘ଫିସ୍‌କୋ’ ଆଦି କଳାତ୍ମକ ଶବ୍ଦ; ଜର୍ମାନୀମାନଙ୍କ ପାଖରୁ ‘ପେରିଫିନ୍‌’ ‘ଜୋବଲଟ’, ‘କ୍ୱାଟସ୍‌’, ‘ଷ୍ଟ୍ରଫ୍‌’, ‘ବ୍ଳିଜ୍‌’ ଓ ‘ଇର୍‍ଜେଟସ୍‌’ ଆଦି ବୈଜ୍ଞାନିକ ଶବ୍ଦ; ୟୁକାରିୟନ୍‌ଙ୍କ ପାଖରୁ ‘ଏପରଟିଡ଼’ ଓ ରୁଷୀୟଙ୍କ ପାଖରୁ ‘ସ୍ପୁଟନିକ୍‌’ ଓ ‘ଲୁନିକ୍‌’ ଆଦି ଶବ୍ଦ ଅବିକଳ ଉତ୍ତାରି ନେଲେ । ଏପରି କି ତାଙ୍କ ‘ଇଂଲିଶ୍’ ଶବ୍ଦଟି ମଧ୍ୟ ମୌଳିକ ନୁହେଁ । ଏହା ସେମାନେ ପୁରାତନ ଟ୍ୟୁଟନିକ୍‌ ‘ଏଙ୍ଗଲିସସ୍କୋ’ ଶବ୍ଦକୁ ଅପଭ୍ରଂଶ କରି ‘ଇଙ୍ଗଲିସ୍‌’ ଶବ୍ଦଟି ସୃଷ୍ଟି କଲେ, ଯାହା ସ୍କେଣ୍ତିନେଭିଏନ୍‌, ଏଙ୍ଗ୍ଳୋ-ସେକ୍‌ସନ୍‌ ଓ ଜର୍ମାନୀର ଏକ ମିଶ୍ରିତ ଶବ୍ଦ ଅଟେ ।

 

ସଂସ୍କୃତ, ଗ୍ରୀକ୍‌, ଲାଟିନ୍‌, ଟ୍ୟୁଟନିକ୍‌, ହୀବ୍ରୋ, ଫ୍ରେନ୍‌ଚ, ଜର୍ମାନ, ‘ଇଟାଲୀଏନ୍‌, ସ୍ପେନିସ୍‌ ଓ ଡଚ୍‌ ଆଦି ବହୁ ଅଗଣିତ ଭାଷାର ସମୀକରଣ ହୋଇଥିବା ଏକ ଗ୍ରନ୍ଥକୁ ଆମେ ଭୁଲବଶତଃ ଆଜି ‘ଇଂଲିଶ୍ ଡିକ୍ସନାରୀ’’ ବୋଲି କହୁଛୁଁ । ବିଭିନ୍ନ ଲୋକଙ୍କଦ୍ୱାରା ଜମା ରଖିଥିବା ଅର୍ଥକୁ ଏକକ୍ର କରି ରଖିଥିବା ବ୍ୟାଙ୍କ୍ ମାଲିକ ସେ ସମସ୍ତ ଅର୍ଥର ମାଲିକ ନିଜକୁ କହିବା ପରି, ଇଂରାଜୀ ବିଶାଳ ଶବ୍ଦକୋଷର ମାଲିକ ଅଟେ । ପ୍ରକୃତରେ ଇଂରେଜ ଜାତି ଅନ୍ୟର ମେଷପାଳକ ପରି ବିଭିନ୍ନ ଭାଷାଗୁଡ଼ିକର ଯତ୍ନ ନେଉଛନ୍ତି, ଯାହା ତାଙ୍କର ନୁହେଁ । ଏହା ଉଦାରତାର ଉଦାହରଣ ହୋଇପାରେ; ମାତ୍ର ଏହା ମୌଳିକତାର ବହୁ ଊର୍ଦ୍ଧ୍ୱରେ । ମର୍କ ବ୍ରୁନାଲ ‘‘ହାଉ ଅନ୍‌ ଇଂଲିଶ୍ ଇଜ୍‌ ଇଂଲିଶ୍’’ ପ୍ରବନ୍ଧରେ ଦୁଃଖ ପ୍ରକାଶ କରି କୁହନ୍ତି ଯେ ଯଦି ବିଦେଶରୁ ଆଣିଥିବା ଶବ୍ଦଗୁଡ଼ିକ ଇଂରାଜୀ ଶବ୍ଦକୋଷରୁ ବାହାର କରି ନିଆଯାଏ, ତେବେ ଯାହା ପରିଶିଷ୍ଟ ରହିବ ତାହା କୌଣସି ଆଦିମ ଜଙ୍ଗଲୀ ଜାତିର ଭାଷାଠାରୁ କୌଣସି ଗୁଣରେ ଉତ୍କୃଷ୍ଟ ମନେ ହେବ ନାହିଁ ।

 

ଅନ୍ୟପକ୍ଷରୁ ବିଚାର କଲେ ଇଂରାଜୀ ଭାଷାକୋଷର ପାଞ୍ଚଲକ୍ଷ ଶବ୍ଦରୁ ଅନେକ ଶବ୍ଦ ଆଧୁନିକ ଇଂରାଜୀରେ ପ୍ରୟୋଗ ହେଉନାହିଁ ଏବଂ ଇଂରାଜୀଭାଷାର ଦକ୍ଷ ବିଦ୍ୱାନ ଏସବୁ ଶବ୍ଦର ପ୍ରକୃତ ଅର୍ଥ ଠିକ୍‌ରୂପେ ବୁଝିପାରୁଥିବେ ଏକଥା ମଧ୍ୟ ଦୃଢ଼ତା ସହ କୁହାଯାଇପାରିବ ନାହିଁ । ଏଣୁ ଇଂରାଜୀଭାଷାର ବୃହତ୍‌ ଶବ୍ଦକୋଷ ଦେଖି ଆମେ ନିଜକୁ ଦରିଦ୍ର ମନେ କରିବାର କାରଣ କିଛି ନାହିଁ । କୌଣସି ଗୋଟିଏ ଭାଷାର ଶବ୍ଦକୋଷ ବଢ଼ାଇବାର ପଦ୍ଧତି ଯଦି ବିଶ୍ୱର ସବୁ ଭାଷାର ଶବ୍ଦକୋଷକୁ ଆଣି ନିଜ ଭାଷାକୋଷରେ ଅନ୍ତର୍ଭୁକ୍ତ କରିନେବା, ତାହାହେଲେ ଆମେ ଓଡ଼ିଆ ଭାଷାର ଶବ୍ଦକୋଷକୁ ଗୋଟିଏ ମାସ ମଧ୍ୟରେ ବିଶ୍ୱର ଏକ ସୁବୃହତ୍‌ ଶବ୍ଦକୋଷ ଭାବରେ ପରିବର୍ତ୍ତିତ କରି ଦେଇପାରିବୁ, ଏଥିରେ ସନ୍ଦେହ ନାହିଁ ।

 

ତେବେ ଇଂରାଜୀ ଯେ କେବଳ ଏକ ସୁବୃହତ୍‌ ଶବ୍ଦକୋଷର ମାଲିକ ସେତିକି କୁହାଯାଉ ନାହିଁ, ଏହା ବିଶାଳ ପୃଥିବୀର ବହୁଳ ଭାବରେ ପ୍ରଚାରିତ, ପ୍ରସାରିତ ଭାଷା ବୋଲି ମଧ୍ୟ କୁହାଯାଉଛି । ଏଥିରେ ସନ୍ଦେହ କରିବାର ମଧ୍ୟ କୌଣସି କାରଣ ନାହିଁ । ଇଂରେଜମାନଙ୍କର ଶାସନାଧିନ ଦେଶଗୁଡ଼ିକରେ ଏପ୍ରକାର ମତ ଏତେ ଜୋର୍‍ସୋର୍ ଭାବରେ ପ୍ରଚାର ହୋଇଛି ଯେ ଆମେ ବିଶ୍ୱର ଲୋକସଂଖ୍ୟା ସହ ଇଂରାଜୀଭାଷାଭାଷୀଙ୍କ ଏକ ତୁଳନାତ୍ମକ ଅଧ୍ୟୟନ କରିବାକୁ ମଧ୍ୟ ସମୟର ଅଯଥା ଅପଚୟ ବୋଲି ମନେ କରୁଛୁଁ ।

 

ଦୁଇଅର୍ବ ନବେକୋଟି ଜନସଂଖ୍ୟାରୁ କେବଳ ଛବିଶ କୋଟି ଲୋକଙ୍କର ଏହା ମାତୃଭାଷା ଅଟେ । ଅର୍ଥାତ୍‌ ସଂସାରର ବାରଜଣଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିର ମାତୃଭାଷା ହେଲା ଇଂରାଜୀ । ୧୯୪୧ ଜନଗଣନାକୁ ଲକ୍ଷ୍ୟ କଲେ ଜଣାଯାଏ ଇଂରାଜୀ ବିଶ୍ୱର କେବଳ ପାଞ୍ଚଟି ଦେଶର ମାତୃଭାଷା ଅଟେ । ଯାହାର ଜନସଂଖ୍ୟା :– ଇଂଲଣ୍ତ ୫,୧୪,୫୫,୦୦୦, ନ୍ୟୁଜିଲାଣ୍ତ ୨୨,୩୨,୫୯୧, ୟୁ. ଏସ୍‌.ଏ. ୧୭,୪୦,୬୪,୦୦୦, ଅଷ୍ଟ୍ରେଲିଆ ୧,୩୬,୮୨,୦୨୮, କାନାଡ଼ା ୧,୪୦,୦୯,୪୨୯ ।

 

ଉପରୋକ୍ତ ପାଞ୍ଚଟି ଦେଶକୁ ଛାଡ଼ିଦେଲେ ବିଶ୍ୱର ବିଭିନ୍ନ ଦେଶଗୁଡ଼ିକର ନିଜ ନିଜର ମୌଳିକ ରାଷ୍ଟ୍ରୀୟ ଭାଷା ରହିଛି । କାନାଡ଼ାର ଏକ ତୃତୀୟାଂଶରୁ ଅଧିକ ଲୋକଙ୍କର ଭାଷା ଫେଞ୍ଚ-। ୫୫ କୋଟି ଚୀନାବାସୀଙ୍କ ମାତୃଭାଷା ଚିନୀ । କେବଳ ଚୀନରେ ନୁହେଁ, ତିବ୍ଦତ, ମାଳୟ, ବର୍ମା, ଇଣ୍ତୋଚାଇନା ଆଦି ଦକ୍ଷିଣ-ପୂର୍ବ ଏସିଆର ବହୁଦେଶରେ ଅନେକ ସଂଖ୍ୟାରେ ଚିନୀଭାଷା କହୁଥିବା ଲୋକ ରହୁଛନ୍ତି । ଯଦି ସଂଖ୍ୟା ଦୃଷ୍ଟିରୁ ଆମେ ବିଚାର କରୁଁ ତାହାହେଲେ ବିଶ୍ୱଭାଷାର ଅଧିକାରୀ ଇଂରାଜୀ ନ ହୋଇ ଚିନୀଭାଷା ହୋଇଯିବ । ବିଶ୍ୱର ଦୁଇଅର୍ବ ନବେକୋଟି ଜନସଂଖ୍ୟାରୁ ଇଂରାଜୀ ଅତିରିକ୍ତ ଅନ୍ୟଭାଷା କହିବା ସଂଖ୍ୟା ଚୀନ ସହିତ ଦୁଇଅର୍ବ ଚଉଷଠି କୋଟି ଅଟେ । ତା’ପରେ ବିଶ୍ୱ କହିଲେ ଉପରୋକ୍ତ ପାଞ୍ଚଟି ଦେଶକୁ ତ ବୁଝାଏ ନାହିଁ । ତେବେ ବର୍ତ୍ତମାନ ବିଶ୍ୱର ଜନଗଣନା ଅନୁସାରେ କୁହାଯାଉଛି ଯେ ଇଂରାଜୀ ଜାଣିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହା ସଙ୍ଗେ ସଙ୍ଗେ ଏହା ଭୁଲିଯିବା ଉଚିତ ନୁହେଁ ଯେ ସେହି ଅନୁପାତରେ ଅନ୍ୟାନ୍ୟ ଭାଷାଭାଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାସତ୍ତ୍ୱେ ଇଂରାଜୀକୁ ଏକମାତ୍ର ଅନ୍ତଃରାଷ୍ଟ୍ରୀୟ ଭାଷା କହିବା କାହିଁକି ଯୁକ୍ତିସଙ୍ଗତ ମନେ ହେଉନାହିଁ ।

 

ଇଂରାଜୀ ଯଦି ଏକମାତ୍ର ଅନ୍ତଃରାଷ୍ଟ୍ରୀୟ ଭାଷା ହୋଇଥାଆନ୍ତା ତାହାହେଲେ ସଂଯୁକ୍ତ ରାଷ୍ଟ୍ର ସଂଘରେ ଏତେଗୁଡ଼ିଏ ଭାଷା ରଖିବା କ’ଣ ଦରକାର ଥିଲା ? କେବଳ ଇଂରାଜୀ ଭାଷା ରଖିଥିଲେ ତ ଚଳିଯାଇଥାନ୍ତା । ବିଶ୍ୱସହ ସମ୍ପର୍କ ରକ୍ଷା କରିବାକୁ ଏହାହିଁ ଏକମାତ୍ର ଭାଷା କହିବାରେ ମଧ୍ୟ ଯଥାର୍ଥତା କିଛି ନାହିଁ । ଏହା ଯଦି କେବଳ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ଓ କୂଟନୀତିର ଭାଷା ହୋଇଥାନ୍ତା ତାହାହେଲେ ଚୀନ ବିଶ୍ୱସହ ସ୍ୱଭାଷାଦ୍ୱାରା କୂଟନୈତିକ ସମ୍ପର୍କ ରକ୍ଷା କରି ପାରନ୍ତା ନାହିଁ । ଅନ୍ୟକଥା ହେଲା କୌଣସି ଦେଶ ଏକ ବିଦେଶୀ ଭାଷା ବଳରେ ନିଜକୁ ଶ୍ରେଷ୍ଠ ଭାବରେ ପରିଚିତ କରି ପାରିନାହିଁ । ଆମେରିକାର ନିଜର ବୋଲି କୌଣସି ଭାଷା ନଥିଲା । ବିଶ୍ୱର ବିଭିନ୍ନ ଭାଗରୁ ଲୋକ ଆସି ସେଠି ବସତି ସ୍ଥାପନ କରୁଥିଲେ । ସେମାନେ ଇଂରାଜୀ ଭାଷାକୁ ନିଜର ଭାଷା ବୋଲି ଗ୍ରହଣ କରିନେବା ପରେ ମଧ୍ୟ ତାଙ୍କୁ ଇଂରାଜୀ ବୋଲି କହିବାକୁ ସଙ୍କୋଚ ମନେ କଲେ । ଆଜି ସେହି ଇଂରାଜୀରେ ଖୁବ୍‌ ସାଧାରଣ ପରିବର୍ତ୍ତନ କରି ତାକୁ ସେମାନେ ‘‘ଆମେରିକାନ’’ ବୋଲି କହୁଛନ୍ତି । ଠିକ୍‌ ସେପରି କାନାଡ଼ାରେ କହୁଥିବା ଭାଷାକୁ ‘‘କାନାଡ଼ିଏନ୍‌ ଇଂଲିଶ୍’’ ଓ ଅଷ୍ଟ୍ରେଲିଆରେ କହୁଥିବା ଭାଷାକୁ ‘‘ଅଷ୍ଟ୍ରେଲିଏନ୍‌ ଇଂଲିଶ୍’’ ବୋଲି କୁହାଯାଉଛି । ତେବେ ଯେଉଁ ଦେଶର ମାତୃଭାଷା ଇଂରାଜୀ ନୁହେଁ ସେ ଦେଶର କଥିତ ଇଂରାଜୀ କିମ୍ଭୂତକିମାକାର । ଚୀନର ବ୍ୟାକରଣ ଶୂନ୍ୟ ଇଂରାଜୀକୁ ପିଡ଼ଗିନ୍‌ ଇଂରାଜୀ କୁହନ୍ତି । ସେମାନେ–‘‘ଆଇ ରିଗ୍ରେଟ୍‌ ଦେଟ ଆଇସେଲ୍‌ ନଟ ବି ଏବୁଲ ଟୁ କମ୍‌ପ୍ଳେ ଉଇଥ୍‌ ଇଓର୍‌ ରିକ୍ୱେଷ୍ଟ’’ ନ କହି ‘‘ସରି, ନୋ କେନ୍‌’’ କହି ଦିଅନ୍ତି । ଏ ଇଂରାଜୀ ଆମଦେଶର ରେଲୱେ ବା ରିକ୍ସାବାଲାଙ୍କ ଇଂରାଜୀ ସହ ତୁଳନୀୟ ।

 

ଭାରତୀୟ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବିଜ୍ଞାନ ଛାତ୍ରଙ୍କ ଦୃଢ଼ ପ୍ରତ୍ୟୟ ଯେ ଇଂରାଜୀ ବିନା ବିଜ୍ଞାନ ପଢ଼ିବା ଅସମ୍ଭବ । କାରଣ ବିଜ୍ଞାନର ସମସ୍ତ ଶବ୍ଦହିଁ ଇଂରାଜୀରେ ରହିଛି । ମାତ୍ର ବିଜ୍ଞାନରେ ବହୁଳ ଭାବରେ ବ୍ୟବହୃତ ଶବ୍ଦଗୁଡ଼ିକ ମୂଳତଃ ପରୀକ୍ଷା କଲେ ଜଣାଯାଏ ଯେ ଇଂରେଜ ଜାତି ଏସମସ୍ତ ଶବ୍ଦ ଲାଟିନ୍‌, ଗ୍ରୀକ୍, ଫ୍ରେଞ୍ଚ, ଜର୍ମାନୀ, ସଂସ୍କୃତ ଆଦି ଭାଷାରୁ ଗ୍ରହଣ କରିଛନ୍ତି । ହାଇଡ଼୍ରୋଜେନ୍‌, ଅକ୍ସିଜେନ୍‌, ମଲ୍ୟୁକୁଲ, ଇନ୍‌ଅର୍ଗାନିକ୍‌, ଇଲେକ୍‌ଟନ୍‌, ପ୍ରୋଟନ, ନିଉଟ୍ରନ୍‌, କାଲକୁଲସ, ଏଲଜେବ୍ରା, କ୍ୱାନଟମ୍‌, ଏମ୍‌ଫିବିୟସ, ଏନ୍‌ଟରିୟର, ପୋଷ୍ଟରିୟର, ପ୍ରୋକ୍‌ସିମାଲ, ଏଣ୍ତ୍ରୋସିୟମ୍‌, ଗାଏନୋଶିୟମ୍‌ ଆଦି ବହୁଳ ଭାବରେ ବିଜ୍ଞାନରେ ବ୍ୟବହାର ହେଉଥିବା ଶବ୍ଦ କ’ଣ ମୂଳତଃ ଇଂରାଜୀ ? କିନ୍ତୁ ଆମ ବିଜ୍ଞାନ ପାଠୁଆମାନେ ଭୁଲବଶତଃ କହିଦିଅନ୍ତି ଯେ ଏହା ଇଂରାଜୀ । ଏଣୁ ଇଂରାଜୀ ବିନା ବିଜ୍ଞାନ ପଢ଼ିବା ଅସମ୍ଭବ ହୋଇପଡ଼େ ।

 

ବିଜ୍ଞାନ ସାମ୍ରାଜ୍ୟରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଆଧୁନିକ ‘‘ଟେପ୍‌ ରେକର୍ଡ଼ର’’ ଶବ୍ଦଟି ପରୀକ୍ଷା କରାଯାଉ, ଯାହା ଏକ ଇଂରାଜୀ ଶବ୍ଦ ଅଟେ । ଟେପ୍‌ ଅର୍ଥ ଫିତା ଓ ରେକର୍ଡ଼ର ଅର୍ଥ ଖାତା । ଗୋଟିଏ ଶବ୍ଦରେ କହିଲେ ‘‘ଫିତା ଖାତା’’ । ଫିତାଖାତା କହିଲେ ଯେପରି କିଛି ଅର୍ଥ ଜଣାପଡ଼ୁ ନାହିଁ ଟେପ୍‌ ରେକର୍ଡ଼ର କହିଲେ ମଧ୍ୟ ଠିକ୍‌ ସେଇ ସମସ୍ୟା ଉଠୁଛି । ତେବେ ଟେପ୍‍ରେକର୍ଡ଼ର ବାରମ୍ୱାର କହିବାଦ୍ୱାରା ଯଦିଓ ବସ୍ତୁଟି ଆମପାଇଁ ପରିଚିତ ହୋଇଗଲାଣି ତେବେ ବସ୍ତୁଟିର ପ୍ରକୃତ ନାମକରଣ ଠିକ୍‌ ଅନୁସାରେ ହୋଇପାରି ନାହିଁ । ଏଥର ଫ୍ରେଞ୍ଚ ଶବ୍ଦକୋଷ ଦେଖାଯାଉ । ଏ ବସ୍ତୁଟିକୁ ସେମାନେ ‘‘ମେଗ୍ରିଟୋଫୋନ୍‌’’ କୁହନ୍ତି । ଯାର ଅନୁବାଦ କଲେ ହେବ ‘‘ଚୁମ୍ୱକଧ୍ୱନି’’, ଧ୍ୱନିକୁ ଚୁମ୍ୱକ ପରି ଟାଣି ନେଉଥିବାରୁ ଏହା ଚୁମ୍ୱକଧ୍ୱନି । ଏହା ଫିତାଖାତା ବା ଟେପ୍‍ରେକର୍ଡ଼ରଠାରୁ କ’ଣ ବହୁଗୁଣରେ ଅର୍ଥଦ୍ୟୋତକ ନୁହେଁ କି ? ଏକ୍ଷେତ୍ରରେ ଇଂରାଜୀ ଅପେକ୍ଷା ଫ୍ରେଞ୍ଚ ଶବ୍ଦ ଗ୍ରହଣ କରିବା ଯଥେଷ୍ଟ ବୈଜ୍ଞାନିକତା ସିଦ୍ଧ ହୋଇଯାଏ ।

 

ଇଂରାଜୀ ଶବ୍ଦଗୁଡ଼ିକ ପ୍ରକୃତରେ ଯଦି ବିଜ୍ଞାନ ସହ ଏକ ଘନିଷ୍ଠ ସମ୍ପର୍କ ରଖିଥାନ୍ତା ତାହାହେଲେ ୧୯୫୦ରେ ଜାପାନର ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପକୟୁକା ସିଦ୍ଧାନ୍ତିକ ପଦାର୍ଥ ବିଜ୍ଞାନରେ ଗୋଟିଏ ମାତ୍ର ଇଂରାଜୀ ବା ଫରାସୀ ଶବ୍ଦ ନ ଜାଣି ନୋବେଲ ପୁରସ୍କାର ଲାଭ କରିପାରି ନଥାନ୍ତେ । ହରଦ୍ୱାରରେ ସ୍ଥାପିତ ବି.ଏଚ୍‌.ଇ.ଏଲ୍‌. ଓ ରାଉରକେଲାସ୍ଥ ଷ୍ଟିଲ ପ୍ଲାଣ୍ଟର ଅନେକ ରୁଷୀୟ ଓ ଜର୍ମାନୀ ଯନ୍ତ୍ରୀଙ୍କ ସହ ଦେଖାହେବା ଅବସରରେ ମୁଁ ଏହା ଭାବିବାକୁ ବାଧ୍ୟ ହେଲି ଯେ ଆମ ସରକାର ସେଇ ପ୍ରକାର ଟେକନିକାଲ ଏକ୍‌ସପାର୍ଟସଙ୍କୁ ଏଦେଶକୁ ଆମନ୍ତ୍ରଣ କରି କେତେ ଅର୍ଥ ଶ୍ରାଦ୍ଧ କରୁନାହାନ୍ତି, ଯେଉଁମାନେ ସାଧାରଣ ଇଂରାଜୀ କହିବାରେ ମଧ୍ୟ ଅସମର୍ଥ । ଯଦି ବିଜ୍ଞାନ ସହିତ ଇଂରାଜୀ ଭାଷା ଯୋଡ଼ା ହୋଇଥାନ୍ତା ତାହାହେଲେ ଏମାନେ ଟେକନିକାଲ ଏକ୍‌ସପାର୍ଟସ କିପରି ହୋଇ ପାରିଥାନ୍ତେ ? ଇଂରାଜୀଭାଷା ବିନା ରୁଷିଆ ଆଜି ପୃଥିବୀର ଦ୍ୱିତୀୟ ମହାଶକ୍ତି । ୧୯୪୨ରେ ଇସରାଏଲ ରାଜ୍ୟର ସ୍ଥାପନ ହେଲା ଓ ୧୯୪୯ରେ ଦୁଇହଜାରବର୍ଷ ପ୍ରାୟତଃ ମୃତ ହିବ୍ରୁଭାଷାର ଉଦ୍ଧାର କରାଗଲା । ୧୯୪୯ରେ ଦୁଇହଜାରବର୍ଷ ପ୍ରାୟତଃ ମୃତ ହିବ୍ରୁଭାଷାର ଉଦ୍ଧାର କରାଗଲା । ୧୯୬୬ରେ ହିବ୍ରୁ ସାହିତ୍ୟର ଉନ୍ନାୟକଙ୍କୁ ନୋବେଲ ପୁରସ୍କାର ମିଳିଲା । ଅଥଚ ୧୮୧୨ଠାରୁ ଭାରତରେ ଇଂରାଜୀଭାଷା ପଢ଼ାଯାଉଛି । କିନ୍ତୁ ରବୀନ୍ଦ୍ରନାଥ ଠାକୁର ଓ ଶ୍ରୀରମଣଙ୍କ ଅତିରିକ୍ତ ଅନ୍ୟ କୌଣସି ଭାରତୀୟଙ୍କୁ ନୋବେଲ ପୁରସ୍କାର ମିଳିଲା ନାହିଁ-। ରବୀନ୍ଦ୍ରନାଥଙ୍କୁ ମଧ୍ୟ ମୂଳ ବଙ୍ଗଳା ଗୀତାଞ୍ଜଳିରେ ପୁରସ୍କାର ମିଳିନାହିଁ । ବରଂ ଇଂରାଜୀ ଅନୁବାଦ ଗୀତାଞ୍ଜଳି ପାଇଁ ସେ ତାହା ଲାଭ କଲେ । ସେଥିରେ କ’ଣ କିଛି ମୌଳିକତା ରହିଛି-? ଏଥିରୁ ସ୍ପଷ୍ଟ ଯେ ଇଂରାଜୀଭାଷା ଭାରତୀୟ ପ୍ରତିଭାକୁ ନଷ୍ଟ କରିଦେଲା ।

 

ଇଂରାଜୀର ସାର୍ବଭୌମ କ୍ଷମତାର କଳ୍ପନା ତ କରାଯାଇହିଁ ନପାରେ । ଦୁଃଖ ଲାଗେ ଭାରତର ରାଷ୍ଟ୍ରଭାଷା ଜାଣି ନଥିବା ବ୍ୟକ୍ତି ଆମ ଦେଶରେ ଉଚ୍ଚପଦରେ ଆସୀନ ହୋଇ ପାରନ୍ତି; ମାତ୍ର ଇଂରାଜୀ ନ ଜାଣିବା ଲୋକ ଏଦେଶର ଚପରାସି ପଦପାଇଁ ଅଯୋଗ୍ୟ । ସାରଳାଦାସ ବା କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ଯଦି ଆଜି ଥାନ୍ତେ ଓ ଦୁର୍ଭାଗ୍ୟବଶତଃ ଏକ ଚାକିରି ଖୋଜନ୍ତେ ତାହାହେଲେ ତାଙ୍କୁ ଜମାଦାର ବା ଚୌକିଦାର କାମ ମିଳନ୍ତା ନା ନାହିଁ ତା’ ସନ୍ଦେହ । ଭାରତରେ ଭାରତୀୟ ଭାଷାଗୁଡ଼ିକର ସ୍ଥିତି ଏଥିରୁ ବେଶ୍‌ ଅନୁମାନ କରାଯାଇପାରେ ।

 

ଏହା ସତ୍ତ୍ୱେ ଆମର ବିଶ୍ୱାସ ଯେ ଏ ଭାଷା ଦିନେ ଆମ ମଧ୍ୟରେ ଏକତା ଆଣିଥିଲା ଓ ଏହି ବଳରେ ଆମେ ଇଂରେଜମାନଙ୍କ ସହ ସଂଘର୍ଷ କରି ଭାରତକୁ ସ୍ୱାଧୀନ କରିଥିଲୁଁ । ଏପ୍ରକାର ବିଚାର ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ସହାନୁଭୂତି ଦେଖାଇବା ଛଡ଼ା ଆମ ପାଖରେ ଆଉ କିଛି ନାହିଁ । ଏ ସମସ୍ତ ଯୁକ୍ତି ପଛରେ ସତ୍ୟତା ନାହିଁ; ଅଛି ବର୍ଷ ବର୍ଷ ଦାସତ୍ୱର ଆନୁଗତ୍ୟ । ଭାରତରେ ୧୦୦୦ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ପାଞ୍ଚଜଣ ଇଂରାଜୀ ଜାଣନ୍ତି ବୋଲି କୁହାଯାଉଛି । ତେବେ ସେମାନଙ୍କ ମଧ୍ୟରୁ ଅନେକେ ଏପରି ଇଂରାଜୀ କୁହନ୍ତି ଯାହା ଜଣେ ଇଂରେଜ ବୁଝିପାରିବ ନାହିଁ, ନା, ତା’ କଥା ଏମାନେ ବୁଝିପାରିବେ ନାହିଁ । ୧୯୫୧ ଜନଗଣନା ଅନୁସାରେ ୩୮ କୋଟି ଜନସଂଖ୍ୟାରେ କେବଳ ୬ କୋଟି ଲୋକଙ୍କୁ ମାତ୍ର ପଢ଼ାଲେଖା ଆସୁଥିଲା ଏବଂ ଏହି ପଢ଼ାଲେଖା ମଧ୍ୟରେ କେବଳ ୫୨ ଲକ୍ଷ ବ୍ୟକ୍ତି ଶିକ୍ଷିତ ହେବା ସଂଜ୍ଞା ଦିଆଗଲା । ୫୨ ଲକ୍ଷରୁ ୩୮ ଲକ୍ଷ ହାଇସ୍କୁଲ୍ ପରୀକ୍ଷାରେ ପାସ୍‍ କରିଥିଲେ । କେବଳ ୧୨ ଲକ୍ଷ ଛାତ୍ର ବିଶ୍ୱବିଦ୍ୟାଳୟ ଶିକ୍ଷା ଲାଭ କରିଥିଲେ । ସେହି ୨ ଲକ୍ଷଙ୍କୁ କେବଳ ଶିକ୍ଷିତ କୁହାଗଲେ ଏମାନଙ୍କଦ୍ୱାରାହିଁ ଭାରତ ସ୍ୱାଧୀନତା ପାଇଁ ଏକତା ଆସିଥିଲା ବୋଲି କୁହାଯିବ । ମାତ୍ର ଶିକ୍ଷିତ ମହଲରେ ଏକତା ଆସିବା ଏତେ ସହଜ କଥା ନୁହେଁ, ଯେତେ ଆମେ ଭାବୁଛୁଁ ।

 

ଏ ଭାଷା ଆମ ମଧ୍ୟରେ କି ପ୍ରକାର ଏକତା ଆଣିଛି ଦେଖାଯାଉ । ମହମ୍ମଦ-ଅଲ୍ଲି ଜିନ୍ନା ତଥା ତାଙ୍କର ସାଥୀମାନେ ତ ପୁଣି ଇଂରାଜୀ ଶିକ୍ଷାଲାଭ କରିଥିଲେ । ଯଦି ଏହା ଆମକୁ ଏକତାର ଶିକ୍ଷା ଦେଲା ତେବେ ଏପ୍ରକାର ଇଂରାଜୀରେ ଉଚ୍ଚଶିକ୍ଷା ଲାଭ କରିଥିବା ବ୍ୟକ୍ତିଗଣ ଭାରତ ବିଭାଜନର ବହ୍ନି ଜାଳିରେ କିପରି ? କେତେକଙ୍କ ଧାରଣା ଯେ ଇଂରାଜୀହିଁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ପ୍ରେରଣା ଦେଇଥିଲା । ଏହା ଅନୁସନ୍ଧାନ ସାପେକ୍ଷ । ଭାରତ ଇତିହାସ କୁହେ, ଇଂରେଜମାନେ ଯେତେବେଳେ ଦଷିଣ ଭାରତକୁ ଅଗ୍ରସର ହେଲେ କୋଟ୍ଟା ବାମନ ତାଙ୍କର ତୀବ୍ର ବିରୋଧ କଲେ । କିନ୍ତୁ ସେ ତ ଇଂରାଜୀର ‘ଈ’ ଅକ୍ଷର ସହ ପରିଚିତ ନଥିଲେ ? ସିରାଜଉଦ୍ଦୌଲା କ୍ଳାଇବଙ୍କ ସହ ପ୍ରାଣମୂର୍ଚ୍ଛା ସଂଘର୍ଷ କରିଥିଲେ, ଯାହାଙ୍କୁ ଇଂରାଜୀ ଜଣା ନଥିଲା । ୧୮୫୭ ମସିହା ସିପାହୀ ବିଦ୍ରୋହର ଅନେକ ସିପାହୀ ହୁଏତ ଇଂରାଜୀ ପଢ଼ିଲେଖି ଜାଣି ନଥିବେ-। ଟିପୁ ସୁଲତାନ ତ ଇଂରାଜୀ ପଣ୍ତିତ ନଥିଲେ । ତେବେ କେଉଁ ଇଂରାଜୀ ଭାଷା ଆମକୁ କେଉଁ ଇଂରେଜମାନଙ୍କ ସହ ଲଢ଼ିବାକୁ ପ୍ରେରଣା ଦେଲା ତା’ ହୁଏତ ଆମେ ଜାଣିନାହୁଁ ।

 

ବିଚାରକଲେ ଇଂରେଜମାନେ ପ୍ରଥମେ ଭାରତକୁ ସ୍ୱଶାସନାଧୀନ କରିବା ପରେ ଲଙ୍କା, ବର୍ମା, ଆଫଗାନୀସ୍ଥାନ ଆଦିକୁ ମିଶ୍ରଣ କରି ‘‘ବିଶାଳ ଭାରତ’’ ଗଠନ କରିଥିଲେ । ମାତ୍ର ସେ ବିଶାଳ ଭାରତ ଗଲା କୁଆଡ଼େ ? ବରଂ ସେମାନଙ୍କ ପ୍ରରୋଚନାରେ ଅଖଣ୍ତ ଭାରତ ଦ୍ୱିଖଣ୍ତିତ ହେଲା । ଜେମ୍‌ସ ପ୍ରଥମଙ୍କ ସମୟରେ ୧୬୦୩ରେ ଆୟରଲାଣ୍ତ, ସ୍କଟଲାଣ୍ତ ଓ ଇଂଲଣ୍ତକୁ ମିଶାଇ ଗ୍ରେଟ୍‌ବ୍ରିଟେନ କୁହାଯାଉଥିଲା । ଭାରତ ପରି ଆୟାରଲେଣ୍ତରେ ମଧ୍ୟ ଇଂରାଜୀଭାଷା ପ୍ରଚଳନ ହୋଇଥିଲା । ଏ ସବୁତ ଇଂଲଣ୍ତର ଅଖଣ୍ତତାରେ ସାହାଯ୍ୟ କରିପାରିଲା ନାହିଁ ? ଏପ୍ରକାର ଏକତାର ଶିକ୍ଷାହିଁ ଆମେ ଇଂରାଜୀ ଭାଷାଠାରୁ ପାଇଛୁ କହିଲେ ଠିକ୍‌ ହେବ ।

 

ଭାରତୀୟ ଭାଷାଗୁଡ଼ିକର ଏପ୍ରକାର ଦୟନୀୟ ପରିସ୍ଥିତି ପାଇଁ ପରସ୍ପରକୁ ଦାୟୀ କରିବାରେ କ୍ଷତି ବ୍ୟତୀତ ଲାଭର କୌଣସି କାରଣ ନାହିଁ । ଭାରତରେ ଅନେକ ଭାଷା ଥିବାରୁ ସମଗ୍ର ଭାରତବର୍ଷକୁ ଏକ ସୂତ୍ରରେ ଯୋଡ଼ିବାପାଇଁ ଏକ ଭାଷାର ପ୍ରୟୋଜନ ଥିଲା । ଟି.ବି. ମେକେଲଙ୍କ ଇଂରାଜୀ ଶିକ୍ଷା ପ୍ରଚଳନ ଫଳରେ ଭାରତୀୟମାନେ ଇଂରାଜୀ ପଢ଼ିଲେ ଓ ଶେଷରେ ଏହି ଭାଷା ମାଧ୍ୟମରେ ଭାରତରେ ନବଜାଗରଣ ଆସିଲା । ନବଜାଗରଣ ନ କହି ଦାସତ୍ୱର ଯୁଗ ଆରମ୍ଭ ହେଲା କହିଲେ ଠିକ୍‌ ହେବ । ଇଂରାଜୀ ପଢ଼ିଥିବା ବାବୁମାନେ ଏକ ନୂଆଜାତିର ସୃଷ୍ଟି କଲେ । ଏଦେଶରେ ଆଉ ଏକପ୍ରକାରର ଅସ୍ପୃଶ୍ୟତା ବ୍ୟାପିଲା ଇଂରେଜମାନେ ତାଙ୍କ ଉଦ୍ଦେଶ୍ୟରେ ସଫଳ ହେଲେ । ଆମେ ବିଜୟୀ ହୋଇ ମଧ୍ୟ ହାରିଗଲୁ ।

 

ମରାଠୀଶାହା ପତନ ପରେ ପରେ ୧୮୨୫ରେ ଏଲଫିଷ୍ଟନ ତାଙ୍କର ଜଣେ ବନ୍ଧୁଙ୍କ ପତ୍ରର ଉତ୍ତରରେ ଯାହା ଲେଖିଲେ ତାହା ତ୍ରିକାଳ ସତ୍ୟ ହୋଇ ରହିଲା । ସେ ଅତ୍ୟନ୍ତ ଦୂରଦର୍ଶୀ ବ୍ରିଟିଶ ଶାସକ ଥିଲେ । ଯାହାଙ୍କ ନାମରେ ଆଜି ମଧ୍ୟ ବମ୍ୱେରେ କଲେଜ ଚାଲୁଛି । ସେ ଲେଖିଥିଲେ :– ପ୍ରିୟ ମିତ୍ର,

 

ତୁମେ ଭୟ କରିବାର ଯଥାର୍ଥତା ଅଛି । ଏଦେଶ ଆମକୁ ଦିନେ ସର୍ବଥା ଛାଡ଼ିବାକୁ ପଡ଼ିବ । କିନ୍ତୁ ଏହା ଭାବି ବିଚଳିତ ହେବାର କୌଣସି କାରଣ ନାହିଁ । ବ୍ରିଟିଶ ସୈନିକ ଯେବେ ଭାରତ ଖାଲି କରିଦେବେ, ଏହାପରେ ମଧ୍ୟ ଭାରତରେ ରାଜ୍ୟ ରହିବ । ତାହା ବ୍ରିଟିଶ ଭାଷା, ବ୍ରିଟିଶ ନିୟମ, ବ୍ରିଟିଶ ସଭ୍ୟତା, ସଂସ୍କୃତି, ନୀତି ଓ ଆଚାର ସଂହିତା ।

 

ଏଲଫିଷ୍ଟନ ଯେଉଁ ଭବିଷ୍ୟତବାଣୀ ଦେଇଥିଲେ ସେଥିପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କଲେ ମେକେଲ । ସେ ଭାରତରେ ଇଂରାଜୀ ଭାଷାର ପ୍ରସାରପାଇଁ ଅନେକ ପ୍ରାୟୋଗିକ ପଦକ୍ଷେପ ନେଇଥିଲେ । ତେବେ ତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା କାହାକୁ ଅଛପା ରହିନାହିଁ । ତାଙ୍କ ପିତାଙ୍କ ଉଦ୍ଦେଶ୍ୟରେ କଲିକତାରୁ ସେ ଯେଉଁ ପତ୍ର ଲେଖିଥିଲେ ତାହା ଏଠି ଉଦ୍ଧୃତ କରୁଛି–

 

ଅକ୍ଟୋବର ୧୨, ୧୮୩୬

 

ପରମପ୍ରିୟ ବାପା,

 

ଆମ ସ୍କୁଲ୍ ଖୁବ୍‌ ଉତ୍ତମ ଭାବରେ ଉନ୍ନତି କରୁଛି । ହିନ୍ଦୁମାନଙ୍କ ଉପରେ ଏ ଶିକ୍ଷାର ଅଦ୍ଭୁତ ପ୍ରଭାବ ପଡ଼ୁଛି । ଇଂରାଜୀ ଶିକ୍ଷାପ୍ରାପ୍ତ କରିଥିବା ଏପରି କୌଣସି ହିନ୍ଦୁ ନାହାନ୍ତି, ଯିଏ ନିଜ ଧର୍ମଠାରେ ପ୍ରକୃତରେ ଆସ୍ଥାବାନ । କେତେକ ନୀତିଗତ ଭାବରେ ନିଜକୁ ହିନ୍ଦୁ କହୁଛନ୍ତି ତ କେତେକ ଖ୍ରୀଷ୍ଟଧର୍ମ ଗ୍ରହଣ କରି ନେଉଛନ୍ତି । ମୋର ବିଶ୍ୱାସ, ଯଦି ଆମର ଏହି ଶିକ୍ଷା ନୀତି ଚାଲୁ ରହେ ତେବେ ଆଗାମୀ ତିରିଶବର୍ଷ ମଧ୍ୟରେ ଏଠାର ସମ୍ମାନିତ ଜାତିମାନଙ୍କ ଭିତରେ ଜଣେ ମଧ୍ୟ ମୂର୍ତ୍ତିପୂଜକ ବଙ୍ଗାଳୀ ରହିବେ ନାହିଁ । ସେମାନଙ୍କୁ ଧର୍ମାନ୍ତରିତ ନ କଲେ ମଧ୍ୟ ସେମାନେ ହୋଇଯିବେ । ତାଙ୍କ ଧର୍ମରେ ହସ୍ତକ୍ଷେପ ମଧ୍ୟ ଆମକୁ କରିବାକୁ ପଡ଼ିବ ନାହିଁ । ଏହି ଜ୍ଞାନ, ବୃଦ୍ଧି ଓ ବିଚାରଶୀତଳାଦ୍ୱାରା ଅନାୟାସରେ ଏହା ସାଧିତ ହୋଇଯିବ । ଏହି ସମ୍ଭାବନା ପାଇଁ ମତେ ଖୁବ୍‌ ଖୁସି ଲାଗୁଛି ।

 

ଆପଣଙ୍କର ଅତିପ୍ରିୟ

ଟି.ବି. ମେକେଲ

 

ଉପରୋକ୍ତ ପତ୍ରଟି ଯଥେଷ୍ଟ ନୁହେଁ । ତାଙ୍କର ଆହୁରି ଅନେକ କଥା ମଧ୍ୟ ଉଲ୍ଲେଖ କରାଯାଇପାରେ, ଯେଉଁଥିରେ ସେ ଆଶା ପୋଷଣ କରୁଥିଲେ ଯେ ସେ ଏ ଶିକ୍ଷା ବଳରେ ଏପରି ଏକ ଶ୍ରେଣୀ ଏଠି ସୃଷ୍ଟି କରିବାକୁ ଚାହାନ୍ତି ଯେଉଁମାନେ ତାଙ୍କ କାର୍ଯ୍ୟରେ ସାହାଯ୍ୟ କରିପାରିବେ, ଯଦିଓ ରକ୍ତ ଓ ବର୍ଣ୍ଣରେ ସେମାନେ ଭାରତୀୟ ରହିବେ । ମାତ୍ର ରୁଚି ଓ ଅଭିମତରେ ସେମାନେ ଇଂରେଜହିଁ ହେବେ ।

 

ମେକେଲେ ବା ଏଲଫିଷ୍ଟନ ଆଜି ନାହାନ୍ତି ସତ୍ୟ, ମାତ୍ର ତାଙ୍କ ମାନସପୁତ୍ର ଭାବରେ ଆଜିର ଅନେକ ବୁଦ୍ଧିଜୀବୀ ସବୁକଥା ବ୍ରିଟିଶ ଢାଞ୍ଚାରେହିଁ ଗଢ଼ିବାକୁ ଆଧୁନିକତା ବୋଲି ମନେ କରୁଛନ୍ତି । ମାତୃଭାଷା ଓ ରାଷ୍ଟ୍ରଭାଷାର ପ୍ରକୃତ ସମ୍ମାନ ଆମେ କରିପାରୁ ନାହୁଁ । ଯେଉଁ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନର ମାଧ୍ୟମ ନିଜ ମାତୃଭାଷାରେ କରୁଛନ୍ତି ସେମାନଙ୍କୁ ଆମେ ଷ୍ଟାଣ୍ତାର୍ଡ଼୍ ନାହିଁ ବୋଲି ବେଖାତିର କରିଚାଲିଛୁଁ । ଷ୍ଟାଣ୍ତାର୍ଡ଼୍‍ଟା ସତେ ଯେପରି ଇଂରାଜୀଦ୍ୱାରା ସର୍ବସତ୍ତ୍ୱ ସଂରକ୍ଷିତ । ମହାତ୍ମାଗାନ୍ଧୀ ଏକଥା ହୃଦୟଙ୍ଗମ କରି କହୁଥିଲେ, ଇଂରାଜୀ ଶିକ୍ଷା ଆମକୁ ଅନ୍ତଃସାରଶୂନ୍ୟ କରିଛି । ବୁଦ୍ଧିକି ଚାପି ଦେଇଛି । ଏ ଶିକ୍ଷା ଯେଉଁ ଢଙ୍ଗରେ ଦିଆଯାଉଛି, ସେଥିରେ ଆମ୍ଭେମାନେ ପୁରୁଷତ୍ୱ ହରାଉଛୁଁ ।

 

ଇଂରାଜୀ ଶିକ୍ଷାର ଅନ୍ଧକାର ଦିଗଟିକୁ ଆଲୋକକୁ ଆଣିବାଦ୍ୱାରା କେହି ଯେପରି ନ ଭାବନ୍ତି ଯେ ମୁଁ ଇଂରାଜୀ ଭାଷାର ନିନ୍ଦା କରୁଛି । ସତ୍ୟକୁ ସତ୍ୟ ବୋଲି ଦର୍ଶାଇବାହିଁ ପ୍ରକୃତ ପ୍ରଶଂସା । ବିଶ୍ୱର ଏକ ପ୍ରମୁଖ ସାହିତ୍ୟ ଓ ଭାଷା ଭାବରେ ଇଂରାଜୀ ପଢ଼ିବା ବିପକ୍ଷରେ ମୁଁ ନୁହେଁ । ସଂସ୍କୃତ ପୁଣି ତ ବିଶ୍ୱର ଅନେକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରେ ପଢ଼ାଯାଉଛି । ଫରାସୀ, ଜର୍ମାନୀ ଓ ରୁଷିୟ ଭାଷା ଓ ସାହିତ୍ୟ ଯେପରି ଫ୍ରାନ୍‌ସ, ଜର୍ମାନ ଓ ରୁଷ ଦେଶ ବ୍ୟତୀତ ଅନ୍ୟ ଦେଶରେ ପଢ଼ାଯାଉଛି, ଠିକ୍‌ ସେପରି ଇଂରାଜୀ ଭାଷା ଓ ସାହିତ୍ୟ ପଢ଼ିବା ଉଚିତ । ତାହା ଅର୍ଥ ନୁହେଁ ଭାରତୀୟ ଭାଷାଗୁଡ଼ିକୁ ହେୟଜ୍ଞାନ କରିବା । ମୋର କହିବାର ହେଲା, ଯଦି ମୁଷ୍ଟିମେୟ ଇଂରେଜ ହଜାର ହଜାର ମାଇଲ ଦୂରରୁ ଆସି ଏକ ବିଦେଶୀ ଭାଷାକୁ ଭାରତ ପରି ବିଶାଳ ଦେଶର ସମ୍ପର୍କ ଭାଷା କରିଦେଇପାରନ୍ତି, ତାହାହେଲେ ନିଜର, ନିଜପାଇଁ, ନିଜ ଭାଷାକୁ ସମ୍ମାନସହ ପଢ଼ିବା, ପଢ଼ାଇବା, ଲେଖିବା, ଲେଖାଇବା କ’ଣ ଏ ଦେଶର ନାଗରିକଙ୍କର ଏକ ନୈତିକ ଦାୟିତ୍ୱ ନୁହେଁ ? ବିଶ୍ୱର କୌଣସି ସ୍ୱାଭିମାନୀ ଜାତି ଏହା କେବେ ଆଶା କରନ୍ତି ନାହିଁ ଯେ ସେମାନଙ୍କର ପରସ୍ପର ବିନିମୟର ଭାଷା ଏକ ବିଦେଶୀ ଭାଷା ହେଉ ।

 

ବିଶ୍ୱକବି ରବୀନ୍ଦ୍ରନାଥ ତାଙ୍କ ଶିକ୍ଷା ପ୍ରବନ୍ଧରେ ଗଭୀର ଦୁଃଖ ପ୍ରକାଶ କରି କୁହନ୍ତି, ବାସ୍ତବରେ ପରମାତ୍ମା ଆମ ଦେଶର ପିଲାମାନଙ୍କ ଭାଗ୍ୟରେ ଇଂରାଜୀ ବର୍ଣ୍ଣମାଳା, ଶବ୍ଦକୋଷ ତଥା ଭୂଗୋଳ ଅତିରିକ୍ତ ଆଉ କିଛି ଲେଖି ନାହାନ୍ତି । ଏମାନଙ୍କପରି ଭାଗ୍ୟହୀନ ବୋଧହୁଏ ସଂସାରରେ କେହି ନଥିବେ । ସେ ସେହି ପ୍ରବନ୍ଧରେ ପୁଣି କୁହନ୍ତି ଇଂରାଜୀ ଆମର ଭାଷା ନୁହେଁ । ଆମ ଭାଷାର ଶବ୍ଦ ଇଂରାଜୀ ଶବ୍ଦସହ ସମାନତା ରକ୍ଷା କରେ ନାହିଁ । ବିଚାର ଓ ବିଷୟରେ ମଧ୍ୟ ଏହା ବିଦେଶୀ । ଏହାର ସବୁ କଥାରେ ଆମେ ଅନଭିଜ୍ଞ । ଏଣୁ ବିଚାର ଶକ୍ତି ଉତ୍ପନ୍ନ ହେବା ପୂର୍ବରୁ ଆମକୁ ଏହା କଣ୍ଠସ୍ଥ କରିବାକୁ ପଡ଼େ ।...ଅନୁମାନ କରନ୍ତୁ, ଜଣେ ଇଂରେଜ ବାଳକକୁ ରିଡ଼ର (ପାଠ୍ୟପୁସ୍ତକ)ରେ ‘‘ହେ ମେକିଙ୍ଗ୍‌’’ ସମ୍ୱନ୍ଧରେ ଏକ କଥା ପଢ଼ିବାକୁ ଖୁବ୍‌ ଖୁସି ଲାଗେ । କାରଣ ସେ ତାହା ଭଲ ଭାବରେ ଜାଣିଥାଏ । ସେ ପ୍ରକାର ‘‘ସ୍ନୋ ବେଲ୍‌’’ ପାଠରେ ଯେଉଁ ବାର୍ତ୍ତାଳାପ ଚାର୍ଲି ଓ କେଟିଙ୍କ ମଧ୍ୟରେ ହୋଇଛି ତାକୁ ଜଣେ ଇଂରେଜ ବାଳକ ଯେତେ ଆନନ୍ଦରେ ପଢ଼ନ୍ତି ତା’ ସେତେ ଆନନ୍ଦ ଆମ ପିଲାମାନଙ୍କୁ ଦିଏନାହିଁ । ଆମ ପିଲାଙ୍କୁ ଏହା ନେତ୍ରହୀନ ମନୁଷ୍ୟ ଉଣ୍ତାଳି ଚାଲିବାପରି ମନେହୁଏ ।

 

ଏହା ଗଭୀର ଦୁଃଖର ବିଷୟ ଯେ ଅନ୍ୟ ଦେଶର ପିଲା ଯେଉଁ ବୟସରେ ନିଜର ନୂଆ ନୂଆ ବାହାରୁଥିବା ଦାନ୍ତରେ ଆନନ୍ଦରେ ଆଖୁ ଚୋବାଉଥାନ୍ତି, ସେହି ବୟସରେ ଆମଦେଶର ପିଲା ପାଠଶାଳାର ବେଞ୍ଚ୍ ଉପରେ ବସି ନିଜର ଛୋଟ ଛୋଟ ଦୁର୍ବଳ ପାଦ ହଲାଇ ବେତ ହଜମ କରି ଚାଲିଥାନ୍ତି ।

 

ଆଜି ସମୟ ଆସିଛି ଆମେ ନିଜ ମାତୃଭାଷା ସହ ରାଷ୍ଟ୍ରଭାଷାର ମଧ୍ୟ ଭବିଷ୍ୟତ ଚିନ୍ତା କରିବା । ନିଜ ଭାଷାରେ ଲେଖିବା, ପଢ଼ିବା, କହିବାଦ୍ୱାରା ଆମ ଭାଷା ମଧ୍ୟ ଅନ୍ୟାନ୍ୟ ଭାଷାପରି ମିଷ୍ଟ, ସୌଷ୍ଠବପୂର୍ଣ୍ଣ ସୌଖୀନ ଭାଷା ହୋଇପାରିବ । ଆଜିଠାରୁ ଦୁଇଶହ ତିନିଶହବର୍ଷ ପୂର୍ବେ ଇଂରାଜୀ ଭାଷାର ସ୍ଥିତି ମଧ୍ୟ ଖୁବ୍‌ ଦୟନୀୟ ଥିଲା । ବିଭିନ୍ନ ବିଦେଶୀ ଭାଷାଦ୍ୱାରା ଇଂଲଣ୍ତରେ ଇଂରାଜୀ ଅବହେଳିତ ହୋଇ ପଡ଼ିଥିଲା । ସେମାନେ ଅନେକ ବିରୋଧ ସତ୍ତ୍ୱେ ଇଂରାଜୀକୁ ସେଠାର ରାଜଭାଷା କଲେ । ବାରମ୍ୱାର ପ୍ରୟୋଗ କରିବା ଫଳରେ ଇଂରାଜୀର କ୍ଳିଷ୍ଟ ଶବ୍ଦଗୁଡ଼ିକ ସହଜ ହୋଇଗଲା ।

 

ଆଜି ଆମ ଦେଶର ଜଣେ ଶିକ୍ଷିତ ବ୍ୟକ୍ତିର ୭୦% ଶବ୍ଦ ହେଉଛି ଇଂରାଜୀ । ସମସ୍ତ କ୍ରିୟାକୁ ଛାଡ଼ିଦେଲେ କର୍ତ୍ତାକର୍ମ ଇଂରାଜୀରେ ପରିବର୍ତ୍ତିତ ହୋଇ ସାରିଲାଣି । ଅରବିନ୍ଦ, ମହାପାତ୍ର, ମିଶ୍ର, ପତ୍ରୀ, ରାୟ ଆଦି ବିଶେଷ୍ୟପଦ ମଧ୍ୟ କହିବା ସମୟରେ ଆମେ ଅରବିଣ୍ଡୋ, ମହାପାଟ୍ରୋ, ମିଶ୍ରା, ପାଟ୍ରୀ, ରୟ କହିସାରିଲୁଣି । ଜଣେ ଓଡ଼ିଆ ଆଉ ଜଣେ ଓଡ଼ିଆ ପାଖକୁ ଆଜି ଇଂରାଜୀରେ ପତ୍ର ଲେଖୁଛି । ବିଦେଶରେ ଦୁଇଜଣ ଭାରତୀୟ କଥାବାର୍ତ୍ତା ହେବା ସମୟରେ ଇଂରାଜୀ ଭାଷାରେ ବିଚାର ବିନିମୟ କରୁଥିବା ଲକ୍ଷ୍ୟ କରି ସେଦେଶର ଜଣେ ବାଳକ ପଚାରିଲା, କ’ଣ ସେମାନଙ୍କ ଦେଶରେ କୌଣସି ଭାଷା ନାହିଁ ? ଏଥିରୁ ବଳି ଅପମାନଜନକ କଥା ଆଉ କ’ଣ ଥାଇପାରେ ? ଏପ୍ରକାର ଶିଶୁପାଳ ଅବସ୍ଥାରେ ନିଜଭାଷା ଓ ନିଜ ଜାତିକୁ ପକାଇବା ଅପେକ୍ଷା ଏହାକୁ ଏକ ସମୃଦ୍ଧ ଭାଷା ଓ ଜାତି ଭାବରେ ଛିଡ଼ା କରାଇବାରେ କ’ଣ ଜଣେ ଭାରତୀୟ ଭାବରେ ଆମର କିଛି ଦାୟିତ୍ୱ ନାହିଁ ? ଏହାହିଁ ଆଜିପାଇଁ ଆମର ଚିନ୍ତାର ବିଷୟ ହେବା ଉଚିତ ।

 

ଅନ୍ୟଥା ବିଶ୍ୱରେ ନିଜର ଅସ୍ତିତ୍ୱ ରକ୍ଷା କରିବାର କୌଣସି ସହଜପନ୍ଥା ନାହିଁ ।

Image

 

ସଂସ୍କୃତ କ’ଣ ଏକ ମୃତ ଭାଷା ?

 

ସମଗ୍ର ଦେଶରେ ସଂସ୍କୃତ ବିରୁଦ୍ଧରେ ଅନେକ ଅଭିଯୋଗ । ସଂସ୍କୃତ ଏକ କ୍ଳିଷ୍ଟ ଭାଷା, ପ୍ରାଚୀନଭାଷା ଓ ମୃତଭାଷା ବୋଲି ବାରମ୍ୱାର କୁହାଯାଉଛି । ଏହା ଏକ ମୃତଭାଷା ହୋଇଥିବାରୁ ଏହା ଦେହରେ କୃତ୍ରିମ ପ୍ରାଣ ସଞ୍ଚାଇ କରିବା ବ୍ୟର୍ଥ ବୋଲି ମଧ୍ୟ ମତମାନ ପ୍ରକାଶ ପାଉଛି । ଏପରିକି ସଂସ୍କୃତକୁ ଓଡ଼ିଶା ମାଧ୍ୟମିକ ଶିକ୍ଷାବୋଡ଼୍‍ ଗୋଟିଏ କଲମ ଗାରରେ ନାକଚ କରି ଦେଇଛନ୍ତି । ପ୍ରତ୍ୟେକ ଦିଗରୁ ସଂସ୍କୃତ ବିରୁଦ୍ଧରେ ଏପ୍ରକାର ମତମତାନ୍ତର ପ୍ରକାଶ ପାଇବାଦ୍ୱାରା ବୁଦ୍ଧିଜୀବୀମାନଙ୍କ ଭିତରେ ଏସବୁ ଆକ୍ଷେପଗୁଡ଼ିକୁ ବିଶ୍ଳେଷଣ କରିବାର ଅବସର ଆସିଛି, ସଂସ୍କୃତ ପଣ୍ତିତମାନଙ୍କ ମଧ୍ୟରେ ଅହେତୁକ ଭୟ ଦେଖା ଦେଇଛି ଏବଂ ଦେଶବ୍ୟାପୀ ପତ୍ରପତ୍ରିକାଗୁଡ଼ିକରେ ଏହାର ପ୍ରତିକ୍ରିୟାମାନ ପ୍ରକାଶ ପାଉଛି ।

 

ଏ ପ୍ରବନ୍ଧଟି ଲେଖିବା ଅଭିପ୍ରାୟ ସଂସ୍କୃତର ଅଯଥା ସ୍ତୁତି କରିବା କିମ୍ୱା ଅମୂଳକ ଭାବରେ ବିରୋଧ କରିବା ନୁହେଁ । ପାଠକମାନଙ୍କ ଅବଗତ ପାଇଁ ଏକଥା କହି ରଖୁଛି ଯେ ମୁଁ ସଂସ୍କୃତର ପଣ୍ତିତ ନୁହେଁ । ବିଶ୍ୱର ବିଭିନ୍ନ ଭାଷାଗୁଡ଼ିକର ତୁଳନାତ୍ମକ ଅଧ୍ୟୟନ ପରେ ଯାହା ଅନୁଭବ କରୁଛି ତାହାହିଁ କହିବାକୁ ମୁଁ ଚାହେଁ । ତେବେ ଜଣେ ସ୍ୱାଭିମାନୀ ଭାରତୀୟ ଭାବରେ ଯଦିଓ ସଂସ୍କୃତଭାଷାର ଆଲୋଚନା କରିବାରେ ଆମେ ନିରପେକ୍ଷ ତଥାପି ନିରାସକ୍ତ ବା ଉଦାସୀନ ନୋହୁଁ । ସଂସ୍କୃତଭାଷା ମୃତ ନୁହେଁ, ଏହାକୁ ସୁପ୍ତ ବୋଲି କହିଲେ ଏହା ପ୍ରତି କିଛିଟା ନ୍ୟାୟ କରାଗଲା ବୋଲି କୁହାଯାଇପାରିବ । ଜଣେ ସୁପ୍ତ ମନୁଷ୍ୟକୁ ଶ୍ମଶାନକୁ ନେବାପରି ସଂସ୍କୃତକୁ ମୃତ କହିବା ଆଦୌ ବୁଦ୍ଧିସଙ୍ଗତ ନୁହେଁ ।

 

ଆଧୁନିକତାର ପରମ ପୂଜାରୀ ସଂସ୍କୃତ ଗ୍ରହଣ କଲେ ପ୍ରଗତି ପଛରେ ପଡ଼ିଯିବ ବୋଲି ଯେଉଁ ଚିତ୍କାର କରୁଛନ୍ତି ତା’ର ଯଥାର୍ଥତା କ’ଣ ? ଏପ୍ରକାର ମତପୋଷଣ କରୁଥିବା ମେକେଲେଙ୍କ ମାନସପୁତ୍ରଙ୍କୁ ଗୋଟିଏ କଥା କୁହାଯାଇପାରେ ଯେ ଜନମାନସରେ ସଂସ୍କୃତ ଏକ ମୃତଭାଷା ବୋଲି ପ୍ରଚାର କରି ସେମାନେ ପାଇବେ କ’ଣ ? ସଂସ୍କୃତ ଏକ ସଦ୍ୟ ଜୀବିତ ଜାଗ୍ରତ ଭାଷା । ଏହା ଗୋଟିଏ ଦୃଷ୍ଟିରୁ ଚିର ପୁରାତନ ଭାଷା ହେଲେ ଅନ୍ୟ ଦୃଷ୍ଟିରୁ ଏହା ନିତ୍ୟନୂତନ ଭାଷା ଅଟେ-। ପ୍ରାଚୀନ ହେଲା ବୋଲି ଯେ ତା’ର କୌଣସି ଆବଶ୍ୟକତା ନାହିଁ ଏହା ଭାବିବା ଯୁକ୍ତିସଙ୍ଗତ ନୁହେଁ-। ଏହା ଗ୍ରୀକ୍‌ ବା ଲାଟିନ୍ ଭାଷା ହୋଇନାହିଁ ଯେ ଯାହାକୁ ୟୁରୋପାଦି ଦେଶଗୁଡ଼ିକରେ କେବଳ ଗ୍ରନ୍ଥାଗାରଗୁଡ଼ିକରେ ସାଇତି ରଖାଯିବ ।

 

ଦୀର୍ଘ ତିନିହଜାରବର୍ଷ ପୋତା ହୋଇଥିବା ଇଜିପ୍‌ଟର ଏକ ସ୍ତମ୍ଭ ମଧ୍ୟରେ ଥିବା ଶସ୍ୟ କଣାଗୁଡ଼ିକୁ ଯେତେବେଳେ ଆଜି ଜୀବନ୍ତ ବୋଲି କୁହାଯାଉଛି, ସେତେବେଳେ ସଂସ୍କୃତପରି ନିତ୍ୟ ପ୍ରଚଳିତ ଭାଷାକୁ ମୃତ କହିବା ଅର୍ଥ କ’ଣ ସତ୍ୟର ଅପଳାପ କରିବା ନୁହେଁ କି ? ଯେଉଁ ଦେଶର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ସଂସ୍କୃତକୁ ଉଚ୍ଚସ୍ଥାନ ଦିଅନ୍ତି, ଯେଉଁ ଦେଶରେ ଅନ୍ୟୂନ ଦଶହଜାର ବିଦ୍ୟାପୀଠ ଏହି ଭାଷାପାଇଁ ସ୍ଥାପିତ, ଯେଉଁ ଦେଶରେ ପଚାଶ ହଜାର ଲୋକ ଏ ଭାଷା ଅନର୍ଗଳ କହିପାରନ୍ତି, ପ୍ରାତଃକାଳରେ ଉଠିବାକ୍ଷଣି କୋଟି କୋଟି ଭାରତୀୟ ଯେଉଁ ଭାଷାରେ ସ୍ୱଇଷ୍ଟଦେବଙ୍କୁ ସ୍ମରଣ କରନ୍ତି ଏବଂ ଯେଉଁ ଦେଶରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ, ଅର୍ଥାତ୍‌ ନାମକରଣ ସଂସ୍କାରଠାରୁ ଆରମ୍ଭ କରି ଅନ୍ତେଷ୍ଟି କ୍ରିୟା ପର୍ଯ୍ୟନ୍ତ ସଂସ୍କୃତ ଉଚ୍ଚାରଣ ନକଲେ ଅଚଳ, ସେ ଭାଷା ମୃତ ହେବ ନାହିଁ ତ କେଉଁ ଭାଷା ମୃତ ହେବ ?

 

ଏଦେଶରେ ସଂସ୍କୃତରେ ଆଜି ମଧ୍ୟ ଅନେକ ଦୈନିକ, ସାପ୍ତାହିକ, ମାସିକ ଓ ତ୍ରୈମାସିକ ପତ୍ରକତ୍ରିକା ପ୍ରକାଶିତ ହେଉଛି । ୪୩ଟି ସଂସ୍କୃତ ପତ୍ରପତ୍ରିକା ମଧ୍ୟରେ ପଣ୍ତରପୁରର ‘ସଂସ୍କୃତି’, ଜୟପୁର ରାଜସ୍ଥାନର ‘ଭାରତୀ’, ସିମଲାର ‘ଦିବ୍ୟଜ୍ୟୋତି’, ବାରଣସୀର ‘ଗାଣ୍ତିବମ୍‌’, ପୁନାର ‘ସାରଦା’, ବମ୍ୱେର ‘ସମ୍‌ବିଦ୍‌’ ଏବଂ ଚିତ୍ତୋରର ‘ଗ୍ରୀବାଣୀ’ ଉଲ୍ଲେଖଯୋଗ୍ୟ । ଏମ୍‌. ଉଇଣ୍ଟର ନିଜ କୁହନ୍ତି–ଏବେ ମଧ୍ୟ ସଂସ୍କୃତ ଏକ ମୃତଭାଷା ନୁହେଁ । ଭାରତର ଘରେ ଘରେ ପୁରେ ପୁରେ ଆଜି ମଧ୍ୟ ରାମାୟଣ, ମହାଭାରତ ଅତି ଶ୍ରଦ୍ଧା ଓ ଭକ୍ତିରେ ପାଠ କରାଯାଉଛି । ମଧ୍ୟଯୁଗରେ ଲାଟିନ୍‌ ଯେପରି ୟୁରୋପୀୟ ଓ ହେବ୍ରୁ ଯେପରି ଇହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା ସଂସ୍କୃତ ମଧ୍ୟ ଆଜି ସେହିପରି ଆଗେଇ ଚାଲିଛି, କୁହାଯାଇପାରିବ ।

 

ଆବହମାନ କାଳରୁ ସଂସ୍କୃତ ଭାଷା ଭାରତବର୍ଷର ଚିରନ୍ତନୀ ନିର୍ଝରିଣୀରୂପେ ପ୍ରବାହିତ ହୋଇ ଆସିଛି । ଶିଶିରବିନ୍ଦୁ ଯେପରି ନିସ୍ତବ୍ଧ ଅଦୃଶ୍ୟଭାବେ ଝରିପଡ଼ି ସୁଦର୍ଶନ ଗୋଲାପ କଳିକାକୁ ପ୍ରସ୍ଫୁଟିତ କରେ, ଠିକ୍‌ ସେପରି ସମଗ୍ର ପୃଥିବୀର ଭାଷାସମ୍ପଦକୁ ବିକଶିତ ଓ ଦୀପ୍ତିମନ୍ତ କରାଇବାରେ ସଂସ୍କୃତର ବିପୁଳ ଦାନ ରହିଛି ବୋଲି ବୁଝିବାକୁ ହେବ । ନୀରବରେ, ଅଜ୍ଞାତସାରରେ ଅଥଚ ଅଦମ୍ୟ ମହାଶକ୍ତି ବଳରେ ଏହା ସମଗ୍ର ବିଶ୍ୱର ଭାଷା ରାଜ୍ୟରେ ଯୁଗାନ୍ତର ଆଣି ଦେଇଛି । ତେବେ ଆମେ ଜାଣୁନା ଏ ଭାଷା କେବେ, କିପରି ଓ କାହାଦ୍ୱାରା ସୃଷ୍ଟି ହେଲା । ଇତିହାସ ସଂସ୍କୃତର କାଳ ନିରୂପଣ କରିପାରେ ନାହିଁ, ତେବେ କିମ୍ୱଦନ୍ତୀ କେଉଁ ସୁଦୂର ଅତୀତର ଘନ ଅନ୍ଧକାରରୁ ରହସ୍ୟ ଉଦ୍‌ଘାଟନ କରି କହିଉଠେ–ସଂସ୍କୃତ ବେଦ ଭାଷା, ସନାତନ ଭାଷା, କେବଳ ମର୍ତ୍ତରେ ନୁହେଁ ସ୍ୱର୍ଗରେ ମଧ୍ୟ ଦେବତାମାନଙ୍କ ମଧ୍ୟରେ ଏ ଭାଷା ପ୍ରଚଳିତ ।

 

ସଂସ୍କୃତର ବିଶ୍ୱରୂପ–

 

ସଂସ୍କୃତ ଭାଷା, ତା’ର ପ୍ରାଚୀନତା ଯାହା ହେଉନା କାହିଁକି, ଗୋଟିଏ ବିସ୍ମୟକର ଭାଷା-। ଏହା ଗ୍ରୀକ୍‌ ଅପେକ୍ଷା ଅଧିକ ସମ୍ପନ୍ନ, ଲାଟିନ୍‌ ଅପେକ୍ଷା ଅଧିକ ବ୍ୟାପକ ଓ ଉଭୟ ଅପେକ୍ଷା ଅଧିକ ସୂକ୍ଷ୍ମଭାବରେ ମାର୍ଜିତ । ତଥାପି ଏହି ଉଭୟ ଭାଷା ସଙ୍ଗେ ଧାତୁ, କ୍ରିୟା ଓ ବ୍ୟାକରଣର ବିବିଧ ରୂପ ଦିଗରୁ ଏତେ ସାମଞ୍ଜସ୍ୟ ରହିଛି ଯେ ଏହି ସଂଯୋଗ କେବେ ମଧ୍ୟ ଆକସ୍ମିକ ହୋଇ ନ ପାରେ । ଏହି ମନ୍ତବ୍ୟ ଦେଇ ସାର୍‌ ଉଇଲିୟମ୍‌ ଜେମ୍‌ସ ପୁଣି କୁହନ୍ତି, ପ୍ରକୃତ ପକ୍ଷେ ଏ ସାମଞ୍ଜସ୍ୟ ଏତେ ଗଭୀର ଯେକୌଣସି ଭାଷାବିତ୍‌ ଏସବୁ ପରୀକ୍ଷା କଲାପରେ ବିଶ୍ୱାସ ନ କରି ରହି ପାରିବ ନାହିଁ ଯେ ଏସବୁ ଭାଷା ଦୂର ଅତୀତରେ କୌଣସି ଗୋଟିଏ ଉତ୍ସରୁ ଜାତ ହୋଇଥିଲା ଏବଂ ସେ ଉତ୍ସ ହୁଏତ ଆଉ ନାହିଁ ।

 

ବିଶ୍ୱର ପ୍ରାଚୀନ ଇତିହାସ ଆମକୁ କୁହେ ଯେ ସମସ୍ତ ମାନବ ସମାଜ ଗୋଟିଏ ଭାଷାରେ କଥାବାର୍ତ୍ତା କରୁଥିଲେ । ଜର୍ମାନ ଗବେଷକ ପ୍ର. ମ୍ୟାକ୍‌ସମୂଲାର ସମଗ୍ର ସଂସାରର ଭାଷାକୁ ବିଭକ୍ତ କରି ନିଃସନ୍ଦେହ ହୋଇଛନ୍ତି ଯେ ପ୍ରଥମରେ ଗୋଟିଏ ଭାଷା ଥିଲା । ତାଙ୍କ ମତରେ ଭାଷାଗୁଡ଼ିକ ନଷ୍ଟ ଓ ଅବିକ୍ଷୟ ହେବାର କାରଣ ମନୁଷ୍ୟର ଅସାବଧାନତା ଅଟେ । ୟୁରୋପୀୟ ଭାଷାବିତ୍‌ମାନେ ଏପରି ଏକ ଭାଷାର କଳ୍ପନା କରନ୍ତି ଯେଉଁ ଭାଷାର ଶବ୍ଦ ସମଗ୍ର ଏସିଆ ଓ ୟୁରୋପାଦି ଭାଷାଗୁଡ଼ିକରେ ମିଳେ । ସେହି କାଳ୍ପନିକ ଭାଷାକୁ ସେମାନେ ଭାରୋପୀୟ ବା ଇଣ୍ତୋ-ୟୁରୋପୀୟ ବୋଲି କୁହନ୍ତି । ବାସ୍ତବରେ ଏହି କାଳ୍ପନିକ ଭାଷାହିଁ ସଂସ୍କୃତ । ସଂସ୍କୃତ ନ କହି ଭାରୋପୀୟ ଭାଷା କେବଳ ଏହି କାରଣରୁ କୁହାଯାଉଛି ଯେ କାଳେ ସଂସ୍କୃତ ଭାଷା ଓ ଭାରତର ପ୍ରତିଷ୍ଠା ବିଶ୍ୱଦରବାରରେ ଏ ଦୃଷ୍ଟିରୁ ସର୍ବମାନ୍ୟ ହୋଇଯିବ ।

 

ବିଶ୍ୱର ବିଭିନ୍ନ ଭାଷାକୁ ସଂସ୍କୃତ କି ପ୍ରକାର ବିକଶିତ କରିଛି ଦେଖାଯାଇପାରେ । ଉଦାହରଣ ପର୍ଯ୍ୟାପ୍ତ ରହିଛି । ସଂସ୍କୃତ ‘ଦୌ’ ବା ଦିନ ଆରବୀରେ ‘ଯୋ’, ଚୀନାରେ ‘ଚୌ’, ଜାପାନୀରେ ‘ଦେ’ ଓ ଇଂରାଜୀରେ ‘ଡେ’ ହୋଇଯାଏ । ସଂସ୍କୃତ ‘ଇରା’ ବା ପୃଥିବୀ ଗ୍ରୀକ୍‌ରେ ‘ଏରା’, ଲାଟିନ୍‍ରେ ‘ତେରା’, ଜର୍ମାନୀରେ ‘ଏରଦେ’, ହେବ୍ରୁରେ ‘ଏରେଛ’, ଆରବୀରେ ‘ଅର୍ଜ’ ଓ ପ୍ରାଚୀନ ଇଂରାଜୀରେ ‘ଇୟର୍ଥୀ’ ଓ ଆଧୁନିକ ଇଂରାଜୀରେ ‘ଆର୍ଥ’ ହୋଇଯାଏ । ଲାଟିନ୍, ଫ୍ରେଞ୍ଚ ଓ ଇଂରାଜୀ ଭାଷା ପରେ ସଂସ୍କୃତ ଭାଷାର ପ୍ରଭାବ ଯଥେଷ୍ଟ ରହିଛି । ଇଂରାଜୀର ସଂଖ୍ୟାଗୁଡ଼ିକ ସିଧାସଳଖଭାବେ ସଂସ୍କୃତଠାରୁ ନିଆଯାଇଛି । ‘ଏକ’କୁ ‘ୱାନ’, ‘ଦ୍ୱୀ’କୁ ‘ଟୁ’, ‘ତ୍ରି’କୁ ‘ଥ୍ରୀ’, ‘ଚତ୍ୱାରଃ’କୁ ‘ଫୋର’, ‘ପଞ୍ଚ’କୁ ‘ଫାଇବ୍‌’, ଷଷ୍ଠ’କୁ ‘ସିକ୍‌ସ’, ‘ସପ୍ତ’କୁ ‘ସେଭେନ’, ‘ଅଷ୍ଟ’କୁ ‘ଏଇଟ୍‌’, ‘ନବ’କୁ ‘ନାଇନ’, ‘ଦଶ’କୁ ‘ଟେନ୍‌’ ବୋଲି କୁହାଯାଉଛି । ଏହି ଦଶଶବ୍ଦରୁ ଡେସିମିଲି, ଡିକେଡ଼ ଆଦି ଶବ୍ଦର ଉଦ୍ଭବ ମଧ୍ୟ ହୋଇଛି । ପ୍ରଥମରେ ନବବର୍ଷର ପ୍ରାରମ୍ଭ ମାର୍ଚ୍ଚ ବା ଏପ୍ରିଲ ମାସରେ ହେଉଥିଲା, ଯାହା ଆଜି ମଧ୍ୟ ଭାରତରେ ପ୍ରଚଳିତ । ଏହି ଅନୁସାରେ ସପ୍ତମ୍ୱର, ଅଷ୍ଟମ୍ୱର, ନବମ୍ୱର, ଦଶମ୍ୱର, ଆଦିମାସ ସଂସ୍କୃତର ସପ୍ତମ, ଅଷ୍ଟମ, ନବମ ଓ ଦଶମ ମାସ ଭାବରେ କ୍ରମାନ୍ୱୟର ଏକଥା ପ୍ରମାଣିତ କରିଦିଅନ୍ତି ଯେ ସଂସ୍କୃତଭାଷା ବିଶ୍ୱର ଭାଷାଗୁଡ଼ିକୁ ସମୃଦ୍ଧ କରିଛି । ଏପରିକି ସଂସ୍କୃତ ‘ଶାସ୍ତ୍ର’ ଶବ୍ଦ ଇଂରାଜୀରେ ‘ଷ୍ଟ୍ରି’ ଭାବରେ ହିଷ୍ଟ୍ରି, କେମିଷ୍ଟ୍ରି, ଆଦି ଶବ୍ଦର ସୃଷ୍ଟି(୧୬) କରିଚି । ନୀତି ଶବ୍ଦ ‘ନିଟି’ ଭାବରେ ଇଂରାଜୀରେ ବ୍ୟବହୃତ ହେଉଛି, ଯେପରି ଖ୍ରୀଷ୍ଟିଆନିଟି ବା ‘ଖ୍ରୀଷ୍ଟୀୟନୀତି’ !

 

ସଂସ୍କୃତ ଭାଷା ସହ ଇଂରାଜୀ ଭାଷାର ଏକ ତୁଳନାତ୍ମକ ଅଧ୍ୟୟନ କଲେ ଜଣାପଡ଼େ ଯେ ‘ମନୁ’ରୁ ‘ମେନ’, ‘ମହତ୍ତର’ରୁ ‘ମାଷ୍ଟର’, ‘କ୍ରୂର’ରୁ ‘କୃଏଲ’, ‘ବହୁତର’ରୁ ‘ବେଟର’, ‘ଋତୁ’ରୁ ‘ରାଇଟ୍‌’, ‘ନକ୍ତ’ରୁ ‘ନାଇଟ’, ‘ପଥ’ରୁ ‘ପଥ୍‌’, ‘ତରୁ’ରୁ ‘ଟ୍ରୀ’, ‘ତାରା’ରୁ ‘ଷ୍ଟାର’, ‘ଘାସ’ରୁ ‘ଗ୍ରାସ’, ‘ଶ୍ରୀ’ରୁ ‘ସାର’, ‘ପାର’ରୁ ‘ଫାର’, ‘ଗୌ’ରୁ ‘କାଓ’ ଓ ‘ଗୋଲଭୁ’ରୁ ‘ଗ୍ଳୋଭ’ ଆଦି ଶବ୍ଦ ଉତ୍ପତ୍ତି ହୋଇଛି । ଫାରସୀ ଭାଷା ସହ ମଧ୍ୟ ଠିକ୍‌ ସେହି ନ୍ୟାୟ କରାଯାଇପାରେ । ସେଥିରେ ‘ବହୁତର’ରୁ ‘ବେହେତ’, ‘ତମଃ’ରୁ ‘ନମାଜ’, ‘ଅନ୍ତକାଲ’ରୁ ‘ଇନ୍ତକାଲ’, ‘ବାହୁ’ରୁ ‘ବାଜୁ’, ସୋମ’ରୁ ‘ହୋମ’ ହୋଇଯାଏ ଏବଂ ରଥ, ପଶୁ, ଅହି ଆଦି ଶବ୍ଦ ଅପରିବର୍ତ୍ତନୀୟ ହୋଇ ରହେ ।

 

ପ୍ରତ୍ୟେକ ଦୃଷ୍ଟିକୋଣରୁ ସଂସ୍କୃତ ଏକ ଅଗାଧ ସମୁଦ୍ର । ଯେଉଁ ଭାଷାରେ ସୁବିଶାଳ ବୈଦିକ ସାହିତ୍ୟ ୧୧୩୧ ଶାଖାରେ ବିଭକ୍ତ ଥିଲା ଏବଂ ଏକଲକ୍ଷ ଶ୍ଳୋକର ମହାଭାରତ ସଂସାରର ସର୍ବୋତ୍କୃଷ୍ଟ ଓ ବୃହତ୍ତମ ଗ୍ରନ୍ଥ; ସ୍କନ୍ଧ ପୁରାଣ ୮୧୦୦୦ ଶ୍ଳୋକ ଓ ପଦ୍ମପୁରାଣ ୫୫୦୦୦ ଶ୍ଳୋକରୁ ଜଣାଯାଏ ଯେ ଏହା ବିଶାଳତା ଦୃଷ୍ଟିରୁ ଭାରତୀୟ ସାହିତ୍ୟ ଜଗତରେ ଦ୍ୱିତୀୟ ବା ତୃତୀୟ ସ୍ଥାନ ରଖନ୍ତି; ଏବଂ ଯେଉଁ ଭାଷାରେ ପ୍ରାୟ ଏକହଜାର ମହାକାବ୍ୟର ନାମ ଏବେ ମଧ୍ୟ ଶୁଣାଯାଏ ସେ କ୍ଷେତ୍ରରେ ମିଲଟନ୍‌ଙ୍କ ପାରାଡ଼ାଇଜଲଷ୍ଟ ଓ ପାରାଡ଼ାଇଜ ରିଗେନ୍‌ର ସ୍ଥାନ କେଉଁଠି ? କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, କାମଳଙ୍କ ନୀତିଶାସ୍ତ୍ର, ମନୁ, ଶୁତ୍ର ବା ବୃହସ୍ପତି ଆଦିଙ୍କ ବିଧି ବିଧାନ ଓ ରାଜନୀତି କିମ୍ୱା ବାତ୍ସାୟନଙ୍କ କାମଶାସ୍ତ୍ର ପଢ଼ନ୍ତୁ, ସେଥିର ବୈଜ୍ଞାନିକ ବିଚାର ମନକୁ ଆକୃଷ୍ଟ କରିବ । ମେକ୍‌ଡ଼ୋନାଲ୍‌ଡ଼ଙ୍କ ମତରେ ସଂସ୍କୃତ ସାହିତ୍ୟ ଏତେ ବିସ୍ତୀର୍ଣ୍ଣ ଯେ ଲାଟିନ୍ ତଥା ଗ୍ରୀକ୍‌ ଦୁଇ ଭାଷାର ସାହିତ୍ୟ ଯଦି ଏକତ୍ର କରି ନିଆଯାଏ ତେବେ ଏହା ସଂସ୍କୃତର ଉପଲଭ୍ୟମାନ ବାଙ୍‌ମୟ ସମ୍ମୁଖରେ ନଗଣ୍ୟ ପ୍ରତୀତ ହେବ ।

 

ସଂସ୍କୃତ ଭାଷାର ମହତ୍ତ୍ୱ ପ୍ରତିପାଦନ କରିବାକୁ ଯାଇ ପ୍ରଫେସର୍ ମାକ୍‌ସମୁଲାର କୁହନ୍ତି–ଭାରତର ଅତୀତ ଓ ବର୍ତ୍ତମାନ ମଧ୍ୟରେ ଏପରି ଅପୂର୍ବ ଅବିଚ୍ଛିନ୍ନତା ରହିଛି ଯେ ବାରମ୍ୱାର ଯେତେ ସାମାଜିକ ଉଦ୍‌ବେଳନ, ଧର୍ମଗତ ସଂସ୍କାର ଓ ବୈଦେଶିକ ଆକ୍ରମଣ ସତ୍ତ୍ୱେ ଏହି ବିଶାଳ ଦେଶରେ ଏବେ ସୁଦ୍ଧା ସଂସ୍କୃତ ଏକମାତ୍ର ଭାଷା, ଯାହା ସମଗ୍ର ଦେଶରେ କଥିତ ହେଉଛି ବୋଲି କୁହାଯାଇପାରେ....ଏପରିକି ଏ ମୁହୂର୍ତ୍ତରେ ଶତବର୍ଷର ଇଂରାଜୀ ଶିକ୍ଷା ପ୍ରଚଳନ ପରେ ମଧ୍ୟ ମୋର ବିଶ୍ୱାସ ଯେ ସଂସ୍କୃତ ଭାରତରେ ଯେତେ ବିସ୍ତୃତ ଭାବରେ ବୋଧଗମ୍ୟ ହୋଇ ରହିଛି, ଦାନ୍ତେଙ୍କ ସମୟରେ ୟୁରୋପରେ ଲାଟିନ୍‌ ଭାଷାର ସେତେ ବିସ୍ତାର ହୋଇ ନଥିଲା ।

 

ପଣ୍ତିତ ନେହେରୁ ସଂସ୍କୃତ ଭାଷାର ମହତ୍ତ୍ୱ ଉପଲବ୍ଧି କରି ଲେଖନ୍ତି–ମତେ ଯଦି ପଚରାଯାଏ, ସବୁଠାରୁ ଶ୍ରେଷ୍ଠ ସମ୍ପଦ କ’ଣ ? ତେବେ ବିନା ଦ୍ୱିଧାରେ ମୁଁ କହିବି ଯେ ତାହା ସଂସ୍କୃତ ଭାଷା ଓ ସାହିତ୍ୟ । ଏହା ଯେତେଦିନ ପର୍ଯ୍ୟନ୍ତ ଜୀବିତ ରହିଛି ଭାରତର ଆତ୍ମା ସେତେଦିନ ପର୍ଯ୍ୟନ୍ତ ଜୀବିତ ରହିବ । ...ମୁଁ ସଂସ୍କୃତ ଅଧ୍ୟୟନ ପାଇଁ ପ୍ରେରଣା ଦେବାକୁ ଚାହେଁ ଏବଂ ଆମ ବିଦ୍ୱାନମାନଙ୍କୁ ଏହି ପୋତା ହୋଇଥିବା ଖଣିର ଅନ୍ୱେଷଣ କରି ଭୁଲିଥିବା ରତ୍ନକୁ ପ୍ରକାଶରେ ଆଣିବାର କାର୍ଯ୍ୟରେ ନିୟୋଗ କରିବାକୁ ଚାହେଁ ।

 

ଆଜି ସଂସ୍କୃତ ମୃତ ନା ଜୀବିତ ତା’ ଜାଣିବାକୁ ହେଲେ ଜର୍ମାନ ସ୍କଲାରମାନଙ୍କ ପାଖକୁ ଯିବାକୁ ହେବ । ସଂସ୍କୃତ ସାହିତ୍ୟର ମହତ୍ତ୍ୱ ଜାଣିବାକୁ ହେଲେ ଗେଟେଙ୍କ ଶକୁନ୍ତଳା ଉପରେ ଦେଇଥିବା ମନ୍ତବ୍ୟ ପଢ଼ିବାକୁ ହେବ । ସଂସ୍କୃତ ଭାଷାର ବିଶ୍ୱରୂପ ଦର୍ଶନ କରିବାକୁ ହେଲେ ୟୁରୋପୀୟ ବା ଇଣ୍ତୋୟୁରୋପୀୟ ଭାଷାର ଆଦିସ୍ରୋତକୁ(୧୭) ପହଞ୍ଚିବାକୁ ହେବ । ଅନ୍ୟ ଉପାୟ ନାହିଁ । କୌଣସି ଭାରତୀୟ ବୁଦ୍ଧିଜୀବୀଙ୍କୁ ପଚାରିବେ ସେ ଆପଣଙ୍କୁ ଶ୍ମଶାନ ଆଡ଼କୁ ରାସ୍ତା ବଢ଼ାଇ କହିବେ ସଂସ୍କୃତ ମରିସାରିଲାଣି । ଏଣୁ ଏହାର ବାଧ୍ୟତାମୂଳକ ଅଧ୍ୟୟନ ସମୟର ଅପଚୟ ବୋଲି ଶିକ୍ଷାବିତ୍‌ଗଣ ଅନୁଭବ କରି ସଂସ୍କୃତ ହଟା’ର ସ୍ଳୋଗାନମାନ ଦେଇ ସଂସ୍କୃତର ଦେହାନ୍ତ ହୋଇ ଯାଇଛି ବୋଲି ଶୋକବାର୍ତ୍ତାମାନ ପ୍ରସାର କରୁଛନ୍ତି ।

 

ଆମ ଚିନ୍ତା ବିଭାଟ–

 

ତାମିଲନାଡ଼ୁରେ ବ୍ରାହ୍ମଣ ବିରୋଧୀ କଡ଼ଗମ୍ ଦଳ ବ୍ରାହ୍ମଣସୂତ ରାବଣଲୀଳା କଲାଭଳି ସଂସ୍କୃତ ଭାଷା ବିରୁଦ୍ଧରେ ସଂସ୍କୃତଶବ୍ଦ ପ୍ରୟୋଗ କରି ଆମେ ଏକପ୍ରକାର ତ୍ରୁଟିପୂର୍ଣ୍ଣ ମନୋରଞ୍ଜନ କରି ଚାଲିଛୁ । ପ୍ରାଦେଶିକ ଭାଷାଗୁଡ଼ିକର ମୌଳିକତାକୁ ସୁରକ୍ଷିତ ରଖିବାପାଇଁ ଆଦିଭାଷା ସଂସ୍କୃତକୁ ଅସ୍ପୃଶ୍ୟ କରି ରଖାଉଛି । ତାମିଲଭାଷୀ କହୁଛନ୍ତି, ତାମିଲଭାଷା ସଂସ୍କୃତଠାରୁ ଯଥେଷ୍ଟ ପୁରାତନ ଓ ତାମିଲ ଲିପି ଦେବନାଗରୀ ଲିପିଠାରୁ ପ୍ରାଚୀନତମ ଲିପି ଅଟେ । ଏ ଦୃଷ୍ଟିରୁ କମ୍ୱୁ ନାରାୟଣ ଓ ତରୁକ୍ଳୁରଲରେ ସଂସ୍କୃତ ଶବ୍ଦ ନାହିଁ କହିବା ଠିକ୍‌ ନୁହେଁ । ‘ରାମାୟଣ’ ଶବ୍ଦ ସ୍ୱୟଂ ସଂସ୍କୃତ ସମ୍ଭୂତ । ପୁଣି ସେଥିର ଅନେକ ଶବ୍ଦ ସଂସ୍କୃତର ଅପଭ୍ରଂଶ ମାତ୍ର । ତାମିଲ ଭାଷା ଓ ଲିପି ସଂସ୍କୃତ ଓ ଦେବନାଗରୀ ଲିପିଦ୍ୱାରା କିପରି ପ୍ରଭାବିତ ତା’ପରେ ଏକ ସ୍ୱତନ୍ତ୍ର ପ୍ରବନ୍ଧ ଲେଖାଯାଇପାରେ । ଯେଉଁ କ୍ଷେତ୍ରରେ ସମଗ୍ର ବିଶ୍ୱର ଭାଷା ଭାରୋପୀୟ ବା ସଂସ୍କୃତରୁ ଉଦ୍‌ଗମ ହୋଇଛି ବୋଲି ପ୍ରମାଣିତ, ସେ କ୍ଷେତ୍ରରେ କେବଳ ତାମିଲ ଭାଷା ସଂସ୍କୃତ ସହ ଏତେ ସାମଞ୍ଜସ୍ୟ ଥିବା ସତ୍ତ୍ୱେ କିପରି ମୌଳିକ ?

 

ତାମିଲ ପରି ଦେଖାଶିଖା ଓଡ଼ିଶାରେ ପାଣ୍ତୁଲିପିର ଲେଖକ ଶ୍ରୀଯୁକ୍ତ ସଚ୍ଚିରାଉତରାୟ ଲେଖକ ଓ କବିର ଭୂମିକାରେ ଆମକୁ କୁହନ୍ତି, ‘ଓଡ଼ିଆ କାବ୍ୟରେ ମୌଖିକ ରୀତି ପ୍ରବର୍ତ୍ତନ କରିବାକୁ ହେଲେ, ସଂସ୍କୃତର ଆକ୍ରମଣରୁ କବିତାକୁ ରକ୍ଷା କରିବାକୁ ହେବ ।’ ଏହି ଗୋଟିଏ ବାକ୍ୟରେ ବ୍ୟବହାର କରିଥିବା କାବ୍ୟ, ମୌଖିକ, ରୀତି, ପ୍ରବର୍ତ୍ତନ, ସଂସ୍କୃତ, ଆକ୍ରମଣ, କବିତା ଓ ରକ୍ଷା ଆଦି ଆଠଟି ସଂସ୍କୃତ ଶବ୍ଦରୁ ନିଜକୁ ରକ୍ଷା କରିସାରିବା ପରେ ଏପ୍ରକାର ଉପଦେଶ ଦେବା ଉଚିତ । ତାଙ୍କ ମତରେ, ‘ଅତୀତ ପ୍ରତି ଅସନ୍ତୋଷ ଓ ଅତୀତ ବିରୁଦ୍ଧରେ ବିଦ୍ରୋହ ଭବିଷ୍ୟତର ଶୁଭ ସଙ୍ଗଠନର ମୂଳକଥା ।’ କିନ୍ତୁ ଯା’ର ଅତୀତ ନାହିଁ ତା’ର ବର୍ତ୍ତମାନ ଆସିବ କେଉଁଠୁଁ ? ଏବଂ ଭବିଷ୍ୟତ କଥା ତ ଚିନ୍ତା କରାଯାଇନପାରେ । ଏଣୁ ଅତୀତ ପ୍ରତି ବିଦ୍ରୋହ ନୁହେଁ ଶ୍ରଦ୍ଧା ଓ ବର୍ତ୍ତମାନ ପ୍ରତି ନିଷ୍ଠାହିଁ ଭବିଷ୍ୟତର ଶୁଭ ସଙ୍କେତ । ସଂସ୍କାର ତ ଆମ କବିତାକୁ ଆକ୍ରମଣ କରିବା କହିବା ମାତା କନ୍ୟାକୁ ଆକ୍ରମଣ କଲାପରି ଅପ୍ରାସଙ୍ଗିକ ଓ ଅସଙ୍ଗତ ମନେହୁଏ । ସଂସ୍କୃତ ଆମ ଭାଷାଗୁଡ଼ିକ ପାଇଁ ଏପରି କିଛି କ୍ଷତି କରିନାହିଁ ଯାଦ୍ୱାରା ଏହାର ନକାରାତ୍ମକ ବିବେଚନା କରାଯିବ; ବରଂ ଭାରତର ସମସ୍ତ ଭାଷାର ପ୍ରାଣ ହେଉଛି ସଂସ୍କୃତ । ଭାରତୀୟ ଭାଷାଗୁଡ଼ିକରୁ ସଂସ୍କୃତ ଶବ୍ଦ କାଢ଼ିନେଲେ ସମସ୍ତ ଭାଷା ମୃତ ହୋଇଯିବ । ବିଶ୍ୱର ବୈଜ୍ଞାନିକ ଶବ୍ଦପାଇଁ ଯେପରି ଲାଟିନ୍ ବା ଗ୍ରୀକ୍‍ଭାଷା ଗ୍ରହଣ କରାଯାଏ, ସେପରି ବୈଜ୍ଞାନିକ ଶବ୍ଦାବଳୀ ପାଇଁ ଆମକୁ ସଂସ୍କୃତର ଶରଣରେ ଆସିବାକୁହିଁ ପଡ଼ିବ । ଏହା ଭାଷାବିତ୍‌ ଆଚାର୍ଯ୍ୟ ରଘୁବୀର ପ୍ରମାଣ କରି ଦେଇଛନ୍ତି । ତେବେ...ଏପ୍ରକାର ବିଚାର ପ୍ରକଟ କରିବାଦ୍ୱାରା ଏହା ଓଡ଼ିଆ କାବ୍ୟର ମୌଖିକ ରୀତି ପରିବର୍ତ୍ତନ କରିବାର ତ ଦୂରର କଥା ବରଂ ଓଡ଼ିଆ ଭାଷାକୁ ପଙ୍ଗୁ କରିଦେବ ।

 

ଏପ୍ରକାର ଚିନ୍ତା ବିଭ୍ରାଟ ପ୍ରାୟ ଦେଶର ପ୍ରତ୍ୟେକ କ୍ଷେତ୍ରରେ ଦେଖା ଦେଇଛି । ସଂସ୍କୃତକୁ କ୍ଳିଷ୍ଟ କ୍ଳିଷ୍ଟ କହି ଏହାର ସାରଲ୍ୟତାକୁ ଅପମାନ କରାଯାଉଛି । ଏପ୍ରକାର କଥା ବାରମ୍ୱାର ପ୍ରଚାର ହେବା ଫଳରେ ଛାତ୍ରମାନଙ୍କ ଭିତରେ ଏକପ୍ରକାର ଉଦାସୀନତା ପ୍ରକାଶ ପାଉଛି-

 

ବିଶ୍ୱର ବିଭିନ୍ନ ଭାଷାର ଏକ ତୁଳନାତ୍ମକ ଅଧ୍ୟୟନ କରି ଦେଖିଲେ ଜଣାଯାଏ ଯେ ସଂସ୍କୃତ ଏତେ କ୍ଳିଷ୍ଟ ନୁହେଁ ଯେତେ ଏହାକୁ କୁହାଯାଉଛି । ମେକ୍‌ସିକୋର ଭାଷା ଦେଖନ୍ତୁ । ସେ ଭାଷାରେ ଛେଳିକୁ କହନ୍ତି ‘କ୍ୱା–କ୍ୱାହୁଟେନସଟସନ୍‌’ ଅର୍ଥାତ୍‌–ଶିଙ୍ଗଥିବା ଦାଢ଼ିଥିବା । ସେତିକି ନୁହେଁ ଆମେ କହୁଁ–‘ମୁଁ ରୁଟି ମୋ ପୁଅକୁ ଦେଉଛି’ ତ ସେମାନେ କୁହନ୍ତି, ‘ତାକୁ ଦେଉଛି ରୁଟି ନିଜ ପୁଅକୁ-।’ ଏପ୍ରକାର ଭାଷାଗୁଡ଼ିକରେ ଯଥେଷ୍ଟ ଅଶୁଦ୍ଧି ଥିବାରୁ ଭାବ ବହନ କରିବାକୁ ଅକ୍ଷମ ହୋଇଯାନ୍ତି; ଯେଉଁ କ୍ଷେତ୍ରରେ ସଂସ୍କୃତ ସ୍ୱୟଂ ସମ୍ପନ୍ନ ଓ ସଂକ୍ଷିପ୍ତ ଅଟେ ।

 

ଆମ ସଂସ୍କୃତରେ ‘କରୋତି’ କହିଲେ ସେ କରୁଛିର ଭାବ ସ୍ପଷ୍ଟ ହୋଇଗଲା, ଯେଉଁ କ୍ଷେତ୍ରରେ ‘ହି ଇଜ୍‌ ଡୁଇଙ୍ଗ୍‌’ ନ କହିଲେ କିଛି ବୁଝାପଡ଼େ ନାହିଁ । ଆମ ‘ଗୃହାଣାମ୍‌’ ଶବ୍ଦକୁ ଇଂରାଜୀରେ ‘ଅଫ୍‌ ଦି ହାଉସେସ୍‌’ ବୋଲି କହିବାକୁହିଁ ହେବ । ସେପରି ପ୍ରାନ୍ତୀୟ ଭାଷାଗୁଡ଼ିକରେ ବିଭିନ୍ନ ତ୍ରୁଟି ଓ ଭାବବ୍ୟକ୍ତ କରିବାକୁ ସମୟ ନଷ୍ଟ କରିବାକୁହିଁ ପଡ଼ିଥାଏ । ‘ସେ ଯିବାକୁ ଚାହୁଁଛି’ ଏଡ଼େ ଲମ୍ୱା ବାକ୍ୟ ନ କହିଲେ ଏଠି ଭାବ ସ୍ପଷ୍ଟ ହେଉନାହିଁ, ଯେଉଁ କ୍ଷେତ୍ରରେ କେବଳ, ‘ଜିଗମିଷତି’ କହିଦେଲେ କାମ ତୁଟିଗଲା ।

 

ବ୍ୟାକରଣ ଓ ଧ୍ୱନିଶାସ୍ତ୍ର ଅନୁସାରେ ବିଶ୍ୱର କୌଣସି ଭାଷା ସଂସ୍କୃତ ପରି ଉନ୍ନତ ନୁହେଁ-। ଚିତ୍ରମୟୀ ଚୀନା ବା ଜାପାନୀ ଭାଷା ଓ ଲିପିରେ ଅନେକ ପରିବର୍ତ୍ତନ କରିବା ସତ୍ତ୍ୱେ ସେଥିରେ ଅନେକ ତ୍ରୁଟି ରହିଯାଇଛି । ଗ୍ରୀକ୍‌ ଭାଷାକୁ ଛାଡ଼ିଦେଲେ ୟୁରୋପୀୟ ସମସ୍ତ ଭାଷା ରୋମାନ ଲିପିକୁ ଏକମାତ୍ର ଲିପି ବୋଲି ଗ୍ରହଣ କରି ନେଇଛନ୍ତି; ଯେଉଁ ଲିପି ଅବୈଜ୍ଞାନିକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଖନ୍ତୁ ଇଂରାଜୀ ‘ୟୁ’ U ର ଧ୍ୱନି କିପରି ପରିବର୍ତ୍ତନଶୀଳ; ପୁଟ (Put) ଶବ୍ଦରେ ‘ୟୁ’ର ଧ୍ୱନି ‘ଉ’ ତ ବଟ୍‌ (But)ରେ ‘ୟୁ’ର ଧ୍ୱନି ‘ଅ’ ଓ ବିଜି (Busy)ର ‘ୟୁ’ ‘ଇ’ ଆକାର ଧାରଣ କରୁଛି । ଏପ୍ରକାର ତ୍ରୁଟିପାଇଁ କନ୍‌ସାଇନ୍‌ସ ଇଂଲିଶ୍ ଡିକ୍ସନାରୀର ସମ୍ପାଦକ ଦୋଷ ସ୍ୱୀକାର କରନ୍ତି ଯେ ତାଙ୍କ ବର୍ଣ୍ଣମାଳା ଅପୂର୍ଣ୍ଣ, ଯେଉଁଥିରେ ପ୍ରତ୍ୟେକ ଧ୍ୱନିପାଇଁ ଏକ ପୃଥକ୍‌ ଅକ୍ଷର ବ୍ୟବହାର ହେଉଛି ଏବଂ ଯାହା ସଦା ଏହି ଧ୍ୱନିର ପ୍ରତିନିଧିତ୍ୱ କରୁଛି । ଇଂରାଜୀରେ ଯାହାକୁ ଉଚ୍ଚାରଣରେ ‘ସ୍ୱାଇଚୋଲୋଗାଇ’ ଲେଖାଯାଉଛି ତାକୁ ‘ସାଇକ୍ଳୋଜୀ’, ‘କ୍ନଲେଜ’କୁ ‘ନଲେଜ’ ଏବଂ ପିନୁମୁନିଆଁକୁ ‘ନିମୁନିଆଁ’ ବୋଲି ପଢ଼ାଯାଉଛି ।

 

ଜର୍ମାନୀ, ଗ୍ରୀକ୍‌ ଓ ରୁଷଭାଷା ଏଦୃଷ୍ଟିରୁ ଟିକେ ଭିନ୍ନ ଓ ଉନ୍ନତ କହିଲେ ମଧ୍ୟ କ୍ରମରେ ଏପରି ତ୍ରୂଟିପୂର୍ଣ୍ଣ । ପାଶ୍ଚାତ୍ୟରେ ସ୍ତ୍ରୀ ପୁରୁଷଙ୍କ ଭେଦ ଜଣା ନ ପଡ଼ିବା ପରି ଆରବୀ ତଥା ବିଭିନ୍ନ ୟୁରୋପୀୟ ଭାଷାରେ ସ୍ୱର ବ୍ୟଞ୍ଜନର ଭେଦ ନାହିଁ । ଏସବୁ ଦୃଷ୍ଟିରୁ ସଂସ୍କୃତ ଉନ୍ନତ ଓ ମହାନ୍ । ଇ.ଏଚ୍‌. ଜନଷ୍ଟନଙ୍କ ମତରେ–ଭାରତର କବିମାନେ ଧ୍ୱନିର ପରିବର୍ତ୍ତନ ପାଇଁ ବଡ଼ ସଂଜ୍ଞାଶୀଳ । ଏଦିଗରେ ଅନ୍ୟାନ୍ୟ ଦେଶର ସାହିତ୍ୟରେ ଖୁବ୍‌ କ୍ୱଚିତ ପଟାନ୍ତର ଦେଖାଯାଏ ।

 

ଅତି ଅଳ୍ପ ଅକ୍ଷର ଓ ଶବ୍ଦରେ ଭାବବ୍ୟକ୍ତ କରିବାକୁ ହେଲେ ସର୍ବଭାରତୀୟ ସ୍ତରରେ ସଂସ୍କୃତକୁ ନେବାକୁହିଁ ପଡ଼ିବ । କେତେକ ପଚାରୁଛନ୍ତି ନିତ୍ୟ ନିୟମିତ ବ୍ୟବହୃତ ହେଉଥିବା ଟେଲିଫୋନ୍, ଟେଲିଗ୍ରାମ୍, ଟେଲିଫଟୋ ଆଦି ଶବ୍ଦକୁ ଆମେ କ’ଣ କହିବୁ ? କହିବାପାଇଁ ଯଥେଷ୍ଟ ଶବ୍ଦ ରହିଛି । ଟେଲିଫୋନ୍‍କୁ ଯଦି ଆମେ ଦୂରଭାଷା, ଟେଲିଗ୍ରାମ୍‍କୁ ଦୂରଲେଖ, ଟେଲିପ୍ରିଣ୍ଟରକୁ ଦୂରମୁଦ୍ରକ, ଟେଲିସ୍କୋପ୍‍କୁ ଦୂରକ୍ଷ, ଟେଲିଭିଜନକୁ ଦୂରଦୃଶ୍ୟ, ଟେଲିଫୋଟୋକୁ ଦୂରଚିତ୍ର ଏବଂ ଟେଲିପାଥିକୁ ଦୂରାନୁଭୂତି ତଥା ଟେଲିକମୁନିକେଶନ୍‌କୁ ଦୂରସଞ୍ଚାର କହିବାରେ ଅଭ୍ୟସ୍ତ ହୋଇଯାଉଁ ତାହାହେଲେ ଏହା କ’ଣ ଅତି ସରଳ ଜଣାଯିବ ନାହିଁକି ? ଆଧୁନିକ ବିଜ୍ଞାନରେ ଏପରି କୌଣସି ଶବ୍ଦ ସୃଷ୍ଟି ହୋଇ ନାହିଁ ଯା’ର ସଂସ୍କୃତ ଅନୁବାଦ କରାଯାଇପାରିବ ନାହିଁ ।

 

ସଂସ୍କୃତ କାହିଁକି ?

 

ଆଜିର ଭାଷା ସମସ୍ୟାର ସମାଧାନ ଓ ଭାଷା ଭାଷା ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାପାଇଁ ସଂସ୍କୃତ ତହିଁ ଏକମାତ୍ର ସାନ୍ତ୍ୱନା । ଦକ୍ଷିଣ ଓ ଉତ୍ତର ଭାରତକୁ ଏକ ସୂତ୍ରରେ ଯୋଡ଼ିବାକୁ ହେଲେ ହିନ୍ଦୀ ନୁହେଁ, ସଂସ୍କୃତରହିଁ ବହୁଳ ପ୍ରଚାର କରିବାକୁ ହେବ । କୌଣସି କଥା ପ୍ରାଚୀନ ହେବା ଦୃଷ୍ଟିରୁ ତ୍ୟାଗ କରିବା ବା ନୂତନ ହେବା ଦୃଷ୍ଟିରୁ ଗ୍ରହଣ କରିବା ଦୁରାଗ୍ରହ ମାତ୍ର ।

 

ଯୁଗଯୁଗ ଧରି ସଂସ୍କୃତ ପ୍ରାଚ୍ୟ ଓ ପାଶ୍ଚାତ୍ୟର ଚିନ୍ତାନାୟକ, ଦାର୍ଶନିକ, ସାହିତ୍ୟିକ, କବି, ଲେଖକ ଓ ରାଜନୈତିଜ୍ଞମାନଙ୍କୁ ପ୍ରଭାବିତ କରି ଆସିଛି । ସଂସ୍କୃତକୁ ଆଜି ନୁହେଁ ଅନେକ ଆଗରୁ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଛି । ବୁଦ୍ଧ ଆସିଲେ ସଂସ୍କୃତ ପରିବର୍ତ୍ତେ ପ୍ରଚାର କଲେ ପାଲି ଭାଷାରେ । ତା’ ପରେ ପରେ ଅବଶ୍ୟ ଆଚାର୍ଯ୍ୟ ଶଙ୍କରଙ୍କ ସଂସ୍କୃତରେ ପ୍ରଚାର ବୁଦ୍ଧଧର୍ମର ମୌଳିକ ସିଦ୍ଧାନ୍ତପରେ କଠୋର ଆଘାତ କଲା । ସଂସ୍କୃତ ବଞ୍ଚିଗଲା । ଏହାପରେ ମୋଗଲ ପଠାଣ ଭାରତ ଆକ୍ରମଣ କରି ଶାସକ ହେବାପରେ ଊର୍ଦ୍ଦୁ ଓ ପାର୍ଶିକୁ ରାଜଭାଷା କଲେ । ମାତ୍ର ତା’ର ସ୍ଥାୟିତ୍ୱ ରହିଲା କେତେଦିନ ? ତାଙ୍କ ପରେ ପରେ ଇଂରେଜମାନେ ଏଦେଶରେ ବାଣିଜ୍ୟ କରୁଁ କରୁଁ ସାରା ଭାରତର ଶାସକ ହେଲେ । ମେକେଲେଙ୍କ ପ୍ରେରଣାରେ ଇଂରାଜୀ ଭାଷା ଓ ଶିକ୍ଷା ସଭ୍ୟତାର ମାନଦଣ୍ତ ହେଲା । ଭାରତ ସ୍ୱାଧୀନ ହେବାର କିଛିବର୍ଷ ପରେ ଉତ୍ତର ଭାରତରୁ ଇଂରାଜୀ ହଟାଓ’ର ଧ୍ୱନି ଶୁଣାଗଲା । ଇଂରାଜୀର ସ୍ଥାନ ହିନ୍ଦୀ ମାଡ଼ି ବସିଲା । ଏଦେଶରେ ରାଷ୍ଟ୍ରଭାଷା ଭାବରେ ହିନ୍ଦୀ ସମ୍ମାନିତ ହେଲା । ତ୍ରିଭାଷୀ ପ୍ରଣାଳୀଦ୍ୱାରା ସଂସ୍କୃତ ପ୍ରତି ଅନ୍ୟାୟ କରାଗଲା । ଦକ୍ଷିଣ ଭାରତରେ ହିନ୍ଦୀ ବିରୁଦ୍ଧରେ ଆନ୍ଦୋଳନ ଓ ବିକ୍ଷୋଭ ସୂଚାଇ ଦେଲା ଯେ ଏଦେଶରେ ଏପରି ଏକ ଭାଷାକୁ ପସନ୍ଦ କରନ୍ତି ଯାହା ସମଗ୍ର ଦେଶର ସମ୍ପର୍କ ଓ ସାଂସ୍କୃତିକ ଭାଷା ହୋଇଥିବ । ଭଗିନୀ ନିବେଦିତା ତାଙ୍କ ‘ନାସ୍‌ନାଲ୍ ଏଜୁକେଶନ ଇନ୍‌ ଇଣ୍ତିଆ’ରେ କହିଲେ ଯେ ଯଦି ସମସ୍ତ ମନୁଷ୍ୟ ଗୋଟିଏ ଭାଷାରେ ବାର୍ତ୍ତାଳାପ କରନ୍ତି, ଏକପ୍ରକାର ବିଚାର ପ୍ରକଟ କରନ୍ତି ତଥା ସମାନ ଲକ୍ଷ୍ୟର ଅନୁଭୂତି କରିବା ଶିଖନ୍ତି ଏବଂ ସମସ୍ତଙ୍କୁ ସମାନ ଶକ୍ତି ପ୍ରତି–ସମାନ ରୂପରେ ପ୍ରତିକ୍ରିୟାଦି ପ୍ରକଟ କରିବାର ଶିକ୍ଷା ଦିଆଯାଏ ଓ ସକ୍ଷମ କରାଯାଏ ତେବେ ଏକତା ସ୍ୱୟଂଭୂ ହୋଇ ପ୍ରକଟ ହେବ ଓ ଅତୁଟ ରହିବ । ମାତ୍ର ତାଙ୍କ କଥା ଶୁଣିବାକୁ ଆମ ପାଖରେ ସମୟ କାହିଁ ?

 

ଆମେ ତ ସଂସ୍କୃତ ଭାଷାର ଆକ୍ରମଣରୁ ପ୍ରାନ୍ତୀୟ ଭାଷାଗୁଡ଼ିକୁ ରକ୍ଷା କରିବାରେ ବ୍ୟସ୍ତ, ଆମ ପାଖରେ ରାଷ୍ଟ୍ରୀୟ ହିତ ଦୃଷ୍ଟିରୁ ସଂସ୍କୃତକୁ ରକ୍ଷା କରିବାପାଇଁ ଚିନ୍ତା କେଉଁଠୁଁ ଆସିବ ? ଏଭାଷା ଆମପାଇଁ ଏକ ଅସମ୍ଭବ ଅଦରକାରୀ ଭାଷାପରି ମନେହୁଏ । ଇସ୍‌ରାଏଲର ପ୍ରାଚୀନ ଭାଷା ହେବ୍ରୁ ପଢ଼ନ୍ତୁ । ଖୁବ୍‌ କଷ୍ଟକର ଭାଷା । ସେଥିରେ ୨୨ଟି ଅକ୍ଷର ଓ ୨୪୬୮ଟି ଶବ୍ଦ । ତଥାପି ସେମାନେ ସେହି ପ୍ରାଚୀନ ଭାଷାରେ ସମସ୍ତ ରାଷ୍ଟ୍ରୀୟ କାର୍ଯ୍ୟ ଓ ଶିକ୍ଷାଦାନ କରୁଛନ୍ତି । ଦୀର୍ଘ ଦୁଇହଜାରବର୍ଷର ମୃତଭାଷା ଅପୂର୍ଣ୍ଣତା ସତ୍ତ୍ୱେ ରାଷ୍ଟ୍ରଭାଷାରୂପେ ସମ୍ମାନିତ ହେଉଛି । ଅଥଚ ସଂସ୍କୃତ ସ୍ୱୟଂ ସମ୍ପୂର୍ଣ୍ଣ ଭାଷା ହେବା ସତ୍ତ୍ୱେ ଭାରତରେ ଅବହେଳିତ ।

 

ଭାରତୀୟ ସଂସ୍କୃତିର ନୀରବ ସାରଥି ସଂସ୍କୃତ । ସମଗ୍ର ବିଶ୍ୱ ସହ ସୁସମ୍ପର୍କ ସ୍ଥାପନ କରିବାରେ ସଂସ୍କୃତ ସମର୍ଥ । ସର୍ବଭାରତୀୟ ସ୍ତରରେ ସଂସ୍କୃତର ପ୍ରଚାର ହୋଇ ପାରିଲେ ଆମେ ପରସ୍ପରର ପାଖାପାଖି ହୋଇ ପାରନ୍ତୁ । ସଂସ୍କୃତ ପୁରାତନ ବିଦ୍ୟାର କୋଷ ଓ ମାନବଜାତିର ସର୍ବାଧିକ ଉଦ୍ଦାତ୍ତ ବିଚାର ସଂଗ୍ରହ ଅଟେ । ଯଦି ଆମେ ସୁସଂସ୍କୃତ ହେବାକୁ ଚାହୁଁ ଓ ଭାରତୀୟ ସଂସ୍କୃତିକୁ ଚିହ୍ନିବାକୁ ଚାହୁଁ ତାହାହେଲେ ଆମକୁ ସଂସ୍କୃତର ଶରଣ ନେବାକୁ ପଡ଼ିବ । ଡାଃ ରାଧାକୃଷ୍ଣନ ଆମକୁ ସ୍ପଷ୍ଟଭାବରେ କହିଥିଲେ କି, ଆମେ ଆଦୌ ଭୟ କରିବା କଥା ନୁହେଁ ଯେହେତୁ ସଂସ୍କୃତ ଅଧ୍ୟୟନର ଅଭିପ୍ରାୟ ଆଧୁନିକତାର ବହିଷ୍କାର ନୁହେଁ ।

 

ଗାନ୍ଧିଜୀ ନିଜ ଆତ୍ମକଥାରେ ଖୁବ୍‌ ପଶ୍ଚାତ୍‌ତ୍ତାପ କରିଥିଲେ ଯେ ସେ ଅଧିକ ସଂସ୍କୃତ ପଢ଼ିପାରି ନଥିଲେ । ତାଙ୍କ ମତରେ କୌଣସି ହିନ୍ଦୁ ବାଳକ ସଂସ୍କୃତ ଉତ୍ତମ ଅଭ୍ୟାସ କରିବା ବିନା ରହିବା ଅନୁଚିତ । ଇଂଲଣ୍ତର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ତାଙ୍କ ପ୍ରାଚୀନ ଭାଷା ଲାଟିନ୍‌ ପିଲାଦିନେ ପଢ଼ି ଜାଣି ନଥିଲେ, ଏଣୁ ଶ୍ରେଣୀରେ ଅନେକବାର ବେତ ଖାଇଥିଲେ । ତା’ପରେ ଲଣ୍ତନର ପ୍ରଧାନମନ୍ତ୍ରୀ ହେବାପରେ ଲାଟିନ୍‌ ଆୟତ୍ତ କରିଥିଲେ । କାରଣ ପ୍ରାଚୀନତାର ପବିତ୍ରତାର ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିର ଭବିଷ୍ୟତ ରୂପରେଖ ଲୁଚି ରହିଥାଏ ।

 

ଆଜି ସମୟ ଆସିଛି । ଆମ ଆଗରେ ଦୁଇଟି ପ୍ରଶ୍ନ । ଆମେ ସଂସ୍କୃତକୁ ଶିକ୍ଷା କ୍ଷେତ୍ରରେ ରଖିବା ନା ବହିଷ୍କାର କରିବା ?

Image

 

ଅସନ୍ତୁ ଓଡ଼ିଆରେ କହିବା ଓ ଲେଖିବା

 

‘‘ଓଡ଼ିଆରେ ଭାବ, ଓଡ଼ିଆରେ କୁହ, ଓଡ଼ିଆରେ ଲେଖ ।’’ ଏ ତିନୋଟି କଥା କହିବାଦ୍ୱାରା କେତେକଙ୍କ ମନେ ହେଉଛି ଏହା ସଂକୀର୍ଣ୍ଣତା । ମୁଁ ସଂକୀର୍ଣ୍ଣତା କଥା କହୁନାହିଁ । ପ୍ରତ୍ୟେକ ପ୍ରାଦେଶିକ ଭାଷା ସମ୍ପର୍କରେ ମୋର ଅଭିମତ ଠିକ୍‌ ଏପରି । ଲୋକେ ତଥାକଥିତ ଅର୍ନ୍ତରାଷ୍ଟ୍ରୀୟ ବା ରାଷ୍ଟ୍ରୀୟ ଭାବଧାରାଦ୍ୱାରା ଏତେମାତ୍ରାରେ ପ୍ରଭାବିତ ଯେ ନିଜ ପରିବାର ବା ନିଜ ସମ୍ପର୍କରେ କିଛି କହିବାକୁ ଯିବା ପୂର୍ବରୁ ସଂକୀର୍ଣ୍ଣତାର ଆକ୍ଷେପଦ୍ୱାରା ଶରବ୍ୟ କରୁଛନ୍ତି । ନିଜ ମା’ ଓ ମାତୃଭାଷାଙ୍କୁ ଭଲ ପାଇବାକୁ ଯଦି ସଂକୀର୍ଣ୍ଣତା ବୋଲି କୁହାଯାଏ ତାହାହେଲେ ସେପ୍ରକାର ସଂକୀର୍ଣ୍ଣ ହେବାରେ ଦୁଃଖ ନାହିଁ ।

 

ସେମାନେ ଇଂରାଜୀ କଥା କହୁଛନ୍ତି । ଏହାର ଅର୍ନ୍ତରାଷ୍ଟ୍ରୀୟତ୍ୱ, ବୈଜ୍ଞାନିକତ୍ୱ ଏବଂ ଶ୍ରେଷ୍ଠତ୍ୱ ଉପରେ ଦୁଇଡ଼ଜନ୍ ପ୍ରମାଣ ଦେଇ, ତାହା କିପରି ଭାରତୀୟ ଭାଷାଗୁଡ଼ିକଠାରୁ ମଧ୍ୟ ଲୋକପ୍ରିୟ ତାହା ବୁଝାଉଛନ୍ତି । ମାତ୍ର ଏକଥା ମୁଁ ଏପର୍ଯ୍ୟନ୍ତ ବୁଝିପାରୁ ନାହିଁ ଯେ ଜଣେ ଅନ୍ୟ ରୂପବତୀ, ଅଳଙ୍କାର ବିମଣ୍ତିତା ରମଣୀ, ଗୁଣ ଓ ସ୍ୱଭାବରେ ମୋ ମା’ଠାରୁ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୁଁ ଜଣେ ବିମାତାକୁ କିପରି ମା’ ବୋଲି ସମ୍ୱୋଧନ କରିବି ? ମୋ ମା’ ବୃଦ୍ଧା ତଥାପି ସେ ମୋପାଇଁ ସ୍ନେହମୟୀ । ସେହିପରି ମୋ ମାତୃଭାଷା । ଏହା ଯେତେ ଅପୂର୍ଣ୍ଣ, ସଂକୀର୍ଣ୍ଣ ଓ ସାରହୀନ ହେଲେ ମଧ୍ୟ ଇଂରାଜୀଦ୍ୱାରା ଏହାକୁ ପରିବର୍ତ୍ତିତ କରାଯାଇନପାରେ । ଏଦୃଷ୍ଟିରୁ ଓଡ଼ିଆ ଓଡ଼ିଆହିଁ ରହିବ ଓ ଇଂରାଜୀ ଇଂରାଜୀହିଁ ରହିବ ।

 

ଇଂରାଜୀ ଭାଷା ଓ ସାହିତ୍ୟର ଜଣେ ଛାତ୍ର ହିସାବରେ ମୁଁ ଏହା କେବେ ମଧ୍ୟ ମାନିପାରିବି ନାହିଁ ଯେ– ଯାହା ଅଛି ସବୁ ଅଛି ଇଂରାଜୀରେ । ଓଡ଼ିଆ ବା ଆମ ଭାରତୀୟ ଭାଷାଗୁଡ଼ିକରେ ଏପରି କିଛି ଜିନିଷ ରହିଛି ଯାହା ଇଂରାଜୀ ଚେଷ୍ଟା କଲେ ମଧ୍ୟ ଆଣି ପାରିବ ନାହିଁ-। ଆମେ ଯାହା କହୁଁ ତାହା ଲେଖୁଁ, ସେଇଟା ହେଲା ଆମ ବୈଶିଷ୍ଟ୍ୟ । ଯେଉଁ କ୍ଷେତ୍ରରେ ଇଂରାଜୀରେ କୁହାଯାଏ ଏକପ୍ରକାର ତ ଲେଖାଯାଏ ଅନ୍ୟ ପ୍ରକାର । ଭାଷାଗତ ଦୃଷ୍ଟିରୁ ଓଡ଼ିଆ ଇଂରାଜୀଠାରୁ ବହୁ ଊର୍ଦ୍ଧ୍ୱରେ । ଇଂରାଜୀର ଉଚ୍ଚାରଣ ଯେ କେତେ ଅସଙ୍ଗତ, ବହିସ୍ଥ ଓ ବିଶୃଙ୍ଖଳିତ ତାହା ଇଂରାଜୀ ସାହିତ୍ୟର ମହାନ୍ ନାଟ୍ୟକାର ବର୍ଣ୍ଣାଡ଼ଶ’ଙ୍କ ଉଦାହରଣରୁ ଜଣାପଡ଼େ-। ସେ ଇଂରାଜୀ ଭାଷାକୁ ବ୍ୟଙ୍ଗ କରିବାକୁ ଯାଇ ଏକ ନୂତନ ଶବ୍ଦର ସୃଷ୍ଟି କଲେ, ‘‘ଘୋଟି (Ghoti), ଏହାର ଉଚ୍ଚାରଣ ‘‘ଫିସ୍‌’’ (Fish) ପରି କରାଯିବ । ଯେହେତୁ (Cough) ‘gh’ ଏଫ୍‌ (F) ପରି ଉଚ୍ଚାରିତ ହୁଏ, ଏବଂ ଉଇମେନ (Women)ର ‘O’ କ୍ଷୁଦ୍ର ଆଇ (i) ପରି ଉଚ୍ଚାରିତ ହୁଏ ଏବଂ ନେସନ (Nation)ର ‘ti’ ଇସ୍‌ (sh) ପରି ଉଚ୍ଚାରିତ ହୁଏ । ଏ ସମସ୍ତ ଦୃଷ୍ଟିରୁ ‘ଘୋଟି’ ‘ଫିସ୍‌’ ପରି ଉଚ୍ଚାରିତ ହେବ । ଯେଉଁ କ୍ଷେତ୍ରରେ ଭାରତୀୟ ଭାଷାଗୁଡ଼ିକ ବ୍ରାହ୍ମୀ ଓ ଦେବନାଗରୀଲିପିରୁ ଆସିଥିବାରୁ ଉଚ୍ଚାରଣରେ କୌଣସି ପ୍ରକାର ଅସଙ୍ଗତି ଦେଖାଯାଏ ନାହିଁ-

 

ଅନେକ ତ୍ରୁଟି ଥିବାସତ୍ତ୍ୱେ ଇଂରାଜୀ ଆଜି ସଭ୍ୟ ଜଗତର ଭାଷା, ବିଜ୍ଞାନର ଭାଷା ଓ ଉଚ୍ଚସାହିତ୍ୟର ଭାଷା–ଯେଉଁ କ୍ଷେତ୍ରରେ ଓଡ଼ିଆ ଓଡ଼ିଆର ଭାଷାଭାବରେ ସୀମିତ । ଇଂରାଜୀ କହିବା କୁଆଡ଼େ ବିଜ୍ଞତାର ଲକ୍ଷଣ । ଏହା ଯେ ଓଡ଼ିଶାରେ ହେଉଛି ବା ଭାରତରେ ହେଉଛି ତା’ ନୁହେଁ, ଦିନେ ଇଂଲଣ୍ତରେ ଇଂରାଜୀ ମଧ୍ୟ ସେହି ଅବସ୍ଥାରେ ଅବହେଳିତ ହୋଇ ପଡ଼ିଥିଲା । ଇଂଲଣ୍ତରେ ଇଂରାଜୀ କିପରି ରାଜଭାଷା ହେଲା ତା’ର ଆଲୋଚନା କରିବା ଏଠି ଆବଶ୍ୟକ ମନେ ହେଉଛି । କାରଣ ସେ ଜାତିଠାରୁ ମଧ୍ୟ କିଛି ଶିକ୍ଷା କରିବା ଉଚିତ । ଆମ ପ୍ରାଚୀନତମ ଶାସ୍ତ୍ର ବେଦରେ ତ କୁହାଯାଇଛି ଉତ୍ତମ ବିଚାର ବିଶ୍ୱର ପ୍ରତ୍ୟେକ ଦିଗରୁ ଆମ ପାଖରେ ପହଞ୍ଚୁ ।

 

ଆଜି ସମଗ୍ର ଓଡ଼ିଶାରେ ଓଡ଼ିଆ ବା ସମଗ୍ର ଭାରତବର୍ଷରେ ହିନ୍ଦୀର ସ୍ଥିତି ଯାହା, ପଞ୍ଚଦଶ, ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଇଂଲଣ୍ତରେ ଇଂରାଜୀର ସ୍ଥିତି ମଧ୍ୟ ଠିକ୍‌ ସେଇଆ ଥିଲା-। ଏପରିକି ସପ୍ତଦଶ ଶତାବ୍ଦୀର ଶେଷ ଦଶକ ପର୍ଯ୍ୟନ୍ତ ଇଂଲଣ୍ତର ପ୍ରତ୍ୟେକ କ୍ଷେତ୍ରରେ ଫରାସୀ ଓ ଲାଟିନ୍‌ଭାଷାର ପ୍ରାଧାନ୍ୟ ଓ ସମ୍ମାନ ଅକ୍ଷୁଣ୍ଣଥିଲା । ଫ୍ରାନ୍‌ସ ପର୍ଯ୍ୟଟନ କରିବା, ଫରାସୀ ଭାଷାରେ କଥାବାର୍ତ୍ତା ହେବା ଏବଂ ଲାଟିନ୍ ଶ୍ଳୋକ ଉଦ୍ଧାର କରି କଥାବାର୍ତ୍ତା କରିବା ବିଜ୍ଞତା ବୋଲି ଧରାଯାଉଥିଲା ।

 

ସେ କାର ପ୍ରପରିସ୍ଥିତିରେ ଇଂରାଜୀରେ କହିବା ଲେଖିବା ବା ପଢ଼ିବା ଘୃଣ୍ୟ କାର୍ଯ୍ୟ ବୋଲି ଲୋକେ ଧରି ନେଉଥିଲେ । ପ୍ରତ୍ୟେକ ସରକାରୀ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଇଂରାଜୀକୁ ଜଙ୍ଗଲୀ, ଗାଉଁଲି ଓ ଅସଭ୍ୟଭାଷା ବୋଲି ଧରି ନିଆଯାଉଥିଲା । ଇଂରାଜୀର ‘‘ୟୁ’’ ଓ ‘‘ବୀ’’ର ପ୍ରୟୋଗ କରି ନ ପାରି ଏହାର ଅକ୍ଷର ବିନ୍ୟାସକୁ ଅଶୁଦ୍ଧ ବୋଲି ବିଚାର କରାଯାଉଥିଲା । ଡାକ୍ତରମାନେ ପ୍ରଚାର କରି ଦେଇଥିଲେ ଯେ, ଇଂରାଜୀରେ ଡାକ୍ତରୀ ଶିକ୍ଷା ଦେବା ଅର୍ଥ ରୋଗୀକୁ ବିପଦରେ ପକାଇବା । ୧୫୪୧ରେ ସାର ଥମାସ ଇଲିୟଟ, ‘‘କେସେଲ ଅଫ୍‌ ହେଲ୍‌ଥ’’ ପୁସ୍ତକର ଭୂମିକାରେ ବିନମ୍ରତାସହ ଏହା ସ୍ୱୀକାର କରିଥିଲେ ଯେ–‘‘ଡାକ୍ତରବର୍ଗ ଅସନ୍ତୋଷ ହେବେ କାହିଁକି ନା ମୁଁ ଶରୀରବିଜ୍ଞାନକୁ ଇଂରାଜୀ ଭାଷାରେ ଲେଖିଛି ।’’

 

ଇଂଲଣ୍ତରେ କେଥ୍‌ଲିକ ସମ୍ପ୍ରଦାୟ ଇଂରାଜୀଭାଷାର ହୀନମ୍ମନ୍ୟତା ପାଇଁ ଅନେକ ପରିମାଣରେ ବୁଦ୍ଧିଜୀବୀଙ୍କୁ ଉତ୍ସାହିତ କରୁଥିଲେ । ଇଂରାଜୀରେ ପବିତ୍ର ଶାସ୍ତ୍ର ବାଇବେଲର ଅନୁବାଦକୁ ମଧ୍ୟ ଘୋର ବିରୋଧ କରାଯାଉଥିଲା । ଥମାସ ହାର୍ଡ଼ିଙ୍ଗ୍‌ ଏଥିପାଇଁ କାରଣ ଦର୍ଶାଉଥିଲେ ଯେ, ଗାଉଁଲି ଓ ଜଙ୍ଗଲୀ ଭାଷାରେ ପରମେଶ୍ୱରଙ୍କ ବାକ୍ୟ ପଢ଼ିବା ଅପରାଧ ଅଟେ । ଇଂରାଜୀରେ ବାଇବେଲ ଅନୁବାଦ ହୋଇ ପାରିବ ନାହିଁ । ଯଦି ହେବ ଲୋକେ ତାହା ବୁଝିପାରିବେ ନାହିଁ ଏବଂ ଅର୍ଥକୁ ଅନର୍ଥ କରିଦେବେ । ଏହାଦ୍ୱାରା ତାଙ୍କର ଅନେକ ଅମଙ୍ଗଳ ହେବ । ଏତଦ୍‌ବ୍ୟତୀତ ହାର୍ଡ଼ିଙ୍ଗ୍‌ ଅନ୍ୟମାନଙ୍କ ସମ୍ମୁଖରେ ଏହା ସ୍ୱୀକାର କଲେ ଯେ ବାଇବେଲରେ ଏପରି କିଛି ରହସ୍ୟ ରହିଛି ଯାହା ସର୍ବଜନୀନଭାବରେ ଉଦ୍‌ଘାଟନ କରିବା ଅନୁଚିତ ଏବଂ ଏହାର ଇଂରାଜୀ ଅନୁବାଦ ଏହାପ୍ରତି ଘୃଣା ଓ ଗ୍ଳାନି ଉତ୍ପନ୍ନ କରିବ । ଏଥିପାଇଁ ସେ ପ୍ରଟେଷ୍ଟାଣ୍ଟମାନଙ୍କୁ ଆକ୍ଷେପ କରୁଥିଲେ । ୧୫୩୬ରେ ବାଇବେଲର ଇଂରାଜୀ ପରିବର୍ତ୍ତିତ ସଂସ୍କରଣ ପ୍ରକାଶ କରିଥିବାରୁ ଟନ୍‌ଡ଼େଲଙ୍କୁ ଅଗ୍ନୀରେ ଜୀବନ୍ତ ଦଗ୍ଧ କରି ଦିଆଯାଇଥିଲା ।

 

କେବଳ ଯେ ଚିକିତ୍ସା ଶିକ୍ଷା ଓ ଧର୍ମକ୍ଷେତ୍ରରେ ଇଂରାଜୀକୁ ଅପମାନିତ କରାଯାଉଥିଲା ତା’ ନୁହେଁ । ଭୂଗୋଳ, ନିୟମକାନୁନ ଏବଂ ଜ୍ଞାନବିଜ୍ଞାନ କ୍ଷେତ୍ରରେ ମଧ୍ୟ ଇଂରାଜୀ ଅବହେଳିତ ଅବସ୍ଥାରେ ପଡ଼ିଥିଲା । ୧୫୭୦ର ‘‘ଏଲିମେନ୍‌ଟସ୍‌ ଅଫ୍‌ ଜ୍ୟୋମେଟ୍ରୀ’’ର ସଫଳ ଅନୁବାଦକ ଜୋନ ଡ଼ି. ତାଙ୍କ ଭୂମିକାରେ କ୍ଷମା ପ୍ରାର୍ଥନା ପୂର୍ବକ ଲେଖିଲେ ଯେ ଏହି ଅନୁବାଦ ବିଶ୍ୱବିଦ୍ୟାଳୟ ତଥା ସେମାନଙ୍କ ସ୍ନାତକଙ୍କ ସମ୍ମାନ ଓ ଆଗ୍ରହକୁ ହତ୍ୟା କରିବ ନାହିଁ । କାରଣ ଠିକ୍‌ ଏହାପୂର୍ବରୁ ୧୫୬୨ରେ ଭୂଗୋଳ ଶାସ୍ତ୍ରର ଇଂରାଜୀ ସଂସ୍କରଣ ଉପରେ ସାର୍ ଉଇଲିୟମ୍‌ ସିସିଲି ସନ୍ଦେହ ପ୍ରକଟ କରିଥିଲେ ।

 

ବନସ୍ପତି ବିଜ୍ଞାନର ବିଦ୍ୱାନ ଟର୍ନର ଇଂରାଜୀ ଭାଷାର ପକ୍ଷ ସମର୍ଥନ କରି ସାର୍ ଉଇଲିୟମ ସିସିଲିଙ୍କ ଆକ୍ଷେପର ଉତ୍ତର ଦେବାକୁ ଯାଇ କହିଲେ-ଯେଉଁଠି ସିସିଲି ଭୂଗୋଳକୁ ଇଂରାଜୀ ଅନୁବାଦରେ ସନ୍ଦେହ ପ୍ରକଟ କରିଛନ୍ତି ମୁଁ ତାଙ୍କୁ ବିନା ଧୃଷ୍ଟତାରେ ଏହି ବିଶ୍ୱାସ ଦେବାକୁ ଚାହେଁ ଯେ ପ୍ଳାନୀଙ୍କ ଇତିହାସକୁ ମୁଁ ସ୍ୱଭାଷାରେ ଅନୁବାଦ କରି ଦେଖାଇଦେବି । ଯଦିଓ ଲାଟିନ୍‌ ସମୃଦ୍ଧ ଭାଷା ଅଟେ ଏବଂ ଇଂରାଜୀ ଗାଉଁଲି ଓ ଜଙ୍ଗଲୀ ଭାଷା ତଥାପି ମୁଁ ଏହି ଅନୁବାଦରେ ଲାଟିନ୍‌ର ସେତିକି ଶବ୍ଦ ଗ୍ରହଣ କରିବି ନାହିଁ ଯେତିକି ସେ ଗ୍ରୀକ୍‌ଠାରୁ ଗ୍ରହଣ କରିଛନ୍ତି ।

 

ମନଟେନ୍‌ଙ୍କ ଅନୁବାଦ କରିବାକୁ ଯାଇ ଜୋନ୍‌ ଫ୍ଳୋରିଓ (୧୬୦୩) ସ୍ୱଭୂମିକାରେ ସଶକ୍ତ ଶବ୍ଦଦ୍ୱାରା ଏହା ଲେଖିଲେ ଯେ ପୂର୍ବକାଳରେ ମଧ୍ୟ ସମସ୍ତ ଜ୍ଞାନ ଅନୁବାଦ ମାଧ୍ୟମରେ ପ୍ରସାରିତ ହେଉଥିଲା । ଗ୍ରୀକ୍‌ଗଣ ମିଶ୍ରର ଗ୍ରନ୍ଥଗୁଡ଼ିକ ଓ ମିଶ୍ରମାନେ ଚାଲଡ଼ିୟନ୍‌ସଙ୍କ ଅନୁବାଦ କରୁଥିଲେ । ସ୍ୱୀର୍ଡ଼ି ମୂଲଚେଷ୍ଟର କହନ୍ତି–ଲାଟିନ୍‌କୁ ଇଂରାଜୀଠାରୁ ଅଧିକ ମହତ୍ତ୍ୱ ଏଥିପାଇଁ ଦିଆଯାଉଛି କାରଣ ଏହାର ପ୍ରୟୋଗ ଏବଂ ଅଧ୍ୟୟନ ଅଧିକ ପରିମାଣରେ ହୋଇଛି । ମାତ୍ର କୌଣସି ଭାଷା ଅନ୍ୟ ଭାଷାଠାରୁ ମୂଳତଃ ଉତ୍ତମ ହୋଇ ନଥାଏ । ପରିଶ୍ରମଦ୍ୱାରା ଏହାର ବିକାଶ ହୋଇଥାଏ, ସ୍ୱବାକ୍‌ପଟୁତାଦ୍ୱାରା ଏହା ଅଳଙ୍କୃତ ହୋଇଥାଏ ଏବଂ ସ୍ୱାଧ୍ୟାୟ ବଳରେ ସମୃଦ୍ଧ କରାଯାଇଥାଏ । ସେ ଲାଟିନ୍‌ର ମହତ୍ତ୍ୱ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ଏହାମଧ୍ୟ ବିଶ୍ୱାସ ରଖୁଥିଲେ ଯେ ଏପ୍ରକାର ଗତି କରିବାଦ୍ୱାରା ଦିନେ ଇଂରାଜୀ ଲାଟିନ୍‍କୁ ଅତିକ୍ରମ କରିଯିବ । ତେବେ ଏହା ସେ ଉଚିତ ମନେ କରୁ ନଥିଲେ ଯେ ଗୋଟିଏ ଜାତି ଜ୍ଞାନ ପ୍ରାପ୍ତିପାଇଁ ଅନ୍ୟଭାଷାର ଦାସତ୍ୱ ସ୍ୱୀକାର କରୁ । ସେ ନିଶ୍ଚୟ ରୋମ ଓ ଇଟାଲୀକୁ ଭଲ ପାଉଥିଲେ, ମାତ୍ର ତାହାଠାରୁ ସେ ଅଧିକ ଭଲ ପାଉଥିଲେ ଇଂଲଣ୍ତ ଓ ଲଣ୍ତନକୁ । ସେ ଲାଟିନ୍‍କୁ ସମ୍ମାନ କରୁଥିଲେ ମାତ୍ର ଇଂରାଜୀକୁ ପୂଜା କରୁଥିଲେ ।

 

ଇଂଲଣ୍ତରେ ଆଉ ଏକ ଚରମପନ୍ଥୀ ମଧ୍ୟ ବାହାରିଲେ । ଯେଉଁମାନେ ଲାଟିନ୍‍କୁ ପଶୁଙ୍କ ଭାଷା କହି ବହିଷ୍କାର କରିବାକୁ ଲାଗିଲେ । ସେହି ଗୋଷ୍ଠୀର ମୁଖ୍ୟ ପ୍ରବକ୍ତା ଥିଲେ ଡାଃ ଜର୍ଜ ସନେଲ ଯେ ଚେଷ୍ଟରର ମୁଖ୍ୟ ପାଦ୍ରୀ ଥିଲେ । ଲାଟିନ୍‌ ପଢ଼ିବାକୁ ସମୟର ଦୁରୁପଯୋଗ ବୋଲି ସେ କହୁଥିଲେ । ଜେନ୍‌ ୱେବ୍‍ଷ୍ଟରଙ୍କ ମଧ୍ୟ ତଦନୁରୂପ ମତଥିଲା ।

 

ଅନେକ ସଂଘର୍ଷ ଓ ସଂଗ୍ରାମ ପରେ ନଭେମ୍ୱର ୨୨, ୧୬୫୦ରେ ଇଂରାଜୀ ଭାଷାକୁ ବ୍ରିଟିଶ ସଂସଦ ସେଠାର ରାଜଭାଷା ଭାବରେ ଘୋଷଣା କଲେ । ନ୍ୟାୟାଳୟରେ ଲାଟିନ୍ ବା ଫ୍ରେଞ୍ଚ ଭାଷା ପରିବର୍ତ୍ତେ ଇଂରାଜୀ ଭାଷାର ପ୍ରଚଳନ ହେବାକୁ ଲାଗିଲା । ସ୍ୱୀକୃତି ପାଇବା ପରେ ମଧ୍ୟ ଲୋକେ ଏତେ ସହଜରେ ବିଦେଶା ଭାଷାରୁ ମୋହ ଛାଡ଼ିଲେ ନାହିଁ । ଅଧ୍ୟାପକ, ଡାକ୍ତର, ଅଫିସର ଏବଂ ଓକିଲମାନେ ଲାଟିନ୍‌ ଓ ଫ୍ରେଞ୍ଚର ପ୍ରୟୋଗ କରିବାକୁ ସଭ୍ୟତା ବୋଲି ମନେ କରୁଥିଲେ । ୧୬୫୯ରେ ସରଜୋନ୍‌ ବରକିନ୍‌ହେଡ଼ କାଳ୍ପନିକ ପୁସ୍ତକର ଏକ ବ୍ୟଙ୍ଗପୂର୍ଣ୍ଣ ସୂଚୀ ପ୍ରକାଶିତ କରିଥିଲେ । ଯାର ଶୀର୍ଷକଥିଲା ‘‘ପଢ଼ାଲେଖା କରି ନଥିବା ନୂତନ ଓକିଲମାନଙ୍କ ପାଇଁ ଇଂରାଜୀରେ ଲିଖିତ ନିୟମକାନୁନ ।’’ ଏହା ଇଂରାଜୀ ଭାଷାପାଇଁ କମ୍‌ ଅପମାନଜନକ କଥା ନଥିଲା !

 

ଏହାର ପ୍ରତିକ୍ରିୟା ସର୍ବତ୍ର ବ୍ୟାପିଗଲା । ଡ୍ରାଇଜନ୍‌ ତାଙ୍କ ‘‘ଡ୍ରାମାଟିକ୍‌ ପୋଏଟ୍ରୀ ଅଫ୍‌ ଦି ଲାଷ୍ଟ ଏଜ୍‌’’ରେ ତାଙ୍କ ପ୍ରତିକ୍ରିୟା ବ୍ୟକ୍ତ କଲେ–ସେମାନେ ଯଥେଷ୍ଟ ପରିମାଣରେ ଫରାସୀ ଶବ୍ଦ ମିଶାଇ ଆମ ଭାଷାକୁ ଅଶୁଦ୍ଧ କରିଦେଉଛନ୍ତି । ଇଂରାଜୀକୁ ଶୁଦ୍ଧ ଓ ଶୈଳୀପୂର୍ଣ୍ଣ କରିବାକୁ ଯାଇ ଏହାକୁ ଫରାସୀ ଭାଷାରେ ପରିବର୍ତ୍ତିତ କରି ଦେଉଛନ୍ତି । ସେ ଦୁଃଖ ପ୍ରକାଶ କରି କହିଲେ–ସେମାନେ ଏପରି ଅନେକ ବାବୁଙ୍କୁ ଦେଖନ୍ତି ଯେଉଁମାନେ ପ୍ରତାରଣା କରି ଦେଖାଇ ହୁଅନ୍ତି–ସତେ ଯେପରି ସେମାନେ ଇଂରାଜୀ ଜାଣି ନାହାନ୍ତି । ୧୭୧୧ରେ ଏଡ଼ିସନ ‘‘ସ୍ପେକ୍ଟାଟର’’ରେ ଅନୁରୂପ ପ୍ରତିକ୍ରିୟା ବ୍ୟକ୍ତ କରି ଫରାସୀ ଭାଷାର ଅଖଣ୍ତ ଆଧିପତ୍ୟକୁ ଅସ୍ୱୀକାର କଲେ । କେମ୍ପବେଲ ପ୍ରମାଦ ଗଣିଲେ–ବିଦେଶୀ ଶବ୍ଦଦ୍ୱାରା ଆମ ଭାଷା ଏକ ବୃହତ୍ତର ବିପଦର ସମ୍ମୁଖୀନ ହେବାକୁ ଯାଉଛି ।

 

ପ୍ରକୃତରେ ଓଡ଼ିଆ ବା ଭାରତୀୟ ଭାଷାଗୁଡ଼ିକ କ’ଣ ବିଦେଶୀ ଭାଷାଗୁଡ଼ିକଦ୍ୱାରା କବଳିତ ନୁହନ୍ତି କି ? ଷୋଡ଼ଶ ଶତାବ୍ଦୀରେ ଇଂରାଜୀ ଭାଷାର ଯେପରି ସ୍ଥିତିଥିଲା, ଓଡ଼ିଆ ଭାଷାର ସେ ସ୍ଥିତି ଆଜି ନାହିଁକି ? ଓଡ଼ିଶାରେ ଜନ୍ମ ହୋଇ ଓଡ଼ିଆ ମାତୃଭାଷା ଥିବା ସତ୍ତ୍ୱେ ଆମର ଛାତ୍ରମାନେ ‘‘ଅଲ୍‌ଟରନେଟିଭ ଇଂଲିଶ୍’’ ନେଉଛନ୍ତି । ଭବିଷ୍ୟତରେ ପୁଅ ଝିଅ ବଡ଼ମଣିଷ ହେବେ ବୋଲି ପିତାମାତା ତାଙ୍କୁ କନ୍‌ଭେଣ୍ଟ ଓ ପବ୍ଲିକ୍ ସ୍କୁଲ୍ଆଦିକୁ ପଠାଉଛନ୍ତି । ଓଡ଼ିଆର ମୌଳିକ ଜୀବନ ପ୍ରଣାଳୀଠାରୁ ଆମେ ପୃଥକ୍ ହୋଇ ସାରିଲୁଣି । ଆମ ପ୍ରଦେଶରେ ନାମ ଇଂରାଜୀ କରଣ ହୋଇ ସାରିଲାଣି ।

 

ଏହାସତ୍ତ୍ୱେ ମୁଁ ଭାବୁଛି, ଓଡ଼ିଆରେ ସବୁ ହୋଇ ପାରିବ । ମାତ୍ର ନକଲେ ହେବ କିପରି-? ଯଦି ଆମେ ଘରେ ବାହାରେ ସବୁଠାରେ ପୂରା ଇଂରାଜୀ ବା ଖଣ୍ତଖଣ୍ତ ଇଂରାଜୀ କହିବାଟାକୁ ଏକ ଶୈଳୀ ବୋଲି ଧରିନେଉଁ ତାହାହେଲେ ଶତାବ୍ଦୀଟିଏ ଚାଲିଗଲେ ମଧ୍ୟ ଏହା ମଧ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ଆସି ପାରିବ ନାହିଁ । ଆଜି ସମୟ ଆସିଛି ଆମ ଭାଷାକୁ ଆମେ ଆମ ହାତରେ ନିର୍ମାଣ କରିବା । କେତେକ ଭାବୁଛନ୍ତି ସମସ୍ୟା ଭାଷାର ନୁହେଁ ଅନୁବାଦର-। ଯଦି ସମସ୍ୟା ଅନୁବାଦର ନୁହେଁ ତେବେ ବିଜ୍ଞାନ ଜଗତରେ ବହୁଳ ଭାବରେ ପ୍ରଚାରିତ ଅନେକ ଶବ୍ଦକୁ ଆମେ ଆମ ଭାଷାରେ କ’ଣ କ’ଣ କହିବୁ ? ଉଦାହରଣସ୍ୱରୂପ Pelecypoda, Saccharum Ustum, Opisthoglossa, Railway train ଏବଂ H2 SO4 ଆଦି ଶବ୍ଦକୁ ଆମେ ଓଡ଼ିଆରେ କିପରି ଭାଷାନ୍ତର କରିବୁ ?

 

ଯେଉଁ ପ୍ରାଣୀର ପାଦ ଟାଙ୍ଗିଆ ପରି ହୋଇଥାଏ ତାକୁ ପ୍ରାଣୀବିଜ୍ଞାନରେ Pelecypoda କୁହାଯାଏ । ପର୍ଶୁ ଅର୍ଥ ଟାଙ୍ଗିଆ । ଏଣୁ ଏହି ଶବ୍ଦଟିକୁ ‘ପର୍ଶୁପାଦ’ କହିଲେ କେତେ ସୁନ୍ଦର ନ ହୁଅନ୍ତା ? ସେହିପରି Saccharum Ustum ଅର୍ଥ ‘‘ପୋଡ଼ା ଚିନି’’ । ଏହା ଏକ ଲାଟିନ୍ ଶବ୍ଦ । ସାକାରୂମ ଉସତୁମ୍‌ ଶବ୍ଦଦ୍ୱୟ ସଂସ୍କୃତଭାଷାରୁ ୟୁରୋପୀୟ (ଇଣ୍ତୋୟୁରୋପୀୟ) ଭାଷା ମାଧ୍ୟମରେ ଲାଟିନ୍‌ ଭାଷାକୁ ଯାଇଥିବା ପରି ମନେହୁଏ । ସଂସ୍କୃତରେ ଚିନିକୁ ଶର୍କରା ଏବଂ ଉସ୍‌ତମ୍‌ ଅର୍ଥ ଜଳି ଯାଇଥିବା ଦ୍ରବ୍ୟ ଅର୍ଥରେ ବ୍ୟବହୃତ ହେଉଥିବାରୁ ଶବ୍ଦଟିକୁ ଆମ ଭାଷାରେ ‘‘ଶର୍କରା-ଉସ୍ତମ୍‌’’ କହିଲେ ଏହା ଏକ ପର୍ଯ୍ୟାୟବାଚୀ ଶବ୍ଦ ହୋଇ ପାରିବ-। Opisthoglossa ଶବ୍ଦଟି ସେହି ପ୍ରାଣୀ ଅର୍ଥରେ ବ୍ୟବହାର କରାଯାଏ ଯାର ଜିହ୍ୱା ଆଗକୁ ଲାଗିଥାଏ ଏବଂ ପଛକୁ ଥୁଆ ହୋଇଥାଏ । ସଂସ୍କୃତରେ Opistho ଶବ୍ଦଟି ପୃଷ୍ଠ ଶବ୍ଦସହ ସମର୍ଥବୋଧକ । ଏଥର ଅନୁବାଦ କରିବାରେ କୌଣସି ଅସୁବିଧା ନାହିଁ । ତଦ୍ରୂପ Railway train । ଏହାକୁ ଅତିସାହିତ୍ୟିକ ଭାଷାରେ ବାଷ୍ପୀୟଶକଟ ବୋଲି କୁହାଯାଏ । ମାତ୍ର ନିତ୍ୟ ବ୍ୟବହାର କରିବାପାଇଁ ଏ ଶବ୍ଦଟି ଖୁବ୍‌ ଦୀର୍ଘ । ଫରାସୀ ଜନସାଧାରଣ ଏ ଶବ୍ଦଟିକୁ ‘‘Chemin de fer’’ କହିବାଦ୍ୱାରା ଏହା ତାଙ୍କପାଇଁ ଏକ ଦୀର୍ଘ ଶବ୍ଦ ହୋଇ ଆଉ ରହିନାହିଁ । ଏହାକୁ ଆମ ଭାଷାରେ ଆହୁରି ସରଳ କରି କହିଲେ, ଧୂମଗାଡ଼ି, ଲୁହାଗାଡ଼ି ବୋଲି ମଧ୍ୟ କୁହାଯାଇପାରିବ-। ଜର୍ମାନୀରେ ଏ ଶବ୍ଦଟିପାଇଁ ସେମାନେ ‘‘Eisenbahn’’ ବା ‘‘ଆଇଜନ୍‌-ବାହ୍ନ’’ ଶବ୍ଦଟି ପ୍ରୟୋଗ କରନ୍ତି ଯାହା ମୂଳତଃ ଏକ ସଂସ୍କୃତ ଶବ୍ଦ । ସଂସ୍କୃତରେ ଲୁହାର ଅନ୍ୟ ନାମ ଆୟନ୍‌-। ଗାଡ଼ିର ଅନ୍ୟନାମ ବାହନ ବା ବାହ୍ନ ଅଟେ । ଏଗୁଡ଼ିକ ପ୍ରକୃତରେ ସମସ୍ୟା ନୁହେଁ ସମସ୍ୟା ହେଉଛି ସଂକ୍ଷିପ୍ତ ବୈଜ୍ଞାନିକ ସୂତ୍ର । ଯେପରି H2 SO4 । H=ହାଇଡ଼୍ରୋଜେନ୍‌=ଉଦ୍‌ଜାନ । S= ସଲଫର= ଗନ୍ଧକ-। O=ଆକ୍ସିଜେନ୍‌=ଅମ୍ଳଜାନ । ସଲଫର ଶବ୍ଦଟି ସଂସ୍କୃତରୁ ଲାଟିନ୍‍କୁ ଯାଇଛି । ଏହାର ମୂଳଶବ୍ଦ ହେଲା ସୁଲତରୀ । ଯାହାର ଅର୍ଥ ତମ୍ୱାର ଶତ୍ରୁ । ଏଣୁ ଏହାକୁ ‘‘ଉଦ୍‌ସୁଲା’’ ବା ‘‘ଉ-ସୁଲା’’ କହିଲେ କ’ଣ H2 SO4 ପରି ସଂକ୍ଷିପ୍ତ ଓ ସ୍ପଷ୍ଟ ହେବ ନାହିଁ ? ଏପ୍ରକାର ସମସ୍ତ ଶବ୍ଦ ଓ ସୂତ୍ରରେ ପାରିଭାଷିକ ଶବ୍ଦମାନ ବାହାର କରାଯାଇପାରେ ।

 

ଏଥିପାଇଁ ପ୍ରଫେସର୍ ରଘୁବୀରଙ୍କ ୧୯୫୫ରେ ପ୍ରକାଶିତ ‘‘ଇଂରାଜୀ-ହିନ୍ଦୀ ଅଭିଧାନ’’ ଦେଖିବା ଆବଶ୍ୟକ । ଏଥିରେ ୧,୬୦,୦୦୦ଟି ବୈଜ୍ଞାନିକ ଶବ୍ଦର ଭାରତୀୟ ପରିଭାଷା କରାଯାଇଛି । ଯାହା ସରକାରୀ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଭାରତୀୟ ଭାଷାଗୁଡ଼ିକର ମାଧ୍ୟମ ସୁବିଧାରେ କରିଦେବ । ପ୍ରଫେସର୍ ରଘୁବୀର ବିଶ୍ୱର ବିଭିନ୍ନ ଭାଷାଗୁଡ଼ିକୁ ଅନୁଧ୍ୟାନ କରି ଏହା ଅନୁଭବ କରନ୍ତି ଯେ ବିଶ୍ୱରେ ଖୁବ୍‌ ଅଳ୍ପ ଭାଷା ରହିଛି ଯେଉଁ ଭାଷାଗୁଡ଼ିକ ନୂତନ ନୂତନ ଶବ୍ଦ ସୃଷ୍ଟି କରିବାର ଶୃଙ୍ଖଳା ରକ୍ଷା କରନ୍ତି । ସେପ୍ରକାର ଭାଷାଗୁଡ଼ିକ ମଧ୍ୟରେ ସଂସ୍କୃତ ଲାଟିନ୍ ଓ ଚୀନଭାଷା ଅନ୍ୟତମ । ତାଙ୍କ ଶବ୍ଦକୋଷର ଭୂମିକାରେ ମୂଳ ୫୨୦ ସଂସ୍କୃତ ଶବ୍ଦର ଉଲ୍ଲେଖ କରିଛନ୍ତି ଯାହାର ୪୦୦ ଶବ୍ଦ ଭାରତୀୟ ସମୟ ଭାଷାକୁ ସ୍ୱାଭାବିକ ଭାବରେ ଅଣାଯାଇ ପାରିବ ।

 

ସମଗ୍ର ୟୁରୋପରେ କୌଣସି ନୂତନ ଶବ୍ଦପାଇଁ ଯେପରି ଲାଟିନ୍‍କୁ ଗ୍ରହଣ କରାଯାଏ ସେପ୍ରକାର ଆମ ପାଖରେ ସଂସ୍କୃତ ଭାଷା ରହିଛି । ଓଡ଼ିଆଭାଷା ସମ୍ପର୍କରେ ଚିନ୍ତା କରିବା ସମୟରେ ସଂସ୍କୃତକୁ ପାଖରେ ରଖିବାକୁ ହେବ । କାରଣ ଆମ ଭାଷାର ସ୍ପଷ୍ଟ ସଂକ୍ଷିପ୍ତ ଅଭିବ୍ୟକ୍ତି ପାଇଁ ଏହାହିଁ ଏକମାତ୍ର ମାଧ୍ୟମ । ସଂସ୍କୃତ ଆମ ସମସ୍ତ ଭାଷାର ଜନନୀ । ଏହା ବୃଦ୍ଧା, ମୃତ ବା ଅକାମୀ ନୁହେଁ ବରଂ ନିତ୍ୟନୂତନ ଓ ଚିର ପୁରାତନ ଭାଷା ଅଟେ । ଆଜିକାଲି ତ ଲୋକେ ସଂକ୍ଷିପ୍ତ ଭାଷା ଚାହୁଁଛନ୍ତି । ଇଂରାଜୀ ତାଙ୍କପାଇଁ ସଂକ୍ଷିପ୍ତ ମନେ ହେଉଛି । ମାତ୍ର ସଂକ୍ଷିପ୍ତତାରେ ସଂସ୍କୃତ ସବୁ ଭାଷାଠାରୁ ବଳିଯିବା ପରି ମନେହୁଏ । ଗୋଟିଏ ଧାତୁକୁ ପରୀକ୍ଷା କରାଯାଉ । ଉଦାହରଣସ୍ୱରୂପ ‘‘ଗମ’’ ଧାତୁ ନିଅନ୍ତୁ । ଏହା ଅର୍ଥ ‘‘ଯିବା’’ । ଏ ଶବ୍ଦଟିପାଇଁ ଇଂରାଜୀରେ ଗୋଟିଏ ମାତ୍ର ଶବ୍ଦ ରହିଛି ‘ଗୋ’ । ଗମ୍‌ ଧାତୁର ନିଷ୍ପନ୍ନ ହେଉଥିବା ଅନ୍ୟାନ୍ୟ ଶବ୍ଦ ଇଂରାଜୀରେ ଅନୁବାଦସହ ପରୀକ୍ଷା କରାଯାଉ :–

 

୧.

ଗତି (ମୋସାନ୍‌)

 

 

୨.

ଗନ୍ତବ୍ୟ (ଦେଟ୍‌ ହୁଇଚ୍‌ ଇଜ୍ ଫିଟ୍‌ ଟୁ ବି ଗନ୍‌)

 

 

୩.

ଗମ୍ୟ (ଦ ଅବଜେକ୍ଟ ଅଫ୍‌ ଦ ଏକ୍ଟ ଅଫ୍‌ ଗୋଇଙ୍ଗ)

 

 

୪.

ଗମନୀୟ (ଦେଟ୍‌ ହୁଇଚ୍‌ ଇଜ୍‌ ୱର୍ଥ ବଟ୍‌ ଗୋଇଙ୍ଗ)

 

 

୫.

ଗମକ (ଦେଟ ହୁଇଚ୍‌ କେରିଜ୍‌ ଅର୍‌ ଲିଡ଼୍‍ସ)

 

 

୬.

ଜଙ୍ଗମ (ଦେଟ୍‌ ହୁଇଚ୍‌ ଗୋଜ୍‌ ଫ୍ରିକ୍ୟୁନ୍‌ଟଲି)

 

 

୭.

ଜିଗ୍‌ମିଷା (ଦ ଡିଜାଏର୍‌ ଟୁ ଗୋ)

 

 

୮.

ଗମନ (ଦେଟ୍‌ ହୁଇଚ୍‌ ମେକ୍‌ସ ଅଦରସ ଗୋ)

 

 

୯.

ଗମ୍ୟମାନ (ଦେଟ୍‌ ହୁଇଚ୍‌ ଇଜ୍‌ ବିଙ୍ଗ ଗନ)

 

 

୧୦.

ଗମିଷ୍ୟନ୍‌ (ଦେଟ୍‌ ହୁଇଚ୍‌ ଉଇଲ ବି ଗୋଇଙ୍ଗ)

 

 

୧୧.

ଗନ୍ତିକା (ଏ ସ୍ମଲ୍‌ ଭାଇକେଲ୍‌)

 

 

୧୨.

ଗମଥ (ଏ ପାଥ୍‌)

 

 

୧୩.

ଗତ୍ୱର (ଦେଟ୍‌ ହୁଇଚ୍‌ ଇଜ୍ ୱାନ୍‌ ଟୁ ଗୋ)

 

 

୧୪.

ଗମିନିକା (ଆନ୍‌ ଏକ୍‌ସପ୍ଳେନୋଟୋରୀ ପାରାଫ୍ରେଜ୍‌)

 

ଏଠି ‘ଗମନ’ ରୂପକୁ ଏଥିପାଇଁ ଛାଡ଼ି ଦିଆଗଲା କାରଣ ଇଂରାଜୀରେ ‘‘ଗୋଇଙ୍ଗ’’ ଶବ୍ଦଟି ଆସୁଛି । ସେପ୍ରକାର ବର୍ତ୍ତମାନ କାଳୀନ କୃଦନ୍ତ ‘‘ଗଚ୍ଛେତ୍‌’’ର ଉଲ୍ଲେଖ କରାଗଲା ନାହିଁ କାହିଁକିନା ଇଂରାଜୀ ପାଖରେ ମଧ୍ୟ ‘‘ଗୋ’’ କ୍ରିୟାର ବର୍ତ୍ତମାନ କାଳୀନ କୃଦନ୍ତରୂପ ଅଛି । ‘‘ଜିଗ୍‌ମିଷା’’ (ଯିବାକୁ ଇଚ୍ଛା)ର ଉଲ୍ଲେଖ ପରେ ‘‘ଜିଗ୍‌ମିଷୁ’’ (ଯିବାପାଇଁ ଇଚ୍ଛୁକ ) ଶବ୍ଦଟିର ଅଲଗା ଉଲ୍ଲେଖ ଏଥିପାଇଁ କରାଗଲା ନାହିଁ କାହିଁକି ନା ଇଂରାଜୀ ଶବ୍ଦକୋଷରେ ‘‘ଅର୍ଷ୍ଟ’’ର ଅନ୍ତର୍ଗତ କେବେକେବେ ‘‘ଥିର୍ଷ୍ଟ’’ର ଉଲ୍ଲେଖ ମଧ୍ୟ କରାଯାଏ । ବର୍ତ୍ତମାନ କର୍ମ କୃଦନ୍ତ ‘‘ଗମ୍ୟମାନ’’ର ସ୍ୱତନ୍ତ୍ର ଉଲ୍ଲେଖ ଅଛି କାହିଁକିନା ଇଂରାଜୀରେ ଏହାକୁ ପର୍ଯ୍ୟାୟକ୍ରମେ ‘‘ଡେଷ୍ଟିନେସନ୍‌’’ ଶବ୍ଦଟି ନିଆଯାଏ । ପୁନଶ୍ଚ ପ୍ରତ୍ୟେକ ରୂପର ବହୁଉପସର୍ଗର ଉଲ୍ଲେଖ କରାଯାଇ ନାହିଁ, କାହିଁକିନା ଭବିଷ୍ୟତ କର୍ତ୍ତୃକୃଦନ୍ତ ଗମିଷ୍ୟନ ପରେ ପ୍ରଥମେହିଁ ବିଚାର କରାଯାଇଛି । ଉପଯୁକ୍ତ ସୂଚୀରେ ଦିଆଯାଇଥିବା ପ୍ରତ୍ୟେକ ଶବ୍ଦ ୨୦ଟି ବିଭିନ୍ନ ଉପସର୍ଗର ଯୋଗରେ ୨୦ ଅନ୍ୟ ଶବ୍ଦକୁ ଜନ୍ମ ଦିଅନ୍ତି । ‘ଗତି’ର ଉଦାହରଣ ନିଅନ୍ତୁ–(୧) ପ୍ରଗତି, (୨) ପରାଗତି, (୩) ପରିଗତି, (୪) ପ୍ରତିଗତି, (୫) ଅନୁଗତି, (୬) ଅଧିଗତି, (୭) ଉପଗତି, (୮) ଅତିଗତି, (୯) ଆଗତି, (୧୦) ଅଗଗତି, (୧୧) ଅପଗତି, (୧୨) ଉଦ୍‌ଗତି, (୧୩) ସୁଗତି, (୧୪) ସଂଗତି, (୧୫) ନିଗତି, (୧୬) ନିର୍ଗତି, (୧୭) ବିଗତି, (୧୮) ଦୁର୍ଗତି, (୧୯) ଅବଗତି, (୨୦) ଅଭିଗତି ।

 

ସଂସ୍କୃତରେ ପ୍ରାୟ ୧,୭୦୦ରୁ ୨୦୦୦ ଧାତୁ ଅଛି । ଏଥିରୁ ଏପ୍ରକାର ପ୍ରାୟ ୪,୭୬,୦୦ ଶବ୍ଦର ନିର୍ମାଣ ହୋଇ ପାରିବ । ସଂସ୍କୃତରେ ଏକପଦୀୟ ଶବ୍ଦ ଅତିରିକ୍ତ ସମସ୍ତ ପଦର ମଧ୍ୟ ପ୍ରୟୋଗ ହୋଇ ପାରିବ । ଯେପରି ‘ଗତି’ ଶବ୍ଦରେ ଭ୍ରଂଶ, ଭ୍ରମ, ରୋଧ, ସାହିତ୍ୟ, ଆଦି ଶବ୍ଦ ମିଶି ଗତିଭ୍ରଂଶ, ଗତିରୋଧ, ଗତିସାତତ୍ୟ ସେପରି କୌଣସି ସମାସଯୁକ୍ତ ପଦର ଜନ୍ମଦିଏ । ଏତଦ୍‍ବ୍ୟତୀତ କେତେକ ଯୁଗ୍ମ ଶବ୍ଦକୁ କ୍ରମରେ ବଦଳାଇ ଦେଲେ ସମସ୍ତ ପଦ ଓ ଏହାର ଅର୍ଥ ଦୁହେଁ ବଦଳି ଯାନ୍ତି । ଉଦାହରଣସ୍ୱରୂପ:–

 

ହସ୍ତସିଦ୍ଧ=ହାତଦ୍ୱାରା ନିର୍ମିତ ।

 

ସିଦ୍ଧହସ୍ତ=କୁଶଳ ହସ୍ତ ।

 

ଏପ୍ରକାର ୧,୭୦୦ ଧାତୁରୁ ନିର୍ମିତ ୨୩,୮୦୦ ମୌଳିକ ଶବ୍ଦ ବିଭିନ୍ନ ସଂଯୋଗଦ୍ୱାରା ୮୪,୯୬,୨୪,୦୦୦ ଅର୍ଥାତ୍‌ ୮୪ କୋଟିରୁ ଅଧିକ ଶବ୍ଦ ନିର୍ମାଣ କରିପାରିବେ । ଏତଦ୍‌ବ୍ୟତୀତ ଏକ ସମସ୍ତ ପଦରୁ ଦୁଇରୁ ଅଧିକ ଶବ୍ଦ ହୋଇପାରେ–ସାର ସାର ବିଚାର=ସାର ତଥା ଅସାର ବିଚାର, ସୁଖ ଦୁଃଖ ବିବେକ=ସୁଖ ତଥା ଦୁଃଖରେ ବିବେକ କରିବା ।

 

ଏ ଗୋଟିଏ ଗୋଟିଏ ଶବ୍ଦରେ ତିନି ତିନିଟି ଶବ୍ଦ ରହିଛି । କେତେକ କହିପାରନ୍ତି ଏହା ଦୀର୍ଘ ଏଣୁ ପ୍ରତ୍ୟେକ ଶବ୍ଦକୁ ବାକ୍ୟାଂଶ ମାନିବା ଉଚିତ । ସେ କ୍ଷେତ୍ରରେ ମୁଁ ସେମାନଙ୍କୁ ‘‘କାଉଣ୍ଟର ରିବୋଲିସ୍‌ନାରୀ, ହାଇପରସେଂସୀଟୀବିଟି, ସେଲ୍‌ଫ ଏଗ୍ରେଣ୍ତାଇଜ୍‌ମେଣ୍ଟ’’ ଏପରି ଅନେକ ଇଂରାଜୀ ଶବ୍ଦ ମନେପକାଇ ଦେବି, ଯାହା ତିନି ଶବ୍ଦରୁ କୌଣସି ପଦ ଛୋଟ ନୁହେଁ ।

 

ଏତେ କଥା କହିବାର ତାତ୍ପର୍ଯ୍ୟ ହେଲା ଆମେ କୌଣସି ଗୁଣରେ କମ୍‌ ନାହୁଁ ଅଥଚ ଆମର ଆତ୍ମବିଶ୍ୱାସ ନାହିଁ ଯେ ବିଶ୍ୱର ଅନ୍ୟାନ୍ୟ ଭାଷାସହ ସମକକ୍ଷ ହୋଇପାରିବ । ଏ ବିଶ୍ୱାସ ନ ଆସିବା ପର୍ଯ୍ୟନ୍ତ ଆମେ ଆମଦାନୀ ଶବ୍ଦଗୁଡ଼ିକୁ ବ୍ୟବହାର କରିବାକୁ ହେବ । ‘‘ହୋଇପାରିବନି’’ କହି କୌଣସି ଜାତି ଉପରକୁ ଉଠିପାରି ନାହିଁ । ଏଣୁ ଏସମ୍ପର୍କରେ ଗବେଷଣା କରିବା ଉଚିତ । ଭାରତର ବିଭିନ୍ନ ଭାଷା ଅପେକ୍ଷା ଓଡ଼ିଆ ଭାଷା ଏକ ସକ୍ଷମ ଓ ସଂସ୍କୃତନିଷ୍ଟ ଭାଷା । ତାହାହିଁ ଆମ ଭାଷାର ଗୌରବ । ଏହାକୁ ବିକଶିତ କରିବା ଦାୟିତ୍ୱ ପୂର୍ଣ୍ଣତଃ ଆମ ଉପରେ ନିର୍ଭର କରେ ।

Image

 

ଆଗାମୀ ଓଡ଼ିଆ ଭାଷାର ଏକ ପ୍ରାୟୋଗିକ ରୂପରେଖ

 

ପ୍ରସଙ୍ଗକ୍ରମେ ଥରେ ଜଣେ ବନ୍ଧୁଙ୍କୁ କହୁଥିଲି–ଓଡ଼ିଆ ଲିପିକୁ ଦେବନାଗରୀରେ ପରିବର୍ତ୍ତନ କରି ଦେଲେ, ଓଡ଼ିଆ ସଂଖ୍ୟାକୁ ଇଂରାଜୀରେ ବ୍ୟବହୃତ ହୋଇଥିବା ସଂଖ୍ୟାରେ ଲେଖିଲେ ଏବଂ ପୂର୍ଣ୍ଣଚ୍ଛେଦକୁ ବିନ୍ଦୁଭାବରେ ବ୍ୟବହାର କଲେ ଏହା ସର୍ବଭାରତୀୟ ସ୍ତରରେ ବିଶେଷଭାବରେ ଆଦୃତ ହେବା ସଙ୍ଗେ ସଙ୍ଗେ ଏହାର ପଠନ ପାଠନ ଆହୁରି ଦୃଢ଼ତର ହୋଇ ପାରନ୍ତା । ମୋ କଥା ସରିବା ପୂର୍ବରୁ ବନ୍ଧୁ ଜଣକ ଭାବବିହ୍ୱକ ହୋଇ କହି ପକାଇଲେ ଏହା କଳିଙ୍ଗର ପ୍ରାଚୀନ ଭାଷା । କଳା ଓ ସାହିତ୍ୟରେ ଏ ଦେଶସାରା ଭାରତରେ ଅଗ୍ରଗଣ୍ୟ ଥିବାରୁ ଏହି ଲିପିର ବୈଶିଷ୍ଠ୍ୟ ରହିଛି । ଏହାର ଲିପି, ସଂଖ୍ୟା ଓ ପୂର୍ଣ୍ଣଚ୍ଛେଦକୁ ପରିବର୍ତ୍ତନ କରି ଦେଲେ ଆମ ଭାଷା ବିକୃତ ହୋଇଯିବ ନାହିଁ ତ ? ଏହା କହିବାଦ୍ୱାରା ସେ ଯେକୌଣସି ତ୍ରୁଟି କରି ପକାଇଛନ୍ତି ତାହା ମୁଁ କହୁ ନାହିଁ । ପ୍ରତ୍ୟେକ ଓଡ଼ିଆ ମନରେ ଏ ପ୍ରକାର ସ୍ୱାଭିମାନ ରହିବା ଉଚିତ । ମାତ୍ର ଅନ୍ଧଶ୍ରଦ୍ଧା ସର୍ବଦା ପରିତ୍ୟାଗ କରିବା ବିଧେୟ । ତାଙ୍କ ସହ ମୋର ମତାନ୍ତର ହୋଇଗଲା ଏହା ନ ଭାବି କଥାଟାକୁ ଆହୁରି ହାଲୁକା କରି କହିବାକୁ ଯାଇ ମୁଁ ମଜାରେ ଉତ୍ତର ଦେଲି–ଦେଖନ୍ତୁ ! ଓଡ଼ିଆ ଏପରି ଏକ ଶୈଳୀର ଭାଷା ଯାହାର କ୍ରିୟାଗୁଡ଼ିକ ବାଦ୍‌ ଦେଇ ଶବ୍ଦଗୁଡ଼ିକର ଶେଷରେ ଅନୁସ୍ୱାର ଓ ବିସର୍ଗ ଯୋଡ଼ିଦେଲେ ତାହା ଓଡ଼ିଆ ନ ହୋଇ, ହୋଇଯିବ ସଂସ୍କୃତ । ଓଡ଼ିଆ ଭାଷାକୁ ଟିକେ ସରଳ କରି କୁହନ୍ତୁ ତାହା ବଙ୍ଗଳାପରି ଶୁଣାଯିବ, ଟିକେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରନ୍ତୁ ହିନ୍ଦୀ ପରି ମନେ ହେବ । ଏଣୁ କୁହାଯାଏ ଓଡ଼ିଆ ରାଗିଲେ ହିନ୍ଦୀ କୁହେ । ଏବଂ ଏହି ଭାଷାକୁ ତରତର ହୋଇ କହିଲେ ଏହା ଦ୍ରାବିଡ଼ ଭାଷାପରି ଜଣାପଡ଼ିବ । ଏପରି ଏକ ବ୍ୟାପକ ଭାଷାକୁ ପ୍ରାଦେଶିକ ଲିପିଦ୍ୱାରା ସୀମିତ କରିଦେଲେ ସର୍ବଭାରତୀୟ ସ୍ତରରେ ମହତ୍ତ୍ୱ ବୁଝିବ କିଏ ?

 

ହାଇଦ୍ରାବାଦ ନିବାସୀ ପଣ୍ତିତ ବ୍ରହ୍ମଦତ୍ତ ଶର୍ମୀଙ୍କୁ ଥରେ ଗୋଟିଏ ଓଡ଼ିଆ ପ୍ରବନ୍ଧ ହିନ୍ଦୀରେ ପଢ଼ି ଶୁଣାଇବା ମଧ୍ୟରେ ସେ ଆଶ୍ଚର୍ଯ୍ୟ ହୋଇ କହିଥିଲେ ଯେ ହିନ୍ଦୀ ମଧ୍ୟ ଏତେ ସଂସ୍କୃତନିଷ୍ଠ ନୁହେଁ ଯେତେ ଓଡ଼ିଆ । ସେ ମତ ଦେଲେ, ଓଡ଼ିଆଲିପି ଯଦି ଦେବନାଗରୀ ହୋଇଥାନ୍ତା ତାହାହେଲେ ଅକ୍ଳେଶରେ ସେ ‘‘ଓଡ଼ିଆ ହିନ୍ଦୀ ଭାଷାକୋଷ’’ ଦେଖି ଏହାର ତେଲୁଗୁ ଅନୁବାଦ କରି ଦେଇ ପାରନ୍ତେ । ଭାରତୀୟ ପ୍ରାନ୍ତୀୟ ଭାଷାଗୁଡ଼ିକ ମଧ୍ୟରେ ଓଡ଼ିଆ ଯେ ଏକ ସମୁନ୍ନତ ସଂସ୍କୃତ ନିଷ୍ଠାଭାଷା ଏହା କେବେ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ।

 

ଭାରତୀୟ ଭାଷାଗୁଡ଼ିକୁ ଆମେ ଯେତେ ସଂସ୍କୃତ ନିଷ୍ଠା କରିବା ତାହା ସେତେ ସର୍ବଭାରତୀୟ ହୋଇ ପାରିବ । ଆଜିକାଲି ତ ହିନ୍ଦୁସ୍ଥାନୀ କଥା ଉଠୁଛି । ଏଭାଷାର ସୃଷ୍ଟି ହିନ୍ଦୀ ଓ ଊର୍ଦ୍ଧ୍ୱର ସମ୍ମିଶ୍ରଣରେ ହୋଇଛି । ଏହାହିଁ ହିନ୍ଦୀକୁ ସଂସ୍କୃତଠାରୁ ବିଚ୍ଛିନ୍ନ କରି ଦେଇଛି କହିଲେ ଭୁଲ ହେବ ନାହିଁ । ଅନେକ ସମୟରେ ଆକାଶବାଣୀଦ୍ୱାରା ପ୍ରଚାରିତ ହେଉଥିବା ମଜହବ୍‌, ଜାଲିମ୍‌, ଇନ୍‌କିଲାବ୍‌, ଆଜାଦୀ, ଜଂଗ, ଆଲିମ୍‌, ତବାରିଖ, କୌମି ଜୱାନ, ଦୁଷନ୍‌, ବଜୀରେଆଲା, ମୁଶାୟରା ଆଦି ଶବ୍ଦର ଅର୍ଥ ବୁଝି ହୁଏ ନାହିଁ । ଏହାର ପରିବର୍ତ୍ତେ ଯଦି ଧର୍ମ, ଅତ୍ୟାଚାରୀ, କ୍ରାନ୍ତି ସ୍ୱାଧୀନତା, ଯୁଦ୍ଧ, ବିଦ୍ୱାନ, ଇତିହାସ, ଜାତୀୟ, ଭାଷା ଏବଂ ଶତ୍ରୁ ଆଦି ଶବ୍ଦ ବ୍ୟବହାର କରାଗଲେ କେତେ ସୁନ୍ଦର ନ ହୁଅନ୍ତା ? ତଦ୍ରୂପ ସିନେମା ଜଗତରେ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକର ନାମ-ଇସ୍‌କପର ଜୋର ନାହିଁ, ‘‘ଇନ୍‌ତକାମ, ସିକନ୍ଦରିଆଜାମ୍‌, ଇତ୍‌ଫାକ୍‌ ଆଦି ନାମକରଣ ହେଉଥିବାଦ୍ୱାରା ଚଳଚ୍ଚିତ୍ରଟି ଦେଖିବା ପରେ ମଧ୍ୟ ତା’ର ଅର୍ଥ ଆମକୁ ଜଣାପଡ଼େ ନାହିଁ । ଶୁଦ୍ଧ ସଂସ୍କୃତଦ୍ୱାରା ଯଦି ହିନ୍ଦୀ ଭାଷାକୁ ଲୋକପ୍ରିୟ କରାଯାଇପାରନ୍ତା ତାହାହେଲେ ସର୍ବଭାରତୀୟ ସ୍ତରରେ ଏହା ରାଷ୍ଟ୍ରୀୟ ମର୍ଯ୍ୟାଦା ଲାଭ କରି ପାରନ୍ତା ।’’

 

ଏଥର ଲିପି ସମ୍ପର୍କରେ କିଛି ଚିନ୍ତା କରିବା । ହିନ୍ଦୀ କାହିଁକି ଓ ଅନ୍ୟାନ୍ୟ ଭାଷା କାହିଁକି ନୁହେଁ ଚିନ୍ତା କଲେ ଆମ ଆଗରେ ଗୋଟିଏ ପ୍ରସଙ୍ଗ ଆସେ ତାହା ହେଲା ହିନ୍ଦୀର ଲିପି । ହିନ୍ଦୀ ଦେବନାଗରୀ ପରି ଏକ ଶୁଦ୍ଧ ଲିପି ଗ୍ରହଣ କରିଥିବାରୁ ଏହା ସଂସ୍କୃତର ଖୁବ୍‌ ନିକଟତର ହୋଇ ପାରିଛି । ୧୯୦୦ ସାଲ ଏଥିପାଇଁ ଏକ ସହତ୍ୱପୂର୍ଣ୍ଣ ବର୍ଷଥିଲା । ସେହିବର୍ଷ ହିନ୍ଦୀକୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଇଂରେଜମାନେ ହିନ୍ଦୀକୁ ରୋମାନ ଲିପିରେ ଲେଖାଇବାର ହୀନପ୍ରୟାସ କରିଥିଲେ । ଏହାର ପ୍ରତିକ୍ରିୟା ଏତେ ତୀବ୍ର ହେଲା ଯେ ଇଂରେଜମାନେ ଦେବନାଗରୀ ଲିପିକୁ ମାନି ନେବାକୁ ବାଧ୍ୟ ହେଲେ । ଇଂରେଜମାନଙ୍କର ଭାବିବାପରି ଆଧୁନିକ ଭାରତର ଭାଷାବିଦ୍‌ ସୁନୀତିକୁମାର ଚାଟାଜୀ ଦେବନାଗରୀ ଲିପି ପରିବର୍ତ୍ତେ ରୋମାନ ଲିପିର ପକ୍ଷ ସମର୍ଥନ କରୁଥିଲେ । ଯଦି ଆମେ ନିଜ ଲୋକଭାବି ତାଙ୍କ କଥା ସ୍ୱୀକାର କରି ନେଇଥାନ୍ତୁ ତାହାହେଲେ ଆଜି ଆମର ସାହିତ୍ୟ ଓ ଭାଷା ବିକୃତ ହୋଇ ସାରିଥାନ୍ତା ।

 

ଭାଷା ନିର୍ଭୁଲ ଲେଖାଯିବା ଉଚିତ । ୟୁରୋପୀୟ ଭାଷାଗୁଡ଼ିକ ମଧ୍ୟରେ ଜର୍ମାନୀକୁ ଛାଡ଼ିଦେଲେ ଇଂରାଜୀ ସମେତ, ଅନ୍ୟମାନେ ଲେଖନ୍ତି ଗୋଟିଏ ପ୍ରକାର ତ ତାକୁ ପଢ଼ନ୍ତି ଅନ୍ୟ ପ୍ରକାର । ‘ହରଦ୍ୱାର’ ଲେଖିବାକୁ ଯାଇ ସେମାନେ ଲେଖନ୍ତି ‘ହାଡ଼ୱାର’, ‘ଷ୍ଟେସନ୍’ ଲେଖିବାକୁ ଯାଇ ସେମାନେ ଲେଖନ୍ତି ‘ଷ୍ଟେଟନ’ । ଇଂରାଜୀରେ ‘ସନ୍‌’ ଅନେକ ପ୍ରକାର ଲେଖାଯାଏ । ଯେପରି ‘ଟି’, ଆଇ’, ଓ’, ଏନ୍‌’= ଷ୍ଟେସନ୍; ଏସ୍‌’, ଆଇ’, ଓ’ ଏନ୍‌’= କମିଶନ୍‌; ଏସ୍‌’, ଏଚ୍‌’, ଆଇ’, ଓ’, ଏନ’= ଫେସନ୍‌; ଏବଂ ଏ୍‌’, ଓ‘, ଏନ’=ପାରସନ ଇତ୍ୟାଦି । ଏଥିପାଇଁ ବ୍ୟାକରଣର କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ନିୟମ ନାହିଁ । ସେହିପରି ‘ଏ’ର ଧ୍ୱନିକୁ ସେମାନେ ଇଚ୍ଛାନୁସାରେ ଅ, ଆ, ଏ, ଆଦିରେ ପରିବର୍ତ୍ତିତ କରିଥାନ୍ତି । ଉଦାହରଣସ୍ୱରୂପ–ଆର’, ଏ’, ଏମ୍‌’=ରାମ; ଆର୍‌’, ଏ’, ଟି’=ରେଟ୍‌; ଜି’, ୟୁ’, ପି’, ଟି’, ଏ’,= ଗୁପ୍ତା, ଆର୍’, ଏ’, ଏମ୍‌’, ଏ’=ରାମା; କେ’, ଆର୍‌’, ଆଇ’, ଏସ୍‌’, ଏନ୍‌’, ଏ’= କୃଷ୍ଣା ଇତ୍ୟାଦି ।

 

ଏପରି ଅନେକ ତ୍ରୁଟି ବିଚ୍ୟୁତି ସତ୍ତ୍ୱେ ଏହା ଆମପାଇଁ ଏକ ସମ୍ମାନନୀୟ ଭାଷା ହୋଇ ରହିଛି । ଏହି ଧାରଣାର ବଶବର୍ତ୍ତୀ ହୋଇ ଆମେ ଆମ ଭାଷାର ପ୍ରୟୋଗ କରିବାକୁ ଏଥିପାଇଁ ନାରାଜ, କାଳେ ଇଂରାଜୀର ଗୁରୁତ୍ୱ କମିଯିବ । କଥା କଥାରେ ଇଂରାଜୀ ବାକ୍ୟ ପ୍ରମାଣ । ଆମର କେତେକ ପ୍ରାବନ୍ଧିକଙ୍କ ଧାରଣା ଯେ ଇଂରାଜୀର ଗୋଟିଏ ଦୁଇଟି କୋଟେସନ୍‌ ନ ଦେଲେ କୁଆଡ଼େ ପ୍ରବନ୍ଧଟି ସାରଗର୍ଭକ ହେଲା ବୋଲି ମନେହୁଏ ନାହିଁ । ସେହି ଅନୁରୂପ କେତେକ ସମ୍ପାଦକ ମଧ୍ୟ ଇଂରାଜୀ ଉଦ୍ଧୃତାଂଶକୁ ଦେଖି ପ୍ରବନ୍ଧଟିର ଗମ୍ଭୀରତା ହୃଦୟଙ୍ଗମ କରିଥାନ୍ତି । ଏପରିକି ‘‘ସମାଜ’’ର ଦୀର୍ଘତମ ସମ୍ପାଦକୀୟରେ ଦୀର୍ଘ ଦୀର୍ଘ ଇଂରାଜୀ ଉଦ୍ଧୃତାଂଶ ଦେଖି ମୁଁ ମଜାରେ କହିଥାଏଁ, ଏଇଠି ଓଡ଼ିଆ ଭାଷା ଚିରିଗଲା, ଯଦ୍ୱାରା ସମ୍ପାଦକଙ୍କୁ ଇଂରାଜୀ ପେଚ୍‌ ଦେବାକୁ ପଡ଼ିଲା । ପ୍ରକୃତରେ ଏସବୁ ଇଂରାଜୀ ଉଦ୍ଧୃତାଂଶର ଅନୁବାଦ କ’ଣ ଅସମ୍ଭବ । ଇଂରାଜୀରେ ଏପରି କିଛି କଥା ନାହିଁ ଯାହାର ଅନୁବାଦ ହୋଇପାରିବ ନାହିଁ । ଯଦି ଅନୁବାଦ ଆମେ କରିପାରିଲୁ ନାହିଁ, ତାହାହେଲେ ତାହା ଓଡ଼ିଆ ଲିପିରେ ତ ଲେଖାଯାଇ ପାରନ୍ତା ? କିନ୍ତୁ ଆମର ଧାରଣା କିଛି ଅନ୍ୟପ୍ରକାର । ଏହା କୁଆଡ଼େ ଏକ ଶ୍ରେଷ୍ଠଶୈଳୀ । ମୁଁ ମଧ୍ୟ ଅନୁରୂପ ଚିନ୍ତା କରୁଥିଲି । ଯେଉଁଦିନ ମୁଁ ଜାଣିଲି ଯେ ଓଡ଼ିଆ ସ୍ୱୟଂ ସମ୍ପୂର୍ଣ୍ଣଭାଷା ସେଦିନଠାରୁ ଏକାନ୍ତ ଆବଶ୍ୟକ ନହେଲେ ରୋମାନ୍ ଲିପିର କୋଟେସନ୍‌ ଦେଇ କମ୍ପୋଜିଟମାନଙ୍କୁ ହଇରାଣରେ ପକାଇ ନାହିଁ ।

 

ରୋମାନ୍ ଲିପିକୁ ଆମେ ଏଥିପାଇଁ ତ୍ୟାଗ କରିଛୁଁ ଯେ ଏହା ଆମ ଭାଷାଗୁଡ଼ିକର ଧ୍ୱନିତତ୍ତ୍ୱର ଅଭିବ୍ୟକ୍ତିରେ ପ୍ରଚଣ୍ତ ଆଘାତ କରିବ । ଯେଉଁ ଯେଉଁ କାରଣରୁ ରୋମାନ୍ ଲିପି ପ୍ରତ୍ୟେକ ସେହି ସେହି କାରଣରୁ ପ୍ରାଦେଶିକ ଲିପିକୁ ଆମେ ଅସ୍ୱୀକାର କରୁ ନାହୁଁ । କାରଣ ଭାରତର ସମସ୍ତ ଭାଷାର ସମସ୍ତ ଲିପି ଦେବନାଗରୀ ଲିପିରୁ ଜନ୍ମ ନେଇଛି, ଯାହାର ଆଦି ସ୍ରୋତ ବ୍ରାହ୍ମଲିପି ଅଟେ । ଆମେ ଆମ ଆଦିସ୍ରୋତକୁ ଏକ ଅର୍ବାଚୀନ ମାର୍ଗଦେଇ ଫେରିଯିବାକୁ ଚାହୁଁ । ପ୍ରାଦେଶିକ ଭାଷାର ସ୍ୱାର୍ଥଦୃଷ୍ଟିରୁ ପ୍ରାଦେଶିକ ଲିପିକୁ ଆମକୁ ତ୍ୟାଗ କରିବାକୁ ହେବ । କାରଣ ବୃହତ୍ତର ସ୍ୱାର୍ଥପାଇଁ ବୃହତ୍ତର ତ୍ୟାଗ ଆବଶ୍ୟକ । ଏଠି ମୁଁ କେବଳ ଓଡ଼ିଆ ଭାଷା କଥା କହୁ ନାହିଁ; ବରଂ ଭାରତରେ ପ୍ରଚଳିତ ଅନ୍ୟାନ୍ୟ ପ୍ରାଦେଶିକ ଭାଷାଗୁଡ଼ିକର ଲିପି ଯଦି ଗୋଟିଏ କରିଦିଆଯାଏ, ତାହାହେଲେ ଭାଷା ଭାଷା ମଧ୍ୟରେ ଏକ ସୁନ୍ଦର ଯୋଗସୂତ୍ର ଯୋଡ଼ିହେବ । କୌଣସି ଭାଷା ଶିକ୍ଷା କରିବାକୁ ହେଲେ ଲିପିପାଇଁ ସମୟ ବ୍ୟର୍ଥ ହେବ ନାହିଁ । ପ୍ରଶ୍ନ ଉଠୁଛି ଆମେ କେଉଁ ଲିପି ଗ୍ରହଣ କରିବା ? ମହାତ୍ମାଗାନ୍ଧୀ କୁହନ୍ତି–ଭାରତରେ ସର୍ବମାନ୍ୟ ହେବା ପରି ଯଦି କୌଣସି ଲିପିଥାଏ ତାହାହେଲେ ତାହା କେବଳ ଦେବନାଗରୀହିଁ ହୋଇପାରେ । ....ମୋର ବିଶ୍ୱାସ ଏହାଦ୍ୱାରା ସୁବିଧାରେ ଦ୍ରାବିଡ଼ ଭାଷା ଶିକ୍ଷା କରିହେବ । ......ଦେବନାଗରୀରେ ସୌନ୍ଦର୍ଯ୍ୟ ବା ସଜାଇବା ଦୃଷ୍ଟିରୁ ଲଜ୍ଜିତ ହେବାପରି କୌଣସି କଥା ନାହିଁ ।

 

ଦେବନାଗରୀର ଲିପି କରିଦେଲେ ଯେ ଓଡ଼ିଆ ଭାଷା ନଷ୍ଟ ହୋଇଯିବ, ଏପ୍ରକାର ଚିନ୍ତା ଅତି ସଂକୀର୍ଣ୍ଣ ଓ ଆମ ଭାଷାଗୁଡ଼ିକର ସମୀକରଣର ବିରୋଧୀ ତତ୍ତ୍ୱ ଅଟେ । ହିନ୍ଦୀ, ମରାଠୀ, ରାଜସ୍ଥାନୀ, ବ୍ରଜ, ପଞ୍ଚାଳୀ, ଅବଧୀ, ଭୋଜପୁରୀ, ଗଢ଼ବାଲୀ, କୁମାୟୁନୀ, ଡେଗରୀ, ଛତିଶଗଡ଼ୀ, ବୁନ୍ଦେଲଖଣ୍ତୀ, ବଘେଲଖଣ୍ତୀ ସିଧାସଳଖ ଭାବରେ ଦେବନାଗରୀ ଲିପି ଗ୍ରହଣ କରି ନେଉଥିବାରୁ ଏ ଭାଷାଗୁଡ଼ିକ ଶିକ୍ଷା କରିବାପାଇଁ ବିଭିନ୍ନ ଲିପିର ସମସ୍ୟା ନାହିଁ । ନାଗରୀରେ ପ୍ରକାଶିତ ଊର୍ଦ୍ଦୁ ସାହିତ୍ୟର ଲୋକପ୍ରିୟତା ତ ଆମେ ଜାଣୁଛୁ । ମହାକବି ଗାଲିବଙ୍କ ଊର୍ଦ୍ଦୁ କବିତା ଯେତେ ଦେବନାଗରୀରେ ପ୍ରକାଶ ପାଇଲା ତାହା ଏତେ ସଂଖ୍ୟାରେ ବିକ୍ରି ହେଲା ଯେ ତାହା ଊର୍ଦ୍ଦୁରେ ମଧ୍ୟ ସମ୍ଭବ ହୋଇ ନଥିଲା । ଊର୍ଦ୍ଦୁ ପରି କୋଂକଣୀ ତଥା ସିନ୍ଧିଭାଷୀ ନାଗରୀକୁ ନିଜର କରିନେବା ପରେ ସେମାନଙ୍କର ଭାଷା ନଷ୍ଟ ହୋଇଗଲା ନାହିଁ । ନାଗରୀ ଲିପିର ପ୍ରୟୋଗ ଆଜି ଅନେକ ସ୍ଥାନରେ ହେଲାଣି । ନେପାଳୀ ଭାଷା ନାଗରୀ ଲିପିରେ ଲେଖା ହେଉଛି । ପୁନଶ୍ଚ ସିଂହଳରେ ଏକ ବିଶେଷ ଲିପି ଥିବା ସତ୍ତ୍ୱେ ନାଗରୀ ଲିପି କୌଣସି କୌଣସି କ୍ଷେତ୍ରରେ ବ୍ୟବହାର ହେଉଛି । ଗୁଜରାଟୀ ଲିପିପରି ବଙ୍ଗଳା ଲିପି ଦେବନାଗରୀର ଅତି ଘନିଷ୍ଠ ଥିବାସତ୍ତ୍ୱେ ଏବଂ ବଙ୍ଗାଳୀମାନେ ନିଜ ଲିପିକୁ ଏକ ଶ୍ରେଷ୍ଠ ଲିପି ମାନିବାସତ୍ତ୍ୱେ ବଙ୍ଗୀୟ ବିଦ୍ୱାନ ଜଷ୍ଟିସ ଶାରଦାଚରଣ ମିତ୍ର ‘‘ଏକଲିପି ବିସ୍ତାର ପରିଷଦ’’ ନାମକ ଏକ ସଂସ୍ଥା ସ୍ଥାପନ କରିଥିଲେ ଏବଂ ପରିଷଦ ଆନୁକୁଲ୍ୟରେ ‘‘ଦେବନାଗରୀ’’ ନାମକ ଏକ ପତ୍ରିକା ପ୍ରକାଶ କରୁଥିଲେ । ଜଷ୍ଟିସ ମିତ୍ରଙ୍କଦ୍ୱାରା ଆୟୋଜିତ ଏକ ସମ୍ମେଳନୀରେ ଅଧ୍ୟକ୍ଷ ଭାବରେ ପ୍ରସିଦ୍ଧ ବିଦ୍ୱାନ ଶ୍ରୀଯୁକ୍ତ ବି. କୃଷ୍ଣସ୍ୱାମୀ ଆୟାର ୧୯୧୦ରେ ଦେବନାଗରୀକୁ ଗ୍ରହଣ କରିନେବାକୁ ପରାମର୍ଶ ଦେଇଥିଲେ ।

 

ନାଗରୀ ଲିପି ଯେ କେବଳ ଉତ୍ତର-ପୂର୍ବ-ଓ ପଶ୍ଚିମ ଭାରତରେ ପ୍ରୟୋଗ ହେଉଥିଲା ତାହା କହିବା ପୂର୍ଣ୍ଣତଃ ସତ୍ୟ ନୁହେଁ । ଭାରତ ଇତିହାସ ଏହାର ମୂକ ସାକ୍ଷୀ ଯେ ଏହା ସମଗ୍ର ଭାରତର ଏକମାତ୍ର ଲିପି ଥିଲା । ଯେଉଁ ସମୟରେ ବିଭିନ୍ନ ଭାରତୀୟ ଭାଷା ଓ ଲିପିର ସୃଷ୍ଟି ହୋଇସାରିଥିଲା ସେ ସମୟରେ ମଧ୍ୟ ନାଗରୀ ଲିପିର ପ୍ରୟୋଗ ଚାଲିଥିଲା । ଦକ୍ଷିଣ ଭାରତର ପଲ୍ଲବ ରାଜାଗଣଙ୍କ ଶିଳାଲେଖରେ ତାମିଲ ଲିପିରେ ଅତିରିକ୍ତ ନାଗରୀ ଲିପିର ପ୍ରୟୋଗ ମଧ୍ୟ ହେଉଥିଲା । ପଲ୍ଲବ ରାଜାଙ୍କ ପରବର୍ତ୍ତୀ ଚୋଳ ରାଜାଗଣ ମଧ୍ୟ ନିଜ ମୁଦ୍ରାରେ ନାଗରୀ ଲିପିର ପ୍ରୟୋଗ କରୁଥିଲେ । ଉତ୍ତମଚୋଳ, ରାଜରାଜ ଏବଂ ରାଜେନ୍ଦ୍ର ଗଙ୍ଗେକୋଂଡ଼ ଚୋଳଙ୍କ ସମସ୍ତ ମୁଦ୍ରା ଏହି ଲିପିରେ ଲେଖା ହେଉଥିଲା । ସେମାନଙ୍କଦ୍ୱାରା ବିଜିତ ଦ୍ୱୀପଗୁଡ଼ିକରେ ମଧ୍ୟ ଏହା ପ୍ରଚଳିତ ଥିଲା ।

 

ଶ୍ରୀଲଙ୍କାରେ ଶାସନ କରୁଥିବା ପରାକ୍ରମବାହୁ, ବିଜୟବାହୁ, ଭବନୈକବାହୁ ଆଦିଙ୍କ ମୁଦ୍ରାରେ ମଧ୍ୟ ନାଗରୀ ଲିପିର ପ୍ରୟୋଗ ହୋଇଛି । ପଶ୍ଚିମୀ ଚାଲୁକ୍ୟେ (ଅଷ୍ଟମ ଶତାବ୍ଦୀ) ମଧ୍ୟ ନିଜ ଶିଳାଲେଖରେ କନ୍ନଡ଼ ଲିପିସହ ନାଗରୀଲିପିର ପ୍ରୟୋଗ କରିଥିଲେ । ନାଗରୀଲିପି ପରିଷଦର ଉପାଧ୍ୟାକ୍ଷ ଡା. ମଲିକ ମହମ୍ମଦ ଲେଖନ୍ତି ଯେ ମାଡ଼୍ରାସ ମ୍ୟୁଜିୟମ୍‍ରେ ସୁରକ୍ଷିତ କାଞ୍ଚିରୁ ପ୍ରାପ୍ତ ୭ମ ଶତାବ୍ଦୀର ଏକ ଶିଳାଲେଖରେ ଗ୍ରନ୍ଥଲିପିର ଦାନପତ୍ରରେ ନାଗରୀ ରୂପାନ୍ତର ମଧ୍ୟ ପ୍ରାପ୍ତ ହୁଏ । ଦକ୍ଷିଣ ରାଷ୍ଟ୍ରକୂଟର ଅଧିକାଂଶ ଶିଳାଲେଖ ନାଗରୀରେହିଁ ମିଳେ । ବସ୍ତୁତଃ ନାଗରୀର ପ୍ରାଚୀନ ଶିଳାଲେଖ ରାଷ୍ଟ୍ରକୂଟ ବଂଶର ଅଟେ । ଶ୍ରବଣବେଳଗୋଳାରେ ଦଶମଠାରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଅନେକ ଶିଳାଲେଖ ମିଳିଛି ଯେଉଁଥିରେ କନ୍ନଡ଼ ଗ୍ରନ୍ଥ ଓ ନାଗରୀ ଲିପିର ପ୍ରୟୋଗ ହୋଇଛି ।

 

ଡାଃ ମହମ୍ମଦ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ନାଗରୀ ଲିପିର ପ୍ରୟୋଗ ଦକ୍ଷିଣର ବିଜୟନଗର ରାଜ୍ୟର ‘ନନ୍ଦନାଗରୀ’ ନାମରୁ ଜଣାପଡ଼େ । ଯେଉଁ ରାଜ୍ୟ ପଞ୍ଚଦଶ ଶତାବ୍ଦୀରେ ଚରମୋତ୍କର୍ଷ ଲାଭ କରିଥିଲା ସେ ସମୟରେ ରାଜ୍ୟରେ କନ୍ନଡ଼, ତାମିଲ ଏବଂ ଗ୍ରନ୍ଥଲିପିର ମଧ୍ୟ ପ୍ରୟୋଗ ହେଉଥିଲା । ଏହାସତ୍ତ୍ୱେ ପ୍ରଦେଶର ପ୍ରଧାନଲିପି ନାଗରୀ ଥିଲା । ଅଷ୍ଟାଦଶ ଶତାବ୍ଦୀରେ ତାଂଜୋରର ମହାରାଷ୍ଟ୍ର ଶାସକଗଣ ସର୍ବତ୍ର ନାଗରୀ ଲିପିର ପ୍ରୟୋଗ କରୁଥିଲେ । ଅତିରିକ୍ତ ଲିପିରୂପରେ ମୁସଲମାନ ଶାସକଗଣ ମଧ୍ୟ ନାଗରୀର ପ୍ରତିଷ୍ଠା କରିଥିଲେ । ମହମ୍ମଦ ଗଜନବୀଙ୍କ ମୁଦ୍ରାରେ ଆରବୀ କଲମାନ ସଂସ୍କୃତ ଅନୁବାଦ ଦେବନାଗରୀ ରୂପରେ ଅଙ୍କିତ ହୋଇଛି । ମୁମ୍ମେଦ ବିନସାମ ଶମସୁବ୍ଦୀନ ଅଲତମଶ, ଏବଂ ସୁଇଜୁଦ୍ଦୀନ କୌକୁତାଦଙ୍କ ମୁଦ୍ରାରେ ନାଗରୀର ପ୍ରୟୋଗ ହୋଇଛି । ସମ୍ରାଟ ଆକବର ନିଜର ଏକ ମୁଦ୍ରାରେ ବନବାସୀ ରାମସୀତାଙ୍କ ଚିତ୍ର ଅଙ୍କନ କରାଇଥିଲେ ଯେଉଁଥିରେ ଦେବନାଗରୀରେ ‘‘ରାମସୀୟ’’ ଲେଖା ହୋଇଛି ।

 

ଏ ସମସ୍ତ ଉଦାହରଣଦ୍ୱାରା ମୁଁ କହିବାକୁ ଚାହେଁ ଯେ ନାଗରୀ ଗ୍ରହଣ କଲେ ମଧ୍ୟ ଆମ ସଂସ୍କୃତି ଓ ସାହିତ୍ୟ ନଷ୍ଟ ହେବ ନାହିଁ । ସର୍ବଭାରତୀୟ ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଯେ ମୁଁ ଏସବୁ କହୁଛି ତାହା ଯଥାର୍ଥ ନୁହେଁ । ଏହାମଧ୍ୟରେ ଆମ ପ୍ରାଚୀନ ସଂସ୍କୃତିର ଭାଷାଗତ ବୈଜ୍ଞାନିକତା ଲୁଚି ରହିଛି । ଭାରତର ପ୍ରାଚୀନତମ ରାଷ୍ଟ୍ରୀୟ ଲିପି ବ୍ରାହ୍ମୀର ଏହା ଉତ୍ତରାଧିକାରୀ ଲିପି ଅଟେ । ଯେତେବେଳେ ଭାଷାବିଦ୍‌ଗଣ ବ୍ରାହ୍ମୀକୁ ଅତ୍ୟନ୍ତ ବିଜ୍ଞାନସିଦ୍ଧ ଲିପି ବୋଲି ପ୍ରମାଣ କରିସାରିଲେଣି ସେ କ୍ଷେତ୍ରରେ ନାଗରୀଲିପି କଥା ବା କ’ଣ କୁହାଯିବ ? ଏସମ୍ପର୍କରେ ସଂସ୍କୃତ ସାହିତ୍ୟର ଐତିହାସିକ ମେକ୍‌ଡ଼ୋନାଲ୍‌ଡ଼ କୁହନ୍ତି–ଏହା ଏପରି ବିଜ୍ଞାନସିଦ୍ଧ ଲିପି ଯେଉଁଥିରେ ସମସ୍ତ ଧ୍ୱନି ଉଚ୍ଚାରଣ କରିବାର ଯୋଗ୍ୟତା ପରିପୂର୍ଣ୍ଣ ହୋଇ ରହିଛି । ଆମେ ୟୁରୋପୀୟବାସୀ ୨୫୦ ବର୍ଷ ପରେ ଏବଂ ବର୍ତ୍ତମାନ ଯୁଗରେ ବାସ କରି ଏପରି ଏକ ବର୍ଣ୍ଣମାଳା (ଲିପି)ର ପ୍ରୟୋଗ କରୁଁ ଯାହା କେବଳ ଆମ ଭାଷାଗୁଡ଼ିକର ସମସ୍ତ ଧ୍ୱନି ବ୍ୟକ୍ତ କରିବାରେ ପର୍ଯ୍ୟାପ୍ତ । ଅପିତୁ ଏହାର ଶୃଙ୍ଖଳା ଏପରି ନୁହେଁ, ବିଶୃଙ୍ଖଳିତ ହୋଇଛି ଯେ ଯେଉଁଥିରେ ସ୍ୱର ଏବଂ ବ୍ୟଞ୍ଜନ ମଧ୍ୟରେ ଶୃଙ୍ଖଳା ରଖାଯାଇପାରେ ନାହିଁ ।

 

ଆମ ଲିପିକୁ ନାଗରୀ ଲିପିରେ ପରିବର୍ତ୍ତିତ କରିଦେବା ପରେ ଯେ ଆମ କର୍ତ୍ତବ୍ୟ ତୁଟିଗଲା ତାହା ନୁହେଁ । ଏହାକୁ ଭାଷା ସଂଶୋଧନର ପ୍ରଥମ ସୋପାନ ବୋଲି କୁହାଯିବ । ଆମେ କେବଳ ଓଡ଼ିଶା ବା ଭାରତରେ ବାସ କରୁ ନାହୁଁ ବରଂ ବିଶ୍ୱରେ ଭାରତ ଓ ଭାରତରେ ଓଡ଼ିଶା ଅବସ୍ଥିତ । ଏ କଥା ଆଗରେ ରଖି ଆମେ ଆମ ଭାଷାର ସଂଶୋଧନ କରିବା ଉଚିତ । ସୁବିଧା ଦୃଷ୍ଟିରୁ ବିଶ୍ୱରେ ପ୍ରଚଳିତ କେତେକ ପ୍ରତୀକକୁ ଉଦାରତାସହ ଆମଭାଷା ଗ୍ରହଣ କରିନେବା ଉଚିତ-। ଯେପରି ‘‘ମୋଡ଼େନ ଲେଙ୍ଗୁଏଜ ଏସୋସିଏସନ’’ଦ୍ୱାରା ୧୯୫୧ରେ ପ୍ରକାଶିତ ‘‘ଏମ.ଏଲ.ଏ. ଷ୍ଟାଇଲ୍‌ସିଟ’’ ବିଶ୍ୱର ପ୍ରତ୍ୟେକ ଗବେଷକ ନିର୍ବିକାରରେ ଗ୍ରହଣ କରି ତଦନୁରୂପ ସନ୍ଦର୍ଭ ଓ ପାଦଟୀକା ପ୍ରସ୍ତୁତ କରନ୍ତି, ସେହିପରି ସୁବିଧା ଦୃଷ୍ଟିରୁ କେତେକ ପ୍ରତୀକ ଆମେ ଆମ ଭାଷାକୁ ନେଇ ଆସିବା ଉଚିତ । ଏଠାରେ ମୁଁ କେବଳ ଦୁଇଟି ବିଷୟ ଉଲ୍ଲେଖ କରି ପ୍ରବନ୍ଧଟି ଶେଷ କରିବାକୁ ଚାହେଁ; ତା’ ହେଲା ପୂର୍ଣ୍ଣଚ୍ଛେଦକୁ ବିନ୍ଦୁରେ ପରିବର୍ତ୍ତନ କରିବା ଓ ଆମ ଭାଷାଗୁଡ଼ିକରେ ପ୍ରଚଳିତ ସଂଖ୍ୟା ବା ଅଙ୍କକୁ ଇଂରାଜୀ ଗ୍ରହଣ କରିଥିବା ସଂଖ୍ୟା ଆକାରରେ ଲେଖିବା । ମୋର ଜଣେ ସଂସ୍କୃତପ୍ରେମୀ ବନ୍ଧୁଙ୍କ ମତ ଦେବନାଗରୀ ନେବାରେ ଆପତ୍ତି ନାହିଁ, ମାତ୍ର ଫୁଲଷ୍ଟପ୍‌ ଓ ଇଂରାଜୀ ସଂଖ୍ୟା ଗ୍ରହଣ କରିବାରେ ତାଙ୍କର ଘୋର ଆପତ୍ତି ଅଛି । ଏହାକୁ ସେ ବିଦେଶୀ ଅନୁପ୍ରବେଶ ବୋଲି କୁହନ୍ତି । ଏହାକୁ ମୁଁ ବିଦେଶୀ ଅନୁପ୍ରବେଶ ନ କହି ପ୍ରାଚ୍ୟପାଶ୍ଚାତ୍ୟର ସ୍ୱର୍ଣ୍ଣିମ ସମନ୍ୱୟ ବୋଲି ମନେ କରେଁ ।

 

ଆମେ କେତେ ପରିମାଣରେ ଭାରତୀୟ ତାହା ଆମେ ଜାଣୁଁ । ଆମ ପ୍ରାଚୀନ ପରମ୍ପରା ଆଧୁନିକତାର ସମ୍ମୁଖୀନ ହୋଇ ଯେଉଁପରିଭାବରେ ବିପର୍ଯ୍ୟସ୍ତ ହୋଇଛି ସେଥିପାଇଁ କ’ଣ ଆମେ ଦାୟୀ ନୋହୁଁ ? ଯେଉଁ ମାଇକେଲ ଫାରାଡ଼େ ବିଦ୍ୟୁତଶକ୍ତି ଉଦ୍ଭାବନ କରିଥିଲେ ସେ ଭାରତୀୟ ନଥିଲେ । ଏଦୃଷ୍ଟିରୁ ଯଦି ଆମେ ଆମ ଘରକୁ ଆସିବା ବିଦ୍ୟୁତ୍‌ ଲାଇନ୍ କାଟିପକାଉଁ ଏଥିରେ ଫାରାଡ଼େଙ୍କ କିଛି ଯାଏଁ ଆସେ ନାହିଁ; ବରଂ ଆମେ ଅନ୍ଧାରରେ ରହିବୁ । ଭାରତୀୟ ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ କମା ପରିବର୍ତ୍ତେ ଗୋଟିଏ ପୂର୍ଣ୍ଣଚ୍ଛେଦ ଦେବା ପରମ୍ପରା ଥିଲା । ମାତ୍ର ଆଜି ଗୋଟିଏ ପୂର୍ଣ୍ଣଚ୍ଛେଦକୁ ବାକ୍ୟ ଶେଷରେ ଆମେ ଗ୍ରହଣ କରିନେଲୁ । କମା, ସେମିକୋଲନ୍, ହାଇଫେନ୍, ଡେସ୍‌, ବନ୍ଧନୀ, ବ୍ରାକେଟ୍, ଉଦ୍ଧୃତ ଚିହ୍ନ, ପ୍ରଶ୍ନ ଚିହ୍ନ, ଏବଂ ଆଶ୍ଚର୍ଯ୍ୟ ଚିହ୍ନ ଆଦି ଯେଉଁ ପଥ ଦେଇ ଆମ ଭାଷାକୁ ଆସିଲା ଆଜି ସେହି ପଥଦେଇ ବିନ୍ଦୁ ବା ଫୁଲଷ୍ଟପ୍‌କୁ ଆଣିବାକୁ ହେବ ।

 

ଆମର ଧାରଣା ହେଲା ସମସ୍ତ ବିରାମଚିହ୍ନ ଇଂରାଜୀରୁ ଆସିଛି । ଇଂରାଜୀକୁ ଆସିଥିବା ହେତୁ ଏହାକୁ ଗ୍ରହଣ କରିନେବା ଅର୍ଥ ଆମ ଭାଷାରେ ଅପମିଶ୍ରଣ କରିବା । ଜଣେ ଓଡ଼ିଆ ଲେଖକଙ୍କ ଧାରଣା ଅପମିଶ୍ରଣରେ ଓଡ଼ିଶା ପ୍ରଥମ । ବୋଧହୁଏ ସେ ଇଂରାଜୀ ଭାଷାର ଉଦାହରଣ ଦେବାକୁ ଭୁଲି ଯାଇଛନ୍ତି, ଯେଉଁ ଭାଷା ବିଶ୍ୱର ସମସ୍ତ ଭାଷାର ଶବ୍ଦ ସମ୍ଭାର ନେଇ ନିଜ ଇଂରାଜୀ ଅଭିଧାନ ତିଆରି କରିଛି । ଫ୍ରେଞ୍ଚ ଓ ଜର୍ମାନୀ ସାହିତ୍ୟକୁ ଛାଡ଼ିଦେଲେ ଏ ସର୍ବଗ୍ରାସୀ ଭାଷାର ମୁକାବିଲା କରିବାକୁ କୌଣସି ଭାଷା ଓ ସାହିତ୍ୟ ଏପର୍ଯ୍ୟନ୍ତ ସମକକ୍ଷ ହୋଇପାରି ନାହିଁ । ତେଣୁ ଅପମିଶ୍ରଣ କରିବା ଅପେକ୍ଷା ସାଦର ନିମନ୍ତ୍ରଣ କହିଥିଲେ କଥାଟା ସମାଦୃତ ହୋଇ ପାରିଥାନ୍ତା ।

 

ଯେଉଁ ବିରାମ ଚିହ୍ନଗୁଡ଼ିକ ବିନାଦ୍ୱିଧାରେ ଓଡ଼ିଆ ଇଂରାଜୀ ଭାଷାଠାରୁ ଗ୍ରହଣ କରିଛନ୍ତି ତାହା ଇଂରାଜୀର ମୌଳିକତା ନୁହେଁ । ଏସବୁ ଚିହ୍ନ ଇଂରାଜୀ ଭାଷା ଲାଟିନ୍, ଗ୍ରୀକ୍‌, ସ୍ପେନିସ୍‌, ଡେନିସ, ଓ ଫ୍ରେଞ୍ଚ ଆଦିରୁ ଗ୍ରହଣ କରି ନିଜ ଭାଷାକୁ ସମୃଦ୍ଧ କରିଛି । ବିଶ୍ୱର ପ୍ରାୟ ସମସ୍ତ ଭାଷା ଏହି ଚିହ୍ନଗୁଡ଼ିକର ଉପଯୋଗିତା ଅନୁଭବ କରି ସେହି ଅନୁସାରେ ନିଜ ଭାଷାକୁ ପ୍ରସ୍ତୁତ କରି ଦେଇଛନ୍ତି । ଓଡ଼ିଆ ମଧ୍ୟ ଚନ୍ଦ୍ରବିନ୍ଦୁକୁ ଛାଡ଼ି ବିନ୍ଦୁ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ବିରାମ ଚିହ୍ନ ଉଦାରତାସହ ସ୍ୱଭାଷାରେ ସ୍ଥାନ ଦେଇଛି । ଏହା ଆମ ଭାଷାକୁ ବିକୃତ କରିଦେଇ ନାହିଁ ବରଂ ସ୍ୱୟଂସମ୍ପୂର୍ଣ୍ଣ କରିବାରେ ଅନେକଟା ସାହାଯ୍ୟ କରିଛି ।

 

ବିଶ୍ୱର ବିଭିନ୍ନ ଭାଷାରେ ବହୁଳଭାବରେ ବ୍ୟବହୃତ ହେଉଥିବା ବିରାମ ଚିହ୍ନଗୁଡ଼ିକର ଇତିହାସ ଖୋଜିଲେ ଜଣାଯାଏ ଯେ କମା ଶବ୍ଦ ମୂଳତଃ ଲାଟିନ୍‌ ଓ ଗ୍ରୀକ୍‌ ସମ୍ଭୂତ, ହାଇଫେନ୍ ଗ୍ରୀକ୍‌, ଡେସ୍ ମଧ୍ୟଯୁଗୀୟ ଇଂରାଜୀ (୧୧୫୦-୧୫୦୦) ଓ ଡେନିସରେ ବ୍ୟବହୃତ, ବନ୍ଧନୀ ଗ୍ରୀକ୍‌, ବ୍ରାକେଟ୍‌ ସ୍ପେନିସ, ଲାଟିନ୍ ଓ ଫ୍ରେଞ୍ଚ; ଏଫଷ୍ଠପୀ ଲାଟିନ୍ ଓ ଗ୍ରୀକ୍‌, ଉଦ୍ଧୃତ ଚିହ୍ନ ମଧ୍ୟଯୁଗୀୟ ଲାଟିନ୍, ପ୍ରଶ୍ନ ଚିହ୍ନ ଲାଟିନ୍ ଏବଂ ଆଶ୍ଚର୍ଯ୍ୟ ଚିହ୍ନ ଲାଟିନ୍ ଓ ପୁରାତନ ଫରାସୀ ଭାଷାର ମୂଳ ଶବ୍ଦ ହୋଇଥିବାରୁ ଏ ଚିହ୍ନଗୁଡ଼ିକ ମଧ୍ୟ ସେହି ଭାଷାଗୁଡ଼ିକରେ ପ୍ରୟୋଗ ହେଉଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହାର ଯଥାଯଥ ପ୍ରୟୋଗ ନବମ ଶତାବ୍ଦୀରେ ହୋଇଥିବା କଥା ‘‘ଆମେରିକାନା’’ରେ କୁହାଯାଇଛି । ଏହି ଚିହ୍ନଗୁଡ଼ିକ ଧାରଣ କରିବାଦ୍ୱାରା ଇଂରାଜୀ ଅଶୁଦ୍ଧ ହୋଇଯାଉ ନାହିଁ ବା ଓଡ଼ିଆ ମଧ୍ୟ ଅଶୁଦ୍ଧ ହୋଇଯିବ ନାହିଁ ଓ ଓଡ଼ିଆ ପୂର୍ଣ୍ଣଚ୍ଛେଦ ପରିବର୍ତ୍ତେ ବିନ୍ଦୁକୁ ଗ୍ରହଣ କରିବାରେ ଅଧିକ ଅସୁବିଧାଟା କ’ଣ ହେବ । ଓଡ଼ିଆ କିମ୍ୱା ଭାରତୀୟ ଭାଷାଗୁଡ଼ିରେ ପୂର୍ଣ୍ଣଚ୍ଛେଦ ଆକାର ଭାବରେ ମଧ୍ୟ ବ୍ୟବହୃତ ହେଉଥିବାରୁ ପୂର୍ଣ୍ଣଚ୍ଛେଦ ପାଇଁ ଏକ ସ୍ୱତନ୍ତ୍ରସ୍ୱରୂପ ନାହିଁ । ଏଣୁ ବିନ୍ଦୁର ପ୍ରୟୋଗ ହୋବଦ୍ୱାରା ଆକାରର ଅସ୍ତିତ୍ୱ ରକ୍ଷା କରାଯିବା ସଙ୍ଗେ ସଙ୍ଗେ ପୂର୍ଣ୍ଣଚ୍ଛେଦ ପାଇଁ ଅନ୍ତଃରାଷ୍ଟ୍ରୀୟ ଭାଷାଗୁଡ଼ିକରେ ବ୍ୟବହୃତ ହେଉଥିବା ଏକ ଚିହ୍ନ ଆମ ଭାଷାକୁ ଆସିପାରିବ । ଏହାହିଁ ଭାଷାର ଅଭିବ୍ୟକ୍ତିରେ ଯଥେଷ୍ଟ ସହାୟକ ସିଦ୍ଧ ହେବ ।

 

ଏଥର ଆମ ଭାଷାଗୁଡ଼ିକରେ ବ୍ୟବହୃତ ହେଉଥିବା ସଂଖାଗୁଡ଼ିକ ବିଷୟରେ ଆସନ୍ତୁ ଆଲୋଚନା କରିବା । ଆପଣ କ’ଣ ଅନୁଭବ କରୁ ନାହାନ୍ତି ଯେ ଏଗୁଡ଼ିକର ପରିବର୍ତ୍ତନ ଏକାନ୍ତ ଆବଶ୍ୟକ ଅଟେ ? ଆମ ପ୍ରାନ୍ତୀୟ ଭାଷାଗୁଡ଼ିକରେ ଲେଖାଯାଇଥିବା ସଂଖ୍ୟାଗୁଡ଼ିକ ନାଗରୀ ସଂଖ୍ୟାପରି ମଧ୍ୟ ଅସ୍ପଷ୍ଟ । ଫୁଡ଼ କର୍ପୋରେଶନ ଅଫ୍‌ ଇଣ୍ତିଆ ପକ୍ଷରୁ ବଙ୍ଗଳାରୁ ପ୍ରକାଶିତ ଓଡ଼ିଆ ୧୯୭୭ କେଲେଣ୍ତର ଦେଖିଲେ ୧୯୨୨ ପରି ମନେ ହେବ । ମୋର ଏକ ପ୍ରବନ୍ଧରେ ୧୬୦୩ ସାଲକୁ କମ୍ପୋଜିଟର PSOM ‘ପସମ୍‌’ ବୋଲି କମ୍ପୋଜ୍ କରିବା ଦେଖି ମୋର କାହିଁକି ମନେହେଲା ଯଦି ଆମେ ଇଂରାଜୀରେ ବ୍ୟବହୃତ ହେଉଥିବା ସଂଖ୍ୟା ସର୍ବଭାରତୀୟ ସ୍ତରରେ ଗ୍ରହଣ କରିପାରନ୍ତୁ ତାହାହେଲେ ଏପ୍ରକାର ଅସୁବିଧା ହୁଅନ୍ତା ନାହିଁ । ଆକାଶବାଣୀ ପକ୍ଷରୁ ପ୍ରକାଶ ପାଉଥିବା ପାକ୍ଷିକ ହିନ୍ଦୀ ପତ୍ରିକା ‘‘ଆକାଶବାଣୀ’’ରେ ନାଗରୀ ସଂଖ୍ୟା ବର୍ଜନ କରି ଇଂରେଜୀରେ ପ୍ରଚଳିତ ସଂଖ୍ୟାକୁ ସୁବିଧା ଦୃଷ୍ଟିରୁ ଗ୍ରହଣ କରାଯାଇଛି । ଏପରିକି ନାଗରୀ ଲିପି ପରିଷଦ ମଧ୍ୟ ଉଦାହରଣସହ ଇଂରାଜୀ ସଂଖ୍ୟା ଲେଖୁଛନ୍ତି । ଏଠାରେ ମୁଁ ସ୍ୱୀକାର କରୁଛି ଯେ ଦେବନାଗରୀରେ ପ୍ରଚଳିତ ସଂଖ୍ୟା ବିଶ୍ୱର ପ୍ରାଚୀନତମ ସଂଖ୍ୟା ଅଟେ । ‘‘ଏନସାଇକ୍ଳୋପିଡ଼ିଆ ଅଫ୍‌ ଆମେରିକାନା’’ରେ ୱାଲଟର ଏଫ୍‌ ସେନ୍‌ଟନ୍‌ କୁହନ୍ତି ଯେ ହିନ୍ଦୁ ଓ ଆରବୀମାନଙ୍କ ପାଖରୁ 0123456789 ସଂଖ୍ୟାଗୁଡ଼ିକ ୟୁରୋପୀୟ ଦେଶଗୁଡ଼ିକରେ ବ୍ୟବହୃତ ହୋଇଆସିଛି । ଆରବରେ ଗଣିତକୁ ‘‘ଆଲ୍‌ହିନ୍ଦସା’ ବୋଲି କହନ୍ତି । ଏହା ଅର୍ଥ ହିନ୍ଦୁସ୍ଥାନରୁ ପ୍ରାପ୍ତ ବିଦ୍ୟା । ଆରବୀୟମାନେ ଭାରତୀୟମାନଙ୍କ ପାଖରୁ ଗଣିତ ଶିକ୍ଷା କରିଥିଲେ ଏବଂ ଆରବୀମାନଙ୍କ ମାଧ୍ୟମରେ ବିଶ୍ୱରେ ଗଣିତର ବିସ୍ତାର ହୋଇଥିଲା । ଇଂରାଜୀରେ ବ୍ୟବହୃତ ସଂଖ୍ୟା ଗ୍ରହଣ କରିବାଦ୍ୱାରା ଆମ ଭାଷା ଓ ସଂସ୍କୃତି ବିରୋଧୀ କିଛି କରୁ ନାହୁଁ, କାରଣ ନାଗରୀ ସଂଖ୍ୟାର ଏହା ଶୁଦ୍ଧ ଅତ୍ୟାଧୁନିକ ସଂସ୍କରଣ ଅଟେ । ଏଣୁ ଏହା ଗ୍ରହଣୀୟ ।

 

ମୁଁ ଯେ କିଛି ନୂଆକଥା କହୁଛି ତା’ ନୁହେଁ । ଏହାର ପ୍ରୟୋଗ ଅନେକ ଦିନରୁ ହୋଇ ସାରିଲାଣି । ନାଗରୀଲିପି ଗ୍ରହଣ କରିବାଦ୍ୱାରା ଯେ ଆମେ ପ୍ରାଦେଶିକ ଭାଷାରେ ପ୍ରଚଳିତ ଲିପିକୁ ନଷ୍ଟ କରିଦେବା ତାହା ମଧ୍ୟ ନୁହେଁ । ବିନୋବାଙ୍କ ଭାଷାରେ କହିବାକୁ ଗଲେ ମୁଁ ‘‘ମଧ୍ୟବାଦୀ’’ ଅଟେ, ‘‘ହିଁ ବାଦୀ’’ ନୁହେଁ । ‘‘ଦେବନାଗରୀହିଁ ଚାଲୁ’’ କହିବା ଅପେକ୍ଷା ଦେବନାଗରୀ ମଧ୍ୟ ଚାଲୁର ପକ୍ଷପାତୀ । ଦେବନାଗରୀକୁ ସାରା ଭାରତରେ ଚଳାଇବାର ପ୍ରଥମ ଉଦ୍ଦେଶ୍ୟ ହେଲା ଏହାଦ୍ୱାରା ଦକ୍ଷିଣର ସମସ୍ତ ପ୍ରଦେଶ ଏକ ହେଉ, ଅନ୍ୟ ଉଦ୍ଦେଶ୍ୟ ହେଲା–ଉତ୍ତର ଭାରତ ଏକ ହେଉ, ତୃତୀୟ, ଦକ୍ଷିଣ ଓ ଉତ୍ତର ଭାରତ ଏକ ହେଉ, ତୃତୀୟ, ଦକ୍ଷିଣ ଓ ଉତ୍ତର ଭାରତ ଏକ ହେଉ, ଚତୁର୍ଥ ଭାରତ ଓ ଏସିଆ ଏକ ହୋଇଯାଉ, ଏବଂ ପଞ୍ଚମ ଉଦ୍ଦେଶ୍ୟ ହେଲା ଭାରତ ଓ ବିଶ୍ୱ ଏକ ହୋଇଯାଉ ଓ ଏଥିରେ ବିଶ୍ୱରୋମାନ ଓ ବିଶ୍ୱନାଗରୀ ଦୁହେଁ ଚାଲନ୍ତୁ । ଏହି ଉଦ୍ଦେଶ୍ୟର ପୂର୍ତ୍ତି ନିମନ୍ତେ ସକ୍ରିୟ ସହଯୋଗ ଆବଶ୍ୟକ । ପଣ୍ତିତ ନେହୁରୁଙ୍କର ମଧ୍ୟ ଏହି ଉଦ୍ଦେଶ୍ୟ ଥିଲା । ଏଣୁ ସେ ୧୯୬୧ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଏହି ଏକ ପ୍ରସ୍ତାବ ସ୍ୱୀକୃତ କରାଇଥିଲେ ।

 

ସମଗ୍ର ୟୁରୋପୀୟ ଭାଷା ରୋମାନ୍ ଲିପିକୁ ଗ୍ରହଣ କରିଥିବାରୁ ଫ୍ରେନ୍‌ଚ, ଜର୍ମାନୀ, ଇଂଲିଶ୍‌, ଇଟାଲୀୟାନ୍‌, ସ୍ପେନିସ୍‌ ଓ ଡଚ୍‌ ଆଦି ପଢ଼ିବାରେ ବିଭିନ୍ନ ଲିପି ଶିକ୍ଷା କରି ସମୟର ଅଯଥା ଅପଚୟ କରାଯାଉ ନାହିଁ । ସେହିପରି ସମସ୍ତ ଭାଷା ଯଦି ନାଗରୀ ଲିପି ଗ୍ରହଣ କରିନିଅନ୍ତି ପ୍ରାଦେଶିକ ଭାଷାଗୁଡ଼ିକର ଅସ୍ତିତ୍ୱ ଲୋପ ନ ପାଇ ବରଂ ସର୍ବଭାରତୀୟ ସ୍ତରରେ ଉପଯୁକ୍ତ ଭାବରେ ପଠନପାଠନ ହୋଇ ପାରିବ । ଏ ଦୃଷ୍ଟିରୁ ଦୈନିକ ସମ୍ୱାଦପତ୍ର ‘ସମାଜ’ର ପ୍ରଥମ ପୃଷ୍ଠାରେ ଦେଉଥିବା ନାଗରୀ ଲିପିର ଓଡ଼ିଆ ଉଦ୍ଧୃତାଂଶକୁ ଲିପି ଆନ୍ଦୋଳନର ଏକ ସୂତ୍ରପାତ ଓ ଆମ ଜାତିପାଇଁ ଏକ ଶୁଭ ସଙ୍କେତ ବୋଲି କହିପାରିବି; ଯଦିଓ ଏହାର ପ୍ରୟୋଗ ଅନେକ ପୂର୍ବରୁ ହୋଇସାରିଛି । ଭାରତର ପାଞ୍ଚଟି ଭାଷାରେ ନାଗରୀ ପତ୍ରିକାମାନ ମଧ୍ୟ ପ୍ରକାଶ ପାଉଛି । ଏଥିପାଇଁ କଟକରୁ ପ୍ରକାଶିତ ‘‘ସର୍ବୋଦୟ’’ (ଓଡ଼ିଆ), ବରୋଦାରୁ ‘‘ଭୂମିପୁତ୍ର’’ (ଗୁଜରାଟୀ), ଆସାମରୁ ‘‘ଭୂଦାନ ଯଜ୍ଞ’’ ଓ ‘‘ସର୍ବୋଦୟ’’ (ଆସାମିୟା), ତାମିଲନାଡ଼ୁରୁ ‘‘ଗ୍ରାମରାଜ୍ୟମ୍‌’’ (ତାମିଲ), କର୍ଣ୍ଣାଟକରୁ ‘‘କ୍ରାତା ବିଶ୍ୱନାଗରୀ’’ (କନ୍ନଡ଼), ବମ୍ୱେଇରୁ ‘‘ହିନ୍ଦୁସ୍ଥାନ’’ (ସିନ୍ଧୀ), ପତ୍ରପତ୍ରିକାଗୁଡ଼ିକ ଦ୍ରଷ୍ଟବ୍ୟ ।

 

ନାଗରୀ ଲିପି ପରି ବିନ୍ଦୁର ଉପାଦେୟତା ହୃଦୟଙ୍ଗମ କରି ଅନେକ ପ୍ରସିଦ୍ଧ ହିନ୍ଦୀ ପତ୍ରିକା ଏହାର ପ୍ରୟୋଗ ଅନେକ ଦିନରୁ କରିସାରିଲେଣି । ଏହାର ବିରୋଧ ମଧ୍ୟ ଅନେକ ଲୋକ କରି ବିଫଳ ହୋଇଛନ୍ତି । ସୁବିଧା ଦୃଷ୍ଟିରୁ ଆମେ ଦିନ୍‌ମାନ୍‌, ଧର୍ମଯୁଗ, ମାଧୁରୀ, ମୁକ୍ତା ଓ ନବଭାରତ ଟାଇମ୍‌ସ ଦେଖିପାରୁଁ । ‘‘ଦିନ୍‌ମାନ୍‌’’ରେ କେବଳ ପୂର୍ଣ୍ଣଚ୍ଛେଦକୁ ବିନ୍ଦୁ ଭାବରେ ବ୍ୟବହାର କରାଯାଇ ନାହିଁ, ବରଂ ଇଂରେଜୀ ସଂଖ୍ୟାର ପ୍ରୟୋଗ କରି ଆମ୍ଭମାନଙ୍କ ପାଇଁ ଏକ ନୂତନ ଦିଗ୍‌ଦର୍ଶନ ଦିଆଯାଇଛି । ଦେଖାଯାଉ ଏହାର ପ୍ରୟୋଗ କିଏ ପ୍ରଥମେ କରିଛି । ଓଡ଼ିଶାରେ ‘‘ଅଛୁ ବିଜୟୀ ହେବ ନା ହେବୁ’’ ବିଜୟୀ ହେବ । ତେବେ ଯେଉଁମାନେ ଏପର୍ଯ୍ୟନ୍ତ ଚିନ୍ତା କରୁଛନ୍ତି ଯେ ପରିବର୍ତ୍ତନ ଏକ ମାରାତ୍ମକ କଥା ସେମାନଙ୍କୁ ଯଦି ମୁଁ ଦୁରାଗ୍ରହୀ ବୋଲି କହିବାର ଧୃଷ୍ଟତା କରେ ତାହାହେଲେ ସେମାନେ ଓଡ଼ିଆ ଭାଷାର କ୍ଷତି ବ୍ୟତୀତ ଲାଭର କୌଣସି କାରଣ ହେବ ନାହିଁ ବୋଲି କୁହାଯାଇପାରିବ ।

 

ପୃଥିବୀ ଘୂରୁଛି । ଭାରତ ଓ ଓଡ଼ିଶା ମଧ୍ୟ ଏହା ମଧ୍ୟରେ ଅବସ୍ଥିତ । ଆଜି ଏକାତ୍ମ-ମାନବବାଦର ସମୟ । ଓଡ଼ିଶାର ଭାଷା ଓ ସାହିତ୍ୟ ଯଦି ମହାନ୍‌, ତାହାହେଲେ ତାହା ଓଡ଼ିଶା ମଧ୍ୟରେ ସୀମିତ ରହିବ କାହିଁକି ? ଆସନ୍ତୁ ଶିଖିବା ଓ ଶିଖାଇବା । ନିଜକୁ ପରିବର୍ତ୍ତନ ନ କରି ମହାନ୍‌ ମହାନ୍‌ କହିବାରେ କୌଣସି ଜାତି ମହାନ୍‌ ହୋଇପାରେ ନାହିଁ । ଇଂରାଜୀଭାଷା ଓ ଜାତି କଥା ଭାବନ୍ତୁ । ଓଡ଼ିଆ ଭାଷାର ବୟସ ସହିତ ଇଂରାଜୀ ଭାଷାର ବୟସ ପ୍ରାୟତଃ ସମାନ । ଅଥଚ ଇଂରାଜୀରେ ଯାହା ନାହିଁ, ବିଶ୍ୱରେ ତାହା ନାହିଁ । କାରଣ ଇଂରେଜମାନେ ନିଜ ଭାଷାକୁ ନିଜ ହାତରେ ତିଆରି କରିଛନ୍ତି, ବଞ୍ଚାଇ ରଖିଛନ୍ତି ଏବଂ ନିଜ ଅସ୍ତିତ୍ୱପାଇଁ ଅନ୍ୟ ଭାଷାଗୁଡ଼ିକରୁ ଅନେକ କଥା ଉଦାରତାସହ ଗ୍ରହଣ କରିଛନ୍ତି । ଯେଉଁ କ୍ଷେତ୍ରରେ ଆମେ ଆମ ଭାଷାର ସ୍ରଷ୍ଟା ନୋହୁଁ, ଜଣେ ଅଜ୍ଞାତ, ତଦୃଷ୍ଟ ସରସ୍ୱତୀଙ୍କୁ ଆଶ୍ରୟ ଦେଇ ଆମେ ଆଜି ମଧ୍ୟ ଭାବୁଛୁ–ସେ ଆସିବେ ଓ ଆମ ଭାଷାର ସମୃଦ୍ଧି କରିବେ ।

Image

 

Unknown

ବହୁଭାଷୀ ରାଷ୍ଟ୍ରରେ ରାଷ୍ଟ୍ର ଭାଷା କ’ଣ ଏକ ସମସ୍ୟା

 

ଏହା ଆମକୁ ବାରମ୍ୱାର କୁହାଯାଉଛି ଯେ ଭାରତ ଏକ ବିଶାଳ ଦେଶ । ଏଠାରେ ଅନେକ ଭାଷା ଓ ଅନେକ ପ୍ରକାରର ଲିପିର ପ୍ରଚଳନ ରହିଛି । ଏହାହିଁ ଆମର ଭାଷା ସମସ୍ୟାକୁ ଜନ୍ମ ଦେଇଛି । ଏପ୍ରକାର ମନ୍ତବ୍ୟ ଦେବା ପୂର୍ବରୁ ଅବଶ୍ୟ ଆମେ ଗୋଟିଏ ମହତ୍ୱପୂର୍ଣ୍ଣ କଥାକୁ ବିଚାରକୁ ଆଣୁନା । ତାହା ହେଲା–ବିଶ୍ୱର ବିଭିନ୍ନ ଦେଶ ଓ ସେମାନଙ୍କର ବହୁଭାଷୀ ରାଷ୍ଟ୍ର । ଫଳତଃ ବିନା ସର୍ତ୍ତ ଓ କାରଣଦ୍ୱାରା ପରିଚାଳିତ ହୋଇ ଆମେ ଆମର ଭାଷା ସମସ୍ୟାର ସମାଧାନସ୍ୱରୂପ ଇଂରାଜୀକୁ ନିୟନ୍ତ୍ରଣ କରି ଆମ ଘରର ମାଲିକ କରିଦେଉଁ ।

ଥରେ ଇଂରାଜୀକୁ ସ୍ୱାଗତ କରିବା ପରେ ଆମ ଭାଷାଗୁଡ଼ିକ ଅପୂର୍ଣ୍ଣ, ଅକାରଣ ଓ ନିରର୍ଥକ ମନେହୁଏ ଏବଂ ଆମେ ଖୋସାମତିଆଙ୍କ ଭାଷାରେ କହିବସୁଁ ଇଂରାଜୀରେ ସବୁକିଛି ଅଛି-। ଏଣୁ ପ୍ରାଦେଶିକ ଭାଷା ବା ହିନ୍ଦୀଭାଷା ପଢ଼ି ଅଯଥା ସମୟର ଅପବ୍ୟବହାର କରିବାରେ ଲାଭ କ’ଣ ?

ମୁଁ ଏପରି ଅନେକ ବନ୍ଧୁ ଓ ଛାତ୍ରଙ୍କ ସମ୍ପର୍କରେ ଅନେକ ସମୟରେ ଆସୁଛି ଯେଉଁମାନଙ୍କର ନିଜର ବୋଲି କୌଣସି ସ୍ୱତନ୍ତ୍ର ଭାଷା ନାହିଁ । ଘରେ ବା ବାହାରେ, ସ୍କୁଲ୍ ବା କଲେଜରେ ସେମାନେ ଇଂରାଜୀରେ କାର୍ଯ୍ୟ ଚଳାଇ ନେଉଛନ୍ତି । କେତେକ ଛାତ୍ରଙ୍କ ମାତୃଭାଷା ଓଡ଼ିଆ, ତେଲୁଗୁ ବା ବଙ୍ଗଳା ହେବାସତ୍ତ୍ୱେ ସେମାନେ ‘‘ଅଲଟର୍‌ନେଟିଭ୍‌ ଇଂଲିଶ୍’’ ନେବାର କାରଣ ତାଙ୍କ ମାତୃଭାଷାରେ ଅପାରଗତା ନୁହେଁ, ବରଂ ସେମାନେ ତ୍ରୁଟିବଶତଃ ଚିନ୍ତା କରିଥାନ୍ତି ଯେ ଇଂରାଜୀ ନେବାଦ୍ୱାରା ସେମାନେ ଏକ ନୂତନ ସମ୍ମାନର ଅଧିକାରୀ ହେବେ ।

ଏଥିରେ ମୋର ଅଭିଯୋଗ କରିବାର ବା କ’ଣ ଅଛି ? ତେବେ ମୋର କହିବାର ହେଲା, ଆମେ ଆମଭାଷାକୁ ଏପ୍ରକାର ଅସ୍ପୃଶ୍ୟ କରି ରଖିଲେ ଏହା ଏକ ସରଳ, ସାଧାରଣ ଓ ସୌଖୀନ ଭାଷା ହେବ କିପରି ?

ଆଜିକାଲି ସମଗ୍ର ଦେଶରେ ଇଂରାଜୀର ପ୍ରଚାର ବହୁ ପରିମାଣରେ ଚାଲିଛି । ଏଥିପାଇଁ ଇଂରେଜମାନେ ଦାୟୀ ବୋଲି କହିଦେଲେ ଆମେ ଦେଶଭକ୍ତ ହୋଇଯାଇପାରିବୁ ନାହିଁ । ଆମଦ୍ୱାରା ପ୍ରତିଷ୍ଠିତ ପବ୍ଲିକ୍ ସ୍କୁଲ୍, କନଭେଣ୍ଟ ବା ଇଂଲିଶ୍ ମିଡ଼ିଅମ୍‌ ସ୍କୁଲ୍‍ଗୁଡ଼ିକ କ’ଣ ଆଦୌ ଦାୟୀ ନୁହନ୍ତି ? ସେମାନଙ୍କୁ ଦାୟୀ କରିସାରିବା ପରେ ମଧ୍ୟ କ’ଣ ଆମେ ଆମର ଦାୟିତ୍ୱ ବୁଝିଛୁଁ-? କୌଣସି ବିଷୟକୁ ସର୍ବଭାରତୀୟ ସ୍ତରରେ ଚିନ୍ତା କରିବାର କ’ଣ ଆମେ ଶିକ୍ଷା କରିପାରିଛୁଁ-? ଆମ ଦେଶଭକ୍ତିର ସ୍ୱରୂପ ତ ପ୍ରାଦେଶିକ ସଂକୀର୍ଣ୍ଣତାଦ୍ୱାରା ଆବୃତ୍ତ । ଆମେ ନିଜକୁ ଅତିମାତ୍ରାରେ ଓଡ଼ିଆ, ବଙ୍ଗାଳୀ, ଆସାମୀ, ତେଲୁଗୁ, ମରାଠୀ ବା ତାମିଲ କହିବାରେ ସଂକୀର୍ଣ୍ଣତା ଅନୁଭବ କରୁ ନାହିଁ । ଏହାର ପରିଣାମ କ’ଣ ହେଲା ତାହା ସମସ୍ତେ ଜାଣନ୍ତି । କିଛିବର୍ଷ ପୂର୍ବରୁ ଆସାମିଆମାନେ ନିଜକୁ ବୀରଜାତି ଓ ନିଜ ଭାଷାକୁ ଶ୍ରେଷ୍ଠଭାଷା ଘୋଷଣା କରି ଭାରତଠାରୁ ବିଚ୍ଛିନ୍ନ ହେବାର ଧମକ ଦେଉଥିଲେ । ଠିକ୍‌ ସେପରି ଦକ୍ଷିଣ ଭାରତ ଉତ୍ତର ଭାରତରୁ ବିଚ୍ଛିନ୍ନ ହେବାର ପ୍ରୟାସ କରିବା ମଧ୍ୟରେ ଗୋଟିଏ ମାତ୍ର ସମସ୍ୟା ରହିଛି । ତାକୁ ଦୁଇଟି ଶବ୍ଦରେ ‘‘ଭାଷା ସମସ୍ୟା’’ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଭାଷା ତ ଆମ ସମସ୍ତଙ୍କ ମଧ୍ୟରେ ଏକ ମାଧ୍ୟମ, ଏକ ଯୋଗସୂତ୍ର । ଭାଷାକୁ କେନ୍ଦ୍ର କରି ଲଢ଼େଇ କରିବା କ’ଣ ପ୍ରେମର ପ୍ରକୃତସ୍ୱରୂପ ? ଥରେ ଜଣେ ମରାଠୀ ନାଟ୍ୟକାର ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକ ସମ୍ପର୍କରେ କହିଲେ ଯେ-ମାଟି ହାଣ୍ତିରେ କିଛି ଗୋଡ଼ି ପୂରାଇ ହଲାଇଲେ ଯେଉଁ ଶବ୍ଦ ହୁଏ ତାହା ଦକ୍ଷିଣୀ ଭାଷା । ଏହାର ପ୍ରତିବାଦସ୍ୱରୂପ ଜଣେ ଦକ୍ଷିଣ ଭାରତୀୟ ଗଣ୍ୟମାନ୍ୟବ୍ୟକ୍ତି ଏକ ସାର୍ବଜନୀକ ସଭାମଞ୍ଚ ଉପରେ କହିଉଠିଲେ ହିନ୍ଦୀରେ ଦୁଇଟି ମହାନ୍‌ ଗ୍ରନ୍ଥ ଅଛି । ପ୍ରଥମଟି ହେଲା ତୁଳସୀ ରାମାୟଣ ଏବଂ ଅନ୍ୟଟି ହେଲା ରେଲୱେ ଟାଇମ୍ ଟେବୁଲ୍ । ତଦ୍ରୂପ ବହୁବର୍ଷ ପୂର୍ବରୁ ବଙ୍ଗାଳୀମାନେ ‘‘ଓଡ଼ିଆ ଏକ୍‌ଟା ଭାଷା ନଏ’’, କହି ଆଜିର ଓଡ଼ିଆମାନଙ୍କ ଭିତରେ ତାଙ୍କ ନିଜପ୍ରତି କେବଳ ଘୃଣାହିଁ ସୃଷ୍ଟି କରିଯାଇଛନ୍ତି । ପ୍ରକୃତରେ ସେ ସମୟରେ ଓଡ଼ିଆ କ’ଣ ଏକ ଭାଷା ନଥିଲା ? କୌଣସି ଜଣେ ଦୁରାଗ୍ରାହୀ ବଙ୍ଗାଳୀଙ୍କ ଏପ୍ରକାର ଅମୂଳକ ଉକ୍ତିକୁ ନେଇ ଆଧୁନିକ ଓଡ଼ିଆ ସମାଲୋଚକ ସମସ୍ତ କାଳି କାଗଜରେ ଲେସି ଦେବା କ’ଣ ଓଡ଼ିଆ ସାହିତ୍ୟର ଆଧୁନିକସ୍ୱରୂପ କି ? କେହି ବୁଝିବାକୁ ନାରାଜ । ସବୁ କ୍ଷେତ୍ରରେ ଏପ୍ରକାର ଭାବପ୍ରବଣତା ବିଦ୍ୟମାନ ।

 

ଏଦେଶର ଅନେକ ପ୍ରଦେଶ ପରି ଅନେକ ଭାଷା ଅଛି । ଭାଷା ଭାଷା ମଧ୍ୟରେ ଅହିନକୁଳ ସମ୍ପର୍କହିଁ ଏପରି ଏକ ଭାଷାକୁ ପ୍ରୋତ୍ସାହନ ଦେଉଛି ଯାହାକୁ ଆମେ ଇଂରାଜୀ ବୋଲି କହୁଛୁଁ । ସମସ୍ୟା କେବଳ ସବୁ ଭାଷାର ନୁହେଁ, ବରଂ ସର୍ବଗ୍ରାସୀ ଇଂରାଜୀର ଅଟେ । ଅତି ଅଳ୍ପ ସଂଖ୍ୟକ ଲୋକେ କହୁଥିବା ଇଂରାଜୀ ରାଷ୍ଟ୍ରଭାଷା ହେବାରେ କାହାରି ଆପତ୍ତି ନାହିଁ । ଆପତ୍ତି ତ ହିନ୍ଦୀପାଇଁ ରହିଛି । ସତେ ଯେପରି ଇଂଲଣ୍ତ ଆମପାଇଁ ଉତ୍ତର ଭାରତଠାରୁ ମଧ୍ୟ ଖୁବ୍‌ ପାଖରେ ଅବସ୍ଥିତ ।

 

ଏପ୍ରସଙ୍ଗରେ ସେକ୍‌ସପିୟରଙ୍କ ଜୁଲିୟସ୍‌ ସିଜର ନାଟକ ମନେପଡ଼ିଯାଏ । ବୃଟସ୍‌ ସିଜରଙ୍କୁ ହତ୍ୟା କଲା । ରୋମବାସୀ ସିଜରଙ୍କୁ ଭଲ ପାଉଥିଲେ; ଏଣୁ ଏପ୍ରକାର ହତ୍ୟାରେ ସ୍ୱାଭାବିକରୂପେ ସେମାନେ ଉତ୍ତେଜିତ ହୋଇପଡ଼ୁଥିଲେ । ଏସ୍ଥିତିରେ ବୃଟସ୍‌ ଏକ ଭାଷଣଦ୍ୱାରା ଯେତେବେଳେ ଲୋକଙ୍କୁ ଶାନ୍ତ କରିବାକୁ ବସେ ଜନତା ତା’ କଥାରେ ମନ୍ତ୍ରମୁଗ୍ଧ ହୋଇ ବୃଟସ୍‌ର ପ୍ରଶଂସା ଓ ସିଜରଙ୍କ ନିନ୍ଦା କରି ବସନ୍ତି । ବୃଟସ୍‌ଙ୍କ ପରେ ପରେ ଯେତେବେଳେ ମାର୍କ ଏଣ୍ଟୋନୀ ଜନତାକୁ ଆହ୍ୱାନ କରେ, ତା’ର ପ୍ରଭାବଶାଳୀ ଭାଷଣରେ ଲୋକେ ବୃଟସ୍‌କୁ ମାରିବାକୁ ବସନ୍ତି । ଠିକ୍‌ ଏହି ପରିସ୍ଥିତିରେ ଆମ ଦେଶ ଆଜି ଗତି କରୁଛି । ଯେତେବେଳେ କୌଣସି ନେତା ଦେଶର ଭାଷା ସମସ୍ୟାକୁ ନେଇ ସ୍ୱରାଜନୈତିକ ଫାଇଦା ଉଠାଇବାକୁ ହିନ୍ଦୀ ବିରୁଦ୍ଧରେ କିଛି କହୁଛନ୍ତି ସେତେବେଳେ ଭାବପ୍ରବଣ ହୋଇ ଆମେ ଭୁଲିଯାଉଛୁଁ ଯେ କ’ଣ ଏ ନେତା କିଛିବର୍ଷ ତଳେ ହିନ୍ଦୀର ପ୍ରଶଂସା କରୁ ନଥିଲେ କି ? ଭାଷା ଓ ସାହିତ୍ୟ ଉପରେ ବିବେଚନା କରିବାର କି ଯୋଗ୍ୟତା ଏହାଙ୍କ ପାଖରେ ଅଛି ।

 

ରାଜାଜୀଙ୍କ ଉଦାହରଣ ଏଠି ନିଆଯାଇପାରେ । ଜଣେ ବିଦ୍ୱାନ ରାଜନୈତିଜ୍ଞ ଭାବରେ ତାଙ୍କ ପ୍ରତି ମୋର ଶ୍ରଦ୍ଧା ରହିଛି । ତେବେ ସେ ଯେଉଁ ଆଦର୍ଶ ଆମ ସମ୍ମୁଖରେ ପ୍ରସ୍ତୁତ କରିଯାଇଛନ୍ତି ତାହା କ’ଣ ଆମ୍ଭମାନଙ୍କ ପାଇଁ ଅନୁକରଣୀୟ ? ୧୯୨୮ ମସିହାରେ ମାନ୍ଦ୍ରାଜରେ ହିନ୍ଦୀଭାଷାର ଗୁରୁତ୍ୱ ଉପଲବ୍ଧି କରି ସେ କହିଥିଲେ ଯେ ହିନ୍ଦୀହିଁ ରାଷ୍ଟ୍ରଭାଷା ହେବାପାଇଁ ଏକମାତ୍ର ଭାଷା, ଯାହା ଇଂରାଜୀ ପକ୍ଷରେ ସମ୍ଭବ ନୁହେଁ । ଏ ଭାଷଣଟି ମେ ମାସ ‘‘ଡେଲି ପେଟ୍ରିୟଟ୍‌’’ରେ ପ୍ରକାଶ ପାଇଥିଲା । ୧୯୬୩ ଜୁନ୍ ୩ରେ ମାନ୍ଦ୍ରାଜର ପୁଣି ଏକ ସଭାରେ ସେ ଭାଷଣ ଦେବାକୁ ଯାଇ କହିଉଠିଲେ ହିନ୍ଦୀ ଦିନେ ନା ଦିନେ ନିଶ୍ଚୟ ରାଷ୍ଟ୍ରଭାଷା ହେବ ବୋଲି ଯାହା କୁହାଯାଇଛି, ତାହା ଏକ ଭୟଙ୍କର ଭୁଲ । ଇଂରାଜୀ ଅନନ୍ତ କାଳ ପର୍ଯ୍ୟନ୍ତ ଚାଲିବ ।....ବ୍ରିଟିଶମାନେ ଆମକୁ ବାଧ୍ୟ କରି ଇଂରାଜୀ ପଢ଼ାଇଲେ, ପୁଣି ଏଇ ସରକାର ଆମକୁ ବାଧ୍ୟ କରି ହିନ୍ଦୀ ପଢ଼ାଇବେ । ଆମ୍ଭେମାନେ ଆଉ ଏ ଦ୍ୱିତୀୟ ପରାଜୟ ଚାହୁଁନା । ରାଜାଜୀଙ୍କର ଏପ୍ରକାର ମତ ପରିବର୍ତ୍ତନ ରାଜନୈତିକ ସ୍ୱାର୍ଥଜନିତ ନୁହେଁ ତ ?

 

ଏହାର ପରିଣାମ କ’ଣ ହେଲା ଆପଣମାନେ ଜାଣନ୍ତି । ତତ୍କାଳୀନ କେରଳର ଉପ-ମୁଖ୍ୟମନ୍ତ୍ରୀ ନମ୍ୱ୍ରୁଦିପାଦ ‘‘ନାସ୍‍ନାଲ୍‌ ହେରଲ୍‌ଡ଼’’ (ସେପ୍‌ଟେମ୍ୱର ୧୨, ୧୯୬୭)ରେ ଦୃଢ଼ ସ୍ୱରରେ କହିଲେ ଯେ ଭାରତରେ କେବେ ଏକ ରାଷ୍ଟ୍ରଭାଷା ହୋଇ ନ ପାରେ । ଅହିନ୍ଦୀଭାଷୀ କେବେ ମଧ୍ୟ ହିନ୍ଦୀକୁ ରାଷ୍ଟ୍ରଭାଷା କରିଦେବେ ନାହିଁ । ତା’ ଛଡ଼ା ଏକ ସ୍ୱାଭିମାନ ବ୍ୟକ୍ତି କେବେ ମଧ୍ୟ ଏକ ବିଦେଶୀ ଭାଷାକୁ ରାଷ୍ଟ୍ରଭାଷା ମାନି ନ ପାରନ୍ତି । ସବୁ ରାଜ୍ୟ ଚାହାନ୍ତି କି ଇଂରାଜୀକୁ ତାଙ୍କ ରାଜ୍ୟରୁ ହଟାଯାଉ, କିନ୍ତୁ ତା’ ସ୍ଥାନରେ ସେମାନେ ଚାହାନ୍ତି ହିନ୍ଦୀଛଡ଼ା ସେମାନଙ୍କର ଭାଷା ରାଷ୍ଟ୍ରଭାଷା ହେବ ।

 

ନମ୍ୱ୍ରୁଦିପଦଙ୍କ ପରି ତାମିଲନାଡ଼ୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନୁୟାରୀ ୨୫, ୧୯୬୮ରେ ଏନ୍‌. ସି. ସି.ରେ ହିନ୍ଦୀ ଆଦେଶକୁ ଭଙ୍ଗକରି ସବୁ କିଛି ଇଂରାଜୀରେ କରିବାକୁ ଚାହିଁଲେ । ତାଙ୍କ ସହ କାମରାଜ ନାଦାର ମଧ୍ୟ ଇଂରାଜୀ ପକ୍ଷରେ ଓକିଲ ହୋଇ ଭାରତ ସରକାରଙ୍କ ବିରୁଦ୍ଧରେ ଖୋଲାଖୋଲି ବିଦ୍ରୋହ ଆରମ୍ଭ କରିଦେଲେ । ମାନ୍ଦ୍ରାଜରେ ‘‘ଡାଉନ୍ ଡାଉନ୍ ହିନ୍ଦୀ’’, ‘‘ହିନ୍ଦୀ ରାକ୍ଷସୀକୁ ମାରି ପକାଅ’’ ଆଦି ସ୍ଳୋଗାନମାନ ଦିଆଗଲା । ସେଠାରେ ଲୋକଙ୍କ ମଧ୍ୟରେ ପ୍ରଚାର କରାଗଲା ଯେ ଶେଠ୍‌ ଗୋବିନ୍ଦଦାସ ପରା କହୁଥିଲେ ଯେ ସେନା ପଠାଇ ଦକ୍ଷିଣରେ ହିନ୍ଦୀର ପ୍ରଚାର କରାଯିବ । ପୁନଶ୍ଚ ଏହା ମଧ୍ୟ ପ୍ରଚାର କରାଗଲା ଯେ, ଉତ୍ତରର ହିନ୍ଦୀବାଲା ପରା କହୁଥିଲେ, ପଚାଶ ଟଙ୍କାର ଲାଳସାରେ ସେମାନେ ତାଙ୍କୁ ହିନ୍ଦୀ ଶିଖାଇ ଦେବାକୁ ଚାହାନ୍ତି । ଏପ୍ରକାର ଅମୂଳକ କଥାକୁ ମଧ୍ୟ ଲୋକେ ବିଶ୍ୱାସ କରୁଥିଲେ ଏବଂ ସେହି ବିଶ୍ୱସ୍ତମାନଙ୍କ ପାଖରେ ବିରୋଧ ସ୍ୱର ଉତ୍ତୋଳନ କରି ଜଣେ ନେତୃତ୍ୱ ଲାଭ କରିପାରୁଥିଲା ।

 

ଯା ହେଉ, ସମସ୍ତ ବିରୋଧ ସତ୍ତ୍ୱେ ହିନ୍ଦୀ ଆଜି ଭାରତର ରାଷ୍ଟ୍ରଭାଷା । ବାଦ, ବିବାଦ ଓ ବିସମ୍ୱାଦକୁ ଗ୍ରାସ କରି ସମଗ୍ର ଦେଶରେ ଆଜି ହିନ୍ଦୀର ଲୋକପ୍ରିୟତା ବଢ଼ି ଚାଲିଛି । ସମ୍ପୂର୍ଣ୍ଣ ଦେଶରେ ଭ୍ରମଣ କରିବାପାଇଁ ହିନ୍ଦୀହିଁ ଏକମାତ୍ର ମାଧ୍ୟମ । ଯେଉଁ ଦକ୍ଷିଣ ଭାରତରେ ହିନ୍ଦୀର ପ୍ରବଳ ବିରୋଧ ହେଉଥିଲା ଏବଂ ହେଉଛି ସେଠି ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକର ରଜତ ଜୟନ୍ତୀ ବା ସ୍ୱର୍ଣ୍ଣଜୟନ୍ତୀ ପାଳିତ ହେଉଛି । ହିନ୍ଦୀ ସାହିତ୍ୟ ପ୍ରତି ଲୋକଙ୍କର ଆଗ୍ରହ ବଢ଼ି ଚାଲିଛି । ଏସବୁ ଲକ୍ଷ୍ୟ କଲେ ଜଣେ ନିଶ୍ଚିତରୂପେ କହିପାରିବ ଯେ ବିରୋଧଟା କେବଳ ବିରୋଧପାଇଁହିଁ ହେଉଛି ।

 

ହିନ୍ଦୀଭାଷା ସର୍ବଦା ଭ୍ରମଣରତ ମହାତ୍ମା ଗାନ୍ଧୀଙ୍କ ଗମ୍ଭୀର ବାଣୀର ସମର୍ଥନ ପାଇଛି । ବୟୋବୃଦ୍ଧ ବିନୋବାଙ୍କଦ୍ୱାରା ସ୍ନେହସିକ୍ତ ହୋଇଛି । ପୁନଶ୍ଚ କାକା କାଲେଲ୍‌କର ଓ ବେଦମୂର୍ତ୍ତି ସାତ୍‌ବଲେକରଙ୍କ ପ୍ରବଳ ସମର୍ଥନ ପ୍ରାପ୍ତ କରିଛି । ବଦ୍ରୀ, ଦ୍ୱାରିକା, ପୁରୀ ଓ ରାମେଶ୍ୱର ମଧ୍ୟରେ ଏକ ଯୋଗସୂତ୍ରର ଭାଷା ଭାବରେ ଏବଂ ଗୀତ ପ୍ରେସ୍ ଗୋରଖପୁର ପ୍ରକାଶନ ମାଧ୍ୟମରେ ଏହା ଆରବ ମହାସାଗର ପାର ହୋଇ ଓ ହିମାଳୟ ଡେଇଁ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ୱଆସ୍ଥାନ ସୁଦୃଢ଼ କରିପାରିଛି ।

 

ମହର୍ଷି ଦୟାନନ୍ଦ ସରସ୍ୱତୀ ହିନ୍ଦୀକୁ ଆର୍ଯ୍ୟଭାଷା କହି ସମ୍ମାନିତ କରିଛନ୍ତି ଏବଂ ସ୍ୱପ୍ରସିଦ୍ଧଗ୍ରନ୍ଥ ‘‘ସତ୍ୟାର୍ଥ ପ୍ରକାଶ’’ ହିନ୍ଦୀରେ ଲେଖିଛନ୍ତି । ଥରେ ପଞ୍ଜାବର ଜଣେ ଲେଖକ ତାଙ୍କ ଗ୍ରନ୍ଥକୁ ଊର୍ଦ୍ଦୁରେ ଅନୁବାଦ କରିବାପାଇଁ ଆଜ୍ଞା ମାଗିବାରୁ ସେ କହିଲେ–ଭାଇ ! ମୁଁ ସେହି ଦିନକୁ ଅପେକ୍ଷା କରି ରହିଛି, ଯେଉଁ ଦିନ କଟକରୁ ଅଟକ ଓ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ଏକ ଭାଷା କହିବେ ଓ ବୁଝିବେ । ଯେଉଁମାନଙ୍କୁ ମୋର ଭାବକୁ ଜାଣିବାକୁ ଇଚ୍ଛା ହେବ ସେମାନେ ଏହି ଆର୍ଯ୍ୟଭାଷା ଶିକ୍ଷା କରିବାକୁ ନିଜର ଦାୟିତ୍ୱ ମନେକରିବେ । ଅନୁବାଦ ତ ବିଦେଶୀମାନଙ୍କ ପାଇଁ କରାଯାଏ । ସ୍ୱାମୀଜୀଙ୍କ ପରି ଲୋକମାନ୍ୟ ତିଲକ, ରାଜର୍ଷି ପୁରୁଷୋତ୍ତମ ଟଣ୍ତନ, ସୁବାସ ବୋଷ, ଆଦି ରାଷ୍ଟ୍ରପୁରୁଷ ହିନ୍ଦୀକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଉଥିଲେ ଏବଂ ଏହାର ଉନ୍ନତ ଭବିଷ୍ୟତ ପାଇଁ ଇଚ୍ଛା ରଖିଥିଲେ ।

 

ସ୍ୱପ୍ରାଦେଶିକତାକୁ ଜଳାଞ୍ଜଳି ଦେଇ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଏବଂ ମହାତ୍ମାଗାନ୍ଧୀ ଗୁଜରାଟୀ ହେବା ସତ୍ତ୍ୱେ ସ୍ୱରଚନା ହିନ୍ଦୀରେହିଁ କରିଯାଇଛନ୍ତି । ବଙ୍ଗାଳୀ ହେବା ସତ୍ତ୍ୱେ ରାଜ ରାମମୋହନ ରାୟ ସ୍ୱ‘‘ବଙ୍ଗଦୂତ’’ ପତ୍ରିକାରେ ହିନ୍ଦୀକୁ ପ୍ରୋତ୍ସାହନ ଦେଇଥିଲେ । ବନ୍ଦେ ମାତରମ୍‌ର ସୁଯୋଗ୍ୟ କବି ବଙ୍କିମଚନ୍ଦ୍ର ଚାଟାର୍ଜୀ ‘‘ବଙ୍ଗ ଦର୍ଶନ’’ ନାମକ ଗ୍ରନ୍ଥର ପଞ୍ଚମ ଖଣ୍ତରେ ହିନ୍ଦୀକୁ ଭାରତର ଏକତାର ଭାଷା ବୋଲି ଲେଖିଛନ୍ତି । ତାଙ୍କପରି କେଶବଚନ୍ଦ୍ର ସେନ୍‌ ଓ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ହିନ୍ଦୀର ପ୍ରବଳ ସମର୍ଥକ ଥିଲେ । ବଙ୍ଗୀୟ ଜଷ୍ଟିସ୍‌ ଶାରଦାଚରଣ ମିତ୍ର ‘‘ଦେବ ନାଗର’’ ଓ ବାବୁ ରାମାନନ୍ଦ ଚଟ୍ଟୋପାଧ୍ୟାୟ ଇଂରାଜୀ ‘‘ମୋଡ଼େନ ରିଭ୍ୟୁ’’ ସଙ୍ଗେ ସଙ୍ଗେ ବଙ୍ଗ ଭାଷାରେ ‘‘ପ୍ରବାସୀ’’ ତଥା ହିନ୍ଦୀରେ ‘‘ବିଶାଳ ଭାରତ’’ ପରି ପତ୍ରିକା ପ୍ରକାଶ କରି ହିନ୍ଦୀର ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିଯାଇଛନ୍ତି । ଓଡ଼ିଆ ହେବା ସତ୍ତ୍ୱେ ଉତ୍କଳମଣି ଗୋପବନ୍ଧୁ ସର୍ବଭାରତୀୟ ଭାଷା ଉଦ୍ଦେଶ୍ୟରେ ଉଦାରତା ପ୍ରଦର୍ଶନ କରିଛନ୍ତି । ଏପ୍ରକାର ଅନୁକୂଳ ପରିସ୍ଥିତି ମଧ୍ୟରେ ମହାନ୍ ଭାଷାବିଦ୍‌ ଆଚାର୍ଯ୍ୟ ରଘୁବୀର ଓ ମହାନ୍ ବିଦ୍ୱାନ ରାହୁଳ ସାଂସ୍କୃତ୍ୟାୟନ ହିନ୍ଦୀକୁ ନୂତନ ଜୀବନ ଓ ଗତି ପ୍ରଦାନ କରିଯାଇଛନ୍ତି । ଯେଉଁମାନେ ବାରମ୍ୱାର ଅଭିଯୋଗ କରି ଚାଲିଛନ୍ତି ଯେ ହିନ୍ଦୀଭାଷୀ ଦକ୍ଷିଣୀବାସୀଙ୍କ ଉପରେ ହିନ୍ଦୀଭାଷା ଲଦି ଦେଉଛନ୍ତି ବୋଲି ସେମାନେ ପୂର୍ବୋକ୍ତ ଗୁଜରାଟୀ, ଉତ୍କଳୀ ଓ ବଙ୍ଗୀୟ ବିଦ୍ୱାନଙ୍କ ପ୍ରତି ଦୃଷ୍ଟି ଦେବା ଉଚିତ ।

 

ଭାରତୀୟ ସମ୍ୱିଧାନର ନିର୍ଦ୍ଦେଶାନୁସାରେ ୧୯୫୧ରେ ଯେବେ ରାଷ୍ଟ୍ରଭାଷା ସମିତି ଗଠିତ ହେଲା, ସେତେବେଳେ ଭାରତ ପ୍ରଥମ ରାଷ୍ଟ୍ରପତି ଡାଃ ରାଜେନ୍ଦ୍ର ପ୍ରସାଦ ହିନ୍ଦୀ ପ୍ରଚାର ଓ ପ୍ରସାର ସମ୍ୱନ୍ଧରେ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ମାତ୍ର ପଣ୍ତିତ ନେହେରୁଙ୍କ ହିନ୍ଦୀ ନା ଇଂରାଜୀ ଏ ସମସ୍ୟା ନେଇ ଅନେକ ପ୍ରଶ୍ନ ଉଠିଲା । ସମସ୍ତ ବିରୋଧ ସତ୍ତ୍ୱେ ଜାନୁୟାରୀ ୨୬, ୧୯୬୫ର ଯେବେ ହିନ୍ଦୀକୁ ବିଧିବଦ୍ଧ ଭାବରେ ରାଜଭାଷା ପଦରେ ପ୍ରତିଷ୍ଠିତ କରିବାର ଅବସର ଆସିଲା, ସେ ସମୟରେ କେତେକ ରାଜନୈତିକ ନେତା ସ୍ୱସ୍ୱାର୍ଥପାଇଁ ଏହାର ବିରୋଧ କରିବା ଆରମ୍ଭ କରିଦେଲେ । ଏପରି କି ଭାରତର ବୟୋବୃଦ୍ଧ ନେତା ରାଜାଜୀ ଓ ସୁପ୍ରସିଦ୍ଧ ଭାଷାବିଦ୍‌ ଡାଃ ସୁନୀତିକୁମାର ଚାଟାର୍ଜୀ ନିଜର ସାରା ଶକ୍ତି ଇଂରାଜୀ ସମର୍ଥନରେ ଲଗାଇଦେଲେ, ଯଦିଓ ସ୍ୱାଧୀନତା ପୂର୍ବରୁ ସେମାନେ ହିନ୍ଦୀପାଇଁ ଅନେକ କାର୍ଯ୍ୟ କରିଥିଲେ । ଶାସ୍ତ୍ରୀଜୀଙ୍କ କାର୍ଯ୍ୟକାଳ ସମୟରେ ଭୂତପୂର୍ବ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଗୁଲଜାରୀଲାଲ ନନ୍ଦା ହିନ୍ଦୀର ପ୍ରଚାର ଓ ପ୍ରସାରପାଇଁ ଜନତାର ଧ୍ୟାନ ଆକର୍ଷଣ କରିଥିଲେ; ମାତ୍ର କଂଗ୍ରେସ ଅଧ୍ୟକ୍ଷ ଶ୍ରୀ କାମରାଜ ଓ କଂଗ୍ରେସର କୋଷାଧ୍ୟକ୍ଷ ଶ୍ରୀ ଅତୁଲ୍ୟଘୋଷଙ୍କ ହିନ୍ଦୀ ବିରୋଧୀ ନୀତି ଯୋଗୁଁ ଏହା ଅନୁରୂପ ପ୍ରଗତି କରିପାରି ନଥିଲା ।

 

ହିନ୍ଦୀ ଚଳି ନ ପାରିବାର କାରଣରେ ଆମକୁ କୁହାଯାଇଥିଲା ଯେ ଦକ୍ଷିଣ ଭାରତୀୟଙ୍କ ଉପରେ ହିନ୍ଦୀ ଲଦି ଦିଆଯାଇଛି । ଏ ପ୍ରକାର ଶସ୍ତା ପ୍ରଚାରରେ ପ୍ରଭାବିତ ହୋଇ ଆମେ ମଧ୍ୟ ଭାବିବାକୁ ଆରମ୍ଭ କରି ନେଇଥିଲୁଁ ଯେ ମୋଗଲ ସମ୍ରାଟମାନେ ଦିନେ ଫାର୍ସୀଭାଷାକୁ ଜନସାଧାରଣଙ୍କ ଉପରେ ଲଦି ଦେଇଥିଲେ, ଯାହା ମୋଗଲ ସାମ୍ରାଜ୍ୟର ପତନ ସଙ୍ଗେ ସଙ୍ଗେ ସମାପ୍ତ ହୋଇଗଲା । ଏ କଥା ହିନ୍ଦୀପାଇଁ ମଧ୍ୟ ପ୍ରଯୁଜ୍ୟ ହୋଇପାରେ । ଏ କଥାଟି ଯଦି ତର୍କ ଦୃଷ୍ଟିରୁ ସତ୍ୟ ହୁଏ ତେବେ ଇଂରେଜଙ୍କ ପରେ ଇଂରାଜୀ ସମାପ୍ତ ନ ହୋଇ ବହୁଳ ପ୍ରଚାର ହେଉଛି କିପରି ? ଦକ୍ଷିଣରେ ରାବଣଲୀଳା ଦେଖିବା ପରେ ମୋର କାହିଁକି ଧାରଣା ହେଲା ଯେ କେତେକ ନ୍ୟସ୍ତସ୍ୱାର୍ଥୀ ଫାଇଦା ଉଠାଇବା ପାଇଁ ଏ ପ୍ରକାର ଗୋଟିଏ ଗୋଟିଏ ଫାର୍ସ୍ ଆମକୁ ଦେଖାଇ ଚାଲିଛନ୍ତି । ହିନ୍ଦୀ ଉପରେ ଏସବୁ ଅଭିଯୋଗ ଆକ୍ଷେପମୂଳକ । ଦକ୍ଷିଣରେ ବୁଦ୍ଧିଜୀବୀମାନଙ୍କର ଏ ପ୍ରକାର ଆନ୍ଦୋଳନଗୁଡ଼ିକରେ ଆଦୌ ସମର୍ଥନ ନାହିଁ । ମାତ୍ର ସେମାନଙ୍କ କଥା ଶୁଣୁଛି କିଏ ? ଯେହେତୁ ସେମାନେ ସଂଖ୍ୟାଲଘୁ ।

 

ଦକ୍ଷିଣ ଭାରତପରି ଉତ୍ତର ଭାରତରେ ମଧ୍ୟ ଏ ସଂକ୍ରାନ୍ତୀୟ ଆଉ ଏକ ପ୍ରକାର ସମସ୍ୟା ରହିଛି । ଦକ୍ଷିଣରେ ହିନ୍ଦୀ ଅହିନ୍ଦୀକୁ ନେଇ ଯେଉଁ ବର୍ଗ ସଂଘର୍ଷ ଦେଖାଦେଲା ଉତ୍ତର ଭାରତରେ ହିନ୍ଦୀ ଓ ଊର୍ଦ୍ଦୁକୁ ନେଇ ଠିକ୍‌ ସେପରି ନିରର୍ଥକ ଝଗଡ଼ା ହିନ୍ଦୀର ମାନ୍ୟତାକୁ ନ୍ୟୂନ କରିଦେଲା । ମହାତ୍ମା ଗାନ୍ଧୀଙ୍କର ପରିକଳ୍ପିତ ହିନ୍ଦୀ ଊର୍ଦ୍ଦୁର ସମନ୍ୱୟାତ୍ମକ ଭାଷା ‘‘ହିନ୍ଦୁସ୍ଥାନୀ’’ ନା ହିନ୍ଦୁମାନଙ୍କଦ୍ୱାରା ପସନ୍ଦ ହେଲା ନା ମୁସଲମାନମାନଙ୍କ ପାଇଁ ଗ୍ରହଣୀୟ ହେଲା । ଗାନ୍ଧିଜୀଙ୍କର ଇଚ୍ଛା ଥିଲା ସଂସ୍କୃତନିଷ୍ଠ ହିନ୍ଦୀ ଏବଂ ଊର୍ଦ୍ଦୁନିଷ୍ଟ ହିନ୍ଦୀର ସମ୍ମିଶ୍ରଣରେ ଦୁଇଟି ସମ୍ପ୍ରଦାୟ ମଧ୍ୟରେ ସହାବସ୍ଥାନର ଭାବନା ବଢ଼ିବ । ମାତ୍ର ସେ ଯାହା ଭାବି ନଥିଲେ ତାହାହିଁ ହେଲା ।

 

ମୁସଲମାନମାନଙ୍କୁ ସଂସ୍କୃତନିଷ୍ଠ ହିନ୍ଦୁ(୩୩) ହାରାମ୍‌ପରି ଜଣାପଡ଼ିଲା । ଊର୍ଦ୍ଦୁ ଭାଷାକୁ ଦ୍ୱିତୀୟ ସରକାରୀ ଭାଷା ଭାବରେ ବିହାରରେ କୁଖ୍ୟାତ ଡାଃ ପରୀଦୀଙ୍କ ନେତୃତ୍ୱରେ ‘‘ମଜ୍‌ଲିସ ଏ ମୁଶାବିରାତ୍‌’’ ସମ୍ପ୍ରଦାୟର ଯେଉଁ ଆନ୍ଦୋଳନ ତେଜିଲା ତାହା ରାଷ୍ଟ୍ରୀୟ ଏକତାର କବର ଉପରେ ନିଜ ନ୍ୟସ୍ତସ୍ୱାର୍ଥର ମହଲ ଛିଡ଼ା କରିଦେଲା । ଅନେକ ରାଜନୈତିକ ଦଳ ଭୋଟ ଆଶାରେ ଏହି ବିଘଟନକାରୀ ତତ୍ତ୍ୱର ସମର୍ଥନ କଲେ । ଏହା ଉତ୍ତର ପ୍ରଦେଶକୁ ବ୍ୟାପିଲା । ତତ୍କାଳୀନ ଉତ୍ତର ପ୍ରଦେଶ ଶିକ୍ଷାମନ୍ତ୍ରୀ ଏହା କହିବାକୁ ବାଧ୍ୟ ହେଲେ ଯେ ଊର୍ଦ୍ଦୁର ବିକାଶପାଇଁ ସରକାର ଉଚିତ ସହଯୋଗ ଦେବାକୁ ତତ୍ପର, ତଥାପି ଦ୍ୱିତୀୟ ରାଜଭାଷା ଭାବରେ ଗ୍ରହଣ କରିବାକୁ ସେମାନେ କାହିଁକି ବାଧ୍ୟ କରୁଛନ୍ତି ।

 

କେଉଁ ଆଧାର ଉପରେ ଊର୍ଦ୍ଦୁ ଦ୍ୱିତୀୟ ରାଜଭାଷା ହେବ ତାହା ସେମାନଙ୍କୁ ଜଣା ନଥିଲା । ବିହାର ଓ ଉତ୍ତର ପ୍ରଦେଶ ଦୁଇଟିଯାକ ହିନ୍ଦୀଭାଷୀ କ୍ଷେତ୍ର । ସେଠି ଊର୍ଦ୍ଦୁଭାଷୀ ସଂଖ୍ୟାଧିକ, ଏହା କୁହାଯାଇପାରିବ ନାହିଁ । ବିହାରରେ ମୈଥିଳି ଭାଷାଭାଷୀଙ୍କ ସଂଖ୍ୟା ଊର୍ଦ୍ଦୁଭାଷୀଙ୍କ ତୁଳନାରେ ଅନେକ ଗୁଣରେ ଅଧିକ, ତଦ୍ରୂପ ଉତ୍ତର ପ୍ରଦେଶରେ ପ୍ରଚଳିତ ବ୍ରଜ ବା ଭୋଜପୁରୀ ଭାଷା ଊର୍ଦ୍ଦୁଭାଷୀଙ୍କଠାରୁ ଯଥେଷ୍ଟ ଅଧିକ । ତେବେ ଏହା ସ୍ପଷ୍ଟ ହୋଇଗଲା ଯେ ଏହି ଆନ୍ଦୋଳନ ଲିପିପାଇଁହିଁ ଥିଲା । ଫରାସୀ ଲିପି ସହ ଊର୍ଦ୍ଦୁଭାଷାର ପ୍ରୟୋଗକୁ କେନ୍ଦ୍ର କରି ଅଧିକ ସଂଖ୍ୟକ କହୁଥିବା ହିନ୍ଦୀଭାଷାଙ୍କ ସହ ଅଳ୍ପ ସଂଖ୍ୟକ ଊର୍ଦ୍ଦୁଭାଷୀଙ୍କ ମଧ୍ୟରେ ବିଭାଜନର ଅଗ୍ନି ଜଳୁଥିଲା ।

 

ଉତ୍ତର ପ୍ରଦେଶ ଓ ବିହାରର ଊର୍ଦ୍ଦୁଭାଷୀ ତାଙ୍କ ପ୍ରେରଣା ଡାଃ ଆବଲହକ୍‌କଙ୍କଠାରୁ ପାଇଲେ ଯେ କରାଚୀରୁ ଫେବୃୟାରୀ ୧୫, ୧୯୬୧ରେ ଗାଲିବ ଦିବସ ଉପଲକ୍ଷେ ଭାଷଣ ଦେଇଥିଲେ :–ପାକିସ୍ଥାନ ମିଃ ଜିନ୍ନାଙ୍କଦ୍ୱାରା ସୃଷ୍ଟି ହୋଇ ନାହିଁ, ବରଂ ଏହା ଊର୍ଦ୍ଦୁଦ୍ୱାରାହିଁ ସୃଷ୍ଟି ହୋଇଛି । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପ୍ରକୃତ ବିଭେଦଟା ହେଉଛି ଊର୍ଦ୍ଦୁ । ଦ୍ୱିରାଷ୍ଟ୍ର ସିଦ୍ଧାନ୍ତ ଓ ଯେପରି ଅନ୍ୟାନ୍ୟ କଥା ଊର୍ଦ୍ଦୁଦ୍ୱାରା ସମ୍ଭବ ହୋଇଛି ଏ ଦୃଷ୍ଟିରୁ ପାକିସ୍ଥାନ ଊର୍ଦ୍ଦୁ ପ୍ରତି କୃତଜ୍ଞ ହେବା ଉଚିତ, କାରଣ ଏହାର ଅସ୍ତିତ୍ୱ ଊର୍ଦ୍ଦୁପାଇଁହିଁ ସମ୍ଭବ ହୋଇଛି । ଏ ଭାଷଣଟି ପ୍ରସିଦ୍ଧ ଲିଗ ପତ୍ର ‘‘ଡାନ’’ରେ ଓ ହିନ୍ଦୁସ୍ଥାନ ଟାଇମସରେ ମଧ୍ୟ ପ୍ରକାଶ ପାଇଥିବା କଥା ‘‘ଅର୍ଥାନାଇଜର’’ ଫେବୃଆରୀ ୨୬, ୧୯୬୭ରେ ଉଲ୍ଲେଖ କରାଯାଇଥିଲା ।

 

ତେବେ ଏସବୁ କାରଣ ଉପୁଜିବା ସତ୍ତ୍ୱେ ରାଷ୍ଟ୍ରଭାଷା ନିର୍ବାଚନରେ ଆମେ ସଚେତନ ହୋଇପାରୁ ନାହୁଁ । ଆମେ ଏ ପ୍ରକାର ଏକଭାଷାକୁ ରାଷ୍ଟ୍ରଭାଷା ଭାବରେ ଗ୍ରହଣ କରି ନେଇ ପାରୁଥାନ୍ତୁ, ଯେଉଁଥିପାଇଁ ସମସ୍ତଙ୍କୁ ସମାନ ପରିଶ୍ରମ ପଡ଼ିଥାନ୍ତା । କୌଣସି ପ୍ରଦେଶରେ ଭାଷାକୁ ନେବାଦ୍ୱାରା ଏପ୍ରକାର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । ଭାରତୀୟ ସଂସ୍କୃତିର ଆତ୍ମାସ୍ୱରୂପ ସଂସ୍କୃତ ଭାଷାକୁ ଯଦି ରାଷ୍ଟ୍ରୀୟ ସମ୍ମାନ ଦିଆଯାଇପାରିଥାନ୍ତା । ତାହାହେଲେ ରାଷ୍ଟ୍ରଭାଷା ନେଇ ଏତେଟା ବିରୋଧ ସହ୍ୟ କରିବାକୁ ପଡ଼ି ନଥାନ୍ତା । ଭାରତର ପ୍ରତ୍ୟେକ ଭାଷାର ଜନନୀ ହେଉଛି ସଂସ୍କୃତ । ଏଦୃଷ୍ଟିରୁ ଭାଷାଗୁଡ଼ିକ ପରସ୍ପରର ଶତ୍ରୁ ନୁହନ୍ତି ବରଂ ପରସ୍ପରର ଭଗିନୀ । ଏହାର ଅନେକତା ଏକ ସମସ୍ୟା ନୁହେଁ ବରଂ ବରଦାନ ।

 

ସଂସ୍କୃତର ବିଶେଷତ୍ୱ ଉପରେ ଅନେକ କିଛି ଲେଖାଯାଇପାରେ । ସଂକ୍ଷିପ୍ତରେ ସମସ୍ତ ଭାବବ୍ୟକ୍ତ କରିବାପାଇଁ ଯଦି କୌଣସି ଭାଷା ସକ୍ଷମତା ହାସଲ କରିଛି ବୋଲି କୁହାଯାଏ ତାହାହେଲେ ତାହା ସଂସ୍କୃତ ବୋଲି ବୁଝିବାକୁ ହେବ । କେବଳ ଭାରତର ନୁହେଁ ସମଗ୍ର ବିଶ୍ୱର ଭାଷାକୁ ଯଦି କୌଣସି ଭାଷା ବିକଶିତ କରିଥାଏ ତାହା ସଂସ୍କୃତ ବୋଲି କୁହାଯାଇପାରିବ । ସଂସ୍କୃତ ଏକ କଠିନ ଭାଷା ବୋଲି ଯେଉଁମାନେ ତାକୁ ଶିକ୍ଷା କ୍ଷେତ୍ରରୁ ବିଦାୟ ଦେବାକୁ ଚେଷ୍ଟା କରନ୍ତି ସେମାନେ ବର୍ତ୍ତମାନ ପୃଥିବୀର ଏକ ବିଶିଷ୍ଟ ବୈଜ୍ଞାନିକ ଭାଷା, ରୁଷଭାଷା ପ୍ରତି ଦୃଷ୍ଟିପାତ କଲେ ଦେଖିବେ ଯେ ରୁଷଭାଷା ସଂସ୍କୃତ ଭାଷାଠାରୁ କୌଣସି ଗୁଣରେ ସରଳ ନୁହେଁ । ଏତଦ୍‌ବ୍ୟତୀତ ଉଭୟ ଭାଷା ମଧ୍ୟରେ ଏତେ ସାମ୍ୟ ରହିଛି ଯେ ସଂସ୍କୃତର ଛାତ୍ରକୁ ରୁଷଭାଷା ପଢ଼ିବାରେ କଷ୍ଟ ପଡ଼େନାହିଁ ।

 

ଗୋଟିଏ ପରିବାରରେ ଅନେକ ସଦସ୍ୟର ପରପ୍ପର ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ଚଳିବାପରି ଗୋଟିଏ ରାଷ୍ଟ୍ରରେ ଅନେକ ଭାଷା ରହିବ । ଏହା ସତ୍ତ୍ୱେ ଗୋଟିଏ ରାଷ୍ଟ୍ରର ଗୋଟିଏ ଭାଷା ଏହାର ରାଷ୍ଟ୍ରଭାଷା ହେବା ଉଚିତ । ଯେତେବେଳେ ଆମ ନେତୃବର୍ଗ ସଂସ୍କୃତ ପରି ଏକ ନିତ୍ୟ ବୈଜ୍ଞାନିକ ଭାଷାକୁ ଧାର୍ମିକ ବା କାଠିନ୍ୟ ଦୃଷ୍ଟିକୋଣରୁ ଅଗ୍ରାହ୍ୟ କରି ହିଂଦୀକୁ ରାଷ୍ଟ୍ରୀୟ ସମ୍ମାନ ଦେଇ ସାରିଛନ୍ତି । ସେ ଉପରେ ଆଗକୁ କିଛି କହିବା ସମୀଚୀନ ନଭାବି ହିନ୍ଦୀ ସପକ୍ଷରେ କିଛି କହିବାକୁ ମୁଁ ଉଚିତ ମନେ କରିବି । ମୁଁ ଯଦି ହିନ୍ଦୀକୁ ଭାରତର ସମ୍ପର୍କ ଭାଷା ଓ ସଂସ୍କୃତକୁ ରାଷ୍ଟ୍ରଭାଷା ହୋଇଥିଲେ ଭାରି ଭଲ ହୋଇଥାନ୍ତା ବୋଲି ପଦେ କହେଁ ତାହାହେଲେ ଅଖିଳ ଭାରତୀୟ ହିନ୍ଦୀ ସମ୍ମେଳନ, କାଶୀନଗରୀ ପ୍ରଚାରିଣୀ ସଭା, ରାଷ୍ଟ୍ରଭାଷା ପ୍ରଚାର ସମିତି, ଦକ୍ଷିଣ ଭାରତ ହିନ୍ଦୀ ପ୍ରଚାର ସମିତି କିମ୍ୱା ହିନ୍ଦୁସ୍ଥାନୀ ପ୍ରଚାର ସମିତି ମତେ କ୍ଷମା ଦେବେ ନାହିଁ ।

 

ରାଷ୍ଟ୍ରଭାଷା ହିନ୍ଦୀ ନା ସଂସ୍କୃତ ଏ ଉପରେ ଆଲୋଚନା କରି ମୁଁ ସମୟର ଦୁରୁପଯୋଗ କରିବା ଅପେକ୍ଷା ମୁଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କିଛି କହିବାକୁ ଚାହେଁ । ତାହାହେଲେ ଭାରତ ପରି ବହୁଭାଷୀ ରାଷ୍ଟ୍ରରେ ଗୋଟିଏ ରାଷ୍ଟ୍ରଭାଷାର ପ୍ରକୃତରେ କ’ଣ ଆବଶ୍ୟକତା ରହିଛି ? ଏହା ସମ୍ଭବବି ? ଯେଉଁମାନେ ଏହା ପ୍ରଚାର କରୁଛନ୍ତି ଯେ ଭାରତରେ ଅନେକଗୁଡ଼ିଏ ଭାଷା ଓ ଉପଭାଷାହିଁ ଭାଷା ସମସ୍ୟାର ମୁଖ୍ୟ କାରଣ । ସେମାନଙ୍କୁ ଏଠାରେ ମୋର ଗୋଟିଏ କଥା କହିବାର ଅଛି ଯେ ଭାରତ କେବଳ ଗୋଟିଏ ରାଷ୍ଟ୍ର ନୁହେଁ ଯେଉଁଠି ଅନେକଗୁଡ଼ିଏ ଭାଷା ଅଛି ? ରୁଷ, ଆମେରିକା, ଚୀନ ପରି ବଡ଼ବଡ଼ ଦେଶରେ ମଧ୍ୟ ଭାରତ ପରି ଅନେକ ଭାଷା ରହିଛି ।

 

ସଂଯୁକ୍ତ ରାଷ୍ଟ୍ର ଆମେରିକାର ଉଦାହରଣ ନିଅନ୍ତୁ । ସଂସାରରେ ସବୁ ଭାଷାଭାଷୀ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସି ଏହି ରାଷ୍ଟ୍ର ଗଠନ କରିଛନ୍ତି । ସେମାନେ ନିଜ ସହ ସ୍ୱମାତୃଭାଷାକୁ ସ୍ୱ ସ୍ୱ ମାତୃଭୂମିରୁ ଆଣି ଏଠାକୁ ଆସିଥିଲେ । ଆମେରିକାର ପ୍ରଥମ ଅଧିବାସୀ ଇଟାଲୀୟନ୍‌ ଆମେରିକେନ୍‌ଙ୍କ ଭାଷା ସହିତ ପରବର୍ତ୍ତୀ ଇରିସ୍ ଆମେରିକାନ୍‍ଙ୍କ ଭାଷାରେ ବିରାଟ ପାର୍ଥକ୍ୟ । ଏହି ଆସିଥିବା ବ୍ୟକ୍ତିଗଣ ରାଷ୍ଟ୍ରଭାଷା ଆମେରିକାନ (ଇଂରାଜୀ) ଭାଷାର ଉପଯୋଗ ସାମାନ୍ୟ ପରିମାଣରେ କରନ୍ତି କିନ୍ତୁ ମାତୃଭାଷାର ପ୍ରୟୋଗ ନିଜ ଘରେ ନିୟମିତ କରିଥାନ୍ତି । ଭାଷାର ବିଭିନ୍ନତା ସଂଯୁକ୍ତ ରାଷ୍ଟ୍ର ଆମେରିକା ପାଇଁ କୌଣସି ପ୍ରକାର ସମସ୍ୟା ଉତ୍ପନ୍ନ କରି ନାହିଁ ।

 

ଦକ୍ଷିଣ ଆମେରିକାର ସୁରିନାମ ପରି ଡଚ୍‌ ପ୍ରଦେଶ, ଯେଉଁଠି ଦଶଲକ୍ଷ ଜନସଂଖ୍ୟାରୁ ୩୮% ଭାରତୀୟ ଅନୁବନ୍ଧି ଶ୍ରମିକଙ୍କ ବଂଶଜ, ଅବଶିଷ୍ଟ ଅନେକ ନିଗ୍ରୋ ଆଫ୍ରିକାରୁ ଦାସଭାବରେ ଅଣାଯାଇଥିବା ବଂଶଜ ଅଛନ୍ତି । ଭାରତୀୟମାନେ ହିନ୍ଦୀ କୁହନ୍ତି ଏବଂ ନିଗ୍ରୋମାନେ ‘‘ନିଗର ଇଂଲିଶ୍’’ ନାମକ ଇଂରାଜୀର ଅପଭ୍ରଂଶଭାଷାର ପ୍ରୟୋଗ କରନ୍ତି ଏବଂ ସେଠି ରାଜଭାଷା ଡଚ୍‌ର ବ୍ୟବହାର ହୁଏ । ହିନ୍ଦୀ ସୁରିନାମର ଦ୍ୱିତୀୟ ରାଜଭାଷା । ପ୍ରତ୍ୟେକ ଡାକଘର ବା ସରକାରୀ କାର୍ଯ୍ୟାଳୟରେ ହିନ୍ଦୀ କହିବା ଲୋକ ଜନତାର ସେବାପାଇଁ ଏକ ବା ଅଧିକ ଦ୍ୱିଭାଷୀ ନିଯୁକ୍ତି ହୋଇଥାନ୍ତି । କାହିଁ ସେଠିତ ଭାଷା ସମସ୍ୟା ଉପୁଜୁ ନାହିଁ ।

 

ପଡ଼ୋଶୀ ଦେଶ ଚୀନର ଉଦାହରଣ ନିଅନ୍ତୁ । ଚୀନରେ ଭାରତପରି ଅନେକ ଭାଷା ରହିଛି । ଦକ୍ଷିଣ ଚୀନରେ ରହୁଥିବା ଲୋକେ ଉତ୍ତର ଚୀନ ଭାଷା କହୁଥିବା ଲୋକଙ୍କ ସହ ସମ୍ଭାଷଣ କରିପାରନ୍ତି ନାହିଁ । ଭାଷାଗୁଡ଼ିକର ଶୈଳୀ ମଧ୍ୟ ପୃଥକ୍‌ । ଏହାସତ୍ତ୍ୱେ ମନ୍ଦ୍ରିନ୍‌ ଚିନୀ ସେଠାରେ ରାଜଭାଷା ଭାବରେ ବ୍ୟବହୃତ ହୁଏ । ‘‘ମନ୍ଦ୍ରିନ’’ ଶବ୍ଦ ସଂସ୍କୃତ ‘‘ମନ୍ତ୍ରୀ’’ ବା ଭଦ୍ରପୁରୁଷରୁ ଆସିଛି । ଏହା ଉତ୍ତର ଚୀନର ପେକିଂ ନ୍ୟାୟାଳୟରେ ବୋଲାଯାଉଥିବା ଭାଷା । ଏହାବ୍ୟତୀତ ମେଞ୍ଚୁରିୟନ, କେଣ୍ଟୋନିଜ୍‌, ହୋଇକା ଆଦି ଭାଷା ସ୍ୱ ସ୍ୱ କ୍ଷେତ୍ରରେ ବ୍ୟବହାର କରାଯାଏ ।

 

ରୁଷିଆରେ ୧୩୦ଟି ଭାଷା ରହିଛି । ତନ୍ମଧ୍ୟରୁ ୨୦ଟି ଭାଷା ଲିଖିତ ଓ ପ୍ରତିଷ୍ଠିତ । ୧୯୧୭ ବିପ୍ଳବ ପରେ ଥନ୍ୟ ୫୫ଟି ଭାଷା ଲିଖିତ ଭାଷା ଭାବରେ ଗଣ୍ୟ ହୋଇଛି । ଏଣୁ ଭାରତ କେବଳ ଯେ ଏପ୍ରକାର ବହୁଭାଷା ସମସ୍ୟାର ସମ୍ମୁଖୀନ ଏହା କିପରି ମାନି ନିଆଯାଇପାରିବ ? ଚୀନରେ ଅନେକଗୁଡ଼ିଏ ଭାଷା ଥିବାସତ୍ତ୍ୱେ ଯେଉଁଠି ଉତ୍ତର ଚୀନର ମନ୍ଦ୍ରିନ ଭାଷା ସମଗ୍ର ଚୀନର ରାଜଭାଷା ଭାବରେ ଗ୍ରହଣ କରାଯାଇପାରୁଛି, ସେ କ୍ଷେତ୍ରରେ ଉତ୍ତର ଭାରତର ଅନେକ ପ୍ରାନ୍ତରେ ବ୍ୟବହୃତ ହେଉଥିବା ହିନ୍ଦୀକୁ ଭାରତର ରାଷ୍ଟ୍ରଭାଷା କରିବାରେ ଏତେ ଅଭିଯୋଗ କାହିଁକି ?

 

ସମସ୍ୟା ତ ଆସେ ଯେତେବେଳେ ଆମେ ଭାରତକୁ କୌଣସି ଏକ ୟୁରୋପୀୟ ଦେଶ ବା ଭାଷା ସହ ତୁଳନା କରିବସୁ । ଭାରତର ତୁଳନା ସମଗ୍ର ୟୁରୋପସହ କରାଯିବା ଉଚିତ-। ୟୁରୋପରେ ପ୍ରାୟ ୫୦ କୋଟି ଜନସଂଖ୍ୟା ଓ ୧୫ଟି କଥିତସହ ଦୁଇଟି ପୁରାତନ ଭାଷା ଗ୍ରୀକ୍‌ ଓ ଲାଟିନ୍ ରହିଛି । ୟୁରୋପ ଭାରତ ପରି ଏକ ରାଷ୍ଟ୍ର ମାତ୍ର ତଫାତ୍‌ ଏତିକି ଯେ ଭାରତ ରାଜନୈତିକ ଦୃଷ୍ଟିରୁ ୟୁରୋପଠାରୁ ଅଧିକ ଉନ୍ନତ । ଏହାର ଜନସଂଖ୍ୟା ୟୁରୋପର ଜନସଂଖ୍ୟା ସହ ପ୍ରାୟ ସମାନ । ୟୁରୋପରେ ଥିବା ବହୁଭାଷା, ବିଭିନ୍ନ କଲା ଓ ବହୁବିଧ ପରମ୍ପରା ପରି ଏହାର ଭାଷା, କଳା ଓ ପରମ୍ପରା । ଦୁଇ ଡଜନ୍ ରାଜ୍ୟରେ ବିଭକ୍ତ ହୋଇ ୟୁରୋପବାସୀ ପରସ୍ପର ଲଢ଼େଇ କରିବାରେ ବ୍ୟସ୍ତ ଥିବାବେଳେ ୟୁରୋପକୁ ଏକ ରାଷ୍ଟ୍ର ଭାବରେ ଏକତ୍ର କରିବାକୁ ବହୁ ସମୟ ଲାଗିବ; ଯେଉଁ କ୍ଷେତ୍ରରେ ଭାରତ ଏକ ସ୍ୱତନ୍ତ୍ର ସାର୍ବଭୌମ ଗାଣତାନ୍ତ୍ରିକ ରାଷ୍ଟ୍ରରୂପେ ଘୋଷିତ ହୋଇସାରିଛି । ଏପ୍ରକାର ସାମ୍ୟତ୍ୱ ଓ ପାର୍ଥକ୍ୟ ଥିବା ସତ୍ତ୍ୱେ ଫ୍ରାନ୍‌ସର ଜଣେ ପତ୍ରବନ୍ଧୁ ମୋ ପାଖକୁ ଏକ ପତ୍ରରେ ଲେଖିଥିଲେ ଯେ ଆମ ଦେଶର ଉତ୍କଟ ଭାଷା ସମସ୍ୟା ପତ୍ରପତ୍ରିକାରେ ପଢ଼ି ସେମାନେ ନ ହସି ରହିପାରୁ ନାହାନ୍ତି । ଏହା ଅର୍ଥ ସେ କହିବାକୁ ଚାହୁଁଥିଲେ ଯେ ଫ୍ରାନ୍‌ସରେ ସେପ୍ରକାର ସମସ୍ୟା ନାହିଁ । ତାଙ୍କ ପତ୍ରଟିର ଉତ୍ତରରେ ମୁଁ ଲେଖିଲି–ଆପଣମାନେ ଆମର ଭାଷା ସମସ୍ୟାକୁ ହସରେ ଉଡ଼ାଇ ଦେଉଛନ୍ତି । ଏଥିରେ କହିବାର କିଛି ନାହିଁ । ଫ୍ରାନ୍‌ସ ଆମ ଦେଶରେ ଏକ ପ୍ରଦେଶ ସହ ତୁଳନୀୟ । ଆପଣମାନେ ଭୁଲି ଯାଉଛନ୍ତି ଯେ ଯେତେବେଳେ ୟୁରୋପ ଏକ ରାଷ୍ଟ୍ର ହେବାର ପ୍ରସଙ୍ଗ ଉଠିବ, ୟୁରୋପର ଏକତ୍ରିକରଣରେ ଭାଷାଗୁଡ଼ିକ ନିଶ୍ଚିତରୂପେ ଏକ ସମସ୍ୟା ହୋଇ ଛିଡ଼ା ହେବ । ସେତେବେଳେ ଆମେ ମଧ୍ୟ ଆପଣଙ୍କ ଭାଷା ସମସ୍ୟାରେ ନ ହସି ରହିପାରିବୁ ନାହିଁ ।

 

ବସ୍ତୁତଃ ଏ ସମସ୍ୟା ବହୁଭାଷାର ସମସ୍ୟା ନୁହେଁ । ସମସ୍ୟାର କାରଣ ଅନ୍ୱେଷଣ କଲେ ଜଣାଯାଏ ଯେ ଆମ ଭାଷା ଭିତ୍ତିକ ପ୍ରଦେଶ ଗଠନହିଁ ଏଥିପାଇଁ ପୂର୍ଣ୍ଣତଃ ଦାୟୀ । ସରଦାର ପଟେଲ ଠିକ୍‌ ବୁଝିଥିଲେ ଯେ ଭାଷାନିଷ୍ଠ ବ୍ୟକ୍ତିହିଁ ରାଷ୍ଟିୟତାର ହତ୍ୟାକାରୀ ଅଟନ୍ତି । ତାଙ୍କ ମୃତ୍ୟୁ ପରେ ପରେ ଏ ବିଚାରର ମଧ୍ୟ ମୃତ୍ୟୁ ହେଲା । ୧୯୫୩ରେ ଆନ୍ଧ୍ର ଭାଷାବାଦ ଉପରେ ଯେପରି ରାଜ୍ୟ ଗଠନପାଇଁ ଆନ୍ଦୋଳନ ହେଲା ପଞ୍ଜାବର ବିଭାଜନ ମଧ୍ୟ ଠିକ୍‌ ସେହି ପ୍ରକାରେ ହେଲା । ଏପ୍ରକାର ଭାଷାବାଦ ନେଇ ଆମେ ପରସ୍ପର ବିବାଦ କରି ବସିଲୁ । ଏକ ସୁଦୃଢ଼ ଭୌଗଳିକ ସୀମା ମଧ୍ୟରେ ରହି ମଧ୍ୟ ଆମେ ଆମର ସାଂସ୍କୃତିକ ଏକତା ହଜାଇ ବସିଲୁ । ବିଶ୍ୱର ଦୂର ଦୂରରେ ଥିବା ଦ୍ୱୀପଗୁଡ଼ିକରେ ଯେଉଁ ସମସ୍ୟା ଦେଖାଯାଉ ନାହିଁ ସେ ପ୍ରକାର ସମସ୍ୟା ବିଶାଳ ଅଖଣ୍ତ ଭାରତବର୍ଷରେ ଦେଖାଦେଲା ।

Image

 

କାଳିଦାସ ପାଠକଙ୍କ ଦୃଷ୍ଟିରେ ସେକ୍‌ସପିୟର

 

କାଳିଦାସଙ୍କୁ ଭାରତର ସେକ୍‌ସପିୟର ଓ ସେକ୍‌ସପିଅରଙ୍କୁ ଇଂଲଣ୍ତର କାଳିଦାସ ବୋଲି କୁହାଯାଏ । ଏପ୍ରକାର ମନ୍ତବ୍ୟ ଦେବାଦ୍ୱାରା ପ୍ରାଚ୍ୟ ଓ ପାଶ୍ଚାତ୍ୟର ଦୁଇଟି ମହାନ୍‌ ନାଟ୍ୟକାରଙ୍କୁ ଆମେ ଖୁବ୍‌ ପାଖେଇ ଆଣୁ ଏବଂ ସେମାନଙ୍କ ମାଧ୍ୟମରେ ଦୁଇଦେଶ ମଧ୍ୟରେ ଏକ ସୁଦୃଢ଼ ସାହିତ୍ୟିକ ସେତୁ ନିର୍ମାଣ କରୁ । କାଳିଦାସଙ୍କ ପରି ନାଟ୍ୟକାରଙ୍କୁ ଏ ଦେଶ ଜନ୍ମ ଦେଇ ପାରିବ କି ନା ସନ୍ଦେହ, ତଦ୍ରୂପ ସେକ୍‌ସପିୟରଙ୍କ ଆଡ଼କୁ ମୁହଁ କରି ମଧ୍ୟ ଆମେ ଠିକ୍‌ ସେଇଆ କହିପାରିବୁ ।

 

ଏ ସାହିତ୍ୟିକ ଜଗତର ଦୁଇ ଜ୍ୟୋତିଷ୍କଙ୍କ ସମ୍ପର୍କରେ ଅନେକ କିଛି କୁହାଯାଇପାରିବ, ଅନେକ କିଛି ଲେଖାଯାଇପାରିବ । ଆବିର୍ଭାବ କାଳ ମଧ୍ୟରେ ଯଦିଓ ଦୁହିଁଙ୍କ ମଧ୍ୟରେ ଶହ ଶହ ବର୍ଷର ବ୍ୟବଧାନ ଥିଲା ତେବେ ପ୍ରାରମ୍ଭିକ ଜୀବନ ଓ କୃତି ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ପରିଲକ୍ଷିତ ହୁଏ । ଦୁହିଁଙ୍କ ଜୀବନର ନିରକ୍ଷରତା ପ୍ରଥମରୁ ସେମାନଙ୍କୁ ଆଲୋକ ସନ୍ଧାନପାଇଁ ବ୍ରତୀ କରାଇଥିଲା । ସ୍ୱଗ୍ରାମ ଛାଡ଼ି, ସେକ୍‌ସପିୟର ଲଣ୍ତନରେ ନିଜକୁ ଘୋଡ଼ାଜଗାଳିଭାବେ ବ୍ୟସ୍ତ ରଖିବା ମଧ୍ୟରେ ନାଟକ ଦେଖି ନାଟକ ଲେଖିବାର ଇଚ୍ଛା ପୋଷଣ କଲେ ତ ମହାମୂର୍ଖ କାଳିଦାସ ସ୍ତ୍ରୀ ଗୋଇଠା ଖାଇ ‘‘ଅସ୍ତି କଶ୍ଚିତ୍‌ବାକ୍‌ ବିଶେଷଃ ?’’ ପରେ ଚାରୋଟି ଅପ୍ରତିଦ୍ୱନ୍ଦ୍ୱୀ ସାହିତ୍ୟିକ ସନ୍ତାନର ଜନକ ହେଲେ ।

 

ସେମାନଙ୍କ ବହୁମୁଖୀ ପ୍ରତିଭାକୁ ଆମ ହ୍ରାସବାଦୀ ଦୁନିଆ ସନ୍ଦେହ କଲା । ଜଣେ ସେକ୍‌ସ୍‌ପିୟର ଏତେଗୁଡ଼ିଏ ନାଟକ ଓ ସନେଟ୍‌ର ଜନକ ହୋଇ ନ ପାରନ୍ତି ଏ ସନ୍ଦେହରେ ସନ୍ଦେହୀ ଜଗତ ଗୋଟିଏ ସେକ୍‌ସ୍‌ପିୟର ପରିବର୍ତ୍ତେ ତିନୋଟି ସେକ୍‌ସ୍‌ପିୟରଙ୍କୁ ପୁସ୍ତକାଳୟରେ ଜନ୍ମ ଦେଲା । ଗବେଷକଗଣ ଫ୍ରାନ୍‌ସିସ୍‌ ବେକନ୍‌, ଆର୍ଲ ଅଫ୍‌ ଅକସଫୋର୍ଡ଼, ଓ ତ୍ରୀଷ୍ଟୋଫର୍‌ ମାର୍ଲୋଙ୍କୁ ସେକ୍‌ସ୍‌ପିଅରଙ୍କ ପ୍ରତିଭାର ଶ୍ରେୟ ବାଣ୍ଟିଲେ । ଏହା ସଙ୍ଗେ ସଙ୍ଗେ କାଳିଦାସ ଜଣେ ନ ହୋଇ ଚାରିଜଣ ଭାବରେ ଆମ ଆଗରେ ଉଭା ହେଲେ ।

 

ଇଂଲଣ୍ତପାଇଁ ସେକ୍‌ସ୍‌ପିୟର ଯାହା, ଭାରତପାଇଁ କାଳିଦାସ ତାହା । ଯଦି ଆମେ ଏ ଦୁଇ ପ୍ରତିଭାଙ୍କୁ ତରାଜୁର ଦୁଇ ପାଖରେ ରଖି ତୁଳନା କରୁ ତାହାହେଲେ ସେକ୍‌ସପିୟର ନିଶ୍ଚୟ ତରାଜୁର ଉପରକୁ ଉଠିଯିବେ, ଏବଂ ଆମେ ଜାଣିପାରିବୁ ଯେ କାଳିଦାସ ସେକ୍‌ସପିୟର ନୁହନ୍ତି ନା ସେକ୍‌ସପିୟର ମଧ୍ୟ କାଳିଦାସ ହୋଇ ନ ପାରନ୍ତି । ଏହାସତ୍ତ୍ୱେ ଗୋପାଳ ରାଓଙ୍କ ପରି ଆଲୋଚକ ପାଶ୍ଚାତ୍ୟ ପକ୍ଷରୁ ଓକିଲାତି କରି କୁହନ୍ତି–ସେକ୍‌ସ୍‌ପିୟରଙ୍କ ମସ୍ତିଷ୍କର ଏକ ଅଂଶରୁ ତୁମେ କାଳିଦାସଙ୍କୁ ସୃଷ୍ଟି କରିପାରିବ, ଯାହା ରାମସ୍ୱାମୀ ଶାସ୍ତ୍ରୀ ତାଙ୍କ କାଳିଦାସ (୨ଭାଗ ପୃ ୧୧୮)ରେ ଉଲ୍ଲେଖ କରିଛନ୍ତି ।

 

ଗୋପାଳ ରାଓଙ୍କ ପରି ଅଭିମତ ଦେବାର ଧୃଷ୍ଟତା ମୁଁ କରିପାରିବି ନାହିଁ । ଇଂରାଜୀ ସାହିତ୍ୟର ଜଣେ ଛାତ୍ର ହିସାବରେ ସେକ୍‌ସ୍‌ପିୟର ମୋପାଇଁ ଯେତେ ପ୍ରିୟ କାଳିଦାସ ମଧ୍ୟ ସେପରି ପ୍ରିୟ । ସମାଲୋଚକର ଧର୍ମରକ୍ଷା କରି ଯେତେବେଳେ ସେକ୍‌ସ୍‌ପିୟରଙ୍କ ନାଟକ ବିଚାର କରିବାକୁ ଯାଏଁ ସେତେବେଳେ ସେ ମୋ ଆଗରେ ଜଣେ ସାଧାରଣ ନାଟକ ଲେଖାଳିଭାବେ ଉଭା ହୁଅନ୍ତି ନାହିଁ ବରଂ ଜଣେ ଶକ୍ତିଶାଳୀ ଦାର୍ଶନିକ ଓ ଦ୍ରଷ୍ଟାଭାବେ ଶୋଭାପାନ୍ତି । ତାଙ୍କ ନାଟକ ଅଧିକ ବିସ୍ତୀର୍ଣ୍ଣ, ପ୍ରଶସ୍ତ ଓ ବିବିଧତାର ଏକ ସୁନ୍ଦର ସମାରୋହ ଭାବରେ ପାଠକର ରୁଚିରେ ସମୟର ବାଡ଼ ଡେଇଁ ବିଶ୍ୱଜନୀନ ହୋଇ ଉଠେ । ବେଡ଼ଲେ ବା ଇନ୍‌ଗରସଲ ତାଙ୍କୁ ଯେଉଁ ଦୃଷ୍ଟିରୁ ବିଚାର କରିଛନ୍ତି, ସେ ସେଥିରୁ ମଧ୍ୟ ଅଧିକ ସମ୍ପନ୍ନ ଥିଲେ । ଜୀବନର ବିପନ୍ନତା, ବିବଶତାର ଚିତ୍ରଣ କରିବାରେ ଓ ଇତିହାସର କଞ୍ଚାମାଲକୁ ନେଇ ସେଥିରେ ସୁନ୍ଦର ସାମଗ୍ରୀ ତିଆରି କରିବାରେ ମଧ୍ୟ ସେଥିଲେ ମୌଳିକ ଏବଂ ଅଦ୍ୱିତୀୟ । ଅପରପକ୍ଷେ କାଳିଦାସଙ୍କ କାବ୍ୟକୃତି, ପ୍ରକୃତି ଚିତ୍ରଣ ଓ ମାନବ ଜୀବନ ମଧ୍ୟରେ ପ୍ରକୃତିର ପ୍ରସଙ୍ଗ ଉପସ୍ଥାପିତ କରିବାରେ ସେକ୍‌ସ୍‌ପିରଙ୍କଠାରୁ କିଛିଟା ସ୍ୱାତନ୍ତ୍ର୍ୟ ରକ୍ଷା କରନ୍ତି । କାଳିଦାସଙ୍କ ହୃଦୟରେ ସତ୍ୟ, ସହାନୁଭୂତି, ସଂସ୍କୃତି, ସମାଜ ଏବଂ ସାରସ୍ୱତ ସାହିତ୍ୟର ଯେଉଁ ଶାଶ୍ୱତ ଅଭିଳାଷ, ସେକ୍‌ସ୍‌ପିୟରଙ୍କ ଜୀବନରେ ସେ ପରିବେଶ ଓ ସୁଯୋଗ ବା କାହିଁ ?

 

ମନୁଷ୍ୟ ପ୍ରତି ଦୁହେଁ ସମୁଜ୍ଜ୍ୱଳ ମାତ୍ର ଦୃଷ୍ଟିକୋଣରେ ଟିକେ ଭିନ୍ନ । ହେମଲେଟ୍‌ ନାଟକରେ ମନୁଷ୍ୟ ପ୍ରତି ସ୍ୱାଭାବିକ ଦୃଷ୍ଟି ଦେଇ ସେକ୍‌ସ୍‌ପିୟର କହନ୍ତି–‘‘ହ୍ୱାଟ୍‌ ଏ ପିସ୍‌ ଅଫ୍‌ ୱାର୍କ ଇଜ୍‌ମେନ୍‌ ! ହାଉ ନୋବେଲ ଇଜ୍‌ ରିଜନ୍‌ ହାଉ ଇନ୍‌ଫାଇନାଇଟ୍‌ ଇନ୍‌ ଫେକଲ୍‌ଟିଜ୍‌ ! ଇନ୍‌ଫର୍ମ ଏଣ୍ତ ମୁଭିଙ୍ଗ, ହାଉ ଏକ୍‌ସପ୍ରେସ୍‌ ଏଣ୍ତ ଏଡ଼୍‍ମିରେବ୍‌ଲ୍‌ । ଇନ୍‌ ଏକ୍‌ସନ୍‌, ହାଉ ଲାଇକ୍‌ ଏନ୍‌ ଏନ୍‌ଜେଲ୍‌ । ଇନ୍‌ ଏପ୍ଳିକେସନ୍‌ ହାଉ ଲାଇକ୍‌ ଏ ଗଡ଼ ! ଦି ବିଉଟି ଅଫ୍‌ ଦି ୱାରଲ୍‌ଡ଼ ! ଦି ପାରାଗନ୍‌ ଅଫ୍‌ ଏନିମଲସ୍‌’’ ‘‘ମନୁଷ୍ୟ କି ଅଦ୍ଭୁତ ରଚନା ! ବିବେକରେ କିପରି ଶ୍ରେଷ୍ଠ ! କ୍ଷମତାରେ କେତେ ଅସୀମ ! ରୂପ ଓ ସଞ୍ଚାରରେ କେତେ ସ୍ପଷ୍ଟ ଓ ପ୍ରଶନ୍ତ ! କାର୍ଯ୍ୟରେ କେତେ ଦେବୋପମ ! ହୃଦୟଙ୍ଗମ କରିବାରେ କେତେ ଈଶ୍ୱର ତୁଲ୍ୟ ! ସଂସାରର ସୌନ୍ଦର୍ଯ୍ୟ ! ପ୍ରାଣୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ !’’ (୨ୟ ଅଙ୍କ ୨ୟ ଦୃଶ୍ୟ ) ।

 

କାଳିଦାସ ମଧ୍ୟ ମନୁଷ୍ୟକୁ ସେକ୍‌ସ୍‌ପିୟରଙ୍କ ପରି ଭଲପାନ୍ତି । ମାଟିର ଅନ୍ତରତମ ସାର ବୋଲି ମନୁଷ୍ୟକୁ ଭାବନ୍ତି ଏବଂ ମନୁଷ୍ୟକୁ ଦେଖିବାମାତ୍ରେ ପ୍ରସନ୍ନ ହୋଇଯାନ୍ତି । ମନୁଷ୍ୟ ମଧ୍ୟରେ ସେ ସ୍ରଷ୍ଟାର ଏ ସୁନ୍ଦର ସୃଷ୍ଟି କଥା ଚିନ୍ତା କରନ୍ତି । ଯେ ଏହି ସୁନ୍ଦର ସୃଷ୍ଟିର ସ୍ରଷ୍ଟା ସେ କେତେ ସୁନ୍ଦର ହୋଇ ନଥିବେ, ଏ କଥା ତାଙ୍କର ମନେ ପଡ଼ିଯାଏ । ଶାକୁନ୍ତଳର ପ୍ରଥମ ଓ ସପ୍ତମ ଅଙ୍କର ଏ ବିଚାର ଆମେ କବିଙ୍କ ଜୀବନ ଦର୍ଶନ ଭାବରେ ଲକ୍ଷ୍ୟ କରୁଁ । ସୃଷ୍ଟି ମାଧ୍ୟମରେ ସ୍ରଷ୍ଟାଙ୍କଠାରେ କୃତଜ୍ଞ ହେବା–ଭାରତୀୟ ସଂସ୍କୃତିର ତାଙ୍କ ଉପରେ ପ୍ରଭାବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ ।

 

କାଳିଦାସ ଓ ସେକ୍‌ସ୍‌ପିୟରଙ୍କ ତୁଳନା ବିଭିନ୍ନ ଦୃଷ୍ଟିକୋଣରୁ ହୋଇପାରେ । ନିଜ ଦେଶର ପରମ୍ପରା, ସଂସ୍କୃତି ଓ ଇତିହାସଦ୍ୱାରା ପ୍ରେରିତ ହୋଇ ସେମାନେ ରଚନା କରିଥିବା ନାଟକଗୁଡ଼ିକର ଏକ ନିରପେକ୍ଷ ବିଚାର କରାଯାଇପାରେ । ଉଦାହରଣସ୍ୱରୂପ ସେକ୍‌ସ୍‌ପିୟରଙ୍କ ‘ଟେମ୍ପଷ୍ଟ’ ଓ କାଳିଦାସଙ୍କ ‘‘ଅଭିଜ୍ଞାନ ଶାକୁନ୍ତଳ’’ ନିଆଯାଉ ।

 

ସେକ୍‌ସ୍‌ପିୟରଙ୍କର ସର୍ବଶ୍ରେଷ୍ଠ ଓ ଅନ୍ତିମ ନାଟକ ‘‘ଟେମ୍ପେଷ୍ଟ’’ ବା ‘‘ଝଡ଼ ।’’ ସେଥିରେ ସେ ନିଜର ଇଚ୍ଛା ପ୍ରସ୍‌ପେରୋ ଚରିତ୍ରରେ ବ୍ୟକ୍ତ କରିଛନ୍ତି । ନିଜର ଜନ୍ମଭୂମିକୁ ଫେରି ଆସିବା ପୂର୍ବରୁ ଏବଂ ନାଟ୍ୟ ରଚନା ସମାପ୍ତ କରିବା ପୂର୍ବରୁ ‘‘ଟେମ୍ପେଷ୍ଟ’’କୁ ସ୍ୱଇଚ୍ଛା ଓ ଚିନ୍ତାଦ୍ୱାରା ରୁଦ୍ଧିମନ୍ତ କରିଛନ୍ତି । ତଦ୍ରୂପ ‘‘ଶାକୁନ୍ତଳ’’ କାଳିଦାସଙ୍କର ଅମରକୃତି ଓ କୀର୍ତ୍ତି କୌମୁଦୀ । ଭାରତୀୟ ସଂସ୍କୃତିର ରକ୍ଷା ସେ ନିଜ ହାତରେ କରିଛନ୍ତି । ବ୍ୟାସଙ୍କ ‘‘ମହାଭାରତ’’ ଇତିହାସ, ଆଧାରରେ ନାଟକୀୟ ରୂପରେ ସେ ନିଜର ସାହିତ୍ୟକୁ ବାଢ଼ିଛନ୍ତି । ବ୍ୟାସଙ୍କ ଶକୁନ୍ତଳା ଓ କାଳିଦାସଙ୍କ ଶକୁନ୍ତଳା ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ବ୍ୟାସଙ୍କ ଫିଙ୍ଗି ଦେଇଥିବା ଶିଳା ଖଣ୍ତିକ ଆଣି ସ୍ୱଶ୍ରମ ଓ ସାର୍ଥକ କଳା କୌଶଳରେ ସେ ନିହାଣ ଚଳେଇ ସେଥିରେ ଶ୍ରେଷ୍ଠ ରୂପସୀ ବନବାସିନୀ ଶକୁନ୍ତଳାକୁ ସ୍ୱର୍ଗର ସୁଷମା ଓ ମର୍ତ୍ତ୍ୟର କାରୁଣ୍ୟରେ ନିର୍ମାଣ କରିଛନ୍ତି । ଯଦିଓ ଜୀବନଦାତା ସ୍ୱୟଂ ବ୍ୟାସଦେବ ଓ ଭାରତର ଇତିହାସ, ତଥାପି ସଷ୍ଟିର ନୈପୁଣ୍ୟରେ ତାଙ୍କର ସ୍ରଷ୍ଟା ଆସନ ବିମଣ୍ତିତ । ତେବେ ବ୍ୟାସଙ୍କ ଶକୁନ୍ତଳା ଓ କାଳିଦାସଙ୍କ ଶକୁନ୍ତଳା ମଧ୍ୟରେ ପାର୍ଥକ୍ୟ ହେଉଛି । ମହାଭାରତର ଶକୁନ୍ତଳା ଆଶ୍ରମରେ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରନ୍ତି ଓ ଛଅବର୍ଷ ପରେ ପତିଗୃହ ଗମନ କରନ୍ତି । ମାତ୍ର କାଳିଦାସ ପ୍ରସବ ପୂର୍ବରୁହିଁ ଶକୁନ୍ତଳାଙ୍କୁ ପତିଗୃହକୁ ପ୍ରେରଣ କରି ତତ୍କାଳୀନ ଲୋକାଚାର ଓ ଭାରତୀୟ ମର୍ଯ୍ୟାଦାକୁ ଯଥାଯଥ ଭାବରେ ପାଳନ କରନ୍ତି । ମହାଭାରତର ଦୁଷ୍ମନ୍ତ କାମୁକ, ଭୀରୁ ଓ ସ୍ୱାର୍ଥୀ, ଶାପର ସୃଷ୍ଟି କରି ଦୁଷ୍ମନ୍ତଙ୍କ ସମ୍ମାନ ରକ୍ଷା କରିବାକୁ କାଳିଦାସ ମୁଦ୍ରିକାର ଅବତରଣ କରି ପ୍ରସଙ୍ଗଟିକୁ ଖୁବ୍‌ ଜୀବନ୍ତ କରି ତୋଳି ଦେଇଛନ୍ତି । ଏହାଦ୍ୱାରା ମହାଭାରତ ଅଶୁଦ୍ଧ ହୋଇଯାଇ ନାହିଁ । କାରଣ ତାହା ନିଛକ ଇତିହାସ ଓ ଏହା ଏକ କାବ୍ୟମୟୀ ନାଟକ । ଏ ଦୃଷ୍ଟିରୁ ଏହାର ବିଚାର ଓ ଆଲୋଚନା ମୁଁ କରିଛି ।

 

‘‘ଟେମ୍ପେଷ୍ଟ’’ ଓ ‘‘ଶକୁନ୍ତଳା’’ର ତୁଳନାତ୍ମକ ବିବେଚନା ବର୍ତ୍ତମାନ କରାଯାଉ । ଶକୁନ୍ତଳାର ତୁଳନା ନେପଲସ୍‌ର ରାଜକୁମାରୀ ମିରାଣ୍ତା ସହ କରାଯାଇପାରିବ । ନିର୍ଜନ ଦ୍ୱୀପରେ ଲାଲିତପାଳିତ ମିରାଣ୍ତା ସହିତ ରାଜକୁମାର ଫର୍ଡ଼ିନାଣ୍ତର ପ୍ରଣୟ ତପୋବନରେ ପାଳିତା କଣ୍ୱଙ୍କ ଦୁହିତା ଶକୁନ୍ତଳା ସହ ଦୁଷ୍ମନ୍ତଙ୍କ ପ୍ରଣୟ ସହ ଭାରସାମ୍ୟ ରକ୍ଷାକରେ । ଶକ୍ତନ୍ତଳାର ଶିକ୍ଷାଦୀକ୍ଷା ଯାହା କିଛି ହୋଇଛି, ସ୍ୱୟଂ ଋଷି କଣ୍ୱ ତାହା କରିଛନ୍ତି ସ୍ୱଆଶ୍ରମରେ । ତଦ୍ରୂପ ପ୍ରସପେରୋ ଏକ ନିର୍ଜନ ଦ୍ୱୀପରେ ମିରାଣ୍ତାର ଶିକ୍ଷା ଓ ସୁରକ୍ଷାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ମିରାଣ୍ତା ଓ ଶକୁନ୍ତଳା ଦୁହେଁ ସରଳ, ସୁନ୍ଦର, ନିଷ୍କପଟ ତରୁଣୀ ଏବଂ ଦୁହେଁ ନିଜ ପ୍ରେମିକପାଇଁ ସର୍ବସ୍ୱର୍ପଣକାରୀ ପ୍ରେମିକା-। ଗୋଟିଏ ପାଖରେ ପ୍ରକୃତି ଖୁବ୍‌ ନିର୍ଜନ, ଏକାନ୍ତ ଓ ଏକ ଦ୍ୱୀପରେ ଅସହାୟ ଓ ଅନ୍ୟ ପାଖରେ ପ୍ରାକୃତିକ ପରିବେଶ ଖୁବ୍‌ ପ୍ରୀତିପ୍ରଦ, ଶାନ୍ତ ଓ ସାତ୍ତ୍ୱିକ । କଥାବସ୍ତୁ, ପରିବେଶ ଓ ପରିସ୍ଥିତିରେ ଦୁଇଟି ନାଟକ ମଧ୍ୟରେ ଏକ ଯୋଗସୂତ୍ର ଥିବାପରି ମନେହୁଏ, ତେବେ ସେସବୁ ବାହ୍ୟ କଥା ଯାହା ଦେଖାଯାଇପାରେ ମାତ୍ର ଚିନ୍ତା କରାଯାଇ ନ ପାରେ ।

 

ବିକାଶଶୀଳ ସପ୍ତଙ୍ଗୀ ବ୍ୟକ୍ତିତ୍ୱର ସୃଜନରେ ପ୍ରାପ୍ତଯୌବନା ଶକୁନ୍ତଳାର ଯେପରି ଲାବଣ୍ୟ ସ୍ନିଗ୍ଧ, ସୌରଭଯୁକ୍ତ । ପ୍ରେମିକା ଶକୁନ୍ତଳାର ହୃଦୟ ସେପରି ପୁଷ୍ପରେ ମୁକୁଳିତ । ତା’ର ବୁକୁତଳେ ବିରହର ବେଦନା ଯେପରି ଦାଉଦାଉ ହୋଇ ଜଳୁଛି, ପରିତ୍ୟକ୍ତା ଶକୁନ୍ତଳାର ମୁଖମଣ୍ତଳରେ କାରୁଣ୍ୟର ତାରୁଣ୍ୟ ସେହିପରି ଢଳଢ଼ଳ ଛଳଛଳ ଅଶ୍ରୁରେ ନିର୍ଗତ ହେଉଛି । ସେହି ଶକୁନ୍ତଳା ତପସ୍ୱିନୀର ତପୋନିଷ୍ଠ ଧେୟ, ମାତତ୍ୱର ପରିଚୟ ଦିଏ, ପୁଣି ପତିବ୍ରତାର ପରାକାଷ୍ଠାରେ ନିଜକୁ ଅର୍ପିତ କରେ । ତା’ ଦେଖିଲେ କବି ଗୁରୁ କାଳିଦାସଙ୍କୁ ବାରମ୍ୱାର ପ୍ରଶଂସା ନ କରି ରହିହୁଏନା । ମହାଭାରତର ଜଣେ ସାଧାରଣ ପାତ୍ରୀ ଋଷିକନ୍ୟାକୁ ନେଇ କାଳିଦାସ ଯେପରି ଦୁଇଟି ବିପରୀତ ମୁଖୀ ଗୁଣରେ ବିଭୂଷିତ କରିଛନ୍ତି ତା’ ବିସ୍ମୟଜନକ ।

 

କାଳିଦାସଙ୍କ ଲେଖନୀରେ ଶକୁନ୍ତଳାର ସୌନ୍ଦର୍ଯ୍ୟ ଖୁବ୍‌ ସୌଖୀନ ଓ ସାତ୍ତ୍ୱିକ ସରଳତାରେ ପରିପୂର୍ଣ୍ଣ । ନାତି-ପରିସ୍ଫୁଟ ଲାବଣ୍ୟମୟୀ ଲଳନା ଶକୁନ୍ତଳାର କଟିତଟ ନିକଟ ଘଟ ନେଇ ସ୍ୱସଖୀଙ୍କ ସହିତ ଉପସ୍ଥିତ ହେବା ଦେଖି ମନେ ହେଉଛି, ତା’ର ଲାବଣ୍ୟ ସେହି ପୁଷ୍ପ ପରି ଯା’ର ପରିମଳ ଓ ମକରନ୍ଦର ଆସ୍ୱାଦ ତାକୁ କେହି ଦେଇ ନାହିଁ । ତା’ର ରୂପରାଶି ନଖ କ୍ଷତ ରହିତ କିଶଳୟ ସଦୃଶ ଆବଦ୍ଧ ଏକ ରତ୍ନପରି । ସେ ଏପରି ମଧୁ ଯା’ର ଆସ୍ୱାଦ କେହି ନେଇନାହିଁ । ଏଣୁ ତା’ର ରୂପ ବର୍ଣ୍ଣନାରେ ଆମେ ବିହ୍ୱଳ ହୋଇପଡ଼ୁ–

 

‘‘ଅନାଘ୍ରାତଂ ପୁଷ୍ପଂ କିଶଳୟ ମଳ୍ୱନଂ କରୁରୁହୈ–ରତ୍ନବିଦ୍ଧଂ ରତ୍ନଂ ମଧୁନବ ମନାସ୍ୱାଦିତ ରସମ୍‌ । ଅଖଣ୍ତ ପୁଣ୍ୟାନାଂ ଫଳମିବ ଚ ତଦ୍ରୂପ ମନ ଘଂ ନ ଜାନେ ଭୋକ୍ତ ରଂ କମିହ ସମୁପସ୍ଥାସ୍ୟତି ବିଧିଃ ।।’’

 

ଜର୍ମାନର ମହାକବି ଗ୍ୟୋଥେ ଶାକୁନ୍ତଳା ପଢ଼ି ଭାବବିହ୍ୱଳ ହୋଇ ପଡ଼ନ୍ତି । ପ୍ରଶଂସାରେ ଶତଜିହ୍ୱା ହୋଇ ସେ ଗାଇ ଉଠନ୍ତି–

 

ୱିଲ୍‌ ଇଖ୍‌ ଦି ବ୍ଳୁମେନ୍‌ ଦେଶ୍‌ ଫ୍ର୍ୟୁହେନ୍‌, ଦି ଫ୍ର୍ୟୁଖୁଟେ ନେଶ୍‌ ସ୍ପେଟରେନ୍‌ ୟାରେସ୍‌, ୱାଲ୍‌ ଇଖ୍‌, ୱସ୍‌ରାଇତ୍ସଟ୍‌ଉଣ୍ତ ଏଣ୍ଟତ୍ସ୍ୟୁକ୍‌ଟ, ୱିଲ୍‌ ଇଖ୍‌, ୱସ୍‌ ସ୍ୟେଟିଗ୍‌ଟ୍‌ ଭଣ୍ତ ନ୍ୟେହଟ୍‌–ୱିଲ୍‌ ଇମ୍‌ ଦେନ୍‌ ହିମ୍ମେଲ୍‌, ଦି ଏର୍‌ଡ଼େ ମିଟ୍‌ ଆଇନେମ୍‌ ନାମେନ୍‌ ବେଗ୍ରାଇଫେନ୍‌, ନେନ୍‌ ଇଖ୍‌, ଶକୁନ୍ତଳା, ଦିଖ୍‌, ଉଣ୍ତ୍ ଯୋ ଇଷ୍ଟ ଅଲେସ୍‌ ଗେଯାଗ୍‌ଟ’’

 

କୌଣସି ତରୁଣର ପୁଷ୍ପ ଓ ପ୍ରୌଢ଼ର ଫଳ, ସ୍ୱର୍ଗ ଓ ମର୍ତ୍ତ୍ୟ, ଦୁଇଟାକୁ ଏକା ସାଙ୍ଗରେ ଦେଖିବାକୁ ଚାହଁ ତ ତା’ ଶକୁନ୍ତଳାରେହିଁ ମିଳିବ । ରବୀନ୍ଦ୍ରନାଥ ଠାକୁରଙ୍କ ବ୍ୟାଖ୍ୟାରେ–ଶକୁନ୍ତଳାଠାରେ ଏକ ଗଭୀର ପରିଣତିର ଭାବ ଅଛି । ଫୁଲକୁ ଫଳରେ ପରିଣତ, ସ୍ୱର୍ଗକୁ ମର୍ତ୍ତରେ ପରିଣତ, ସ୍ୱଭାବକୁ ଧର୍ମରେ ପରିଣତ । ମେଘଦୂତରେ ସେ ପ୍ରକାର ‘‘ପୂର୍ବମେଘ ଓ ଉତ୍ତର ମେଘ’’ ଅଛି ଅର୍ଥାତ୍‌ ପୂର୍ବମେଘରେ ପୃଥିବୀର ଚିତ୍ର       ବିଚିତ୍ର ସୌନ୍ଦର୍ଯ୍ୟର ପର୍ଯ୍ୟଟନ କରି ‘‘ଉତ୍ତର ମେଘ’’ରେ ଅଳକାପୁରୀର ସନାତନ ସୌନ୍ଦର୍ଯ୍ୟରେ ପହଞ୍ଚିଯାଏ–ସେ ପ୍ରକାର ଶକୁନ୍ତଳାଠାରେ ଏକ ପୂର୍ବ ମିଳନ ଓ ଉତ୍ତର ମିଳନ ମିଳିବ । ପ୍ରଥମ ଅଙ୍କରେ ଏହା ମର୍ତ୍ତ୍ୟର ଚଞ୍ଚଳ ସୌନ୍ଦର୍ଯ୍ୟମୟ ରଙ୍ଗଭରି ପୂର୍ବମିଳନରେ ସ୍ୱର୍ଗ-ତପୋବନରେ ଶାଶ୍ୱତ ଆନନ୍ଦମୟ ଉତ୍ତର ମିଳନ ପର୍ଯ୍ୟନ୍ତର ଯାତ୍ରାହିଁ ‘‘ଅଭିଜ୍ଞାନ ଶାକୁନ୍ତଳ’’ ନାଟକ । ଗ୍ୟୋଥେଙ୍କ ପରି ଶକୁନ୍ତଳାର ସୌନ୍ଦର୍ଯ୍ୟରେ ମନ୍ତ୍ରମୁଗ୍ଧ ହୋଇ ରବୀନ୍ଦ୍ରନାଥ ଠାକୁର ସେକ୍‌ସପିୟରଙ୍କ ‘‘ଟେମ୍ପେଷ୍ଟ’’ ସହ ଶାକୁନ୍ତଳାର ତୁଳନା କରି ନିଃସଙ୍କୋଚରେ କହି ପକାନ୍ତି–‘‘ଶକୁନ୍ତଳା ପରି ପ୍ରଶାନ୍ତ, ଗମ୍ଭୀର ସଂଯମ ସମ୍ପୂର୍ଣ୍ଣ ନାଟକ ସେକ୍‌ସପିୟରଙ୍କ ନାଟକଗୁଡ଼ିକରେ ଦେଖିବାକୁ ମିଳେ ନାହିଁ ।’’

 

ରବୀନ୍ଦ୍ରନାଥ ଠାକୁର ତାଙ୍କର, ‘‘ପ୍ରାଚୀନ ସାହିତ୍ୟ’’ରେ ପ୍ରାଚ୍ୟ ପାଶ୍ଚାତ୍ୟର ଏ ଦୁଇ ନାଟ୍ୟକାରଙ୍କ ସମ୍ପର୍କରେ ଏକ ମନୋଜ୍ଞ ଆଲୋଚନା କରିଛନ୍ତି । ଯାହା ଉଲ୍ଲେଖ ନ କରି ମୁଁ ରହିପାରୁ ନାହିଁ । ତାଙ୍କ ଦୃଷ୍ଟିରେ ଶକୁନ୍ତଳାର ପିତା ଋଷି, ମା’ ଅପ୍‌ସରା, ତା’ର ଜନ୍ମ ବ୍ରତଭଙ୍ଗରେ ହୋଇଛି, ଲାଳନପାଳନ ତପୋବନରେ । ତପୋବନ ଏପରି ଏକ ସ୍ଥାନ ଯେଉଁଠି ସ୍ୱଭାବ ଓ ତପସ୍ୟା, ସୌନ୍ଦର୍ଯ୍ୟ ଓ ସଂଯମ ଏକ ସ୍ଥାନରେ ମିଳିଯାଏ । କୃତ୍ରିମ ବିଧାନ ନାହିଁ, ଧର୍ମର କଠୋର ନିୟମ ବିରାଜମାନ । ‘‘ଟେମ୍ପେଷ୍ଟ୍‌’’ରେ ଏ ଭାବ ନାହିଁ । କିପରି ବା ହେବ ? ଶକୁନ୍ତଳା ମଧ୍ୟ ସୁନ୍ଦରୀ, ମିରାଣ୍ତା ମଧ୍ୟ ସୁନ୍ଦରୀ । ସେଥିପାଇଁ କ’ଣ ଏ ଦୁହିଁଙ୍କ ଆଖି ନାକରେ ଅବିକଳ ସାଦୃଶ୍ୟ ଆଶା କରାଯାଇପାରିବ ? ଦୁହିଁଙ୍କ ମଧ୍ୟରେ ଅବସ୍ଥାର ଚକ୍ରରେ ପ୍ରକୃତି ସମ୍ପୂର୍ଣ୍ଣ ଅନ୍ତର । ମିରାଣ୍ତା ଶୈଶବରୁ ଯେଉଁ ନିର୍ଜନତାରେ ପାଳିତ ହୋଇଥିଲା ଶକୁନ୍ତଳା ପାଇଁ ଏହି ନିର୍ଜନତା ନଥିଲା । ମିରାଣ୍ତା ଏକମାତ୍ର ପିତାର ସାହଚର୍ଯ୍ୟରେ ବଡ଼ ହୋଇଥିଲା । ଶକୁନ୍ତଳା ସମବୟସୀ ସଖୀଙ୍କ ସହିତ ବଡ଼ ହୋଇଛି । ପାରସ୍ପରିକ ଉତ୍ତମ ଅନୁକରଣ, ଭାବର ଆଦାନପ୍ରଦାନ, ହସ ପରିହାସ, କଥାବାର୍ତ୍ତାରେ ତା’ର ସ୍ୱାଭାବିକ ବିକାଶ ହୋଇଛି । ଶକୁନ୍ତଳା ଯଦି ନିରନ୍ତର କଣ୍ୱମୁନିଙ୍କ ସହ ରହିଥାନ୍ତା ତେବେ ତା’ର ସରଳତା, ଅଜ୍ଞାନତାର ପର୍ଯ୍ୟାୟବାଚୀ ହୋଇ ପାଇଥାନ୍ତା । ବସ୍ତୁତଃ ଶକୁନ୍ତଳାର ସରଳତା ବର୍ହିଘଟଣାଗତ ଅଟେ ।

 

ପୁନଶ୍ଚ ମିରାଣ୍ତା ପରି ଶକୁନ୍ତଳାର ସରଳତା ଅଜ୍ଞାନଦ୍ୱାରା ବେଷ୍ଟିତ ନୁହେଁ । ଶକୁନ୍ତଳାର ଯୌବନ ଏବେହିଁ ବିକଶିତ ହୋଇ ଯାଇଛି । ସେ ଲଜ୍ଜା କରିବା ଶିଖି ଯାଇଛି । କିନ୍ତୁ ଏସବୁ ବାହ୍ୟକଥା ତା’ର ସରଳତା ଗମ୍ଭୀରତାର କଥା । ତା’ର ପବିତ୍ରତା ଅଧିକ ଆନ୍ତରିକ । କବି ଅନ୍ତ ପର୍ଯ୍ୟନ୍ତ ଏହା ଦେଖନ୍ତି ଯାହା ବାହାରର କୌଣସି ଅଭିଜ୍ଞତା ତାକୁ ସ୍ପଷ୍ଟ କରିପାରେ ନାହିଁ । ଏ କଥା ନୁହେଁ ଯେ ସେ ଦୁନିଆର କୌଣସି କଥା ଜାଣିନାହିଁ, ଏଥିପାଇଁ ତପୋବନ ସମାଜର ଏକାନ୍ତ ବାହାରେ ନାହିଁ, ତପୋବନରେ ମଧ୍ୟ ଗୃହସ୍ଥ ଧର୍ମର ପାଳନ ହୋଇଥାଏ । ବାହ୍ୟ ସମ୍ୱନ୍ଧରେ ଶକୁନ୍ତଳା ଅନଭିଜ୍ଞ ଅବଶ୍ୟ, ମାତ୍ର ଅଜ୍ଞ ନୁହେଁ !

 

ଶିଷ୍ଟାଚାର ଦୃଷ୍ଟିରୁ ଶକୁନ୍ତଳା ବ୍ୟବହାର କୁଶଳୀ । ଯୌବନ ବିଭୋରା ଶକୁନ୍ତଳା ଦୁଷ୍ମନ୍ତଙ୍କୁ ଦେଖିବାମାତ୍ରେ ପ୍ରେମ ବିଭୋର ହୋଇ ପଡ଼ିଛି । ପ୍ରେମର ଥଳକୂଳ ଲଙ୍ଘି ସେ ଲତିକା ପରି ଦୁଷ୍ମନ୍ତଙ୍କ ପ୍ରେମ ପାଶରେ ତାଙ୍କର ବାହୁଯୁଗଳ ତଳେ ଆଶ୍ରୟ ନେଇଛି । ତଦ୍ରୂପ ନିର୍ଜନ ଲତିକା ମିରାଣ୍ତା ରାଜକୁମାର ଫର୍ଡ଼ିନାଣ୍ତଙ୍କୁ ଦେଖିବାମାତ୍ରେ ପ୍ରେମରେ ବିଜଡ଼ିତ ହୋଇ ଯାଇଛି । କିନ୍ତୁ ଦର୍ଶନମାତ୍ରେ ମିରାଣ୍ତା ଯେପରି ନିଃସଙ୍କୋଚଭାବେ ଲଜ୍ଜା ନ କରି କଥାବାର୍ତ୍ତାରେ ଆନନ୍ଦ ନେଇଛି ଶକୁନ୍ତଳା ସେପରି କରି ନାହିଁ । ସେ ଲଜ୍ଜା ଓ ସଙ୍କୋଚ ଶିଷ୍ଟାଚାରକୁ ଲଙ୍ଘିଯାଇ ନାହିଁ । ଡ. ରାଧାକୃଷ୍ଣଙ୍କ ଭାଷାରେ, ‘‘ସରଳ ଆଶ୍ରମ କନ୍ୟା ପ୍ରଣୟର ପ୍ରଥମ ତୋଫାନରେ ଆତଙ୍କିତ ମନରେ ଆତ୍ମସମର୍ପଣ କରିଦିଏ । ନିଜର ଭାବ ତରଙ୍ଗକୁ ସଂଯମ କରିବା ଓ ସାଂସାରିକ ମର୍ଯ୍ୟାଦା ଅନୁସାରେ ଜୀବନକୁ ଢାଳିବା ସେ କେଉଁଠୁଁ ଶିଖିଛି ।’’

 

ତା’ପରେ ନୀରବତା...ଅଭିଶାପ...ଏହାମଧ୍ୟ ଦେଇ ଶକୁନ୍ତଳା ପତିଗୃହ ଗମନ କରୁଛନ୍ତି-। ଆଶ୍ରମର ତରୁଲତା, ମୃଗମୃଗୀ, ମୃଗ ଶାବକର ସ୍ନେହ ସେ ଛାଡ଼ିପାରି ନାହିଁ । ତା’ର ଅଞ୍ଚଳତଳେ ମୃଗଶାବକ ଗୁଡ଼େଇ ହୋଇ ଯାଉଛନ୍ତି । ସେ ଗର୍ଭଭାରରେ ନତ । ମନ୍ଥର ଗତି, କୋମଳ କଣ୍ଠରେ ମୃଗ ଶାବଳଙ୍କୁ ଶକୁନ୍ତଳା କହୁଛି–ପିତା କଣ୍ୱ ତୁମର ପାଳନ କରିବେ । କୁସୁମର ସଜଳ ନୟନ-। ତଥାପି ସାଗରସଙ୍ଗମ ସମାକୁଳା ଉଦ୍ଧାମ ଦୁରାର୍ଘଷ ବେଗବତୀ ସରିତା ପରି ଶକୁନ୍ତଳା ମଧ୍ୟ ସ୍ୱପ୍ରକୃତି ଅନୁକୂଳ ଆଶ୍ରମର ଶାନ୍ତ ବାତାବରଣ ଏବଂ ସ୍ନେହୀଜନଙ୍କୁ ତ୍ୟାଗ କରି ପତିଗୃହ ଆଡ଼କୁ ଚାଲିଛି ।

 

ତା’ପରେ ଆସିଛି ଝଡ଼ । ଦୁଷ୍ମନ୍ତଙ୍କ ଅସ୍ୱୀକାର ଶୁଣି ଶକୁନ୍ତଳାର ଆହତ ନାରୀତ୍ୱ ଜାଗିଉଠିଛି । ତାଙ୍କ ନେତ୍ର ଅତ୍ୟନ୍ତ ଆରକ୍ତ ହୋଇ ଯାଇଛି । ବାକ୍ୟ ମଧ୍ୟ ଆରକ୍ତ ହୋଇ ଯାଇଛି । ତାଙ୍କ ବିମ୍ୱାଧାରୋଷ୍ଟ ଶିଶିରାଘାତ କମ୍ପିତ ପୁଷ୍ପ ପରି କମ୍ପି ଉଠୁଛି । କ୍ରୋଧବଶତଃ ତାଙ୍କ ଭ୍ରୂକୁଟି ବକ୍ର ହୋଇ ଯାଉଛି । ତାହା ଏପରି ଭ୍ରମ ସୃଷ୍ଟି କରୁଛି କି ସତେ ଯେପରି କ୍ରୋଧରେ ସେ ପଞ୍ଚଶାୟକଙ୍କ ଧନୁକୁ ଖଣ୍ତିତ କରି ଦେଇଛନ୍ତି ଓ ସେ ଭ୍ରୂଲତା ତାଙ୍କର ଦୁଇଖଣ୍ତ ହୋଇ ଯାଇଛି । ସେ କ୍ରୋଧ କମ୍ପିତ ରାଜାଙ୍କୁ କହୁଛନ୍ତି–ହେ ଅନାର୍ଯ୍ୟ ! ଆପଣ ନିଜ ପରି ସମସ୍ତଙ୍କୁ କଳୁଷିତ ଭାବୁଛନ୍ତି । ଆପଣ ନିଶ୍ଚୟହିଁ ତୃଣାଚ୍ଛାଦିତ ଅନ୍ଧକୂପ ପରି । ଧର୍ମ ଅତିରିକ୍ତ ଆମର ବିବାହର କୌଣସି ଅନ୍ୟ ସାକ୍ଷୀ ନଥିଲା । କ’ଣ କୌଣସି କୁଳ ଲଳନା ନିର୍ଲଜ୍ଜ ଭାବରେ ପରପୁରୁଷର କାମନା କରିପାରେ କି ? କ’ଣ ଆପଣ ମତେ ସ୍ୱୈରାଚାରିଣୀ ବାରବନିତା ଭାବୁଛନ୍ତି କି ?

 

କି କାରୁଣିକ ଏ ଚିତ୍ର । କି ମର୍ମସ୍ପର୍ଶୀ । ଅସହାୟା ଶକୁନ୍ତଳା । ତା’ର କ୍ରୋଧ ମଧ୍ୟ ସ୍ୱାଭାବିକ । କାଳିଦାସ ମାନବୀୟ ରଙ୍ଗରେ ଶକୁନ୍ତଳାର ଚିତ୍ରଣ କରିଛନ୍ତି । କ୍ରୋଧ, ପ୍ରେମ, ସ୍ନେହ ଏ ସବୁ ନ ରହିଲେ ଯେ ତାହା ଜନସାଧାରଣଙ୍କ ପାଇଁ ନ ହୋଇ ସେକ୍‌ସପିୟରଙ୍କ ଭୂତପ୍ରେତ ଏରିଏଲ୍‌, କାଲିବନ୍‌ର ଚରିତ୍ର ହୋଇଯିବେ । ଯାହା ମନୁଷ୍ୟପାଇଁ ମନୋରଞ୍ଜନ ହେବ ସତ୍ୟ ମାତ୍ର ବାସ୍ତବ ଦୁନିଆରେ ମଣିଷର ସୁଖ ଦୁଃଖରେ ସେମାନେ ସହଭାଗିତା କରି ପାରିବେ ନାହିଁ । ତାହା ଥିଲା ଶକୁନ୍ତଳାର ସାତ୍ତ୍ୱିକ କ୍ରୋଧ ।

 

ଏ ସମୟରେ ରାଜପୁରୋହିତ ଶକୁନ୍ତଳାଙ୍କ ଏ ଅସହାୟ ଅବସ୍ଥାରେ ପ୍ରସବ ପର୍ଯ୍ୟନ୍ତ ରଖିବାକୁ ରାଜାଙ୍କୁ କୁହନ୍ତି । ଏ ଦୟା ଶକୁନ୍ତଳାଙ୍କ ହୃଦୟକୁ ଶତଧା ବିଦୀର୍ଣ୍ଣ କରିଦିଏ । ସେ କହି ଉଠନ୍ତି–‘‘ଭଗବତୀ ବସୁଧେ ! ସ୍ୱଅଙ୍ଗରେ ସ୍ଥାନ ଦେ !’’

 

ପ୍ରତ୍ୟାଖ୍ୟାନ ପରେ ନୀରବତା ବ୍ୟାପକ । କେତେ ଗମ୍ଭୀର, କେତେ ଶାନ୍ତ ସେ ପରିବେଶ । ନୀରବ କଣ୍ୱ, ଅନୁସୂୟା, ପ୍ରିୟମ୍ୱଦା ! ତପୋବନ ନୀରବ, ନୀରବ ପ୍ରକୃତି, ନୀରବ ଦଶଦିଗ, ନିର୍ବାକ୍ ଶକୁନ୍ତଳା ! କି ମାର୍ମିକ ଏ ନୀରବତା । ତା’ରି ଗର୍ଭରେ ଗର୍ଭସ୍ତ୍ର ସମସ୍ତ ବେଦନା ଅବ୍ୟକ୍ତ, ନିଶବ୍ଦ ହୋଇ ଯାଉଛି । କେହି କାହାକୁ କହିବାର ଅବସର ପାଇ ନାହାନ୍ତି । ଦୁଷ୍ମନ୍ତଙ୍କ ଅପରାଧକୁ ଦୁର୍ବାସାଙ୍କ ଅଭିଶାପଦ୍ୱାରା କାଳିଦାସ ଢାଙ୍କିଦେଇ ନାହାନ୍ତି ତ ?

 

ତା’ପରେ ମଧ୍ୟ ଯେବେ ଅନୁସୂୟା ରାଜାଙ୍କ ବିସ୍ମୃତିପାଇଁ ତାଙ୍କୁ ଦୋଷୀ କରନ୍ତି, ପ୍ରିୟମ୍ୱଦା କହି ଉଠନ୍ତି–‘‘ନତା ଦୃଶା ଆକୃତି ବିଶେଷା ଗୁଣବିରୋଧିନୋ ଭବନ୍ତି ।’’ ତାଙ୍କପରି ଶ୍ରେଷ୍ଠ ସୁନ୍ଦର ରୂପବାନ୍‌ ବ୍ୟକ୍ତି ଏପରି ଦୋଷପୂର୍ଣ୍ଣ କୃତ୍ୟ କରି ନ ପାରେ । ସୌନ୍ଦର୍ଯ୍ୟ ଏଠି ସତ୍ୟ ମନେ ହୁଏ । ପ୍ରିୟମ୍ୱଦାର ଏ କଥା ଆମକୁ ମିରାଣ୍ତାର ଉକ୍ତିକୁ ସ୍ମରଣ କରାଇ ଦିଏ ।

 

‘‘ଦେୟାର ଇଜ୍‌ ନଥିଙ୍ଗ୍‌ ଇଲ୍‌ କେଣ୍ତୱେଲ

ଇନ୍‌ ସଚ୍‌ ଏ ଟେମ୍ପଲ ! ଇଫ୍‌ ଦି ଇଲ୍ ସ୍ପିରିଟ୍‌

ହେଭ୍‌ ସୋ ଫେୟର ଏନ୍‌ ହାଉସ୍‌, ଗୁଡ଼୍‌

ଥିଙ୍ଗ୍‌ସ୍‌ ଉଇଲ୍‌ ଟୁ ସ୍ୱେଲ୍‌ ଉଇଥି ଇଟ୍‌ ।’’

 

(୫ମ ଅଙ୍କ, ୨ୟ ଦୃଶ୍ୟ )

 

ଅନ୍ୟ ଏକ କଥା ଏଠି ମନେରଖିବା ଉଚିତ ଯେ ଦୁଷ୍ମନ୍ତଙ୍କ ପ୍ରେମ କେବଳ ବାସନା ପ୍ରେରିତ ଏକ ବୀଟ ପୁରୁଷର ପ୍ରେମ ନୁହେଁ; ଯେପରି ବାହାରେ କାବ୍ୟାତ୍ମକ ହେଲେ ମଧ୍ୟ ଭିତରେ ବିଷୟାନନ୍ଦଦ୍ୱାରା ଜଡ଼ିତ ଏନଟୋନି କ୍ଲିଓପ ଟାଙ୍କ ପ୍ରେମ । ସେମାନଙ୍କ ପରି ଏ ପ୍ରେମ ପରିବାର ବା ରାଜ୍ୟର ସାମାଜିକତାକୁ ନଷ୍ଟ କରି ନାହିଁ ।

 

କାଳିଦାସ ମନୋବୈଜ୍ଞାନିକ ଆଧାର ପରେ ଶାକୁନ୍ତଳାର ସୃଷ୍ଟି କରିଛନ୍ତି । ଆଧୁନିକ କାମସୂତ୍ର ଓ ମନସ୍ତାତ୍ତ୍ୱିକ ଫଏଡ଼ଙ୍କ ଦୀର୍ଘ ଦେଢ଼ ହଜାରବର୍ଷ ପୂର୍ବରୁ ଅବଚେତନ ମନ ବା ‘‘ଅନ୍‌କନ୍‌ସସ୍‌ ମାଇଣ୍ତ’’ ପରେ ସେ ଯେଉଁ ପ୍ରକାଶ କରାଇଛନ୍ତି ତାହା ପଢ଼ି ଆଶ୍ଚର୍ଯ୍ୟ ନ ହୋଇ ରହିହୁଏନା । ନାଟକରେ ଦୁଷ୍ମନ୍ତଙ୍କ ସନ୍ତପ୍ତ ଓ ସଚେତନ ମନ ଶକୁନ୍ତଳାଙ୍କୁ ଏକବାର ଭୁଲି ଯାଇଥିଲା । ହଠାତ୍‌ ଏକ ଗୀତ ତାଙ୍କ ଅବଚେତନ ମନରେ ଆଣିଦେଲା ଏକ ଅଦ୍ଭୁତ ପରିବର୍ତ୍ତନ । ସେ ଜାଣିପାରିଲେ ନାହିଁ ଯେ ସେ କାହିଁକି ଏ ପ୍ରକାର ଉଦାସୀନ ହୋଇ ପଡ଼ୁଛନ୍ତି । ସେ କ୍ଷଣରେ ତାଙ୍କ ଚେତନା କୌଣସି ଏକ ଅଜ୍ଞାତ ଅନ୍ୟ ଜନ୍ମର ସ୍ମରଣ ଆଣିଦିଏ । ଏ ବର୍ଣ୍ଣନା ଖୁବ୍‌ ବାସ୍ତବ ଓ ମନସ୍ତାତ୍ତ୍ୱିକ ହୋଇଛି ।

 

ଟେମ୍ପେଷ୍ଟ୍‍ରେ ମଧ୍ୟ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଅଛି ସତ୍ୟ, ମାତ୍ର ଝଡ଼ ଖୁବ୍‌ ପ୍ରଖର । ପୀଡ଼ନ ଦମନଦ୍ୱାରା ଶାସନ କରି ପ୍ରସପେରୋ ଏରିଏଲ୍‌ ଓ କାଲିବନଙ୍କୁ ନିଜର କରିପାରି ନାହାନ୍ତି-। ଏରିଏଲ୍‌ ତାଙ୍କୁ ନିଜର ସ୍ୱାଧୀନତା ପାଇଁ ମନେ ପକାଇଛି ପୁଣି ଆଦେଶ ଆଜ୍ଞାବହ ହୋଇ କାର୍ଯ୍ୟ କରି ଚାଲିଛି । ଇଚ୍ଛା ନାହିଁ, ସ୍ନେହ ନାହିଁ, ଶ୍ରଦ୍ଧା ନାହିଁ । ଏକ ବାଧ୍ୟ ବଳାତ୍କାର ଭୃତ୍ୟ ଏରିଏଲ୍‌ ଓ କାଲିବନ୍‌ । ସ୍ୱରାଜ୍ୟ ଧିକାରରୁ ବଞ୍ଚିତ ହୋଇ ପ୍ରକୃତି ପରେ ପ୍ରସ୍‌ପେରୋଙ୍କ ତନ୍ତ୍ରପ୍ରଭାବ ବିସ୍ତାର ଆମକୁ ପ୍ରଭାବିତ କରିପାରେନା । ଏକ ଶୂନ୍ୟ ଦ୍ୱୀପ ମଧ୍ୟରେ ମଧ୍ୟ ହତ୍ୟା, ଷଡ଼ଯନ୍ତ୍ର, ବିଶ୍ୱାସଘାତକତାର ଚିନ୍ତା କି ଅସଙ୍ଗତ, କି ଅସଂଯତ ଯା ପ୍ରସପେରୋଙ୍କ ଚରିତ୍ରକୁ ହୃଦୟହୀନ କରିଦିଏ ।

 

ଅନ୍ୟ ପାଖରେ କଣ୍ୱ ଓ ତାଙ୍କ ଆଶ୍ରମ । ସେଠି ନା ଅଛି ହତ୍ୟା; ମିଥ୍ୟା ଅସଂଯତ କ୍ଷମତା । ପ୍ରକୃତି କି କମନୀୟ; ପଶୁ ପକ୍ଷୀ ସମସ୍ତେ କେତେ ଆପଣାର ! ବୃକ୍ଷ ଲତା ମଧ୍ୟରେ ସତେ ଯେପରି ଅଶ୍ରୁ ଓ ହସ । ମଣିଷର ସେମାନେ ସହଚର ପରି ମନେ ହୁଅନ୍ତି । କ୍ରୋଧ ନାହିଁ ଅଛି ଅଶ୍ରୁରେ ସାନ୍ତ୍ୱନା, ପ୍ରସ୍‌ପେରୋ ମନ୍ତ୍ର ବଳରେ ନିଜର ସ୍ୱାର୍ଥସିଦ୍ଧି କରିଛନ୍ତି ତ କଣ୍ୱଙ୍କ ମନ୍ତ୍ର ଭିତରେ ପୂରି ରହିଛି ଧୈର୍ଯ୍ୟ ଓ ସହିଷ୍ଣୁତା ସହିତ ସମୟକୁ ଅପେକ୍ଷା କରିବା ଶକ୍ତି । ଜଣେ ସାଂସାରିକ ଓ ତାମସିକ ହେଲେ ଅନ୍ୟ ଜଣେ ସଂସାରତ୍ୟାଗୀ ସାତ୍ତ୍ୱିକ ।

 

ରବୀନ୍ଦ୍ରନାଥ ଠାକୁରଙ୍କ ଦୃଷ୍ଟିରେ ‘‘ଟେମ୍ପେଷ୍ଟ’’ରେ ବଳଦ୍ୱାରା ବିଜୟ ହୋଇଛି ତ ‘‘ଶାକୁନ୍ତଳା’’ରେ ମଙ୍ଗଳଦ୍ୱାରା ସିଦ୍ଧି ହୋଇଛି । ‘‘ଟେମ୍ପେଷ୍ଟ’’ର ସମାପ୍ତି ଅସମ୍ପୂର୍ଣ୍ଣତାରେ ହୋଇଛି ତା’ ‘‘ଶାକୁନ୍ତଳା’’ର ସମାପ୍ତିରେ । ‘‘ଟେମ୍ପେଷ୍ଟ୍‌’’ରେ ମିରାଣ୍ତା ସରଳତା ଓ ମଧୁରତାର ମୂର୍ତ୍ତି ଅଟେ । ମାତ୍ର ଏ ସରଳତାର ପ୍ରତିଷ୍ଠା ଅଜ୍ଞତା ଓ ଅନଭିଜ୍ଞତାର ଊର୍ଦ୍ଧ୍ୱରେ, ଶକୁନ୍ତଳାର ସରଳତା ଅପରାଧରେ, ଦୁଃଖରେ, ଅଭିଜ୍ଞତାରେ, ଧୈର୍ଯ୍ୟରେ ଓ କ୍ଷମାରେ ପରିପକ୍ୱ ହୋଇଛି, ଗମ୍ଭୀର ହୋଇଛି ଓ ସ୍ଥାୟୀ ହୋଇଛି । ଗ୍ୟୋଥେଙ୍କ ସମାଲୋଚନା ଅନୁସରଣରେ ରବୀନ୍ଦ୍ରନାଥ ଠାକୁର କହନ୍ତି ଶକୁନ୍ତଳାଠାରେ ଆରମ୍ଭର ତରୁଣ ସୌନ୍ଦର୍ଯ୍ୟ ମଙ୍ଗଳମୟ ପରମ ପରିଣତି ପ୍ରାପ୍ତି କରି ମର୍ତ୍ତ୍ୟକୁ ସ୍ୱର୍ଗସହ ମିଳାଇ ଦେଇଛି ।

 

କାଳିଦାସଙ୍କ ପାଠକଙ୍କ ପାଇଁ ଟେମ୍ପେଷ୍ଟ ଶାକୁନ୍ତଳାର ତୁଳନାତ୍ମକ ଅଧ୍ୟୟନ ପର୍ଯ୍ୟାପ୍ତ ନୁହେଁ, କାଳିଦାସଙ୍କ ‘‘ମାଳବିକାଗ୍ନି ମିତ୍ର’’ ସହ ସେକ୍‌ସପିୟରଙ୍କ ‘‘ମିଡ଼୍ ସମର ନାଇଟ୍‌ସ ଡ୍ରିମ୍‌’’ର ମଧ୍ୟ ତୁଳନା କରାଯାଇପାରେ । ଏ ସମସ୍ତ ସେକ୍‌ସ୍‌ପିୟରଙ୍କ ପକ୍ଷରେ ସେତେ କାରଣ ଦର୍ଶାଇ ପାରନ୍ତି ନାହିଁ ଯେତେ କାଳିଦାସଙ୍କୁ ସୁଦୃଢ଼ କରି ଦିଅନ୍ତି, ଏହାର କାରଣ ଦେଶକାଳପାତ୍ର ସାପେକ୍ଷ-। କାଳିଦାସ ଯେଉଁ ପରମ୍ପରା ଓ ସଂସ୍କୃତିରେ ବଢ଼ିଥିଲେ ସେକ୍‌ସ୍‌ପିୟରଙ୍କ ଜୀବନରେ ସେ ସଂସାର କାହିଁ ? ଏଣୁ ଦୁହିଁଙ୍କ ଚିନ୍ତାରେ ଅନେକ ପାର୍ଥକ୍ୟ ରହିଯାଏ ।

 

ସେକ୍‌ସ୍‌ପିୟର ମନୁଷ୍ୟ ଜୀବନର ସପ୍ତସୋପାନର କଳ୍ପନା ସହ କାଳିଦାସଙ୍କ ଚାରି ଆଶ୍ରମ ଧର୍ମର ମହତ୍ତ୍ୱ ନିଆଯାଉ । ‘‘ଏଜ୍ ୟୁ ଲାଇକ୍‌ ଇଟ୍‌’’ ନାଟକର ୨ୟ ଅଙ୍କ ୭ମ ଦୃଶ୍ୟରେ ସେକ୍‌ସ୍‌ପିୟର ଲେଖନ୍ତି :–

 

ଅଲ ଦି ୱାର୍‌ଲ୍‌ଡ଼’ସ୍‌ ଏ ଷ୍ଟେଜ୍‌, ... ... ...ସାନ୍‌ସ ଏଭ୍ରିଥିଙ୍ଗ’’

 

ଏଠି ସେକ୍‌ସପିୟର ବାର୍ଦ୍ଧକ୍ୟକୁ ଦ୍ୱିତୀୟ ବାଲ୍ୟାବସ୍ଥା ବୋଲି କହିଛନ୍ତି, ଯେଉଁ ଅବସ୍ଥାରେ ମନୁଷ୍ୟର ନେତ୍ର, ଦନ୍ତ, ସ୍ୱାଦ ଇତ୍ୟାଦି ସମ୍ପୂର୍ଣ୍ଣ ପ୍ରବୃତ୍ତିରୁ ବଞ୍ଚିତ ହୋଇଥାଏ । ଯେଉଁ କ୍ଷେତ୍ରରେ ଆର୍ଯ୍ୟ ପରମ୍ପରାରେ ଚଳି ଆସିଥିବା ବ୍ରହ୍ମଚର୍ଯ୍ୟ, ଗ୍ରାହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ ଆଶ୍ରମର ପ୍ରଭାବ କାଳିଦାସଙ୍କ କାବ୍ୟାକୃତିକୁ ନୂତନ ଦିଗଦର୍ଶନ ଦିଏ, ‘‘କୁମାର ସମ୍ଭବ’’ (୫/୩୦)ରେ କବି ବ୍ରହ୍ମଚାରୀଙ୍କ ଦର୍ଶନମାନେ ବ୍ରହ୍ମଚର୍ଯ୍ୟ ଆଶ୍ରମକୁ ସ୍ମରଣ କରି ପକାନ୍ତି ତ ରଘୁବଂଶ (୫/୧୦)ରେ ଗୃହସ୍ଥାଶ୍ରମର ମହତ୍ତ୍ୱ ହୃଦୟଙ୍ଗମ କରି ଏହାକୁ ‘‘ସର୍ବୋଷକାରକ୍ଷମ’’ ବୋଲି କୁହନ୍ତି । ବାନପ୍ରସ୍ଥ ଓ ସନ୍ନ୍ୟାସ ଆଶ୍ରମର ବର୍ଣ୍ଣନା ବାରମ୍ୱାର ତାଙ୍କ ନାଟକଗୁଡ଼ିକରେ ଦେଖିବାକୁ ମିଳେ । ସେକ୍‌ସ୍‌ପିୟରଙ୍କ ପରି ବାର୍ଦ୍ଧକ୍ୟ ଅବସ୍ଥା ଏକ ନିରୁପାୟ ଅକ୍ଷମ ଅବସ୍ଥା ବୋଲି ସେ ନ କହି ରଘୁବଂଶ (୧/୮)ରେ ସେ ମନୁଷ୍ୟର ତ୍ୟାଗ ପବିତ୍ର ଆଧ୍ୟାତ୍ମିକ ସାଧନାର ଅବସ୍ଥା ବୋଲି କୁହନ୍ତି । ସେକ୍‌ସ୍‌ପିୟରଙ୍କ ଦୃଷ୍ଟିରେ ମୃତ୍ୟୁ ନିର୍ବିଶେଷ, ତେଣୁ ‘‘କେମ୍ୱିଳନ୍‌’’ରେ ଫିଡ଼ିଲ୍‌କୁ ମୃତ ଭାବି ମୃତ୍ୟୁ ପାଖରେ ସେ ଆତ୍ମସମର୍ପଣ କରି କହି ଉଠନ୍ତି–

 

‘‘ଅଲ୍‌ ଲଭର୍‌ସ ୟଙ୍ଗ, ଅଲ୍‌ ଲଭର୍‌ସ ମଷ୍ଟ, କନ୍‌ସାଇନ୍‌ ଟୁ ଦି, ଏଣ୍ତ କମ୍‌ ଟୁ ଡଷ୍ଟ ।’’

 

ମାତ୍ର କାଳିଦାସ ଆତ୍ମାର ଅମରତ୍ୱ ଓ ପୁନର୍ଜନ୍ମରେ ବିଶ୍ୱାସ କରନ୍ତି ।

 

ଏ ସମସ୍ତ ପାର୍ଥକ୍ୟପାଇଁ କାଳିଦାସଙ୍କ ସ୍ଥାନ ଉଚ୍ଚରେ ଓ ସେକ୍‌ସପିୟରଙ୍କ ସ୍ଥାନ ନିମ୍ନରେ ଏହା କହିବା ସୌଜନ୍ୟତା ନୁହେଁ । କାଳିଦାସ ଯଦି ଇଂଲଣ୍ତରେ ଜନ୍ମ ହୋଇଥାନ୍ତେ ଓ ସେକ୍‌ସପିୟର ଯଦି ଭାରତରେ ଜନ୍ମ ହୋଇଥାନ୍ତେ ତାହାହେଲେ କାଳିଦାସଙ୍କ ପରି ସେକ୍‌ସପିୟର ଲେଖିଥାନ୍ତେ ଓ ସେକ୍‌ସପିୟରଙ୍କ ପରି କାଳିଦାସ ଲେଖିଥାନ୍ତେ, ଏଥିରେ ସନ୍ଦେହର ଅବକାଶ ନାହିଁ ।

Image

 

ପରିଭାଷାରୁ ସିଦ୍ଧାନ୍ତ ପର୍ଯ୍ୟନ୍ତ ସାହିତ୍ୟରେ ତର୍କ

 

ସାହିତ୍ୟ ଏକ ଏପରି ଶବ୍ଦ ଯାହାକୁ ପରିଭାଷା ମଧ୍ୟରେ ସୀମିତ କରିଦେବା ସମ୍ଭବ ନୁହେଁ । ଗଣିତ ଜ୍ୟାମିତି ଓ ପରିମିତିକୁ ମଧ୍ୟ ସାହିତ୍ୟ କୁହାଗଲାଣି । ଏହା କହିବାଦ୍ୱାରା ଯେ ସାହିତ୍ୟରେ ଅପମିଶ୍ରଣ ହୋଇଗଲା ତା’ ନୁହେଁ ବରଂ ଏହାଦ୍ୱାରା ସାହିତ୍ୟର ଅଖଣ୍ତ ସାମାଜ୍ୟ ବିସ୍ତାରିତ ହେଲା ।

 

ଏ ପ୍ରକାର ସାହିତ୍ୟିକ ସାମ୍ରାଜ୍ୟବାଦ ବିରୁଦ୍ଧରେ ଅବଶ୍ୟ ଯୁଗଯୁଗରୁ ଅନେକ ପ୍ରତିବାଦ ହୋଇ ଆସିଛି ଏବଂ ବିଭିନ୍ନ ପରିଭାଷା ଓ ସିଦ୍ଧାନ୍ତର ଦ୍ୱାହି ଦେଇ ଆମେ ସାହିତ୍ୟର ସମ୍ବିଧାନ ତିଆରି କରିଛୁ । ସାହିତ୍ୟ ଶବ୍ଦଟି ‘‘ସାହିତ୍ୟ’’ ଶବ୍ଦ ଓ ‘‘ଯତ୍‌’’ ପ୍ରତ୍ୟୟରୁ ଆସିଥିବାରୁ ଶବ୍ଦ ଓ ଅର୍ଥର ସହଭାଗିତାକୁ ସାହିତ୍ୟ କୁହାଯାଇଛି । ବିଶ୍ୱକବି ରବୀନ୍ଦ୍ରନାଥ ଏ ପରିଭାଷାରେ ସାଧାରଣ ସଂସ୍କାର ଆଣି ଆମକୁ କହିଛନ୍ତି, ‘‘ଭାବ ଓ ଭାଷାର ସମନ୍ୱୟରେ ସାହିତ୍ୟ ହୁଏ ନାହିଁ । ମନୁଷ୍ୟ ସଙ୍ଗେ ମନୁଷ୍ୟର, ଅତୀତ ସହ ବର୍ତ୍ତମାନର, ଦୂର ସହିତ ନିକଟର ଅନ୍ତରଙ୍ଗ ମିଳନକୁ ସାହିତ୍ୟ କୁହାଯାଏ-।’’ ଶବ୍ଦ କଳ୍ପଦ୍ରୁମରେ ‘‘ମନୁଷ୍ୟକୃତ ଶ୍ଳୋକମୟ ଗ୍ରନ୍ଥବିଶେଷଃ ସାହିତ୍ୟମ୍‌’’ ବୋଲି କହି ଶ୍ଳୋକର ବାଡ଼ ଘେରାଇ ସାହିତ୍ୟର ସୀମା ନିର୍ଦ୍ଧାରଣ କରାଯାଇଛି ।

 

ପାଶ୍ଚାତ୍ୟ କବି ସମାଲୋଚକଙ୍କ ମତ ମଧ୍ୟ ଏଠି ଶ୍ରବଣ ଯୋଗ୍ୟ । ଗ୍ରୀକ୍‌ ଦାର୍ଶନିକ ଏରିଷ୍ଟଟଲଙ୍କଠାରୁ ଇଲିଟୟଙ୍କ ପର୍ଯ୍ୟନ୍ତ କେବଳ ବାଦ, ବିବାଦ ଓ ବିସମ୍ୱାଦରେ ସାହିତ୍ୟ ପରିପୂର୍ଣ୍ଣ-। ଏରିଷ୍ଟଟଲଙ୍କ ମତରେ ଶବ୍ଦ ମାଧ୍ୟମରେ ପ୍ରସ୍ତୁତ ଅନୁକୃତିହିଁ କାବ୍ୟ ଅଟେ । ସିଡ଼ନୀ ଆଉ ଟିକେ ଆଗକୁ ଯାଇ କୁହନ୍ତି–କାବ୍ୟ ସେହି ଅନୁକରଣାତ୍ମକ କଳା ଯାର ଉଦ୍ଦେଶ୍ୟ ଶିକ୍ଷା ଓ ଆନନ୍ଦ ପରିବେଷଣ କରିବା । ରୋମାଣ୍ଟିକ୍‌ କବି ଶେଲି କୁହନ୍ତି–ଏହା ସର୍ବାଧିକ ସୁଖୀ ଏବଂ ଶ୍ରେଷ୍ଠତମ ହୃଦୟର ଶ୍ରେଷ୍ଠତମ କ୍ଷଣର ସୃଷ୍ଟି । ହଡ଼ସନ୍‌ ଏହାକୁ ଜୀବନର ଅଭିବ୍ୟକ୍ତି କହି ନୀରବ ରହିଯାନ୍ତି ତ ଆରନଲ୍‌ଡ଼ ଏହାକୁ ଜୀବନର ଆଲୋଚନା ବୋଲି ଅନେକ ତର୍କ ବାଢ଼ନ୍ତି । ବ୍ୟକ୍ତି ପରିଭାଷାର ପରିସରରୁ ଆମେ ଯେତେବେଳେ ‘‘ବାଦ’’ ବା ଇଜମକୁ ଚାଲିଆସୁ ସେତେବେଳେ ସାହିତ୍ୟ ଆମପାଇଁ ଏକ ପ୍ରଚାର ବା ପ୍ରାଚୀର ପତ୍ର ପରି ମନେ ହୁଏ ।

 

ଏ କ୍ଷେତ୍ରରେ ଜଣେ ନୀରବ ଶ୍ରୋତା ଭାବରେ ଆମେ ସମସ୍ତଙ୍କ କଥାକୁ ଶୁଣିବାକୁ ବାଧ୍ୟ ହୋଇଯାଉଁ । ତଥାକଥିତ ବୈଜ୍ଞାନିକ-ଭୌତିକ-ଯଥାର୍ଥବାଦୀ ଆମ ଆଗରେ ଦାବି କରି ବସନ୍ତି ସାହିତ୍ୟ କଠୋର ସତ୍ୟ ଉପରେ ଆଧାରିତ ଓ ଅନ୍ତଃଶ୍ୱେତନାବାଦୀ କହି ଉଠନ୍ତି ସାହିତ୍ୟ ଆମ ମନ ଉପରେ ପଡ଼ିଥିବା ସାମାଜିକ ପ୍ରତିବନ୍ଧ ଓ ତଜ୍ଜନିତ ବିକାରର ପ୍ରତିକ୍ରିୟା । ସାହିତ୍ୟ କଳା ନୁହେଁ ଏହା ତ ବ୍ୟକ୍ତିର ଅନ୍ତରଙ୍ଗ ସଂଘର୍ଷର ବିସ୍ଫୋଟ ମାତ୍ର ।

 

ପାଶ୍ଚାତ୍ୟରେ ସାହିତ୍ୟ ଭାବ ଓ କଳ୍ପନାକୁ କେନ୍ଦ୍ର କରି ଘୂରୁଥିବା ପରି ମନେହୁଏ । ଯେଉଁଠି ଭାବର ପ୍ରାଧାନ୍ୟ ରହିଲା ତାକୁ କ୍ଲାସିକ୍ ଓ ଯେଉଁଠି କଳ୍ପନାର କୋରକ ରହିଲା ତାକୁ ରୋମାଣ୍ଟିକ୍ ବୋଲି କହି ସେମାନେ ଏ ଦୁଇ ପ୍ରକାର ଗୋଷ୍ଠୀ ମଧ୍ୟରେ ଏକ ଲୌହ ପରଦା ଛିଡ଼ା କରାନ୍ତି । ନାନା ମୁନି ନାନା ମତ ଦେଇ ଏହାର ପରିଭାଷାକୁ ସ୍ପଷ୍ଟ କରିବା ଉଦ୍ଦେଶ୍ୟରେ ଅସ୍ପଷ୍ଟ କରି ନିଅନ୍ତି । ଏ ପ୍ରକାର ଅଭିମତ ଦେଇ ସାହିତ୍ୟିକମାନଙ୍କ ଦତ୍ତ ପରିଭାଷାକୁ ଆହୁରି ଜଟିଳ କରି ଦେବାକୁ ଏ ପ୍ରବନ୍ଧଟି ମୁଁ ଲେଖୁନାହିଁ । ମୋ ମତରେ ଯେତେ କୋଟି ପରିଭାଷା ରହିଛି ତାହା ସାହିତ୍ୟିର ଗୋଟିଏ ଗୋଟିଏ ଦିଗକୁ ବୁଝାଏ ।

 

ସାହିତ୍ୟର ପାରିଭାଷିକ ପ୍ରତ୍ୟେକ ଦିଗ ଉପରେ ଆଲୋକପାତ କରାଯାଇପାରେ । ପରିଭାଷାର ପଦାଙ୍କ ଅନୁସରଣ ଓ ଅନୁକରଣ କରି କବି ବା ଲେଖକ ସମାଜ ଆଗରେ ଏକ ଆଦର୍ଶ ସ୍ଥାପନ କରନ୍ତି । ଯଦି ଆମେ ସାହିତ୍ୟକୁ ସମାଜର ଦର୍ପଣ ବୋଲି କହୁଁ ତାହାହେଲେ ପ୍ରତିଫଳନ ହେଲା ଦର୍ପଣର ଧର୍ମ । ଦର୍ପଣ ସ୍ଥିର, ମାତ୍ର ପ୍ରତିଫଳିତ ହେଉଥିବା ବସ୍ତୁ ମଧ୍ୟରେ ସ୍ଥିରତା ନଥାଏ । ଗତିର ଅନ୍ୟ ନାମ ବିଜ୍ଞାନ, ସ୍ଥିରତା ହେଉଛି ମୃତ୍ୟୁ । ଏଣୁ ଉପନିଷଦ ଋଷି କହୁଥିଲେ ‘ଚରୈବେତି ଚରୈବେତି’ ଆଗକୁ ଚାଲ ଆଗକୁ ଚାଲ ।

 

କେତେକ ଆଲୋଚକ କହିଲେ ନା, ନା, ସାହିତ୍ୟକୁ କେବଳ ଦର୍ପଣ ମଧ୍ୟରେ ସୀମିତ କରାନଯାଉ । ଠିକ୍ ଅଛି । ସେମାନଙ୍କ ମତରେ ସାହିତ୍ୟିକର କର୍ତ୍ତବ୍ୟ ସ୍ୱଶ୍ରୋତାମାନଙ୍କୁ ଆନନ୍ଦ ପ୍ରଦାନ କରିବା ଏବଂ ବର୍ତ୍ତମାନ ପାଇଁ ଉପଯୋଗୀ କରି ତୋଳି ଧରିବା । କଳାପାଇଁ କଳା ବା ସାହିତ୍ୟପାଇଁ ସାହିତ୍ୟ ସୃଷ୍ଟି ହେବା ଉଚିତ । ଏ ସ୍ଲୋଗାନ ପ୍ରଥମେ ଫ୍ରାନ୍‌ସରୁ ଉଠିଲା ଏବଂ ବିଶ୍ୱର ପ୍ରତ୍ୟେକ ସାହିତ୍ୟିକମାନଙ୍କ ମନରେ ଏହାର ପ୍ରତିଧ୍ୱନି ସୃଷ୍ଟି କଲା । ଏହି ତତ୍ତ୍ୱକୁ ଲୋକପ୍ରିୟ କରିବାରେ ଗେଟିଅର୍‌ ଜଣେ ପ୍ରଭାବଶାଳୀ ପ୍ରଚାରକ ଥିଲେ । ସେ କେବଳ କଳାର ନୈତିକ ପକ୍ଷର ବିରୋଧୀ ନଥିଲେ ବରଂ ନୈତିକତାର ବିରୋଧୀ ମଧ୍ୟ ଥିଲେ । ସେ ତର୍କ କରୁଥିଲେ–ସେ ସହରକୁ ଭଲପାଆନ୍ତି ସୁନ୍ଦର ସୁନ୍ଦର ଅଟ୍ଟାଳିକା ଦେଖି । ସେଠି ଲୋକେ ଭଲ ବା ମନ୍ଦ ସେ କଥା ବିଚାର କରିବାରେ ଲାଭ କ’ଣ । ତାଙ୍କ ପରେ ଫ୍ରାନ୍‌ସର ମହାନ୍ ଶୋକାନ୍ତ ଲେଖକ ଫ୍ଳୋବାର୍ଟ ଏ କଥାକୁ ତାଙ୍କ ପଦାଙ୍କ ଅନୁସରଣ କରି କହି ଉଠିଲେ...କୌଣସି ବଡ଼ କବି କେତେ ଉପସଂହାର କରେ ନାହିଁ । ବଦ୍‌ଲିଆର ମଧ୍ୟ ଠିକ୍ ସେହି ଧର୍ମ ପାଳନ କଲେ । ଏ ବିଚାର ଫ୍ରାନ୍‌ସ ମାଟିରୁ ସାଗର ପାର ହୋଇ ଇଂଲଣ୍ତରେ ବ୍ୟାପିଲା । ସୁଇନବର୍ଣ୍ଣ ଓ ୱାଲଟର୍‌ ପିଟରଙ୍କ ସୌନ୍ଦର୍ଯ୍ୟତତ୍ତ୍ୱ ‘କଳାପାଇଁ କଳା’ର ବୀଜବପନ କରି ଦେଇଥିଲା, ଯା’ର ଫଳସ୍ୱରୂପ ଅସ୍‌କାର ୱାଇଲ୍‌ଡ଼ ସାହିତ୍ୟିକ ଜଗତକୁ ସଚେତନ କରାଇ ଦେଲେ ଯେ ନୈତିକ ବା ଅନୈତିକ ପୁସ୍ତକ ବୋଲି କିଛି ନାହିଁ । ଏହା ଭଲ ବା ଖରାପ ଭାବରେ ଲେଖାଯାଇଛି ତାହା କେବଳ ବିଚାରଣୀୟ । ସମସ୍ତ କଳା କେବଳ ଅଦରକାରୀ । ଏଠି ତାଙ୍କ ‘‘ହେପି ପ୍ରିନ୍‌ସ’’ ଗଳ୍ପର ଉଦାହରଣ ଦେଇ ତାଙ୍କ ସିଦ୍ଧାନ୍ତର ଖଣ୍ତନ ମୁଁ କରିବି ନାହିଁ ।

 

ସାହିତ୍ୟରେ ସୌନ୍ଦର୍ଯ୍ୟର ମଧ୍ୟ ଏକ ପ୍ରମୁଖ ସ୍ଥାନ ଅଛି । ହେଗେଲ ବସ୍ତୁ ଜଗତର ଆକର୍ଷଣ ତଥା ସୌନ୍ଦର୍ଯ୍ୟକୁ ଆତ୍ମସାତ୍‌ କରିବାର ପ୍ରବୃତ୍ତିରେ ସାହିତ୍ୟର ବୀଜ ବୁଣିଛନ୍ତି । କ୍ରୋଚେ ସଂସାରରେ ବ୍ୟକ୍ତିତ୍ୱର ଅଭିବ୍ୟଞ୍ଜନାକୁହିଁ ସାହିତ୍ୟର ସାରଥି ମାନି ସୌନ୍ଦର୍ଯ୍ୟବାନ ଗର୍ଭରୁ କଳାପାଇଁ କଳାର ସିଦ୍ଧାନ୍ତ ଦେଇଛନ୍ତି । ସୌନ୍ଦର୍ଯ୍ୟ ମଧ୍ୟରେ ନୀତି ଶିକ୍ଷାର ସ୍ଥାନ କାହିଁ ? ଯା’ର ଅଲୌକିକ ମାୟାଜାଲରେ ଆମର ହୃଦୟ ତନ୍ତ୍ରୀ ଝଙ୍କୃତ ସେହି କଳା ମଧ୍ୟରେ ତତ୍ତ୍ୱ ଖୋଜିବା ଅର୍ଥ ସୌନ୍ଦର୍ଯ୍ୟ ଦେବୀଙ୍କ ମନ୍ଦିରକୁ କଳୁଷିତ କରିବା ନୁହେଁ ତ ଆଉ କ’ଣ ?

 

ୱାଡ଼ସୱାର୍ଥ କହିଲେ–‘ଆଇ ଏମ ନଥିଙ୍ଗ ଇଫ୍‌ ନଟ୍‌ ଏ ଟିଚର’ । କବି ଏ ସଂସାରର ଶିକ୍ଷକ । ସେ ଉପଦେଶକ ପୁଣି ପ୍ରଚାରକ । ଟଲଷ୍ଟୟ କିପରି ଆରନର୍ଲଡ଼ କୁହନ୍ତି–ଯେଉଁ କାବ୍ୟ ନୈତିକତା ପ୍ରତି ବିଦ୍ରୋହୀ, ତାହା ଜୀବନ ପ୍ରତି ମଧ୍ୟ ବିଦୋହୀ ଏବଂ ଯେଉଁ କାବ୍ୟ ନୈତିକ ଭାବନା ପ୍ରତି ଉପେକ୍ଷା ପୂର୍ଣ୍ଣ ତାହା ଜୀବନ ପ୍ରତି ଉପେକ୍ଷା ପୂର୍ଣ୍ଣ । ଆରନଲର୍ଡ଼ଙ୍କ ପରି କବି ଏଡ଼େନ୍‌ ଓ ହୁଇଟମେନ ସାହିତ୍ୟିକ ନୀତି ଶିକ୍ଷାର ମାଧ୍ୟମ ବୋଲି ଅନେକ ତର୍କ ଉଠାଇଛନ୍ତି । ମାତ୍ର ନୀତିଶିକ୍ଷା ସହ ସାହିତ୍ୟର କି ସମ୍ପର୍କ ? ସାହିତ୍ୟିକ ଜଣେ ମିସନାରୀ ନୁହେଁ ଯା’ର କାମ କେବଳ ପ୍ରଚାର କରିବା ଏବଂ ଏହା ସାବ୍ୟସ୍ତ କଚିବା ଯେ ସାରା ଦୁନିଆ ଖୁବ୍ ଦୁର୍ନୀତିଗ୍ରସ୍ଥ, ମାତ୍ର ସେମାନେ (ଲେଖକମାନେ) କେତେ ଭଲ ।

 

ଏହା ପୂର୍ବରୁ ମହାକବି ମିଲଟନଙ୍କ କିଛି କବିତା ପଢ଼ୁଥିଲି । ତାଙ୍କ ପରି ଅନେକ ଧାର୍ମିକ କବିମାନଙ୍କୁ ମଧ୍ୟ ମୁଁ ଖୁବ୍‌ ଶ୍ରଦ୍ଧାର ସହ ପଢ଼ିଛି । ସେମାନଙ୍କର ଲେଖିବାର ଉଦ୍ଦେଶ୍ୟ ଥିଲା ମଣିଷର ମସ୍ତିଷ୍କ ରୁଗ୍‍ଣ ଓ ଦୁର୍ବଳ ଏଣୁ ତାକୁ ନୈତିକ ପତନରୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି କବିତା ମାଧ୍ୟମରେ ଶିକ୍ଷା ଦେବା । କିନ୍ତୁ ପ୍ରକୃତ କଳାକାର ପାଇଁ ଏହି ପ୍ରକାର ଚିକିତ୍ସକର ଦୃଷ୍ଟିକୋଣ କେତେ ଘୃଣିତ କେତେ କଦାକାର ନୁହେଁ ? ପ୍ରକୃତରେ ଏ ପ୍ରକାର କବି ଓ ଲେଖକମାନେ ଆମକୁ ସବୁଜ ପ୍ରକୃତି ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ ନ କରି ଶ୍ମଶାନ ଆଡ଼କୁହିଁ ଡାକି ନେଇଥାନ୍ତି ଏବଂ ଆମ କାନରେ ଧୀରେ ଧୀରେ କହିଥାନ୍ତି ଏ ପୃଥିବୀରେ ସୁଖ ନାହିଁ ସୁଖ ଅଛି ସ୍ୱର୍ଗରେ ।

 

ଏହିମାନେହିଁ ଯୁଗଯୁଗରୁ ଆମକୁ ବୁଝାଇ ଆସିଛନ୍ତି ଆନନ୍ଦ ସହ ସଦାଚାର ବା ନୈତିକତାର ଶତ୍ରୁତା ଅଛି । ଏହିମାନେ ଚାଲନ୍ତି ମର୍ତ୍ତ୍ୟରେ ଓ କଥା କୁହନ୍ତି ସ୍ୱର୍ଗର । ଏହିମାନେ ପାଠକକୁ କୃତଜ୍ଞତା ଭାରରେ ଦାବି ଦେବାକୁ ସର୍ବଦା ଚାହାନ୍ତି । ସଦାଚାର ସହ କଳାକାରର ନେବା ଦେବା କିଛି ନାହିଁ । ସେ ନିଜପାଇଁ ଦାୟୀ । ଯେଉଁ କଳାକାରର ମନ ସର୍ବଦା ଅନ୍ୟକୁ ନୈତିକ ଧର୍ମୀ କରିବାରେ ବ୍ୟସ୍ତ ସେ କଳାକାର ନ ହୋଇ, ହୋଇଯାଏ ଶ୍ରମିକ । ତା’ର ସ୍ୱତନ୍ତ୍ରତା ନଷ୍ଟ ହୋଇଯାଏ ଓ ସେ ଜଣେ ସାଧାରଣ ନାଗରିକ ହୋଇହିଁ ରହିଯାଏ । ଯେଉଁ କଳାକାରଙ୍କ ମନରେ ସଂସାରକୁ ରୋଗ ଶୋକ ଓ ଦୁଃଖର ନିର୍ବାଣ କରିବାର କାରଣ ଉପସ୍ଥିତ ହୋଇଯାଏ ଏବଂ ଯଦି ଏହା ସମ୍ଭବ ମଧ୍ୟ ହୋଇଯାଏ ତାହାହେଲେ ମାର୍କିନ ମହାନ୍ ବକ୍ତା ଇନ୍‌ଗରସଲଙ୍କ ଭାଷାରେ ସେ ସମୟରେ ଆମ ଜୀବନ ଆମପାଇଁ ଏକ ଭାରସ୍ୱରୂପ ହୋଇଯିବ ଏବଂ ଗୋଟିଏ ଇଚ୍ଛା ଆମ ଭିତରେ ରହିଯିବ, ତାହା ଆତ୍ମବିକାଶର ।

 

ଏ ସମ୍ପର୍କରେ ଏତିକି କହିଲେ ଯଥେଷ୍ଟ ହେବ ଯେ କଳାକାର ଜଣେ ଇଭିନ୍‌ଜିଲିଷ୍ଟ ନୁହେଁ ନା କଳା ଏକ ଶୁଷ୍କ ସର୍ମନ୍‌ ନୁହେଁ । ପକ୍ଷୀର କାକଳୀରେ ନୈତିକତା ନାହିଁ । ବର୍ଷା ବୀଜମାନଙ୍କୁ କେବେ ଭାଷଣ ଦିଏ ନା ଏବଂ ଆଲୋକ ଫଳ ଫୁଲଗୁଡ଼ିକର ନିୟମଦାତା ନୁହେଁ ।

 

ତେବେ ଆମେ ଲେଖିବୁ କ’ଣ ? ଖାଇବା, ପିଇବା, ହସିବା, ଉଠିବା, ଶୋଇବା, ଚାଲିବା ଛଡ଼ା ଆମ ପାଖରେ ତ ଆଉ କିଛି ଅବଶେଷ ରହିଯାଏନା । ବନ୍ଧୁ ବ୍ରଜବିହାରୀଙ୍କ ଅଭିଯୋଗ ସାରହୀନ କିଛି ଖାଇବାକୁ ଦେବା ବା ସାରହୀନ କିଛି ଲେଖିବାବି ସେଇଆ । ଏ ସବୁ କଥାକୁ ଜିତ୍‌ ସେ ବିଚାରକୁ ନିଅନ୍ତି ନାହିଁ । ତାଙ୍କ ମତରେ ଜୀବନର ଦୁଃଖ ଯନ୍ତ୍ରଣାକୁ ଲାଘବ କରିବାର ମନସ୍ତତ୍ତ୍ୱରୁ କଳାର ଜନ୍ମ । ଦୁଃଖକୁ ଭୁଲିବାର ଦୁଇଟି ଉପାୟ । ସ୍ୱପ୍ନ ଦେଖିବା ବା ମାତାଲ ହେବା । କିନ୍ତୁ ସ୍ୱପ୍ନ ଦେଖିବା ବା ମାତାଲ ହେବା ମଧ୍ୟରେ ସୃଷ୍ଟି କରିବା ନୈପୁଣ୍ୟତା କାହିଁ ? ଦୁଃଖ ଲାଘବ କରିବାର ଯଦି କଳାର ମନସ୍ତତ୍ତ୍ୱ ତାହାହେଲେ ନିତ୍‌ସେ ଏହା ପ୍ରମାଣ କରି ଦିଅନ୍ତୁ ଯେ ଦୁଃଖ ଭୋଗ କରୁ ନଥିବା ମଣିଷ ବା ନାତି ପକ୍ଷରେ କଳାର ଆବଶ୍ୟକତା କିଛି ନାହିଁ ! ତେବେ ଗ୍ରୀସ୍‌ କଳାର ସୃଷ୍ଟି ହେଲା କିପରି ? ନିତ୍‌ସେ ବୁଦ୍ଧି ଓ ତର୍କ ପ୍ରୟୋଗ କରି ଉତ୍ତର ଦେଇ ଦେଲେ ଯେ–ହଁ ସେ ଜାଣିଛନ୍ତି, ଗ୍ରୀକ୍‌ ପୁରାଣ ଅନୁସାରେ ମଣିଷ ଡାୟାନାଇସସ୍‌ର ଅଶ୍ରୁରୁ ଜାତ ଏବଂ ଇଡ଼ିପସ୍‌, ପ୍ରେମିଥିଅସ୍‌ ଆଦି ନାୟକଗଣ ଡାୟାନାଇସିସ୍‌ଙ୍କ ଅବତାର । ଜର୍ମାନର ବିଖ୍ୟାତ ସଙ୍ଗୀତଜ୍ଞ ୱାଗନରଙ୍କ ସହ ବନ୍ଧୁତା କରି ଓ ସେଫେନହରଙ୍କଦ୍ୱାରା ଅନୁପ୍ରାଣିତ ହୋଇ ସେ ଆଶା କରି ବସନ୍ତି–ଦିନେ ଟ୍ରାଜିକ୍‌କଲଚର ଅଭ୍ୟୁଦୟ ହେବ । ସେ ହତାଶା ମଧ୍ୟରେ ଦେଖି ଚାଲନ୍ତି ଯେ ଜର୍କ କିପରି ତାଙ୍କ ଚାରିପଟେ ସାପପରି ଗୁଡ଼ାଇ ହୋଇ ଶେଷରେ ଆପଣା ଲାଞ୍ଜକୁ ନିଜେ କାମୁଡ଼ିଛି । ଏ ମାନସିକ ଚିନ୍ତାରେ ସେ ଦୁଃଖ ଆଡ଼କୁ ଆଉଜି ହୋଇ ପଡ଼ନ୍ତି ଓ ସେ ସବୁ ସହ୍ୟ କରିବାକୁ କଳାର ସାହଚର୍ଯ୍ୟ ଲୋଡ଼ନ୍ତି । ପାଶ୍ଚାତ୍ୟ ପରି ପ୍ରାଚ୍ୟରେ ମଧ୍ୟ ଶୋକରୁ ଶ୍ଳୋକର ସୃଷ୍ଟି ହୋଇଥିବା କଥା ଆମେ ଆଜି କବି ବାଲ୍ମୀକିଙ୍କଠାରୁ ଜାଣୁ । କୁରରୀ କୌଞ୍ଚ ବିହଙ୍ଗୀର ମର୍ମସ୍ପର୍ଶୀ କ୍ରନ୍ଦନ ତାଙ୍କ କରୁଣା କୋମଳ ବାତ୍ସଲ୍ୟମୟ ହୃଦୟରେ ଦିନେ ସୃଷ୍ଟି କରିଥିଲା କରୁଣାର ବନ୍ୟା । ହଠାତ୍ ସେ କହି ଉଠିଲେ–‘ମା’ ନିଷାଦ ! ପ୍ରତିଷ୍ଠାଂ...କାମମୋହିତମ୍‌’ । ଏହା ସତ୍ତ୍ୱେ ଏଠି ପ୍ରଶ୍ନ ଉଠେ–ଏହାହିଁ କେବଳ କ’ଣ କଳା ବା ସାହିତ୍ୟର ଉତ୍ସ ?

 

ସାହିତ୍ୟକୁ ଯଦି ଆମେ ସମର୍ପଣ ବୋଲି ଧରିନେଉଁ ତାହାହେଲେ ନିଜକୁ ଅନ୍ୟ ପାଖରେ ସମାପ୍ତ ବା ଅନ୍ୟ ପାଖରେ ଦଧୀଚିଙ୍କ ବ୍ୟକ୍ତ କରିବାରେ ଲେଖକର ସାଧନାଠାରୁ ମଧ୍ୟ ସହସ୍ରଗୁଣ ଶ୍ରେୟସ୍କର ହୋଇଯିବ । ନିଜକୁ ଅନ୍ୟ ପାଖରେ ଆତ୍ମପ୍ରକାଶ କରିବା ମଧ୍ୟରେ ଯେଉଁ ଆନନ୍ଦ ବିଦ୍ୟମାନ ତା’ କବିତା ଲେଖକ କେବଳ ବୁଝିପାରେ । ସ୍ୱୟଂ ଭଗବାନ ‘‘ଏକୋଽହଂ ବହୁସ୍ୟାମ୍‌’’ ବା ବହୁ ମଧ୍ୟରେ ନିଜକୁ ପ୍ରକାଶ କରିବାର ଇଚ୍ଛା କଲାପରି ଲେଖକ ନିଜ ସହ ସମାଜ ମଧ୍ୟରେ ଏକ ଅତୁଟ ସେତୁ ବାନ୍ଧିଦିଏ । ଯଦି ସେ ଲେଖିବାପାଇଁ ଲେଖୁଥାଏ ତାହାହେଲେ ତାହା ତା’ପାଇଁ ବୋଝ ହୋଇଯିବ ।

 

ସାହିତ୍ୟ ମାଧ୍ୟମରେହିଁ ସମାଜ ବିକଶିତ ହୋଇଥାଏ । ଅନୁର୍ବର ଭୂମିକୁ କର୍ଷଣ କରି ଶସ୍ୟଶ୍ୟାମଳା କରି ତୋଳି ଦେବାରେ ସାହିତ୍ୟିକ ଜଣେ ନିଷ୍ଠାପର ମାଳୀ । ସେ ପ୍ରଥମରେ ନିଜପାଇଁ ଲେଖେ ଏବଂ ସେହି ଲେଖାଦ୍ୱାରା ସମାଜ ଉପକୃତ ହୁଏ । ଯେପରି ମହୁମାଛି ନିଜପାଇଁ ମଧୁ ସଂଗ୍ରହ କରେ ମାତ୍ର ତା’ର ପରିଶ୍ରମର ଫଳ ସଂସାରର ଲୋକେ ମଧ୍ୟ ଉପଭୋଗ କରନ୍ତି । ଏହା ଅର୍ଥ କେବେ ନୁହେଁ ଯେ ମହୁମାଛି ଅନ୍ୟମାନଙ୍କ ଆନନ୍ଦପାଇଁହିଁ ମଧୁ ପରିବେଷଣ କରିଥାଏ । ତଦ୍ରୂପ ସାହିତ୍ୟିକ କେବଳ ଶ୍ରୋତାମାନଙ୍କୁ ଆନନ୍ଦ ପରିବେଷଣ କରିବାପାଇଁ ସାହିତ୍ୟ ସୃଷ୍ଟି କରେ ନାହିଁ । ସାହିତ୍ୟିକ ଜଣେ ବିଦୂଷକ ନୁହେଁ । ଯଦି ସେ କେବଳ ବାହା ବାହା ନେବାକୁ ସାହିତ୍ୟ ସୃଷ୍ଟି କରୁଥାଏ, ତାହାହେଲେ ଥରକପାଇଁ ସେ ଅନ୍ୟର କରତାଳି ଧ୍ୱନିରେ ମନକୁ ରାଜି କରାଇ ପରମୁହୂର୍ତ୍ତରେ ବିଲୀନ ହୋଇଯିବା ବର୍ତ୍ତମାନର ପ୍ରଭାବଶାଳୀ ସିନେମା ସଙ୍ଗୀତ ପରି ଅତୀତ ଓ ଅନାଗଦ ମଧ୍ୟରେ ଅସ୍ପଷ୍ଟ । କବି ଜଣେ କ୍ଳାଉନ୍‌ ନୁହେଁ ଯେ ସମାଜ ପେଣ୍ତାଲ୍‍ରେ ମୁହଁରେ ରଙ୍ଗ ବୋଳି ଅନ୍ୟକୁ କେବଳ ସନ୍ତୁଷ୍ଟ ଓ ଆନନ୍ଦ ଦେଉଥିବ । ଯଦିଓ ଆନନ୍ଦ ମଧ୍ୟ ଦେବା ସାହିତ୍ୟର ଅନ୍ୟ ଏକ ଧର୍ମ ।

 

ସାହିତ୍ୟ ଦର୍ପଣକାର ଆଚାର୍ଯ୍ୟ ବିଶ୍ୱନାଥ ସାହିତ୍ୟର ଉଦ୍ଦେଶ୍ୟ ନିର୍ଣ୍ଣୟ କରିବାକୁ ଯାଇ କହନ୍ତି ଯେ କାବ୍ୟ ବା ସାହିତ୍ୟଦ୍ୱାରା ଅଳ୍ପ ବୁଦ୍ଧି ସମ୍ପୂର୍ଣ୍ଣ ସାଧାରଣ ମନୁଷ୍ୟ ଚତୁର୍ବର୍ଗ ବା ଧର୍ମ, ଅର୍ଥ, କାମ ଓ ମୋକ୍ଷ ପ୍ରାପ୍ତ କରିଥାଏ । ଏହି ଚତୁର୍ବର୍ଗକୁ ଯଦି ଭାଗ ଭାଗ କରି ଦିଆଯାଏ ତାହାହେଲେ ପ୍ରତ୍ୟେକ ବର୍ଗ ଗୋଟିଏ ଗୋଟିଏ ଗୋଷ୍ଠୀ ସାହିତ୍ୟର ଜନକ ହୋଇଯିବେ । ଧାର୍ମିକ ସିଦ୍ଧାନ୍ତ ବା ଦର୍ଶନକୁ ନେଇ ଆଦି ସାହିତ୍ୟର ସୁଜନ ହେଉଥିଲା । ଆଜି ମଧ୍ୟ ସାହିତ୍ୟରୁ ଧର୍ମକୁ ବାଦ ଦେବା ଏତେ ସହଜ ନୁହେଁ । କିନ୍ତୁ ସାହିତ୍ୟ ଅର୍ଥ କ’ଣ କେବଳ ଧର୍ମଶାସ୍ତ୍ର ବା ଦର୍ଶନ ଶାସ୍ତ୍ର କି ? ଅର୍ଥକୁ ନେଇ ଆଜି ସମଗ୍ର ସାମ୍ୟବାଦୀ ସାହିତ୍ୟ ଛିଡ଼ା ହୋଇଛି । କିନ୍ତୁ ସାହିତ୍ୟ ସହ ଏହି ଅର୍ଥର ବା ସମ୍ପର୍କ କ’ଣ ? ଏଥିପାଇଁ ଅର୍ଥଶାସ୍ତ୍ର ରହିଛି । କାମ ଉପରେ ଫ୍ରଏଡ଼ଙ୍କ ମନସ୍ତତ୍ତ୍ୱ ରହିଛି ପୁଣି ପର୍ଣ୍ଣୋଗ୍ରାଫି ବିଭାଗ ରହିଛି । ସେହିପରି ମୋକ୍ଷ ବା ମୁକ୍ତିପାଇଁ ବିପ୍ଳବୀମାନଙ୍କ ରଚନାକୁ ସାହିତ୍ୟ କୁହାଯାଉଛି ମାତ୍ର ବିପ୍ଳବ ସହ ସାହିତ୍ୟର କି ସମ୍ପର୍କ । ପାଠକଙ୍କ ସହିତ ଲେଖକଙ୍କର ଯେଉଁ ସମ୍ପର୍କ ଏମାନଙ୍କ ସହିତ ସାହିତ୍ୟର ଠିକ୍ ସେହି ସମ୍ପର୍କ ବୋଲି ଜାଣିବାକୁ ହେବ । ଏହା ସତ୍ତ୍ୱେ ଯଦି ଆମେ ନେତି ନେତି ପ୍ରଶ୍ନ କରି କରି ସାହିତ୍ୟର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ କାଟି ବ୍ୟର୍ଥ ବୋଲି କହିବାରେ ବା ଦୋଷ ରହିଲା କେଉଁଠି ? ରୋମ ଜଳୁଛି ଅଥଚ ନିରୋ ବଂଶୀ ବଜାଉଛନ୍ତି । ଏହା କେବେ କ’ଣ କୌଣସି ସାହିତ୍ୟିକ କରିପାରେ, ଯେହେତୁ ସମାଜରେ ସାହିତ୍ୟିକ ଜଣେ ସଚେତନ ପ୍ରାଣୀ । ଏଥିପାଇଁ ‘ମୁଁ ଟିଭସ’ର ସମ୍ପାଦକ ରିଚାର୍ଡ଼ ସେଲିସ୍‌ଙ୍କ ଆଗ୍ରହର ପ୍ରତ୍ୟାଖ୍ୟାନରେ ଜର୍ମାନର ବିଖ୍ୟାତ ଲେଖକ ରିନ୍‌ହାର୍ଡ଼ ଲିଟେୟୁ ଲେଖିଲେ–ଯୁଦ୍ଧ ବିରୁଦ୍ଧରେ ପ୍ରତିବାଦ କରି ମୋର ଜଣେ ଛାତ୍ର ନିଜକୁ ଅଗ୍ନିରେ ଜାଳିଦେଲା । ଏଥିପାଇଁ ମତେ ଦାୟୀ କରାଯାଉଛି । ମୁଁ କିଛି ଲେଖିପାରୁ ନାହିଁ ଏଣୁ କ୍ଷମା ଦେବେ । କେବଳ ଏ ପରିସ୍ଥିତିରେ ମୁଁ ଭାବିପାରୁନାହିଁ ଯେ ସଂଘର୍ଷ ନକରି ଲୋକେ କାହିଁକି ଲେଖୁଛନ୍ତି ? ଠିକ୍‌ ଏ ସ୍ଥିତି ବର୍‌ଟାଣ୍ତ ରସେଲଙ୍କ ଜୀବନରେ ମଧ୍ୟ ଆସିଲା ଓ ବିଶ୍ୱବିଦ୍ୟାଳୟ ବୌଦ୍ଧିକସ୍ତରରୁ ଚାଲିଆସି ସେ ସାଧାରଣ ମନୁଷ୍ୟ କଥା ମଧ୍ୟ ବୁଝିଲେ । ଏ କ୍ଷେତ୍ରରେ ଯେଉଁ ପ୍ରାଚୀନ ଆଚାର୍ଯ୍ୟଗଣ କାବ୍ୟର ପ୍ରୟୋଜନ କେବଳ ଯଶ, ଅର୍ଥ, ବ୍ୟବହାର ଜ୍ଞାନ ତଥା ଆନନ୍ଦ ମଧ୍ୟରେହିଁ ସୀମିତ କରି ଦେଉଥିଲେ ସେମାନଙ୍କ ବିଷୟରେ ଭାବିବାପାଇଁ ବ୍ୟସ୍ତ ଏ ସଂଘର୍ଷମୟ କବି ପାଖରେ କାହିଁ ?

 

ସଂସ୍କୃତରେ କୁହାଯାଇଛି–‘କବିର୍ମନୀଷୀ ପରିଭୂସ୍ୱୟମ୍ଭୁ’ କବି ଜଣେ ମନୀଷୀ । ସେ କେବଳ ସବୁ ରଙ୍ଗକୁ ଏପରି ସେପରି କରି ଆଧୁନିକ କଳାର ଜନ୍ମ ଦିଏ ନା ବରଂ ସେ ସଂସାରର ସମସ୍ତ ଚିନ୍ତାର ଜନ୍ମଦାତା । ଭବଭୂତିଙ୍କ ମତରେ–‘ଆତ୍ମାହିଁ କଳା’ । କବିଙ୍କ ମନ ମଧ୍ୟରେ ଯେଉଁ ଉଦ୍‌ବେଳନ ସୃଷ୍ଟି ହୁଏ ତାହାହିଁ କଳା । ଆତ୍ମାର ତରଙ୍ଗ ଯେତିକି ସ୍ୱାଭାବିକ କବିତା ସେତିକି ସରସ ହୁଏ । ସାହିତ୍ୟ ଯୁଗାତୀତ ଯଦିଓ ସାହିତ୍ୟିକ ସ୍ୱପ୍ନ ସମୟ ନେଇ ସଂସାରକୁ ଆସିଥାଏ । ଶ୍ରେଷ୍ଠ ଲେଖକ ଯୁଗର ପ୍ରତିନିଧି ନୁହେଁ ବରଂ ସେ ସର୍ବଯୁଗୀୟା ସମାଲୋଚକ ଦେଖେ ଏଲିଜାବେଥୀୟ ଯୁଗରେ ଜନ୍ମ ହୋଇ ସେକ୍‌ସପିୟର ଯୁଗଯୁଗ ପାଇଁ କାଳାତୀତ ଜୀବନର ମହିମାଗାନ କରିଛନ୍ତି । ପୁନଶ୍ଚ ଅଷ୍ଟାଦଶ ଶତାବ୍ଦୀରେ ଜନ୍ମ ହୋଇ ୱାଡ଼ସୱାର୍ଥ କବିତା ମାଧ୍ୟମରେ ଅନ୍ୟ ଯୁଗର ସ୍ୱର ସଂଯୋଜନା କରିଛନ୍ତି । ଆଜି ମଧ୍ୟ ବାଲ୍ମୀକି, ବ୍ୟାସ, କାଳିଦାସ, ଦାନ୍ତେ ହୋମର ଓ ପ୍ୟୋଥେ କେତେ ଜୀବନ୍ତ କେତେ ଶକ୍ତିଶାଳୀ ନୁହନ୍ତି ?

 

ଡବ୍ଳୁ.ବି. ୟେଟସ୍‌ଙ୍କ କବିତା ଆଲୋଚନା ପ୍ରସଙ୍ଗରେ ଇଲିଏଟ ଦର୍ଶାନ୍ତି ଯେ–ଜଣେ କଳାକାର କଳା ପ୍ରତି ସମ୍ପୂର୍ଣ୍ଣ ନିଷ୍ଠା ପ୍ରଦର୍ଶନ କରିପାରିଲେ ନିଜ ଦେଶର ଓ ସମଗ୍ର ବିଶ୍ୱର ସର୍ବଶ୍ରେଷ୍ଠ ସେବା କଲ ବୋଲି ଧରିବାକୁ ପଡ଼ିବ । ସେ ବିଶ୍ୱାସ କରନ୍ତି କଳାକାରର ପ୍ରଗତି ଶତତ ଆତ୍ମବଳିଦାନରେ ଅଛି ଏବଂ ବ୍ୟକ୍ତିତ୍ୱର କୃତ୍ରିମ ନିର୍ବାଣରେ ରହିଛି । କବି ନିରପେକ୍ଷ ରହି ନ ପାରେ । ସମାଜରେ ତା’ର ଅଙ୍ଗିକାର ରହିଛି । ତାକୁ ଲୁଚାଇବା ମଧ୍ୟରେ ସେ ଆତ୍ମହତ୍ୟା ମାତ୍ର କରିଥାଏ । ଏଣୁ ଏଲିଏଟ ସର୍ବଜନୀନ ଭାବରେ ଘୋଷଣା କରନ୍ତି–ସେ ଜଣେ ପରମ୍ପରାବାଦୀ, ଧର୍ମରେ ଇଂରେଜ କେଥଲିକ୍‌, ରାଜନୀତିରେ ରାଜଭକ୍ତ ଏବଂ ସାହିତ୍ୟରେ ଆଭିଜାତ୍ୟବାଦୀ ଅଟନ୍ତି-

 

ଏ ସମସ୍ତ ଆଲୋଚନାର ପ୍ରତି ଆଲୋଚନା ପରେ ମଧ୍ୟ ଇଲିଏଟ ସ୍ୱଚ୍ଛନ୍ଦବାଦର ମାନ୍ୟତାକୁ ଆଲୋଚନା ପାଇଁ ଆହ୍ୱାନ କରି ତାଙ୍କ ‘ଦ ସେକ୍ରେଡ଼୍‍ଉଡ଼୍’ରେ କୁହନ୍ତି–କାବ୍ୟ ଏକ ଉନ୍ନତର ମନୋରଞ୍ଜନ । ଏହା ନା ଜୀବନ ସମୀକ୍ଷା ନା ପୂର୍ଣ୍ଣ ଶାନ୍ତିରେ ଭାବଗୁଡ଼ିକର ବିଚାରାତ୍ମକ ଉପଲବ୍ଧି, ବସ୍ତୁତଃ ଏହା ଉତ୍ତର ବ୍ୟବସ୍ଥା ଏବଂ ଉତ୍ତମ ଛନ୍ଦର ଉତ୍ତମ ଶବ୍ଦ ସମ୍ଭାର ଅଟେ । ଏହା ସହିତ ସେ ଏ କଥା ମାନି ନିଅନ୍ତି ଯେ କବିତା ଏକ ତତ୍ତ୍ୱାତ୍ମକ (ଆର୍ଗାନିକ୍‌) ଏକକ ଅଟେ ଯାର ନିଜର ପ୍ରାଣ ମଧ୍ୟ ଅଛି ।

 

ତାଙ୍କ ମହତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ଆହୁରି ବାସ୍ତବିକତାର ସନ୍ନିକଟ କରିବାକୁ ସେ ତାଙ୍କ ପରମ୍ପରା ଓ ବ୍ୟକ୍ତି ମାନସ ସ୍ୱୀକାର କରନ୍ତି ଯେ ପ୍ରତିଭା ନୁହେଁ ଅପିତୁ ପରମ୍ପରା କାବ୍ୟ ସୁଜନପାଇଁ ମୂଳସ୍ତୋତ୍ର ଓ ମାନସର କ୍ରିୟାଶୀଳତା ନୁହେଁ ଅପିତୁ ନିଷ୍କ୍ରିୟତାହିଁ ପ୍ରକୃତରେ କାବ୍ୟର ଜନନୀ । ସେ ଏହି ନିଷ୍କ୍ରିୟ ମାନସକୁ ପ୍ଳାଟିନମ୍‌ ଧାତୁପରି ଅପରିବର୍ତ୍ତନଶୀଳ ଓ ପରମ୍ପରା ଏବଂ ବର୍ତ୍ତମାନକୁ ଅମ୍ଳଜାନ ବା ବନ୍ଧକର ଡାଇକ୍‌ସାଇଡ଼ ପରେ ମାନନ୍ତି । ଏଣୁ ମାନସକୁ ଏଥିରେ ପକାଇବା ଓ ପ୍ଳାଟିନମ୍‌ ପରି ଅପରିବର୍ତ୍ତନଶୀଳ ରହିବା ପରେ ମଧ୍ୟ ସଲଫ୍ୟୁରିକ ଏସିଡ଼୍‍ରୂପୀ କବିତା ତିଆରି ହୋଇଯାଏ । କବିର ମନ ହେଉଛି ରାସାୟନିକ ପ୍ରକ୍ରିୟାରେ ସାହାଯ୍ୟ କରୁଥିବା ପ୍ଳାଟିନମ୍‌ ତାର ଭଳି । ଏହା କବିର ବ୍ୟକ୍ତିଗତ ଅନୁଭୂତି ସହିତ ଆଂଶିକଭାବେ ଜଡ଼ିତ ହୋଇପାରେ । କିନ୍ତୁ କବି ତାହାର ବିଦଗ୍ଧ ମନକୁ ସୁଜନସକ୍ରିୟ ମନଠାରୁ ଯେତେ ବିଚ୍ଛିନ୍ନ କରିପାରେ ସେ ସେତେ ପରିମାଣରେ ସଫଳ ହୁଏ ।

 

ଏଠି ଏହି ସିଦ୍ଧାନ୍ତରେ ଆମେ ଉପନୀତ ହୋଇଯାଉ ଯେ ଇଲିଏଟ କବିତାର ସ୍ୱୟଂ ସମ୍ପୂର୍ଣ୍ଣତାକୁ ସାବ୍ୟସ୍ତ କରିଛନ୍ତି ସତ, କିନ୍ତୁ କଳାପାଇଁ କଳା ଗୋଷ୍ଠୀ ଭଳି ସେ କବିତାକୁ ଜୀବନଠାରୁ ବିଚ୍ଛିନ୍ନ କରି ଦେଇ ନାହାନ୍ତି । ସେ ତ କବିତାକୁ ନିରବୈକ୍ତିକ କରି ଏକ ଉଚ୍ଚତର ମାର୍ଗ ଦର୍ଶନ କରାଇବାକୁ ଚାହାନ୍ତି ମାତ୍ର । ଏଣୁ ସଚେତନରେ ବା ଅଚେତନରେ ଜଣେ କଳାକାର ନିଜ ଚାରିପଟେ ଏକ ବୃତ୍ତ ଟାଣିଦିଏ ଯାହା ବାହାରକୁ ସେ ଯାଏନାହିଁ । ଏକ ପକ୍ଷରେ ବାସ୍ତବ ଜୀବନହିଁ ତା’ର ମୂଳଉତ୍ସ ତ ଅନ୍ୟ ପକ୍ଷରେ ବାସ୍ତବ ଜୀବନଠାରୁ ଅନୁଭୂତିକୁ ବିଚ୍ଛିନ୍ନ କରି ତାକୁ କାବ୍ୟିକ ନୈର୍ବ୍ୟକ୍ତିକତା ପ୍ରଦାନ କରିବା କଳାର ଏକ ଆବଶ୍ୟକୀୟ ଲକ୍ଷଣ ।

Image

 

ସାହିତ୍ୟ ନିୟନ୍ତ୍ରଣ ଓ ଶାସନତନ୍ତ୍ର

 

ଗଣତାନ୍ତ୍ରିକ ଅଧିକାର ନେଇ ବିଂଶ ଶତାବ୍ଦୀ ଗର୍ବିତ । ଯୁଗଯୁଗରେ ଶାସ୍ତ୍ରୀୟ ରୀତିନୀତିକୁ ଭାଙ୍ଗିରୁଜି ଚୂରମାର କରି ଦେବାରେ ମଧ୍ୟ ସ୍ୱାଧୀନତା ଅପ୍ରତିହତ । ବିଶ୍ୱର ବିଶାଳ ବକ୍ଷରେ ସେ ସାଗର ବ୍ୟାପ୍ତ ମସୀନେଇ ଲେଖିପାରେ, ଯାହା ସେ ଚାହୁଁଛି, ଯାହା ସେ ଉଚିତ ମନେ କରୁଛି । ପଦ୍ୟକୁ ସେ ଗଦ୍ୟ ଭାବରେ ଲେଖି କବିତା ବୋଲି ପ୍ରଚାର କରିପାରେ କିମ୍ୱା ଦୁର୍ବୋଧ୍ୟତା ମଧ୍ୟରେ ଦାର୍ଶନିକତାର ଆରୋପ କରିପାରେ । ବ୍ୟସ୍ତ ବିଶ୍ୱରେ କାହା ପାଖରେ ସମୟ ନାହିଁ ପ୍ରତିବାଦ କରିବାକୁ କିମ୍ୱା ଆଲୋଚନା କରିବାକୁ ।

 

ଏହା ସତ୍ତ୍ୱେ ଭର୍ଜିନିଆ ଉଲଫ ତାଙ୍କ ମନୋଭାବ ପ୍ରକାଶ କରିବାକୁ ଯାଇ ଆଗରେ ଭୂତ ଦେଖି ଚମକି ପଡ଼ନ୍ତି । ସ୍ୱାଧୀନ ଅଥଚ ପରାଧୀନ ମନ ନେଇ ସେ ଅନେକ କଥା ଲେଖିପାରନ୍ତି ନାହିଁ । କାରଣ ‘‘ନାସ୍ତିକତାର ପ୍ରୟୋଜନୀୟତା’’ ପୁସ୍ତିକା ପ୍ରକାଶ ପରେ ପରେ କବି ସେଲିଙ୍କ ପରି ତାଙ୍କୁ ବିଶ୍ୱ-ବିଦ୍ୟାଳୟରୁ ନିର୍ବାସନ ଦଣ୍ତ ମିଳିପାରେ ।

 

ତଥାପି ସେ ଲେଖକ, ବିଦୂଷକ ନୁହେଁ । ଶାସକଙ୍କ ରୁଚି ଅରୁଚି ଉପରେ ତାଳ ଦେଇ ଚାଲିବାକୁ ସେ ଘୋର ଦାସତ୍ୱ ବୋଲି ମନେକରେ । ‘‘ମୋ କାର୍ଯ୍ୟରେ ହସ୍ତକ୍ଷେପ କର ନାହିଁ । ମୁଁ ମଣିଷ । ମୋର ସୀମା ମୁଁ ଜାଣେ ।’’ ଏ କଥା ସେ ନିର୍ଭୀକଭାବରେ କହିବାକୁ ଚାହେଁ ।

 

କିନ୍ତୁ କ୍ଷମତା ଫାଶରୁ ମୁକ୍ତି କାହିଁ ? ଋଷୋଙ୍କ କହିବାପରି ସେ ଜନ୍ମ ହେଲା ମୁକ୍ତ ଭାବରେ କିନ୍ତୁ ଜୀବନ ତା’ର ଶୃଙ୍ଖଳିତ । ସେ ଅତିମାତ୍ରାରେ ଅସହାୟ, ଅଶାନ୍ତ ଓ ନିର୍ଜୀବ । ନତୁବା ସେ ନାଳନ୍ଦାର ପୁସ୍ତକାଳୟ ବଞ୍ଚାଇ ପାରି ନଥାନ୍ତା ? ଅନୁଦାର ବିଦେଶୀ ଆକ୍ରମଣକାରୀଙ୍କଦ୍ୱାରା ଏ ବିଶାଳ ପୁସ୍ତକାଳୟ କୁଆଡ଼େ ଜଳିଲା ଛ’ ମାସ ଛ’ ଦିନ ଧରି । ଅଥଚ ତା’ର ପ୍ରତିବାଦ କରିବାକୁ ଅହିଂସା ଆମର ଅନ୍ତରାୟ ହେଲା ।

 

ଦିନେ କ୍ରୂରତାର ପ୍ରତୀକ ଆଉରଙ୍ଗଜେବ କୁଆଡ଼େ ପଚାରୁଥିଲେ–

 

ଏ ପୁସ୍ତକରେ କ’ଣ ଲେଖାଅଛି ?

 

କୋରାନ୍ ବିରୋଧ କଥା ।

 

ଦରକାର ନାହିଁ ପୋଡ଼ିଦିଅ ।

 

ଆଉ ଏ ପୁସ୍ତକରେ ?

 

କୋରାନ୍ ପରି ।

 

ଲାଭ କ’ଣ ? କୋରାନ୍ ତ ଅଛି । ଏହାର ଦରକାର ପଡ଼ୁନାହିଁ–ଏଣୁ ପୋଡ଼ିଦିଅ ।

 

ଠିକ୍ ସେହିପରି ଆଉ ଜଣେ ପାଗଳ ଚୈନିକ ସମ୍ରାଟ ଦ୍ୱିତୀୟ ଶତାବ୍ଦୀରେ ଆଦେଶ ଦେଲେ ସବୁ ଗ୍ରନ୍ଥ ପୋଡ଼ିଦେବାକୁ । ତାଙ୍କର ଧାରଣା ଥିଲା ଗ୍ରନ୍ଥଗୁଡ଼ିକ ପରି ଅପକାରୀ ଜିନିଷ ଆଉ କିଛି ନାହିଁ । ସେହି ସମ୍ରାଟ ସିହୋୟାନ୍ତିଙ୍କୁ ମନୀଷୀ ସମାଜ କେବେ ଦେଲେ କ୍ଷମା ଦେବେ ନାହିଁ ।

 

ଏ ସବୁ ଉଦାହରଣଗୁଡ଼ିକରୁ ଏହା ସ୍ପଷ୍ଟ ହୋଇଯାଏ ଯେ ଶାସକଙ୍କ ମନରେ ଗ୍ରନ୍ଥଗୁଡ଼ିକ ପ୍ରତି ବିତୃଷ୍ଣା ନାହିଁ ବରଂ ଅଛି ଅହେତୁକ ଭୟ । ଶୋଣିତସିକ୍ତ ତରବାରିଠାରୁ ମଧ୍ୟ ଲେଖକର ଲେଖନୀମୁନ ଖୁବ୍‌ ତୀକ୍ଷ୍ଣ, ଖୁବ୍‌ ଭୀତିପ୍ରଦ । କେତେକ ବିଶ୍ୱବିଜେତା ବୀର ଏ କଥା ସ୍ୱୀକାର କରନ୍ତି ଯେ କେତୋଟି ପତ୍ରପତ୍ରିକା ସହସ୍ର ଟେଙ୍କ ବା ଗୁଳିବାରୁଦଠାରୁ ମଧ୍ୟ ଆହୁରି ଭୟାନକ । ଏହି କାରଣରୁ ବୋଧହୁଏ ବିଶ୍ୱର ଅନେକ ଶାସକ ଗ୍ରନ୍ଥ ପୋଡ଼ିବା ବା ପୁସ୍ତକାଦିକୁ ବେଆଇନ ଘୋଷଣା କରିବାରେ ନିଜକୁ ସୁରକ୍ଷିତ ମନେ କରନ୍ତି ।

 

ହିଟଲରଙ୍କ ଗୋଟିଏ ଗ୍ରନ୍ଥ ‘‘ମେନ୍‌ କେମ୍ପ୍‌’’ ସାରା ଜର୍ମାନ ଜାତିକୁ ଅନ୍ଧ କରି ପକାଇଥିଲା । ମାର୍କସ୍‌ଙ୍କ ‘‘ଦାସ୍‌ କେପିଟାଲ’’ ସୁଦୂର ରସିୟାରେ ବିପ୍ନବର ବୀଜ ଅଙ୍କୁରୋଦ୍‌ଗମ କରି ସମଗ୍ର ଜାର୍‌ ସରକାରକୁ ଅଚଳ କରି ପକାଇଥିଲା । ଥରୋଙ୍କ ‘‘ସିଭିଳ ଡିସୋବିଡ଼ିଏନ୍‌ସ’’ ଏକ ସୀମିତ ପ୍ରବନ୍ଧ ହେବା ସତ୍ତ୍ୱେ ଗାନ୍ଧିଜୀଙ୍କୁ ଅସହଯୋଗ ଆଲୋକର ପ୍ରେରଣା ଯୋଗାଇ ଥିଲା, ଯେଉଁ ମନ୍ତ୍ର କି ବ୍ରିଟିଶ ଶାସନପାଇଁ କାଳ ହୋଇ ଠିଆ ହେଲା । ଥମାସପେନିଙ୍କ ‘‘କମନ୍‌ସେନ୍‌ସ’’ ନାମକ ପୁସ୍ତିକା ବା ଷ୍ଟୋଙ୍କର ‘‘ଟମକକାଙ୍କ କୁଟୀର’’ର ଅମାପ ଶକ୍ତି ଉପରେ ତ କିଛି କୁହାଯାଇହିଁ ପାରିବ ନାହିଁ ।

 

ତଦ୍ରୂପ ନିତ୍‌ସେଙ୍କ ଅତିମାନବ କଳ୍ପନା ସମଗ୍ର ପୃଥିବୀକୁ ନାସ୍ତିକତାର ଅବତାରବାଦହିଁ ଛିଡ଼ା କରି ଦେଇଥିଲା । ଗୋଟିଏ ‘‘ସତ୍ୟାର୍ଥ ପ୍ରକାର’’(୪୫) ପ୍ରକାଶିତ ହେବାପରେ ପୌରାଣିକ ଜଗତରେ ଚହଳ ପଡ଼ିଗଲା । ବିଶ୍ୱର ସବୁ ଧର୍ମ ମଧ୍ୟରେ ଥିବା କୁସଂସ୍କାରଗୁଡ଼ିକ ଆଗ୍ନେୟଗିରିର ଲାଭପରି ଉଦ୍‌ଗିରଣ ହୋଇ ଉଠିଲା । ଭାରତୀୟ ଜନଜୀବନ ନବଜୀବନ ଲାଭ କଲା । ସେହିପରି ଇନଗରସଲ୍‌ଙ୍କ ‘‘ପ୍ରବଚନ ଓ ପ୍ରବନ୍ଧମାଳା’’ ପ୍ରକାଶ ପାଇବା ପରେ ପରେ ଖ୍ରୀଷ୍ଟିଆନ ଜଗତରେ ଚହଳ ପଡ଼ିଗଲା । ଲୋକେ ସବୁ କଥାକୁ ସନ୍ଦେହ କରିବା ଆରମ୍ଭ କରି ଦେଲେ ।

 

୧୩ ମେ, ୧୯୩୩ ବର୍ଲିନ ଇତିହାସରେ ଏକ ମୃତ ଦିବସ । ଶାସନ ହିଟଲରଙ୍କ କ୍ରୂର ଆଦେଶରେ ବିଶ୍ୱବିଦ୍ୟାଳୟ ବାହାରେ ୨୫ ହଜାର ପୁସ୍ତକର ଚିତା ଜଳିଲା । ଫ୍ରଏଡ଼୍‌ଙ୍କ ପୁସ୍ତକକୁ ସରକାର ଅଗ୍ନିରେ ଘୃତାହୁତି ଦେଲେ । ପୁସ୍ତକଗୁଡ଼ିକ ପୋଡ଼ିବା ପୂର୍ବରୁ ନାଜି ସରକାର ଘୋଷଣା କଲେ–‘‘କନସାରନିଙ୍ଗ୍‌ ଦି କରୋସନ ଅଫ ସୋଲ ବାଇ ଦି ଏଗଜ ଜରେସନ(୪୬)(ଅଫ ଦି ଡେନଜରସ ଅଫ ଦି ୱାର ଅପହୋଲଡ଼ିଙ୍ଗ ଦି ନୋବିଲିଟ ଅଫ ହ୍ୟୁମେନ ସ୍ପିରିଟ, ଆଇ କନସାଇନ ଓ ଟୁ ଦି ଫ୍ଳେମସ୍‌, ଦି ରାଇଟିଙ୍ଗ ଅଫ ସିଗମଣ୍ତ ଫ୍ରାଏଡ଼ ।’’ କିନ୍ତୁ ଫ୍ରାଏଡ଼ କ’ଣ ମରିଗଲେ ? ବରଂ ସମଗ୍ର ବିଶ୍ୱର ମନସ୍ତତ୍ତ୍ୱର ଆଧୁନିକ ପିତାମହ ଭାବରେ ସେ ବିଶ୍ୱ ସମ୍ପତ୍ତି ହୋଇ ରହିଲେ ଯୁଗଯୁଗ ଧରି ।

 

ବିଶ୍ୱବିଖ୍ୟାତ ଔପନାସିକ ରୋମାରୋଲା ନୋବେଲ ପୁରସ୍କାର ପାଇ ସାରିବା ପରେ ପରେ ଫରାସୀ ଶାସକଙ୍କ ଗୃଧ୍ର ଦୃଷ୍ଟିରେ ପଡ଼ିଲେ । ତାଙ୍କୁ କମ୍ୟୁନିଷ୍ଟ ଘୋଷଣା କରି ଦେଶାନ୍ତର କରାଗଲା । ସୁଇଜରଲାଣ୍ତରେ ଏ ମହାନ୍ ଔପନ୍ୟାସିକଙ୍କୁ ବନ୍ଧୁବାନ୍ଧବ ଶୂନ୍ୟ ହୋଇ ଅତି ଶୋଚନୀୟ ଭାବରେ କାଳଯାପନ କରିବାକୁ ହେଲା । ବିଶ୍ୱ ଶୁଣିଲା ତାଙ୍କୁ ଜର୍ମାନୀର ନାଜିମାନେ କନସେନଟ୍ରେସନ କେମ୍ପ୍‍ରେ ରଖି ହତ୍ୟା କରିଛନ୍ତି ।

 

ଆଇନଷ୍ଟାଇନଙ୍କ ପରି ବୈଜ୍ଞାନିକ, ସାର ଥମାସ ମୁରଙ୍କ ପରି ସାହିତ୍ୟିକଙ୍କୁ ନିଃସ୍ୱଭାବରେ ଗୃହତ୍ୟାଗ କରିବାକୁ ପଡ଼ିଲା । ବିଖ୍ୟାତ ଗ୍ରନ୍ଥ ‘‘ପିଲିଗ୍ରିମ ପ୍ରୋଗ୍ରେସ’’ର ଲେଖକ ଜନ ବୁନିୟନ ମନୁଷ୍ୟ ମନର ନୀଚତା, ହିଂସା, ଲୋଭ, ଈର୍ଷା, ପାପ, ମିଥ୍ୟାକୁ ସ୍ୱର୍ଗଗମନ ବା ମୋକ୍ଷର ବିରୋଧୀ ବୋଲି ଲେଖିଥିବାରୁ ରାଜ୍ୟ ଶାସକବର୍ଗଙ୍କ ବିଷଦୃଷ୍ଟିରେ ପଡ଼ି ତାଙ୍କୁ ବାରବର୍ଷ ଜେଲରେ ଶଢ଼ିବାକୁ ହୋଇଥିଲା । ସେହିପରି ଗିବନଙ୍କ ‘‘ଡିକ୍ଳାଇନ ଏଣ୍ତ ଫଲ ଅଫ ରୋମାନ୍ ଏମ୍ପାୟର’’, ପାସକେଲଙ୍କ ‘‘ପେନସିସ’’, ଜେ.ଏସ. ମିଲସଙ୍କ ‘‘ପ୍ରିନସପୁଲସା ଅଫ ପଲିଟିକାଲ୍ ଇକୋନୋମି’’, ଷ୍ଟେରନୀଙ୍କ ‘‘ଏ ସେଣ୍ଟିମେଣ୍ଟାଲ ଜର୍ନି ଥୋ ଫ୍ରାନ୍‍ସ ଏଣ୍ତ ଇଟାଲି’’ ମଧ୍ୟ ନିପିଦ୍ଧ ବୋଲି ଘୋଷିତ ହୋଇ ଶାସକମାନେ ଯେ ଦୁର୍ବଳ ତାହାହିଁ ପ୍ରତିପାଦନ କରି ଦେଲା । ପ୍ରକୃତରେ ଉପରୋକ୍ତ ଲେଖକଗଣ କ’ଣ ଅସ୍ୱୀକୃତ ହୋଇ ରହିଗଲେ ?

 

ଚୀନ ସାହିତ୍ୟରେ ସୀମା(୪୬) ଯୁଦ୍ଧ ଓ ଭାରତ ଆକ୍ରମଣ ସମ୍ପର୍କରେ ପଦେ ମଧ୍ୟ କୌଣସି ଚୈନିକ କବି ପାଞ୍ଚବର୍ଷ ପର୍ଯ୍ୟନ୍ତ ନ ଲେଖିଥିବା ତାଙ୍କର ଅଜ୍ଞତାର କାରଣ ହୋଇ ନ ପାରେ । ମାଏସେତୁଂଙ୍କ ତୁଙ୍ଗ ନେତୃତ୍ୱରେ ସାହିତ୍ୟ ନିୟନ୍ତ୍ରଣ ଓ ଦାସତ୍ୱ ବିଶ୍ୱସାହିତ୍ୟ ପ୍ରତି ଅବମାନନା ନୁହେଁ ତ ଆଉ କ’ଣ ?

 

ଇହିହାସ କହେ, ମାର୍ଟିନ ଲୁଥରଙ୍କ ଧର୍ମସଂସ୍କର ପୂର୍ବରୁ ପ୍ରାୟ କୋଡ଼ିଏ ଥର ଏ ପ୍ରକାର ବିପ୍ଳବ ଓ ବିଦ୍ରୋହ ହୋଇଥିଲା । ତୀବ୍ର ଦମନ ନୀତି ଯୋଗୁଁ ତାହା ସଫଳ ହୋଇପାରୁ ନଥିଲା । ଏ ପ୍ରକାର ବିଘ୍ନ ପଡ଼ି ନଥିଲେ ଲୋକେ ବହୁପୂର୍ବରୁ ସଂସ୍କାରର ଫଳ ଉପଭୋଗ କରି ପାରିଥାନ୍ତେ । ବାଧାବିଘ୍ନ ସତ୍ୟକୁ ମିଥ୍ୟା ବୋଲି ପ୍ରତିପାଦନ କରିପାରେନା, କି ଶାସକର ରଥ ଚକତଳେ ପେଶି ହୋଇ ମିଶି ଯାଏନା ।

 

ଅତ୍ୟାଚାର କ୍ଷମତାଲିପ୍ସୁ ଜାର୍‌ର ଦମନନୀତିରେ ରୁଷର ଜନକ୍ରାନ୍ତି ଦବି ଯାଇ ନଥିଲା । ଜାର ହଟିଗଲା କ୍ରାନ୍ତି ସଫଳ ହେଲା । ସାମ୍ୟବାଦର ସାରଥି ଲେନିନ ରୁଷର ସର୍ବମୟ କ୍ଷମତା ନିଜ ହାତରେ ରଖିଲେ । ଷ୍ଟାଲିନଙ୍କ ହାତକୁ କ୍ଷମତା ଆସିବାମାତ୍ରେ ଲେଖକ ମଧ୍ୟ ଅର୍ଥଶାସ୍ତ୍ରର କବିତା ଲେଖିଲେ । ଜୀବନର ସଂଜ୍ଞା ବଦଳି ଯାଇ ସାରିଥିଲା । ଭୋକ ଉପାସକୁ କେନ୍ଦ୍ର କରି ସଂସ୍କୃତିର ମୂଲ୍ୟାଙ୍କନ ହେବାକୁ ଲାଗିଲା । ଅର୍ଥନୀତି ଆଧାରରେ ପ୍ରେମ ଓ ପରାଜୟର କାବ୍ୟ ଲେଖାଗଲା । ଭୋକଶୋଷ ସମ୍ୱଳିତ ଶରୀରରେ ପ୍ରତ୍ୟେକ କ୍ଷଣ ଉଠୁଥିବା ରୋଗକୁ ନେଇ କ’ଣ ଶତାବ୍ଦୀବ୍ୟାପୀ ଜୀବିତ ରହୁଥିବା ମାନବିକତାର ତ୍ୟାଗ ଓ ଉତ୍ସର୍ଗରେ ପ୍ରେରିତ ସାହିତ୍ୟ ଲେଖାଯାଇ ପାରିବ-? କ୍ଷୁଧା ତୃଷ୍ଣାକୁ ନେଇ ଅର୍ଥଶାସ୍ତ୍ର ଅଛି, ସାହିତ୍ୟ କେବଳ ସେଥିପାଇଁ କାହିଁକି ହେବ-? ଅବଶ୍ୟ ଏ କଥା ପ୍ରକାଶ କରିବାପାଇଁ ଅନେକ ଲେଖକ ପରେ ପରେ ବାହାରିଲେ ।

 

ବୈଚାରିକ କ୍ରାନ୍ତି ମୁଣ୍ତ ଟେକି ଉଠିଲା । ପ୍ରସିଦ୍ଧ ସୋଭିଏତ୍‌ ଲେଖକ ଏଣ୍ତରୀଅମାଲିରକ ସୋଭିଏତ୍‌ ସଂଘକୁ ବଦନାମ କରିବା ଆରୋପରେ ତିନିବର୍ଷ କରାଦଣ୍ତ ଭୋଗିଲେ । ତାହା ଥିଲା ବିଶ୍ୱକେଲେଣ୍ତରେ ୧୯୬୦ ମସିହା ନଭେମ୍ୱର ମାସ । ସେ କାରାଗାରରେ ବେମାର ଥିବା ଅବସ୍ଥାରେ ସାଇବିରିଆର ଶ୍ରମ ଶିବିରକୁ ପଠାଗଲେ । ସେ ନାଟ୍ୟକାର ଓ ଐତିହାସିକ ଥିଲେ । ତାଙ୍କର ଗୋଟିଏ ପ୍ରବନ୍ଧରେ ସେ ଲେଖିଥିଲେ–ନବମ ଶତାବ୍ଦୀରେ ରୁଷରେ ପ୍ରଥମ ରାଜ୍ୟ ସୃଷ୍ଟି ହେଲା ଏବଂ ତା’ର ରାଜଧାନୀ ନିର୍ମାଣରେ ନରମାନଙ୍କର ଦାନ ଥିଲା ବିପୁଳ । ରୁଷ ସରକାରଙ୍କ ଦୃଷ୍ଟିକୋଣରୁ ଏହା ଏକ ଅପରାଧ । କାରଣ ରୁଷରେ ଯାହା କିଛି ହୋଇଛି, ତାହା ରୁଷବାସୀ କରିଛନ୍ତି ବୋଲି ସେ କହିବା ଦରକାର ଥିଲା । ଏଣୁ ୧୯୬୨ରେ ତାଙ୍କୁ ମସ୍କୋ ବିଶ୍ୱବିଦ୍ୟାଳୟରୁ ବାହାର କରି ଦିଆଗଲା । ୧୯୬୫ ସାଲରେ ଅଢ଼େଇବର୍ଷ ପାଇଁ ସେ ସାଇବେରିଆକୁ ନିର୍ବାସିତ ହେଲେ । ଏ ନିର୍ବାସନର କରୁଣ ଅନୁଭୂତି ସେ ‘‘ବିନାଇଚ୍ଛାରେ ସାଇବେରିଆ ଯାତ୍ରା’’ ପୁସ୍ତକରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସେ ରୁଷ ସାମ୍ରାଜ୍ୟର ଭବିଷ୍ୟତବାଣୀ କରିଛନ୍ତି ଯେ ଚୀନ ସହିତ ରୁଷର ଯୁଦ୍ଧ ୧୯୭୪ ଓ ୧୯୮୦ ମଧ୍ୟରେ କୌଣସି ଦିନ ହୋଇପାରେ ଓ ସୋଭିଏତ୍‌ ଶାସନର ପତନ ୧୯୮୦ ବା ୧୯୮୫ ମଧ୍ୟରେ ଅବଶ୍ୟମ୍ଭାବୀ ।

 

ତାଙ୍କପରି ରୁଷୀୟ ବିଖ୍ୟାତ ସାହିତ୍ୟିକ କୁଜନେତ୍‌ସଭଙ୍କ ଆତ୍ମଚିତ୍କାର ବିଶ୍ୱ ଶୁଣିଲା । ତାଙ୍କ ଲେଖାକୁ ନେଇ ଅନେକ ପ୍ରତିବାଦ । ସେ କୁଆଡ଼େ କମ୍ୟୁନିଜମ୍‌ର ବିରୁଦ୍ଧରେ ଲେଖନ୍ତି । ସେଥିପାଇଁ ଶାନ୍ତିରେ କାଳଯାପନ କରିବାକୁ ତାଙ୍କୁ ରୁଷ ଛାଡ଼ି ଲଣ୍ତନ ଆସିବାକୁ ପଡ଼ିଲା । ଇଂଲଣ୍ତର ‘‘ଲିସନର’’ ପତ୍ରିକାର ସମ୍ପାଦକ ତାଙ୍କୁ ପଚାରିଲେ–

 

‘‘ଆପଣ ଲେଖକ ହୋଇ ନଥିଲେ ତ ଏ ଅବସ୍ଥାରେ ପଡ଼ିବାକୁ ହୋଇ ନଥାନ୍ତା ?’’ ‘‘ନା, ତା’ କିପରି ହେବ ? ବୈଜ୍ଞାନିକ ହୋଇଥିଲେ ମଧ୍ୟ ଠିକ୍ ସେଇ ଦଶାରେ ପଡ଼ିବାକୁ ପଡ଼ିଥାନ୍ତା-। ସାମରିକ ବିଭାଗରେ କାମ କରିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିବାକୁ ପଡ଼ିଥାନ୍ତା-। ସୋଭିଏତ୍‌ ୟୁନିୟନ୍‍ମାନେ ଆପଣ କ’ଣ ଜାଣୁ ନାହାନ୍ତି ? ଏକ ପ୍ରହସନ । ସେମାନେ ଏ ପ୍ରାଣହୀନ ପ୍ରଥାକୁ କେବଳ ପାଳନ କରି ଯାଉଚନ୍ତି । ମାତ୍ର କାହାରି ବିଶ୍ୱାସ ନାହିଁ ।’’

 

ଆଉ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଲେ–ସେଠି ସୋଭିଏତ୍‌ ରାଜତ୍ୱ ବିରୋଧୀ ପୁସ୍ତକ ସବୁ ପୋଡ଼ି ଦିଆଯାଏ ।

 

କ’ଣ ପୁସ୍ତକଗୁଡ଼ିକ ବାଜ୍ୟାପ୍ତ କଲେ ଚଳନ୍ତା ନାହିଁ ?

 

ନା, କାରଣ ସେଗୁଡ଼ିକ ବାଜ୍ୟାପ୍ତ ପର ଯଦି କାଗଜମଣ୍ତ ତିଆରି କରିବାକୁ ପଠାଯାଏ, ତେବେ ସେଠାର କର୍ମୀମାନେ ସେଗୁଡ଼ିକ ପଢ଼ିନେଇ ପାରନ୍ତି । ସେଥିପାଇଁ ସେଗୁଡ଼ିକ ପୋଡ଼ି ଦିଆଯାଏ । ଏ କାମ କେ.ଜି.ବି. ନାମକ ଏକ ଗୁପ୍ତଚର ସଂସ୍ଥା ନିଜେ କରିଥାଏ । ମୁଁ ପାଣ୍ତୁଲିପିଗୁଡ଼ିକ ପୋଲିସ୍ ହାତରୁ ରକ୍ଷା କରିବାପାଇଁ ମାଟିତଳେ ପୋତିଦିଏଁ ଓ ସମୟ ଦେଖି ତା’ର ଫଟୋ ଉତାରି ରଖେଁ, ଯା’ ମୋ ଜ୍ୟାକେଟ୍‌ ଭିତରେ ମୁଁ ନେଇ ଆସିଛି ।

 

ରୁଷ ଜୀବନରେ ସବୁଠୁ ବଡ଼ ଦୁରାଗ୍ରହ ହେଲା, ସେଠାରେ ଲେଖକ ନିଜ ଇଚ୍ଛାରେ କିଛି କହି ପାରିବ ନାହିଁ ବା ଲେଖି ପାରିବ ନାହିଁ । ଏଣୁ ସେଇଠି ଡଷ୍ଟୋଭସ୍କି ଓ ଟଲଷ୍ଟୟଙ୍କ କୃତି ସାହିତ୍ୟକୁ ଏକ ପରାଜୟବାଦୀ ପଳାୟନ ଲାଳସୀ ସାହିତ୍ୟ କହି ଫୋପାଡ଼ି ଦିଆଯାଇଛି । ସେଥିରେ ଚିତ୍ରିତ ଓ ବିକଶିତ ମାବନଦର୍ଶନକୁ ଜୀବନର ପ୍ରତିଭାଷ ବୋଲି କହି ଅନାଦର କରାଯାଇଛି ।

 

୧୯୩୮ରେ ରୁଷ ସାହିତ୍ୟିକ ମିଲନାକଙ୍କର ‘‘ମହାଗନି’’ ନାମକ ଉପନ୍ୟାସର ବିଦେଶୀୟ ଅନୁବାଦ ପ୍ରକାଶ ପାଇଲା । ଠିକ୍ ସେହି ମସିହାରେ ତାଙ୍କୁ ବନ୍ଦୀ କରାଗଲା ଓ ତାଙ୍କ ସମ୍ପର୍କରେ ଆଉ କେହି କିଛି ଶୁଣିବାକୁ ପାଇଲେ ନାହିଁ ବା ତାଙ୍କ ପୁସ୍ତକର ମୂଲଭାଷା (ରୁଷ)ରେ ତାହା ପ୍ରକାଶିତ ହେଲା ନାହିଁ ।

 

‘‘ରୁଷିଆରେ ଲେଖକଙ୍କର ଅଭାବ ନାହିଁ । ମାତ୍ର ଅସଲ ଲେଖକ ମୋରି ଭଳି ଚିନ୍ତା କରନ୍ତି, ଯେଉଁମାନେ ନିତାନ୍ତ ସଂଖ୍ୟାଲଘୁ’’, ଏ କଥା ରୁଷୀୟ ଲେଖକ କୁଜନେତ୍‌ସଭ୍‌ ଇଂଲଣ୍ତର ‘‘ଲିସନର’’ ସମ୍ପାଦକଙ୍କୁ କହିଥିଲେ । ଏ କଥା ସତ୍ୟ ଯେ, ଯେଉଁମାନେ କୌଣସି ପ୍ରକାର ରାଜନୈତିକି ହାତବାରିସି, ନୁହନ୍ତି ସେମାନେ ବୁଝିଥିଲେ ସ୍ୱାଧୀନତାର ସ୍ୱାଦ କିପରି ? ପାଷ୍ଟରନାକ ସେମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ । ଯାହାଙ୍କର ରୁଷ ଜୀବନଚିତ୍ର ଓ ସମାଜ ସମ୍ୱନ୍ଧରେ ସତ୍‌ସାହସପୂର୍ଣ୍ଣ ସମାଲୋଚନା ଉପନ୍ୟାସ ଥିଲା ‘‘ଡକ୍‌ଟର ଜିଭାଗୋ ।’’

 

ପାଷ୍ଟରନାକ ବିଶ୍ୱସାହିତ୍ୟିକଙ୍କର ପରମ୍ପରା ଅନୁକରଣରେ ରୁଷିଆ ସାହିତ୍ୟରେ ଏକ ସୁଜନଧାରା ବୁହାଇଛନ୍ତି । ସେକ୍‍ସପିୟରଙ୍କର ସାଗର ମନ୍ଥନ କରି ସେ ରୁଷୀୟ ସାହିତ୍ୟ ଲକ୍ଷ୍ମୀ ପ୍ରଦାନ କରିଛନ୍ତି, ମାତ୍ର ଦୁଃଖ ଲାଗେ ‘‘ଡକ୍ଟର ଜିଭାଗୋ’’ ମୂଳ ରୁଷ ଭାଷାରେ ଏପର୍ଯ୍ୟନ୍ତ ପ୍ରକାଶ ହୋଇ ନାହିଁ । ଚିନି, କିରାସିନି, କପଡ଼ା ପରି ସାହିତ୍ୟ ବିଚାର ଓ ଚିନ୍ତାକୁ ମଧ୍ୟ ପଡ଼ିସୂତ୍ରରେ ବଣ୍ଟା ଯାଇ ପାରିବ–ଯେଉଁ ସମାଜର ସର୍ଦାରମାନେ ଏପରି ଏକ ଭୌତିକବାଦର ଭୂତକୁ ଠାକୁର ମାନି ପୂଜା କରନ୍ତି, ସେ ଦେଶରେ ମାନବିକତାର ଆର୍ତ୍ତ ଓ ଆହତ କାହାଣୀ ବର୍ଣ୍ଣନା କରିବାର ପ୍ରୟାସ କରିଥିବା ଏକ ଗ୍ରନ୍ଥର ଆଉ କ’ଣ ଦଶା ହୋଇଥାନ୍ତା ? ତେଣୁ ରୁଷ ଭାଷାରେ ପ୍ରକାଶିତ ନ ହୋଇ ପ୍ରଥମେ ଇଟାଲୀୟ ଅନୁବାଦହିଁ ପ୍ରକାଶ ହେଲା ।

 

ଗୋଟିଏ ପାଖରେ ତାଙ୍କୁ କମ୍ୟୁନିଷ୍ଟ ବିରୋଧରେ ପ୍ରଧାନ ପାର୍ଟିସନ୍‍ରୂପେ ବାହାବାହା ଦିଆଗଲା ତ ଅନ୍ୟ ପାଖରୁ ସେ ପୁଞ୍ଜିବାଦକୁ ପୂଜା କରୁଥିବା ଏକ ଅଳସ ଉପଭୋଗ ଲୋଭୀ ବୋଲି ନିନ୍ଦା ପାଇଲେ । ରୁଷୀୟ ସାହିତ୍ୟିକମାନେ ତାଙ୍କୁ ଦେଶରୁ ବାହାର କରି ଦିଆଯାଉ ବୋଲି ଗର୍ଜନ କରିବାକୁ ଲାଗିଲେ । ରାଜନୀତିର ଫାନ୍ଦରେ ପଡ଼ି ନ ଯିବାକୁ ସତର୍କ ରହି ପାଷ୍ଟରନାକ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ନାସ୍ତି କରି ଦେଲେ ଏବଂ ରୁଷିଆ ଛାଡ଼ିବାକୁ ମଧ୍ୟ ନାସ୍ତିବାଣୀ ଶୁଣାଇଲେ–‘‘ରୁଷିଆରେ ମୁଁ ଜନ୍ମ ହୋଇଛି । ରୁଷିଆର ସମାଜ ମତେ ତିଆରି କରିଛି, ତେଣୁ ରୁଷିଆ ତ୍ୟାଗ କରି ଅନ୍ୟତ୍ର ଯିବା ମୋପାଇଁ ମୃତ୍ୟୁଦଣ୍ତ ତୁଲ୍ୟ ଅଟେ ।’’ ଗୋଟିଏ ପାଖରେ ଜନ୍ମଭୂମିର ମଧୁର ମମତା ତ ଅନ୍ୟ ପାଖରେ ଚିନ୍ତା ଦହନକାରୀ ଦଗ୍ଧ ହୃଦୟର କରୁଣା ବ୍ୟଥା, ରୁଷୀୟ ଲେଖକ ପାଷ୍ଟରନାକଙ୍କ ବେଦନାବିଧୁର ଆତ୍ମଜୀବନୀରେ କି କରୁଣାର୍ଦ୍ର ନ ହୋଇଛି ?

 

ତାଙ୍କପରି ସ୍ୱାଧୀନଚେତା ଆଲେକ୍‌ଜେଣ୍ତର ସୋଲଜେନିସ୍ତିନ ଶ୍ରେଷ୍ଠ ସୁଜନଶୀଳ ସାହିତ୍ୟପାଇଁ ନୋବେଲ ପୁରସ୍କାର ପାଇଲେ । ତାଙ୍କ ଇତିହାସ ସାହିତ୍ୟିକମାନଙ୍କ ପାଇଁ ଏକ ବିଦ୍ରୂପ । ୨୬ ଜୁନ୍‌ ୧୯୬୮ରେ ତାଙ୍କୁ ରୁଷ ଲେଖକ ୟୁନିୟନ୍‍ରୁ ତଡ଼ିଦିଆଗଲା । ତାଙ୍କର ସାହିତ୍ୟ ଆଉ ରୁଷରେ ପ୍ରକାଶ ପାଇପାରିବ ନାହିଁ ବୋଲି ମନା କରି ଦିଆଗଲା । କାହିଁକି ନା ସେ କୁଆଡ଼େ ରୁଷ ବିରୋଧୀ ପ୍ରଚାରରେ ୟୁରୋପୀୟ ଦେଶଗୁଡ଼ିକୁ ସହାୟତା କରୁଛନ୍ତି । କିନ୍ତୁ ସେ କହନ୍ତି–ମୁଁ କେବେ ରୁଷର ବିରୋଧ କରି ନାହିଁ । ମୁଁ ତ ଘୃଣା ଓ ଅନ୍ୟାୟରେ ଗ୍ରସ୍ତ ଏ ରୁଗ୍‍ଣ ସମାଜକୁ ବଦଳାଇବାକୁ ଆହ୍ୱାନ କରିଛି, ଯେଉଁମାନଙ୍କ ମାନବୀୟ ଅଧିକାରରୁ ବଞ୍ଚିତ କରି ଦିଆଯାଇଛି । ଶୁଣି ଆଶ୍ଚର୍ଯ୍ୟ ନ ହୋଇ ରହିହୁଏନା ଯେ ୫୨ ବର୍ଷରେ ତାଙ୍କୁ ନୋବେଲ ପୁରସ୍କାର ମିଳିଲା । ଏହାର ଅଠବର୍ଷ ପୂର୍ବରୁ ସେ ରୁଷରେ ଅଜ୍ଞାତ ଥିଲେ ।

 

ସେ ନିଜେ କହନ୍ତି–ଏହା ମଧ୍ୟ କୁହାଯାଉଛି, ମୁଁ ନିଜ ଦେଶକୁ ପ୍ରତାରିତ କରି ଜର୍ମାନୀର ସେବା କରୁଛି; ଅଥଚ ଏହା ସତ୍ୟ ଯେ ଯୁଦ୍ଧ ପରେ ମୋର ୧୧ ବର୍ଷ ଯାତନା ଶିବିରରେ ଓ ଜେଲରେ ବିତିଛି । କାହିଁକି ନା ମୁଁ ଷ୍ଟାଲିନଙ୍କୁ ସମାଲୋଚନା କରିଥିଲି ।

 

ନିର୍ଭୀକ ସ୍ୱରରେ ସେ ସାହିତ୍ୟ ନିୟନ୍ତ୍ରଣକାରୀଙ୍କୁ ଚେତାବନୀ ଦିଅନ୍ତି...ନିଜ ଘଡ଼ିର ଧୂଳି ସଫା କର, ତାହା ସମୟର ବହୁ ପଛରେ ଚାଲିଛି । ଏ ଓଜନିଆ ପରଦା ଉତ୍ତାରି ଦିଅ । ତୁମେ ଭାବି ମଧ୍ୟ ଭାବିପାରି ନଥିଲ ଯେ ବାହାରେ ପ୍ରଭାତ ହୋଇ ବସିଲାଣି ।

 

ରୁଷର ଶାସକଙ୍କ ମନରେ ଏବେ ମଧ୍ୟ ଅହେତୁକ ଭୟ ରହିଛି । ନୋବେଲ ପୁରସ୍କାରର ନିର୍ଣ୍ଣୟାକ ସମିତି ଯେଉଁ ସାହିତ୍ୟିକମାନଙ୍କୁ ଶ୍ରେଷ୍ଠ କହୁଛନ୍ତି, ତାଙ୍କୁ ରୁଷ ସରକାର କମ୍ୟୁନିଷ୍ଟ ବିରୋଧୀ ମାନନ୍ତି ।

 

୧୯୬୭ ସାଲରେ ଦୁଇଜଣ ଲେଖକ ମିନିୟାଭସ୍କି ଓ ଡାନିଏଲଙ୍କୁ କମ୍ୟୁନିଷ୍ଟ ବିରୋଧୀ ଲେଖା ଲେଖିଥିବା ଅପରୋଧରେ ପାଞ୍ଚବର୍ଷ ଲେଖା ସଶ୍ରମ କାରାଦଣ୍ତ ଦିଆଯାଇଥିଲା । ଯା’ର ପ୍ରତିବାଦ ସମଗ୍ର ବିଶ୍ୱର ଲେଖକଗୋଷ୍ଠୀ କରିଥିଲେ । ୬୨ଜଣ ରୁଷ ଲେଖକ ଲେଖିକା ସଂଘବଦ୍ଧ ଭାବରେ ଏକ ବିବୃତିର ଘୋର ପ୍ରତିବାଦ କରିଥିଲେ ! ୨୩ଶତମ ସୋଭିଏତ୍‌ କଂଗ୍ରେସର ପ୍ରେସିଡ଼ିଏମ୍‌କୁ ସେମାନେ ଏହି ପ୍ରତିବାଦ ପତ୍ର ପଠାଇ ଥିଲେ ଓ ତା’ର ପ୍ରତିଲିପି ବିଭିନ୍ନ ସମ୍ୱାଦପତ୍ରକୁ ପଠାଯାଇଥିଲା । ମାତ୍ର ଏକଛତ୍ରବାଦୀ ସରକାରଙ୍କ ଦମନ ଭୟରେ କୌଣସି ସମ୍ୱାଦପତ୍ର ସେ ବିବୃତି ପ୍ରକାଶ କରିବାକୁ ସାହସ ସୁଦ୍ଧା କରି ନଥିଲେ । ସେ ପ୍ରତିବାଦ ଥିଲା ସ୍ୱାଧୀନତା ସପକ୍ଷରେ ମାନବାତ୍ମାର ଚିତ୍କାର । ଏହା ସତ୍ତ୍ୱେ ତା’ର ଲକ୍ଷ ଲକ୍ଷ ଅନୁଲିପି ଲିଫ୍‌ଲେଟ ଆକାରରେ ରୁଷିଆ ତଥା ବିଶ୍ୱର ଅନ୍ୟାନ୍ୟ ଦେଶକୁ ପଠାଯାଇଥିଲା । ଏହା ଥିଲା ରୁଷ ଲେଖକମାନଙ୍କ ପ୍ରଥମ ସମ୍ମିଳିତ ବିକ୍ଷୋଭ । ସେଠାରେ ଜଣେ ଦୁଇଜଣ ଲେଖକ କାଁଭାଁ ସରକାର ବିରୋଧୀ ବିକ୍ଷୋଭ କରୁଥିଲେ ମଧ୍ୟ ସମବେତ ଭାବରେ ସେପର୍ଯ୍ୟନ୍ତ ଲେଖକମାନେ ସରକାରଙ୍କ କୌଣସି ଚିନ୍ତା ବିରୁଦ୍ଧରେ ଏପ୍ରକାର ପ୍ରତିବାଦ କରି ନଥିଲେ । ଉକ୍ତ ସମ୍ୱାଦପତ୍ରରେ ସ୍ୱାକ୍ଷରକାରୀମାନଙ୍କ ମଧ୍ୟରେ ଏଲିୟା ଏରେନବର୍ଗ ମଧ୍ୟ ଅନ୍ୟତମ ବ୍ୟକ୍ତି ଥିଲେ ।

 

ପୁଷ୍ପପରି ପର୍ତ୍ତୁଗାଲର ଲେଖକମାନଙ୍କ ଉପରେ ଘୋର ଦମନଲୀଳା ଚାଲିଛି । ସତରଶ ଶତାବ୍ଦୀର ପ୍ରସିଦ୍ଧ ‘‘ଏକ ପର୍ତ୍ତୁଗାଲୀର ପତ୍ର’’ର ଆଧୁନିକ ରୂପ ପ୍ରକାଶ ପାଇବା ପରେ ପରେ ପର୍ତ୍ତୁଗାଲର ତିନିଜଣ ଲେଖିକାଙ୍କ ଉପରେ ‘‘ସାର୍ବଜନୀନ ନୈତିକତା ଉପରେ ଆଘାତ କରିବା’’ ଆରୋପ କରି ମକଦ୍ଦମା କରାଯାଇଥିଲା ଓ ପୁସ୍ତକଟିକୁ ଜବତ ମଧ୍ୟ କରାଯାଇଥିଲା । ଇଂଲଣ୍ତରେ ପ୍ରକାଶିତ ଏହାର ଇଂରାଜୀ ସଂସ୍କୃରଣରେ କୌଣସି ଅଶ୍ଳୀଳତା ନାହିଁ ବୋଲି କୁହାଯାଇଛି ଏବଂ ପର୍ତ୍ତୁଗାଲ ଭାଷାର ପ୍ରସିଦ୍ଧ ଇଂରାଜୀ ଅନୁବାଦକ ଜେନେଥାନ ଗ୍ରୀଫିନ କହନ୍ତି ଯେ, ଯଦି ଏ ପୁସ୍ତକ ଜଣେ ପୁରୁଷ ଲେଖିଥାନ୍ତେ, ତାହା ଅଶ୍ଳୀଳ ହୋଇ ନଥାନ୍ତା ।

 

ପୁସ୍ତକଟି ପ୍ରଧାନମନ୍ତ୍ରୀଙ୍କ କାଏତାନୋଙ୍କ ପ୍ରେସ୍ ନିୟମର ଶିକାର ହେଲା, ଯେଉଁ ନିୟମ ଏକବର୍ଷ ପୁରୁଣା ଓ ଏକଛତ୍ରବାଦୀ ସାଲାଜାରଙ୍କ ନିୟମଠାରୁ ବହୁଗୁଣରେ ସୂକ୍ଷ୍ମ ଓ ସାହିତ୍ୟିକଙ୍କୁ ଦମନ କରିବାର ଅସ୍ତ୍ରରୂପେ ତା’ଠାରୁ କମ୍ ଧାରପୂର୍ଣ୍ଣ ନଥିଲା । ଯେଉଁ ନିୟମାନୁଯାୟୀ ପ୍ରକାଶନର ପୂର୍ବରୁହିଁ ପାଣ୍ତୁଲିପିଗୁଡ଼ିକ ଯାଞ୍ଚକରି ନିଆଯାଉଥିଲା, ସେ ଯାଞ୍ଚରୁ ରକ୍ଷା ପାଇବାପାଇଁ ଲେଖକମାନେ ଅନେକ ଗୁପ୍ତ ଶବ୍ଦାବଳୀ ବ୍ୟବହାର କରୁଥିଲେ । ଯେପରି ‘‘ବସନ୍ତ’’ ସ୍ଥାନରେ ପଢ଼ନ୍ତୁ ‘‘କ୍ରାନ୍ତି’’, ‘‘ଉଷା’’ ସ୍ଥାନରେ ‘‘ସମାଜବାଦ’’ ବା ‘‘କମରେଡ଼’’ ଜାଗାରେ ‘‘ବନ୍ଦୀ’’ ଇତ୍ୟାଦି ।

 

ସମ୍ପ୍ରତି ଏ ସାହିତ୍ୟ ନିୟନ୍ତ୍ରଣର ଶିକାର ଲିସବନ ବିଶ୍ୱବିଦ୍ୟାଳୟର ମାରିଆଇସାବେଲ ଓ ମାରିଆ ବେହ୍ନୋ ନାମ୍ନୀ ଦୁଇଜଣ ଛାତ୍ରୀ ଓ ମାରିଆ ଟେରେସା ହେଚା ନାମ୍ନୀ ୩୫ ବର୍ଷିୟା ଜଣେ ମହିଳା ହୋଇଛନ୍ତି । ସେ ଏକ ପୁତ୍ରର ଜନନୀ ଓ ଜଣେ ସାମ୍ୱାଦିକଙ୍କ ସହିତ ସୁଖୀ ବୈବାହିକ ଜୀବନ ବିତାଉ ଥିଲେ ଏବଂ ନିଜେ ଲିସବନର ଏକ ସମାଚାର ପତ୍ରର ସାହିତ୍ୟିକ ପରିଶିଷ୍ଟର ସମ୍ପାଦିକା ଥିଲେ । ଯଦ୍ୟପି ସେ ଏବେ ମଧ୍ୟ ଚାକିରିରେ ଅଛନ୍ତି, ତଥାପି ତାଙ୍କ ଭିତରେ ଅହେତୁକ ଭୟ । ତାଙ୍କ ନାମ ଏବେ ଆଉ ସମାଚାର ପତ୍ର ସ୍ତମ୍ଭରେ ଦେଖାଯାଉ ନାହିଁ । ତାଙ୍କର କେତେକ କାବ୍ୟ-ସଂଗ୍ରହ ଏବଂ ଏକ ପ୍ରୟୋଗବାଦୀ ଉପନ୍ୟାସ ମଧ୍ୟ ପ୍ରକାଶ ପାଇଛି । ୧୯୭୧ ସାଲରେ ତାଙ୍କର ଏକ କାବ୍ୟ ସଂଗ୍ରହ ଜବତ କରାଯାଇଥିଲା । ପୁସ୍ତକଟିର ନାମ ଥିଲା ‘‘ମୋ ସହିତ ମୋର ପ୍ରେମିକା ।’’ ଏହାପରେ ବିଭିନ୍ନ ମାନସିକ ଯାତନା ତାଙ୍କୁ ଦିଆଯାଇଛି । ଏପରି କି ତାଙ୍କ ପୁଅକୁ ‘‘ତୋ ମା’ ବେଶ୍ୟା’’ ବୋଲି ଚିଡ଼ାଯାଇଛି । ତାଙ୍କ ନାମରେ ଏକ ଅଶ୍ଳୀଳ କବିତା ଲିସବନରେ ପ୍ରଚାରିତ କରାଗଲା, ଅଥଚ ପୋଲିସ୍ ନୀରବ ରହିଲା । ୧୯୭୨ ସାଲରେ ‘‘ବିଶ୍ୱ ପ୍ରତିବନ୍ଧ ସମାଚାର’’ ପୁସ୍ତିକାରେ ଏକ ପ୍ରବନ୍ଧ ଛପାଯାଇଥିଲା । ପର୍ତ୍ତୁଗାଲୀ ଉପନ୍ୟାସକାର ଆଲବେସରାଡୋଲ, ସାଁତାମାରିଆ ହସପିଟାଲରେ ମୃତ୍ୟୁଶଯ୍ୟାରେ ପଡ଼ି ପଡ଼ି ଲେଖିଥିଲେ–ମୁଁ ଏକ ପକ୍ଷରେ ଲେଖକ ଯେ ବୌଦ୍ଧିକ କାଳକୋଠରୀରେ ବନ୍ଦୀ ହୋଇ ମରିବି । ଯା ମୁଁ କହିବାକୁ ଚାହୁଁଛି ତାହା ମତେ କହିବାକୁ ଦିଆଯାଉ ନାହିଁ । କେଉଁଠି ରାଜନୈତିକ ସିଦ୍ଧାନ୍ତର ସୁରକ୍ଷା ନାମରେ ଲେଖକମାନଙ୍କୁ ଦଣ୍ତିତ କରାଯାଉଛି ତ କେଉଁଠି ନୈତିକତାର ସଂରକ୍ଷଣ ନାମରେ ଲେଖକକୁ ନିର୍ଯାତିତ କରାଯାଉଛି । ଶାସକଗଣ ନିଶ୍ଚିତରୂପେ ଜାଣନ୍ତି ଯେ ଲେଖକମାନଙ୍କଦ୍ୱାରାହିଁ ସବୁଠାରୁ ବଡ଼ ପରିବର୍ତ୍ତନ ଆସିପାରେ । ଏଇଥିପାଇଁ ତ ଭାରତର ଅନୁଶାସନ ପର୍ବ ଜାରି କରାଯାଇ ସେନସର ନାମରେ ଲେଖକମାନଙ୍କର ସ୍ୱାଧିକାର ଛିନ୍ନ କରି ଦିଆଗଲା, ମାତ୍ର ଇଂଲଣ୍ତରେ ଯେଉଁ ‘‘ଟିରେନୀ’’ ଏକାଦଶ ବର୍ଷ ପର୍ଯ୍ୟନ୍ତ ରହିଥିଲା, ତାହା ଦୁଇବର୍ଷ ମଧ୍ୟରେ ଭାରତରେ ଅବସାନ ହେଲା । ଏହା ପଛରେ ଲେଖକମାନଙ୍କର ଯେ କିଛି ପ୍ରଭାବ ନାହିଁ ତାହା କୁହାଯାଇପାରିବ ନାହିଁ ।

 

ସମଗ୍ର ବିଶ୍ୱରେ ଯେତେବେଳେ ଲେଖକ ସ୍ୱାଧୀନତାର ପ୍ରଶ୍ନ ଘନେଇ ଉଠୁଛି ସେତେବେଳେ କୌଣସି ଦେଶ ବା ଜାତିକୁ ଏଥିରୁ ବଞ୍ଚିତ କରି ରଖି ହେବ ନାହିଁ । ତେବେ ଯେଉଁ ଜାତି ଦେଶପ୍ରେମ ନାମରେ ଗଣତନ୍ତ୍ରକୁ ଫୁଲ ଚନ୍ଦନ ଦେଇ ଯୂପ କାଠ ପାଖକୁ ନେବାରେ ଅଭ୍ୟସ୍ତ ହୋଇ ଯାଇଛନ୍ତି, ସେଠି ସତ୍ୟ, ସ୍ୱାଧୀନତା ଓ ଶ୍ରମ ବ୍ୟର୍ଥ ଏବଂ ନିରର୍ଥକ । ଫାସିବାଦ, ନାଜିବାଦ, ସାମ୍ୟବାଦ ବା ପୁଞ୍ଜିବାଦର ଗୀତ ଗାଇବାର ସମୟ ଆଜି ଚାଲି ଯାଇଛି । ଯେଉଁ ଦେଶର ଲେଖକ ପରାଧୀନତାର ବେଡ଼ିରେ ଶାସକର ନିର୍ମମ ରଥଚକତଳେ ଚିପି ହୋଇ ମଧ୍ୟ ଚିତ୍କାର କରିପାରେ ନାହିଁ, ସେ ଦେଶର ଭବିଷ୍ୟତ ଲିଭି ଆସୁଥିବା ଦୀପର ଶେଷ ଆଲୋକ ପରି ତେଜୀୟାନ । ଡାଃ ଜିଭାଗୋର ଭୂମିକାରେ ଏ ସବୁକୁ ଲକ୍ଷ୍ୟ କରି ଠିକ୍ କୁହାଯାଇଛି ସାସ୍ୟବାଦୀ ବିପ୍ଳବ ଓ ସମାଜ ଗଠନର କୁହୁକ ପ୍ରଦୀପରୁ ବାହାରେ ଥିବା ପରାକ୍ରମୀ ଦୈତ୍ୟ ମୁହୂର୍ତ୍ତକ ମଧ୍ୟରେ ପଶ୍ଚିମର ଲାଗୋଡ଼ା ହଦଠାରୁ ପୂର୍ବାବସ୍ଥିତ ସାଇବେରିଆର ହିମାଞ୍ଚଳ ପର୍ଯ୍ୟନ୍ତ ନୂତନ କର୍ମସାଧନା ଓ ଭୋଗସାଧନାର ଭବନମାନ ଗଢ଼ି ଥୋଇ ଦେଇଛି, କିନ୍ତୁ ରୁଷିଆର ସାହିତ୍ୟିକ ପରମ୍ପରାକୁ ତାହା କେବଳ ଭାଙ୍ଗି ଦେଇଛି ସିନା, ତା’ ସାଙ୍ଗରେ ତା’ର ସମତୁଲ କିଛି ଗଢ଼ି ପାରିନାହିଁ ।

 

ବିଶ୍ୱସ୍ଥିତି ଓ ପରିସ୍ଥିତିରୁ ଆହରଣ କରିଥିବା ଏ ଅନୁଭୂତି ଏ କଥା ପ୍ରମାଣ କରିସାରିଲାଣି ଯେ ଆଜିର କବି ଲେଖକ କୌଣସି ବାଦବିବାଦ ବା ବିସମ୍ୱାଦରେ ବିଶ୍ୱାସ କରିପାରିବେ ନାହିଁ । ମୁକ୍ତି, ଏକତ୍ୱ ଓ ଭାତୃତ୍ୱର ଉଦ୍ଦେଶ୍ୟରେ ବିପ୍ଳବ କରିଥିବା ଫ୍ରାନ୍‍ସବାସୀଙ୍କୁ ଶେଷରେ ଗିଲୋଟିନରେ ଚଢ଼ିବାକୁ ପଡ଼ିଥିଲା । ରୁଷ ଜନକ୍ରାନ୍ତିରେ ଝାସ ଦେଇଥିବା ଟ୍ରଟସ୍କିଙ୍କୁ ଶେଷରେ ମେକ୍‌ସିକୋରେ ହତ୍ୟା କରାଯାଇଥିଲା । ଏଣୁ ଲେଖକ ଶାସନର ଛତ୍ରଛାୟା ଅପେକ୍ଷା ସେହି ସ୍ଥିତିରେ ରହିବାକୁ ବେଶି ପସନ୍ଦ କରିବ ଯେପରି ରବୀନ୍ଦ୍ରନାଥ ଠାକୁର ଲେଖନ୍ତି–

 

ଚିତ୍ତ ଯହିଁ ଭୟ ଶୂନ୍ୟ,

ଉଚ୍ଚ ଯଦିଁ ଶିର;

ଜ୍ଞାନ ତହିଁ ମୁକ୍ତ,

ଯହିଁ ଗୃହର ପ୍ରାଚୀର ।

Image

 

Unknown

ପ୍ରଗତିଶୀଳ ସାହିତ୍ୟରେ ଆଦର୍ଶ ଓ ଅବଜ୍ଞା

 

ପ୍ରଗତିଶୀଳ ବା ପ୍ରୋଗ୍ରେସିଭ ଶବ୍ଦ ସହିତ ଆଧୁନିକ ଜଗତ ଅଳ୍ପ ବହୁତ ପରିଚିତ । କାରଣ ବିଶ୍ୱରେ ସମସ୍ତେ ଆଜି ପ୍ରଗତି ଚାହାନ୍ତି । କାରଣ କୌଣସି ବ୍ୟକ୍ତି ଆଧୁନିକ ପରିପାଟୀରେ ସୁସଜ୍ଜିତ ବମ୍ୱେ ନିବାସୀ ନ ହୋଇ ପ୍ରାଚୀନ ବନବାସୀ ହେବାକୁ ଇଚ୍ଛା କରିବ ? ବା ଆଧୁନିକ ଡେନମାର୍କ ନିବାସୀ ହେବା ସ୍ଥାନରେ ପ୍ରାଚୀନ ରୋମାନ୍‍ବାସୀ ହେବାକୁ ପସନ୍ଦ କରିବ ? ପ୍ରାଚୀନ ଏଥେନ୍‌ସ ବା ଏଲିଜାବେଥ୍‌ଙ୍କ ଶାସିତ ଇଂଲଣ୍ତ ଅପେକ୍ଷା ନଭଶ୍ଚୁମ୍ୱୀ ଅଟ୍ଟାଳିକାମୟୀ ନଗରୀ କେତେ ସୁନ୍ଦର ଓ ପ୍ରଗତିଶୀଳ ନୁହେଁ । ଏଇଥିପାଇଁ ଏ ଶବ୍ଦଟିକୁ ଲୋକେ ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠାନ, ସଂସ୍ଥା ବା ବ୍ୟବସ୍ଥାର ନାମକରଣରେ ସଂଯୋଗ କରି ବ୍ୟାପକ ଲୋକପ୍ରିୟତା ଅର୍ଜନ କରିଛନ୍ତି ସତ୍ୟ, ମାତ୍ର ସଂଜ୍ଞା ନିରୂପଣ କରିପାରି ନାହାନ୍ତି ।

 

ବିଭିନ୍ନ ସମୟରେ ବହୁ ଲେଖକମାନଙ୍କଦ୍ୱାରା ଏହି ଶବ୍ଦଟିର ପ୍ରୟୋଗରେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ ପାଇଛି । ବେନିୟନ ‘‘ଦି ପିଲାଗ୍ରିମ୍‌ ପ୍ରୋଗ୍ରେସ ଫ୍ରମ ଦିସ ଓ୍ୟାରର୍ଲଡ଼ ଟୁବେଟ୍, ‘ହୁଇଚ୍‌ ଇଜ୍‌ ଟୁ କମ୍‌’’ ଶୀର୍ଷକ ପୁସ୍ତକ ଲେଖି ଏହି ସଂସାରକୁ ଆସୁଥିବା ସଂସାରକୁ ଯାତ୍ରାର ପ୍ରଗତି ଦର୍ଶାଇଛନ୍ତି ତ ମିଲଟନ୍‌ ଲକ୍ଷଣ ଦୃଷ୍ଟିରୁ ନିରନ୍ତର ସଂସ୍କାର କରିବା ଅର୍ଥରେ କହିଛନ୍ତି–ପ୍ରଭାତ... ମୃଦୁହାସ କରୁଥିବା ସ୍ୱଗୋଲାପ ସଦୃଶ ପ୍ରଗତିର ସମାରମ୍ଭ କଲେ ।’’ ମେକଲେ ସ୍କୁଲ୍‍ର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏହି ସୂଚନା ଦିଅନ୍ତି ଯେ–ଇଂଲଣ୍ତର ଇତିହାସ ପ୍ରଭାବଶାଳୀ ପ୍ରଗତିର ଇତିହାସ ଅଟେ । ସେହିପରି ବୈଜ୍ଞାନିକ ଚିନ୍ତା ଓ ଚେତନାରେ ଫ୍ରାନସିସ ବେକନ ଏବଂ ରେନି ଡିକେଟସ୍‌ ମାନବ ସମାଜର ପ୍ରଗତିପାଇଁ ବିଜ୍ଞାନର ବହୁମୂଲ୍ୟ ସମ୍ଭାର ବାଢ଼ିଥାନ୍ତି । ପୁରାତନ ଅନ୍ଧ ପରମ୍ପରା ଓ ଅନୁଷ୍ଠାନଗୁଡ଼ିକର ଧାରଣା ଉପରେ ଡାରଉଇନ୍‌, ହାରବର୍ଟ, ସ୍ପେନ୍‌ସର ମନୁଷ୍ୟ ବିକାଶର ଯେଉଁ ‘ପଥ ପ୍ରଦର୍ଶନ’ କରାଇଲେ, ପ୍ରଗତିବାଦ ପାଇଁ ସେ ସବୁ ଥିଲା ଭିତ୍ତିଭୂମି ସଦୃଶ ।

 

ଯେଉଁ ବୈଜ୍ଞାନିକଗଣ ମାନବ ସମାଜର ପ୍ରକୃତ ପ୍ରଗତି ଆଣିଲେ ସେମାନେ ମଧ୍ୟ ଏ ଶବ୍ଦଟିର ଶକ୍ତି ପରୀକ୍ଷା କରି ନଥିଲେ ଯେପରି ପପୁଲାର ଫ୍ରାନସ୍‌ ସମୟରେ ଏହା ପରୀକ୍ଷିତ ହେଲା ଏବଂ ଏହାର ପ୍ରୟୋଗ ଚାଲିଲା । ସନ ୧୯୩୦ ପରେ ପରେ ଫାର୍ସୀବାଦ ବିରୁଦ୍ଧରେ ସାମ୍ୟବାଦୀ, ସମାଜବାଦୀ, ଉଦାରତାବାଦୀ ଏବଂ ସମାଜ ଶତ୍ରୁଙ୍କ ବିରୋଧପାଇଁ ଏହା କେତେ ସମୟ ସକାଶେ ଲୋକପ୍ରିୟ ହୋଇ ଏକତାର ସ୍ୱରରୂପେ କାର୍ଯ୍ୟ କଲା । ମୋରିସ୍‌ କ୍ରେନ୍‌ଷ୍ଟନଙ୍କ ସମ୍ପାଦିତ ‘‘ଏ ଗ୍ଳୋସେରୀ ଅଫ୍‌ ପଲିଟିକାଲ୍ ଟର୍ମ୍‍ସ୍‌’’ର ଅରନେସ୍ତୋଲନ୍ଦି ମତ ଦେଲେ ଯେ ଏହି ପ୍ରଗତିଶୀଳ ଶବ୍ଦ ସନ ୧୯୩୯ରେ ନାଜି ସୋଭିଏତ୍‌ ସନ୍ଧି ସହିତହିଁ ସମାପ୍ତ ହୋଇଗଲା ।

 

ତୀବ୍ର ବିରୋଧ ବା କଟୁ ସମାଲୋଚନା କରିବା ମଧ୍ୟରେ ଡ୍ରେଇଜର, ଡେସ୍‌ପାସେଜ ଏବଂ ମିଲର ମାର୍କିନ ଲେଖକ ହେବା ସତ୍ତ୍ୱେ ପ୍ରଗତିଶୀଳ ଉପାଧି ଲାଭ କଲେ । ଏହା ପରେ ପରେ ବାମପନ୍ଥୀ ବିଚାରକଙ୍କ ପାଇଁ ଏହା ସୁବିଧାଜନକ ଲେବୁଲ ହୋଇ ଇନ୍‌କିଲାବୀଙ୍କ ପରି କଠୋର ବୈପ୍ଳବୀକ ସ୍ୱର ଉତ୍ତୋଳନ କଲା । ପ୍ରାଚୀନତାକୁ ବିରୋଧ କରିବା, ଅଦର୍ଶବାଦକୁ ଅଦରକାରୀ କହିବା, ପୁନଶ୍ଚ ଧର୍ମ ସଂସ୍କୃତିକୁ ବୁର୍ଜୁଅମାନଙ୍କର ଅସ୍ତ୍ର ବୋଲି ଆକ୍ଷେପ କରିବାରେ ଏକ ନୂତନ ପ୍ରକାର ପ୍ରଗତିବାଦର ଜନ୍ମ ହେଲା । ସାମ୍ୟବାଦୀମାନେ ଧୀରେ ଧୀରେ ପ୍ରଗତିବାଦର ପ୍ରବଳ ସମର୍ଥକ ହୋଇ ସାମ୍ୟବାଦର ଲକ୍ଷ୍ୟପୂର୍ତ୍ତି ପାଇଁ କାର୍ଯ୍ୟ କରିବା ମଧ୍ୟରେ ଏହାକୁ ସୀମିତ କରି ଦେଲେ । ସି.ଏମ. ଜୋଡ଼ଙ୍କ ଉକ୍ତିକୁ ଟିକିଏ ଅଲଗା କରି କହିଲେ ପ୍ରଗତିବାଦ ଏପରି ଏକ ଟୋପି, ଯାହା ଅନେକ ଲୋକ ବ୍ୟବହାର କରିଥିବାରୁ କୌଣସି ନିର୍ଦ୍ଦିଷ୍ଟ ରୂପରେଖ ରଖି ପାରିଲା ନାହିଁ । ଆଜି ରବର ପରି ପ୍ରଗତିବାଦକୁ ଆମେ ଟାଣି ଟାଣି ଛିଣ୍ତାଇବା ପର୍ଯ୍ୟନ୍ତ ନେଇଗଲୁଣି ।

 

ଏହା ସତ୍ତ୍ୱେ ଏହାର ଅସ୍ମିତାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ଡାରଉଇନ୍‌ଙ୍କ ବିକାଶବାଦ ମଞ୍ଚରୁ ଜନ୍ମ ନେଇଥିବା ମାର୍କିସଙ୍କ ବୈଜ୍ଞାନିକ ଭୌତିକ ଯଥାର୍ଥବାଦ, ଯୌନସର୍ବସ୍ୱ, ଫ୍ରଏଡ଼ ବା ୟଙ୍ଗଙ୍କ ମନସ୍ତତ୍ତ୍ୱ, ସାର୍ତ୍ତେଙ୍କ ସ୍ୱାର୍ଥସର୍ବସ୍ୱ ଅସ୍ତିତ୍ୱବାଦ, ନିତ୍‌ସେଙ୍କ ନିରେଶ୍ୱରବାଦୀ ଶବ୍ଦ ପ୍ରମାଣ କିମ୍ୱା ବ୍ରାଡ଼ଲେ ବା ସୁଇନ୍‌ବର୍ଣ୍ଣୀୟ ଉଦ୍ଦେଶ୍ୟହୀନବାଦର ସମ୍ମିଶ୍ରଣରେ ଏହାର ଭିତ୍ତି ସ୍ଥାପିତ ହୋଇଛି ।

 

ସିଦ୍ଧାନ୍ତର ପରିସର ମଧ୍ୟରେ ଅନ୍ତର୍ଭୁକ୍ତ ନଥିଲେ ମଧ୍ୟ ସେମାନେ ପ୍ରାଚୀନତାକୁ କାହିଁକି ଘୃଣା କରନ୍ତି ତା’ର କାରଣ ଦର୍ଶାଇବାକୁ ବାଧ୍ୟ ନୁହନ୍ତି । ସେମାନଙ୍କ ଦୃଷ୍ଟିରେ ପ୍ରାଚୀନ କବିମାନେ ରଚିଥିଲେ ଭଟ୍ଟଙ୍କ ସାହିତ୍ୟ । ଦୁର୍ବୋଧ୍ୟତା ମାଧ୍ୟମରେ ସତ୍ୟକୁ ଖୋଜିବା ପୁଣି ଅଶ୍ଳୀଳତା ମଧ୍ୟରେ ଗତ ଯୌବନକୁ ଆୟୁଷ୍ମାନ କରି ରଖିବା ପ୍ରଗତିଶୀଳ ସାହିତ୍ୟିକମାନଙ୍କର ଜନ୍ମସିଦ୍ଧ ଅଧିକାର । ସେମାନଙ୍କ ଦାବି ସେମାନେ ବିପ୍ଳବୀ ଓ ଅର୍ଥଶାସ୍ତ୍ରୀ, ସାଂସାରିକ ପୁଣି ବିଦ୍ରୋହୀ । ରକ୍ତରେ କବିତା ଲେଖିବା ମଶାଲ ନେଇ ବିପ୍ଳବକୁ ମାର୍ଗ ଦର୍ଶନ କରାଇବାରେ ସେମାନେ ଷ୍ଟାଲିନ ଓ ମାଓ । ଏଣୁ ତାଙ୍କ ଲେଖନୀରୁ ଝରେ–

 

ପ୍ରତି ବିପ୍ଳବର ରକ୍ତେ

ମୋ କପାଳ ଧୋଇବି ସେ ଦିନ,

ଠିକ୍‌ ସେଇଦିନ ମୋ ଭିତରେ

ଜନ୍ମ ନେବ

ଷ୍ଟାଲିନ, ମାଓ, ପାର୍ବତୀପୁରମ୍‌ ।

 

କାରଖାନାର ଧୂଆଁ ବାନ୍ତି, ଟ୍ରେନ୍‍ର ଛକଛକ ଶବ୍ଦ, ଶ୍ରେଣୀ ସଂଘର୍ଷ, ସାମାଜିକ ଅର୍ଥନୈତିକ ସମସ୍ୟା ଓ ଅସ୍ଥିରତା, ବିପ୍ଳବ ଆଦି ଶବ୍ଦ ନେଇ ଅନ୍ୟକୁ ଭର୍ତ୍ସନା ଓ ବ୍ୟଙ୍ଗ ବିଦ୍ରୂପ କରିବା, କୁଆଡ଼େ ଆଧୁନିକ ଯୁଗର ଶ୍ରେଷ୍ଠ ସ୍ୱରଲିପି । ଗାଈର ଲାଞ୍ଜ ଧରି ବୈତରଣୀ ପାର ହେଲାପରି ବିଜ୍ଞାନର ନାମ ଦେଇ ସାହିତ୍ୟକୁ ନିଜ ପକ୍ଷରେ ଓକିଲାତି କରାଇବାରେ ଅନ୍ୟ କୌଣସି ଯୁଗ ବା ବାଦ ଏତେ ସକ୍ଷମ ହୋଇ ପାରିନାହିଁ, ଯାହା ପ୍ରଗତିବାଦଦ୍ୱାରା ସମ୍ଭବ ହୋଇ ପାରିଛି । ବାସ୍ତବବାଦର ପ୍ରକୃତ ଦାୟାଦ ଭାବରେ ପ୍ରଗତିବାଦୀ ଆଦର୍ଶଜୀବୀଙ୍କୁ ଅନ୍ଧବିଶ୍ୱାସୀ ବୋଲି କହିବାରେ ଆଶ୍ଚର୍ଯ୍ୟ କିଛି ନାହିଁ ।

 

ବାସ୍ତବବାଦର ଭ୍ରୁଣରୁ ଜନ୍ମ ନେଇଥିବା ଦାବି କରି ପ୍ରଗତିବାଦୀ ଯେହେତୁ ଆଦର୍ଶବାଦୀଙ୍କୁ ଅସ୍ପୃଶ୍ୟ ବୋଲି ମନେ କରନ୍ତି, ଯେହେତୁ ଆଦର୍ଶବାଦ ବାସ୍ତବବାଦ ଉପରେ ନିଜର ବିଶ୍ୱାସ ଓ ପରମ୍ପରାକୁ ଭବିଷ୍ୟତ ବିଜୟ ଆଶାରେ ସୁରକ୍ଷିତ ରଖେ । ବାସ୍ତବବାଦର ସମର୍ଥନ ଜଣାନ୍ତି, ‘କଳାପାଇଁ କଳାର ପୂଜାରୀ’–ଏ.ସି. ବେଡ଼ଲେ । ଆଦର୍ଶବାଦୀଙ୍କ ପକ୍ଷରୁ ଓକିଲାତି କରନ୍ତି ଭିକ୍ଟୋରିଆ କବି ସମାଲୋଚକ–ମେଥ୍ୟ ଆରନ୍‌ଲର୍ଡ଼ । ପକ୍ଷୀର କାକଳୀରେ ଆଦର୍ଶ(୫୧) ନଥିଲା ପରି କଳାକୁ ନୈତିକ ଦୃଷ୍ଟିରେ ତୁଳନା କରିବା ବ୍ୟର୍ଥ ଓ ଅନ୍ଧ ପରମ୍ପରା ବୋ ସେମାନେ ବିଶ୍ୱାସ କରନ୍ତି । ବ୍ରେଡ଼ଲେ ପୋଏଟୀଫର ପୋଏଟ୍ରି ସେକ୍‌ ପ୍ରବନ୍ଧରେ ସ୍ପଷ୍ଟ କହି ଦିଅନ୍ତି–ଧର୍ମ, ସଂସ୍କୃତି ଓ ନୈତିକ ଶିକ୍ଷା, କାବ୍ୟକଳା ସହ ଆଦୌ ସମ୍ପୃକ୍ତ ନୁହନ୍ତି । ଅନ୍ୟ ପକ୍ଷରେ ଆରନ୍‌ଲର୍ଡ଼ ନୈତିକତାକୁହିଁ ବିଚାର କରିବାକୁ ଚାହାନ୍ତି ।

 

କେହି କା କଥା ଶୁଣିବାପାଇଁ ପ୍ରସ୍ତୁତ ନୁହନ୍ତି । ଆଦର୍ଶବାଦୀଙ୍କୁ ଉପେକ୍ଷା କରି ବାସ୍ତବବାଦୀ କୁହନ୍ତି ଦେ ଆର ରାଇଡ଼ିଙ୍ଗ୍‌ ଅନ୍‌ ହର୍ଷବେକ୍‌ ଓଭର୍ ଭେକ୍ୟୁସ ବା ସେମାନେ ଶୂନ୍ୟରେ ଘୋଡ଼ା ଦଉଡ଼ାଉ ଅଛନ୍ତି । ବାସ୍ତବବାଦୀଙ୍କୁ ପ୍ରତିବାଦ କରି ଆଦର୍ଶବାଦୀ କୁହନ୍ତି–ଦେ ପ୍ରମିଜ୍‌ ଟୁ ଗିଭ୍‌ ଅସ୍‌ ଏ ଓ୍ୟାରଲଡ଼, ଇନଷ୍ଟେଡ଼ ଦେ ଗେଭ ଅସ୍‌ ଏ ହସପିଟାଲ । ସେମାନେ ଆମକୁ ନୂତନ ସଂସାର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ତାଙ୍କଠାରୁ ଆମକୁ ମିଳିଲା ଗୋଟାଏ ଚିକିତ୍ସାଳୟ ।

 

‘‘କଳାପାଇଁ କଳା‘’ କଥା ପୋଷାକପାଇଁ ଦରକାର ପରି ତର୍କ ସଙ୍ଗତ ମନେ ହୁଏ ନାହିଁ । ଏହାରି ଭିତ୍ତିଭୂମି କେବଳ କଳ୍ପନା ଓ କବିର ଇଚ୍ଛା ମଧ୍ୟରେ ସୀମିତ । ସାହିତ୍ୟର ଶାସ୍ତ୍ରାଦି ମଣ୍ତପକୁ ଗଢ଼ିବାରେ ଏହାର ଶକ୍ତି କ୍ଷୀଣ, ପ୍ରମାଣ ମଧ୍ୟ ଦୁର୍ବଳ । ବୈଦିକ ଯୁଗଠାରୁ ଏଜରା ପାଉଣ୍ତ ଇଲିଏଟ ଏବଂ ତାଙ୍କର ପରବର୍ତ୍ତୀ ଯୁଗ ପର୍ଯ୍ୟନ୍ତ ସାହିତ୍ୟର ଲକ୍ଷ୍ୟ ସମାଜ କଲ୍ୟାଣ ଦୃଷ୍ଟିରୁ ହୋଇଛି । ଏଥିରେ ଅବଶ୍ୟ ଆଦର୍ଶବାଦୀ ଓ ବାସ୍ତବବାଦୀ ସାହିତ୍ୟିକ ଅଛନ୍ତି । ପାର୍ବତୀ କାବ୍ୟରେ ପିତାପୁତ୍ରୀର ପ୍ରେମ ନୈତିକ ଦୃଷ୍ଟିରୁ ଅତି ଜଘନ୍ୟ ହେଲେ ମଧ୍ୟ ଏକ ନିଷ୍ଠୁର ସତ୍ୟର ଅବତାରଣା କରି ରାଧାନାଥ ସମାଲୋଚନାର ପାତ୍ର ହେଲେ । ଏଥିରୁ ଏହା ପ୍ରମାଣିତ ହୋଇଯାଏ ଯେ, ସମସ୍ତେ କୌଣସି ନା କୌଣସି ସିଦ୍ଧାନ୍ତ ବା ଆଦର୍ଶର ପକ୍ଷପାତୀ । ଆଦର୍ଶବାଦ ହେଉ ବା ବାସ୍ତବବାଦ ହେଉ, ସମସ୍ତେ ଆଦର୍ଶ ରାଜ୍ୟର ଜଣେ ଜଣେ ପ୍ରଜା ।

 

କେତେକ କବି ଭାଟ ପରି ସମାଜ ଶାସକଙ୍କ ଗୀତ ଗାଇବେ ଓ କେତେକ ବୈପ୍ଳବିକ ଚେତନା ନେଇ ସମାଜର ପରିବର୍ତ୍ତନ ପାଇଁ ଆହ୍ୱାନ କରିବେ । ଏ କଥା ସତ୍ୟ ଯେ ଭାଟ ହୋଇ ଗୀତ ଗାଉଥିବା କବି ଲେଖକଙ୍କ ମଧ୍ୟରେ ଆମେ ୱାଲଟ ହାଇଟ୍‌ ମେନ, ଥମାସ ପ୍ଳିଜ୍‌ ଭଲଟାୟାର, ଇନଗରସଲ୍‌ ଶ୍ରୀବତ୍ସ ପଣ୍ତାଙ୍କୁ ଖୋଜି ପାଇବୁ ନାହିଁ ।

 

ପ୍ରସଙ୍ଗକ୍ରମେ ଏହା ମୁଁ କହିବାକୁ ଚାହେଁ ଯେ ପ୍ରଗତିଶୀଳ ସାହିତ୍ୟିକଙ୍କ ପରି ପ୍ରାଚୀନ କବିଙ୍କୁ ଅସମ୍ମାନ କରିବା ଠିକ୍‌ ହେବ ନାହିଁ । ସେମାନେ ରାଜା ମହାରାଜାଙ୍କ ଗୀତ ଗାଉଥିଲେ । ଆଜି ଆମେ ଶାସକ ସାମ୍ରାଜ୍ୟବାଦୀଙ୍କ ଗୀତ ଗାଇଲୁ । ରାମ କୃଷ୍ଣଙ୍କ ସ୍ତୁତି କରିବାଦ୍ୱାରା ବାଲ୍ମୀକି ଓ ବ୍ୟାସଙ୍କୁ ଯଦି ଭାଟ ବୋଲି କହୁ, ତେବେ ନେପୋଲିୟନ, ହିଟଲର, ଷ୍ଟାଲିନ୍‌ ଓ ମାଓଙ୍କୁ ସ୍ତୁତି କରୁଥିବା ପ୍ରଗତିବାଦୀଙ୍କୁ ଆମେ କ’ଣ କହିବୁ ? ବ୍ୟକ୍ତିନିଷ୍ଠ ହେବା ଅପେକ୍ଷା ଆଦର୍ଶର ପୂଜା କରିବା ଶ୍ରେୟସ୍କର । ବାଲ୍ମୀକି, ବ୍ୟାସଙ୍କୁ ସମସ୍ତେ ଏହି ଦୃଷ୍ଟିରୁ ସମ୍ମାନ କରିଥାନ୍ତି; କାରଣ ବ୍ୟକ୍ତି ସହ ଆଦର୍ଶକୁ ମଧ୍ୟ ସେମାନେ ସମ୍ମାନ କରୁଥିଲେ, ଯାହା ଆମେ କରିପାରୁ ନାହିଁ ।

 

ଏଥର ଆମେ ବିଜ୍ଞାନଧର୍ମୀ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବା । ପ୍ରଗତିଶୀଳ ସାହିତ୍ୟ ବିଜ୍ଞାନକୁ ଯେଉଁ ପ୍ରକାର ଶୋଷଣ କରିଛି, ସେ ପ୍ରକାର ଅନ୍ୟ କୌଣସି ସାହିତ୍ୟ କରିପାରି ନାହିଁ । ତେବେ ବିଜ୍ଞାନର ଆଶ୍ରା ନେଇ ନିଜର ସ୍ୱାଭିମାନକୁ ଯନ୍ତ୍ର ପାଖରେ ସମର୍ପଣ କରି ଦେଇଥିବା ଶ୍ରମିକ ଯନ୍ତ୍ର-ସଙ୍ଗୀତ ଗାଇପାରେ । ମାତ୍ର ବିଜ୍ଞାନର କ୍ଷେତ୍ର ସାହିତ୍ୟର କ୍ଷେତ୍ରଠାରୁ କିଛିଟା ଦୂରରେ । ଦୁଇ ସହିତ ଦୁଇ ମିଶି ଚାରି ହେଲା ବୋଲି ପ୍ରମାଣ କରିବା ଅପେକ୍ଷା, ସାହିତ୍ୟିକ ଚାରିକୁ ଆଗରୁ ସ୍ୱୀକାର କରି ନେଇଥାଏ । ସାଂଖ୍ୟ କୁହେ ଏହାର ମୂଳରେ ରହିଛି ପ୍ରକୃତି । ଆତ୍ମା ଓ ଅନାତ୍ମାର ମିଶ୍ରଣରେ ହୁଏ ଜୀବ । ଗୋସ୍ୱାମୀ ତୁଳସୀ ଦାସ ‘‘ଜଡ଼ ଚେତନାର ଗ୍ରନ୍ଥୀ’’ ସଂସାରର ସଂସରଣହିଁ ମିଶ୍ରଣର ରୂପ ବୋଲି କହନ୍ତି । ଏଣୁ ଆତ୍ମା ଓ ପରମାତ୍ମାଙ୍କ ସତ୍ତା ଦୁଇ ହୋଇ ମଧ୍ୟ ଏକ । ପରିଣୟର ସୂତ୍ରରେ ପତି ପତ୍ନୀଙ୍କର ସ୍ଥିତି ଦୁଇ ବୋଲି ଗଣାଯାଇ ମଧ୍ୟ ଏକ ଧରାଯାଏ ।

 

ଶୈଶବର ନିକଟରେ ଥିବା ସ୍ୱର୍ଗ ପାଖରେ ବୟସ୍କର କର୍ମ ଜଞ୍ଜାଳ ତୁଚ୍ଛ ଓ ବ୍ୟର୍ଥ । କଳ୍ପନା ଓ ଅନୁମାନ ମଧ୍ୟରେ କବି ବଞ୍ଚିରହେ ଆଶା ଇଚ୍ଛାରେ । ମାତ୍ର ଜଣେ ବୈଜ୍ଞାନିକ, ଯିଏ ଜାଣିସାରିଲାଣି ଯେ ଶରୀର ବସ୍ତୁଗୁଡ଼ିକର ସମଷ୍ଟି । ରକ୍ତ, ମାଂସ ଅସ୍ଥିର ଏକ ବାସ୍ତବ ସମାରୋହ ସେ କିପରି ବିଭୋର ହେବ ? ଏ ଦୃଷ୍ଟିରୁ କବିର ଜୀବନ ବୈଜ୍ଞାନିକର ଜୀବନ ଦର୍ଶନଠାରୁ ସମ୍ପୂର୍ଣ୍ଣ ପୃଥକ୍ । ସାହିତ୍ୟିକର ଜଗତ–ଭାବନା ଓ କଳ୍ପନାର ଜଗତ ବୁଦ୍ଧି ଓ ବୈଭବର ଜଗତ । ଏହାର ଅର୍ଥ ନୁହେଁ ଯେ ସାହିତ୍ୟରେ ବୁଦ୍ଧି ଓ ବୈଭବର କୌଣସି ସ୍ଥାନ ନାହିଁ କିମ୍ୱା ଏହା ବୁଝିବା ମଧ୍ୟ ଠିକ୍‌ ହେବ ନାହିଁ ଯେ ସାହିତ୍ୟ ବୈଜ୍ଞାନିକ ସତ୍ୟକୁ ଅସ୍ୱୀକାର କରେ ।

 

ବିଜ୍ଞାନକୁ ନିଜର କରି ନେବା ପରେ ମଧ୍ୟ ସାହିତ୍ୟର ଏକ ମୌଳିକ ସ୍ୱର ରହିଛି । ତାହା ବସ୍ତୁନିଷ୍ଠ ନୁହେଁ ବସ୍ତୁରେ ନିର୍ମିତ ସୁନ୍ଦର ପ୍ରତିମା ମଧ୍ୟରେ ଜୀବନ୍ୟାସ ଦିଏ, ଜଡ଼ ମଧ୍ୟରେ ଆତ୍ମାର ପ୍ରକାଶ ସେ ଦେଖେ । ପ୍ରସ୍ଫୁଟିତ ପୁଷ୍ପ ଦେଖି କବି ମନରେ କେତେ କଳ୍ପନାର କୋରକ ସୃଷ୍ଟି ହୋଇଯାଏ । ମାତ୍ର ବୈଜ୍ଞାନିକ ତା’ର ପାଖୁଡ଼ା ଛିଣ୍ତାଇ କେଶରର ପରୀକ୍ଷା କରିବାରେ ଆନନ୍ଦ ପାଇଥାଏ । ଗଙ୍ଗା ଓ ଭଲଗା ଯୁଗଯୁଗ ଧରି ପ୍ରବାହିତ । ଏ ନଦୀରେ ଅବଗାହନ କରି କବି, ଭାବୁକ, ଦାର୍ଶନିକ ଓ ଧାର୍ମିକ ପବିତ୍ର ହୋଇଛନ୍ତି ଏବଂ ନିଜର ଅଭିଳଷିତ ତୃଷା ମେଣ୍ଟାଇଛନ୍ତି-। ଏହାକୁ ପବିତ୍ର ଜଳ ନ ଭାବି ଯଦି ଆମେ ହାଇଡ଼୍ରୋଜେନ୍ ଅକ୍ସିଜେନ୍‍ର ସମ୍ମିଶ୍ରଣସ୍ୱରୂପ ବୋଲି ଭାବୁ, ତାହାହେଲେ ଗଙ୍ଗା ଲେବରଟାରୀର ଏକ ଗ୍ୟାସନଳା ହୋଇଯିବ ଏବଂ କବି ‘ମାତଃ ଶୈଳସୁତା ସପତ୍ନୀ ବସୁଧା ଶୃଙ୍ଗାର ହାରାବଳୀ’ କହିବାକୁ ସଙ୍କୋଚବୋଧ କରିବ-। ସୌନ୍ଦର୍ଯ୍ୟବୋଧ ଓ ବାସ୍ତବ ସତ୍ୟ ଭଳି ଦୁଇଟି ବିପରୀତମୁଖୀ ବିଚାରର ସମନ୍ୱୟ କରିବା କଷ୍ଟକର ବ୍ୟାପାର । କବିତା ହେଉଛି ଜୀବନର କଠୋର ସଙ୍ଗୀତର ସଙ୍ଗୀତ । ଏଥିପାଇଁ ଏହା ସାହିତ୍ୟର ସୌନ୍ଦର୍ଯ୍ୟବୋଧ ଧରାତଳେ ମଧ୍ୟ ନବ ପ୍ରବାହମାନ ।

 

ରାବଣ ବଳପୂର୍ବକ ସୀତାଙ୍କୁ ସ୍ୱ-ରଥରେ ବସାଇ ନେଇ ମଧ୍ୟ ତାଙ୍କୁ ଜୀବନସାରା ସ୍ପର୍ଶ କରି ନ ପାରିବା ଭଳି ବିଜ୍ଞାନ ସାହିତ୍ୟରେ ପରିବେଷିତ ସାହିତ୍ୟିକ ବିଜ୍ଞାନ ନାମରେ ଯେଉଁ ସାହିତ୍ୟ ସୃଷ୍ଟି କରୁଛନ୍ତି, ଏହା ମଧ୍ୟରେ ଆତ୍ମୀୟତାର ଏକାନ୍ତ ପରିଲକ୍ଷିତ ହୁଏ । ବିଜ୍ଞାନର ଦାସତ୍ୱ ସ୍ୱୀକାର କରି କୌଣସି ଲେଖକ ନିଜର କଳ୍ପନା ଓ ଆଶାକୁ ଅତି ନିଷ୍ଠୁର ଭାବରେ ହତ୍ୟା କରିବା ପକ୍ଷରେ ରାୟ ଦେଇ ନ ପାରନ୍ତି ।

 

ଏ ସକଳ ପ୍ରମାଣରୁ ଏହା ସ୍ପଷ୍ଟ ଯେ ପ୍ରଗତିବାଦ ଏକ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତର ପକ୍ଷ ସମର୍ଥନ କରିପାରି ନାହିଁ ।

 

ପ୍ରଗତି ବୋଲି ଆମେ ଯାହା କହୁଛୁ, ତା’ର ନାଁ ଅଛି ଆଗ ନା ପଛ ? ଏକ ଚକ୍ରପରି ଏହା ଘୂରି ଚାଲିଛି । ଏଥିରେ ନୂଆ ପୁରୁଣା ବୋଲି କିଛି ନାହିଁ ଅସ୍ତ ବା ଉଦୟ ପରି ଏହା ଅସମାପିକା । ଏହା କହିବା ଅର୍ଥ କେହି ଭୁଲ ବୁଝିବା ଉଚିତ ନୁହେ ଯେ ପ୍ରଗତିଶୀଳ ସାହିତ୍ୟର ମୂଳରେ କୁଠାରଘାତ କରୁଛି । ପ୍ରଗତିହିଁ ଜୀବନ, ସ୍ଥିରତାହିଁ ମୃତ୍ୟୁ ।

 

ସମଗ୍ର ସଂସାରର ବ୍ୟାପ୍ତ ଅନ୍ୟାୟ ଓ ଅତ୍ୟାଚାରର ପ୍ରତିବାଦସ୍ୱରୂପ ‘‘ଇସଲାମର ବିପ୍ଳବ’’ ନାମକ ଦ୍ୱାଦଶ ସର୍ଗ ବିଶିଷ୍ଟ ସେଲିଙ୍କ ମହାକାବ୍ୟର ଲେଓନ୍ ଓ ସାଏଥେନ୍‍ଙ୍କ ପ୍ରଗତିର ବାହକ ବୋଲି କ’ଣ କୁହାଯାଇପାରିବ ନାହିଁ ? ବିଜ୍ଞାନ ରାଜ୍ୟରେ ଆଣିଥିବା ମହାନ୍ କ୍ରାନ୍ତିକାରୀ ଗାଲିଲିଓ ଓ କୁପରନିକସ୍‌ କ’ଣ କମ୍ ପ୍ରଗତିଶୀଳ ଥିଲେ ? ସେମାନେ ଥିଲେ ଜଣେ ପ୍ରିମିଥିଅସ । ଯେଉଁମାନେ ଜଗତକୁ ଆଲୋକ ଆଣି ଖ୍ରୀଷ୍ଟଙ୍କ ପରି ବହନ କରି ନେଇଥିଲେ ଜଗତର ଯନ୍ତ୍ରଣା ଓ କୃଶ । ଏଣୁ ଯଦି ଏଠି ମୁଁ କହେ ଯେ, ପ୍ରଗତି ବା ବିପ୍ଳବ ଏକ ମହାନ୍ ଆଦର୍ଶ ତେବେ ବାସ୍ତବବାଦୀ ଏଥିରେ ହତୋତ୍ସାହିତ ହେବାର କ’ଣ ଅଛି ? ସାହିତ୍ୟ ଯେଉଁ ବାଦ, ବିବାଦ, ବିସମ୍ୱାସ ଦେଇ ଗତି କରୁନା କାହିଁକି, ଏହା କେବେ ମଧ୍ୟ ଆଦର୍ଶ ବିହୀନ ହୋଇ ନ ପାରେ । ଉଦ୍ଦେଶ୍ୟହୀନ ଓ ଆଦର୍ଶ ବିହୀନ ମଧ୍ୟ ଏକପ୍ରକାର ଆଦର୍ଶ ରାଜ୍ୟରେ ଅବସ୍ଥିତ ।

 

ଏ କଥା ସତ୍ୟ ଯେ ଯୁଗେଯୁଗେ ବର୍ତ୍ତମାନ ପ୍ରତି ଅସନ୍ତୁଷ୍ଟ ଗୋଷ୍ଠୀ ଭବିଷ୍ୟତର ୟୁଟୋପିୟା ଆଶାରେ ଆମକୁ ଏକ କାଳ୍ପନିକ ରାଜ୍ୟକୁ ନେଇ ଚାଲନ୍ତି । ପୁରୁଣାରେ ଊଣା ମନେକରି ସେମାନେ ତତ୍କାଳୀନ ରୂଢ଼ିବାଦ ପରେ ଯେଉଁ ହାତୁଡ଼ି(୫୩) ପ୍ରହାର କରନ୍ତି, ତା’ର ଅନ୍ୟ ନାମ ବିପ୍ଳବ । ଏ ଦୃଷ୍ଟିରୁ ବିପ୍ଳବ ବା ପ୍ରଗତିଟା କେବଳ ମାର୍କସବାଦୀ ସାହିତ୍ୟିକମାନଙ୍କର ଏକଚାଟିଆ ବାଣିଜ୍ୟ ବୋଲି ସେମାନେ ଦାବି କରି ପାରିବେ ନାହିଁ । ପ୍ରତ୍ୟେକ ଦେଶରେ ପ୍ରତ୍ୟେକ ଭାଷାରେ ହୋଇଥିବା ସଂସ୍କାର ଓ ପ୍ରଗତି ତତ୍କାଳୀନ ସମୟପାଇଁ ଓ ଆଗକୁ ଚାଲି ପୁରୁଣା ।

 

କାଳିଦାସ, ସାରଳା ଦାସ, ତୁଳସୀ ଦାସ, ମୈଥିଳୀ ଶରଣ ଗୁପ୍ତ ଓ ମାଇକେଇ, ମଧୁସୂଦନ ଦତ୍ତ ତାଙ୍କ ସମୟରେ ଖୁବ୍‌ ପ୍ରଗତିଶୀଳ ଥିବା ସତ୍ତ୍ୱେ ଆଜିର ଜରାଜୀର୍ଣ୍ଣ ଇତିହାସ ପୃଷ୍ଠାରେ ପରମ୍ପରା ପଥରେ ସ୍ଥାଣୁ, ଅଥର୍ବ ଓ ପଙ୍ଗୁ । କାରଣ ସେମାନେ ପୁରାତନ, ଗତ ଓ ଅସ୍ତ ।

 

ମହାଭାରତର ଦୁଷ୍ମନ୍ତ, ଶକୁନ୍ତଳାଙ୍କ ପ୍ରତି ଆମେ ଆଦୌ ସହାନୁଭୂତିଶୀଳ ନୋହୁ । ବ୍ୟାସଙ୍କ ଦୁଷ୍ମନ୍ତ ସମୟ ଓ ପରିସ୍ଥିତିରେ ପଡ଼ି ନା ଶକୁନ୍ତଳାଙ୍କ ସମ୍ମାନ ରକ୍ଷା କରି ପାରିଛି, ନା ନିଜର । ମହାକବି କାଳିଦାସ ଦୁର୍ବାସାଙ୍କ ଶାପର କଳ୍ପନା କରି ଦୁଷ୍ମନ୍ତଙ୍କୁ ସମ୍ପୂର୍ଣ୍ଣ ଧୀରୋଦତ୍ତ ନାୟକ ଗୁଣରେ ଅଳଙ୍କୃତ କରି ଦେଇଛନ୍ତି । ଇତିହାସର ପଥ ପରିବର୍ତ୍ତନ କରି କାଳିଦାସ ଦୁଷ୍ମନ୍ତଙ୍କ ଲଜ୍ଜା ନିବାରଣ କରିବା ସଙ୍ଗେ ସଙ୍ଗେ ଶାପଜନ୍ୟ ବିବଶତାରେ ଆମର ମହାନୁଭୂତିର ଅଧିକାରୀ କରାଇ ଦିଅନ୍ତି ।

 

ଯେତେବେଳେ ଶାରଳା ଦାସ ମହାଭାରତ ରଚନା କଲେ, ସେଥିରେ ସେତେବେଳେ ଆଧୁନିକ ସଂସ୍କୃତ କାବ୍ୟ ରଚନା ଯୁଗରେ ଲୌକିକ ଭାଷାରେ । ମହାଭାରତ ଅନୁବାଦ କରିବାଦ୍ୱାରା ତାଙ୍କୁ କମ୍‌ ଲାଞ୍ଛନା ଭୋଗ କରିବାକୁ ପଡ଼ି ନଥିଲା । ସେହିପରି ଇଂରାଜୀ ସାହିତ୍ୟର ଆଦି କବି ଚଉସର, ଫରାସୀ ଲାଟିନ୍ ଭାଷାର-ଯୁଗରେ ଇଂରାଜୀରେ କାବ୍ୟ ରଚନା କରି ସମାଲୋଚନାର ପାତ୍ର ହୋଇଥିଲେ ମଧ୍ୟ ସେ ଯୁଗରେ ସେ ଥିଲେ ପ୍ରଗତିବାଦୀ ।

 

ବାଲ୍ମୀକି ରାମାୟଣରେ ବର୍ଣ୍ଣିତ ବନବାସର ଅବସରରେ ଲକ୍ଷ୍ମଣଙ୍କ କ୍ରୋଧ ତୁଳସୀ ଦାସ ରାମଚରିତ ମାନସରେ ସମାପ୍ତ କରି ଗୋଟିଏ ପାଦ ଆଗକୁ ବଢ଼ିଗଲେ ।

 

ଊର୍ମିଳାଙ୍କ ବିରହାନୁଭୂତି ଏପର୍ଯ୍ୟନ୍ତ ସାହିତ୍ୟିକମାନଙ୍କ ଆଗକୁ ଆସି ପାରି ନଥିଲା । ମୈଥିଳୀ ‘ଶରଣଗୁପ୍ତଙ୍କ ସାକେତ’ରେ ତାହା ମୁଖରିତ ହୋଇ ଉଠିଲା । ମାନସକାର ଲକ୍ଷ୍ମଣଙ୍କ କ୍ରୋଧ ଶାନ୍ତ କରି ଦେବା ପରି ସାକେତକାର ତାକୁ ପୁନଃ ପ୍ରକାଶ କରି ବସ୍ତୁବାଦୀ ପରିସ୍ଥିତିକୁ ତୀବ୍ର କରି ଦେଲେ । ମୈଥିଳୀ ଶରଣ ଶତାବ୍ଦୀ ଲାଞ୍ଛିତା କୈକେୟୀଙ୍କୁ ତାଙ୍କ ମହାକାବ୍ୟ ସାକେତରେ ଆମ ଦୟା ଓ ସହାନୁଭୂତିର ପାତ୍ରୀ କରି ଦେଲେ ।

 

ସେହିପରି ‘ମେଘନାଦ ବଧ’ କାବ୍ୟରେ ମାଇକେଲ ମଧୁସୂଦନ ଦତ୍ତ ଆମକୁ ମେଘନାଦ ପ୍ରତି ସମ୍ୱେଦନଶୀଳ କରି ଦିଅନ୍ତି । ସେଥିରେ ରାମ-ରାବଣର ଯୁଦ୍ଧ ନିରବଚ୍ଛିନ୍ନରୂପେ ଭଲ ବା ମନ୍ଦର ଯୁଦ୍ଧ ନୁହେଁ । ତା’ର ବଧ କୌଣସି ଦୈତ୍ୟର ବିନାଶ ନୁହେଁ, ବରଂ ସେ ସହିଦରୂପେ ଜଣେ ଅଭିମନ୍ୟୁ । ‘ମାଇକେଲଙ୍କ ସୀତା ଭଲ; କିନ୍ତୁ ପ୍ରମିଳା ଆହୁରି ଭଲ । ସୀତାଙ୍କଠାରୁ ପ୍ରମିଳା କମ୍ ମହିମାମୟୀ ମନେ ହୁଅନ୍ତି ନାହିଁ । ପ୍ରମିଳା ଦେଶୀ ଓ ବିଦେଶୀ ସମସ୍ତ ଆଦର୍ଶର ତିଳୋତ୍ତମା ମନେହୁଏ, ଏ ଚରିତ୍ରଟି ପାଇଁ ସ୍ୱ-ଚର୍ଣ୍ଣାଗାରର ସମସ୍ତ ରଙ୍ଗ ସେ ଖର୍ଚ୍ଚ କରି ଦେଇ ନାହାନ୍ତି ତ ? ଏ ସବୁ ଦୃଷ୍ଟିରୁ ସେ କ’ଣ କମ୍ ପ୍ରଗତିଶୀଳ ?’

 

ଯଦି ପ୍ରଗତି ବୋଲି ଆମେ କିଛି ବୁଝୁ ତାହାହେଲେ ରକେଟ ନିର୍ମାତାଙ୍କୁ ପ୍ରଗତିଶୀଳ କହିବା ଅପେକ୍ଷା ପ୍ରଥମରେ ଯିଏ ଶଗଡ଼ଗାଡ଼ି ନିର୍ମାଣ କଲା, ତାହା ପ୍ରତି ଦୃଷ୍ଟି ଫେରାଇବାକୁ ପଡ଼ିବ । ପ୍ରାଚୀନ ଭାରତବାସୀ ଯଦି ଶୂନ୍ୟଟିକୁ ଗଣିତ ଶାସ୍ତ୍ରକୁ ଦାନ ନ କରିଥାନ୍ତେ, ତାହାହେଲେ ରୋମାନ୍ ଅଙ୍କ ନେଇ ବିଜ୍ଞାନ ରାକ୍ଷସ ଆଇନଷ୍ଟାଇନ ‘ଥିଓରୀ ଅଫ ରିଲେଟିଭିଟି’ ପର୍ଯ୍ୟନ୍ତ କଥା କହି ପାରି ନଥାନ୍ତେ । ଏ ଦୃଷ୍ଟିରୁ ମାର୍କସବାଦୀଙ୍କ ପରି ଦାରିଦ୍ରତାକୁ ପ୍ରଗତିବାଦୀଙ୍କ ସୀମା ମାନିନେବା ଏ ବାଦ ପ୍ରତି ଯଥେଷ୍ଟ ନ୍ୟାୟ ଦେବା ସହ ସମାନ ନୁହେଁ ।

 

ସେମାନଙ୍କ ଭଳି ଧର୍ମ-ସଂସ୍କୃତି ଓ ସାହିତ୍ୟକୁ ରୂଢ଼ିବାଦ ବୋଲି ମୁଁ ଚାହେଁ ନାହିଁ । କାରଣ ଏହାହିଁ କୌଣସି ବାଦ ବା ଇଦମର ଅଦୃଷ୍ଟ ମୂଳଦୁଆ । ଏଣୁ ପ୍ରଗତିଶୀଳ ଶବ୍ଦକୁ ସାହିତ୍ୟ କ୍ଷେତ୍ରରେ ମାର୍କିଷ୍ଟ ବିଚାରପାଇଁ ପ୍ରୟୋଗ କରିବା ପରେ ମଧ୍ୟ ଏହାର ଏକ ଅଭିନବ ପ୍ରୟୋଗ କରାଯାଇପାରେ ।

 

ସାହିତ୍ୟ କେବଳ ବର୍ତ୍ତମାନ ସର୍ବସ୍ୱ ହୋଇ ବୃତ୍ତପତ୍ର ପରି କାଲିପାଇଁ ଅକାମୀ, ଅଦରକାରୀ ହୋଇ ନ ଯାଉ । ପ୍ରାଚୀନତାର ସ୍ୱର ତୋଳି ବର୍ତ୍ତମାନକୁ ଆଲୋକିତ କରି ଭବିଷ୍ୟତକୁ ପ୍ରଭାବିତ କରିବା ଭଳି ସାହିତ୍ୟ ଶାଶ୍ୱତ ଓ ଚିରନ୍ତନ ଏବଂ ପ୍ରକୃତ ପ୍ରଗତିଶୀଳ ।

Image

 

ଅସ୍ତିତ୍ୱବାଦର ଏକ ପରିଚୟାତ୍ମକ ବୃତ୍ତ

 

ଆତ୍ୟାଧୁନିକ ଦର୍ଶନଭାବରେ ଅସ୍ତିତ୍ୱବାଦ ମାର୍କସ୍‌ବାଦ ପରି ଏକ ଶକ୍ତିଶାଳୀବାଦକୁ ଡେଇଁ ସାହିତ୍ୟ ଓ ଦର୍ଶନ କ୍ଷେତ୍ରରେ ନୂତନ ମୂଲ୍ୟବୋଧର ଅବସ୍ଥାପନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କୁହାଯାଏ ଅସ୍ତିତ୍ୱବାଦର ଭ୍ରୁଣ ଲୁଚି ରହିଥିଲା କିର୍କେଗାଡ଼ ଓ ନିତ୍‌ଶେଙ୍କ ପେଟ ଭିତରେ । ଯା’ର ଜନ୍ମ ହେଲା ହେଡ଼ଗାର, ୟାସରପସ୍‌ ଓ ସାର୍ତ୍ତଙ୍କ ରୂପରେ ।

 

ପ୍ରଥମ ମହାସମର ପୂର୍ବରୁ ଡେନିସ୍‌ ଦାର୍ଶନିକ ସାରନ୍‌ କିର୍କେଗାର୍ଡ଼ (୧୮୧୩-୧୮୫୫) ଏହା ଭାବି ସାରିଥିଲେ । ଭାବିବାର ବହୁ ସମୟ ବ୍ୟତୀତ ହୋଇଯିବା ପରେ ତାଙ୍କ ଡେନିସ୍‌ ପୁସ୍ତକଗୁଡ଼ିକ ଜର୍ମାନ ତଥା ଅନ୍ୟାନ୍ୟ ୟୁରୋପୀୟ ଭାଷାଗୁଡ଼ିକରେ ଅନୁବାଦିତ ହେଲା । ଲୋକେ ତାଙ୍କ ସମ୍ପର୍କରେ ଭାବି ବସିଲେ ଯେ ପ୍ରକୃତରେ ସେ ମନୁଷ୍ୟର ସ୍ଥିତିକୁ ବୁଝିଛନ୍ତି ଓ ଦେଖିଛନ୍ତି-। ସେ ମନୁଷ୍ୟର ବେଦନାକୁ ଜନ୍ମ ଦେଲେ । ବ୍ୟକ୍ତିକୁ ସେ ସଚେତନ କରିବାପାଇଁ କହିଲେ, ବ୍ୟକ୍ତି ବିଶ୍ୱଇତିହାସର ପାରମ୍ପାରିକ ରେଳଲାଇନ୍ ପରେ ମାଡ଼ିଚାଲିଥିବା ଏକ ଲୁପ୍ତ ନଗଣ୍ୟ ଷ୍ଟେସନ୍ ମାତ୍ର-। ମନୁଷ୍ୟ ନିଃସହାୟ, ଅସହାୟ, ପୁଣି ତା’ର ଗତି ଧ୍ୱଂସମୁଖୀ । ଏଣୁ ସ୍ୱଇଚ୍ଛାରେ ନିରନ୍ତର ଊର୍ଦ୍ଧ୍ୱକୁ ଉଠିବାପାଇଁ ସେ ଆଙ୍ଗୁଳି ନିର୍ଦ୍ଦେଶ କଲେ ।

 

ତାଙ୍କ ପରେ ଫ୍ରେଡ଼ରିକ ନିତ୍‌ଶେ (୧୮୪୪-୧୯୦୦) ଏ ବିଚାରର ଜଣେ ପ୍ରବଳ ସମର୍ଥକ ଭାବରେ ଘୋଷଣା କଲେ, ନା ମନ ଅଛି, ନା ତର୍କ, ନା ବିଚାର ନା ଚେତନା, ନା ଆତ୍ମା, ନା ଇଚ୍ଛା, ନା ସତ୍ୟ ଏସବୁ କଳ୍ପନା ମାତ୍ର ଓ ବ୍ୟର୍ଥ । ଏହା ପଛରେ କିଛି ନାହିଁ । ତାଙ୍କୁ ହିଟ୍‌ଲରଙ୍କ ପିତା ଓ ନେପୋଲିୟନଙ୍କ ପୁତ୍ର ବୋଲି କୁହାଯାଏ । କାରଣ ତାଙ୍କ କଳ୍ପିତ ‘‘ସୁପରମେନ୍‌’’ ବିଚାରକୁ ବିକଶିତ କରିବାରେ ନେପୋଲିୟନଙ୍କ ଆଦର୍ଶଯୁକ୍ତ ଥିଲା । ଏପରି କି ସେହି ଆଧାର ପରେ ହିଟଲରଙ୍କ ବ୍ୟକ୍ତିତ୍ୱ ନିର୍ମାଣ ହୋଇଥିଲା, ନିତ୍‌ଶେଙ୍କ ଭଉଣୀଦ୍ୱାରା ସ୍ଥାପିତ ନିତ୍‌ଶେ ସଂଗ୍ରହାଳୟକୁ ସ୍ୱୟଂ ହିଟଲରର ଯାଉଥିଲେ । ନିତ୍‌ଶେଙ୍କ ଭଉଣୀ ଏଲିଜାବେଥ୍‌ ମୁସଲନୀଙ୍କ ପଚାଶବର୍ଷୀୟ ଜନ୍ମୋତ୍ସବରେ ଜରାଥ୍ରଷ୍ଟାଙ୍କ ସର୍ବୋତ୍ତମ ଶିଷ୍ୟ ବୋଲି ଘୋଷିତ କରିଥିଲେ । ନିରାଶ ଓ ନାସ୍ତିକ ଏ ଦୁଇ ଗୁଣ ତାଙ୍କ ପାଖରେ ଥିବାରୁ ସେ ଅସ୍ଥିତ୍ୱବାଦୀ ପଦବୀ ପାଇଗଲେ । ତାଙ୍କ ମତରେ ଖ୍ରୀଷ୍ଟିଆନ ଧର୍ମ ପାପର ଧାରଣାକୁ ପ୍ରଚାର କରି ମଣିଷକୁ ଭୟଭୀତ ଓ କାପୁରୁଷ କରି ଦେଲା । ଗିର୍ଜା, ‘‘ସେକ୍‌ସ’’ ଯାହା ଜୀବନର ସର୍ବୋତ୍ତମ ଓ ପ୍ରବଳତମ ପ୍ରବୃତ୍ତି ତାକୁ ପାପ କହି ମାନବ ସମାଜର ଯଥେଷ୍ଟ ଅନିଷ୍ଟ କରିଛି । ଏଣୁ ସେ ନିର୍ଭୀକ ଭାବରେ ପ୍ରଚାର କଲେ, ଖ୍ରୀଷ୍ଟିଆନ ଈଶ୍ୱରଙ୍କ ସହିତ ଖ୍ରୀଷ୍ଟିଆନ ନୈତିକତା ମଧ୍ୟ ଆଧାର ହରାଇଛି । ଯେହେତୁ ଈଶ୍ୱରଙ୍କର ଅସ୍ତିତ୍ୱ ନାହିଁ ତାଙ୍କଦ୍ୱାରା ନିର୍ମିତ ନିୟମର ମଧ୍ୟ ମୂଲ୍ୟ କିଛି ନାହିଁ ।

 

କିର୍କେଗାଡ଼ ଓ ନିତ୍‌ଶେଙ୍କ ବାଦ ଦେଲେ, ଏ ବିଚାରକୁ ସମୃଦ୍ଧ ଓ ଲୋକପ୍ରିୟ କଲେ ମାର୍ଟିନ ହେଡ଼େଗର (୧୮୯୯), କାର୍ଲଜେସ୍‌ଫସ୍‌ (୧୮୮୩) ଫ୍ରାନ୍‌ସୀୟ ଗେବ୍ରିଏଲ ମାର୍ମଲ (୧୮୮୯), ଜ୍ୟଲପଲ୍‌ ସାର୍ତ୍ତ (୧୯୦୦) ତଥା ଆଲବର୍ଟ କାର୍ମୂ (୧୯୧୩) ଆଜି ସାହିତ୍ୟିକ । ଏମାନଙ୍କ ମଧ୍ୟରେ କେବଳ କିର୍କେଗାର୍ଡ଼ ଓ ମାର୍ସଲ ଅସ୍ତିତ୍ୱବାଦୀ ହେବା ସତ୍ତ୍ୱେ ଆସ୍ତିକବାଦୀ ଥିଲେ-। ଏମାନଙ୍କ ବ୍ୟତୀତ ଆହୁରି ଅନେକ ଅସ୍ତିତ୍ୱବାଦର ସମର୍ଥକ ଅଛନ୍ତି, ଯେଉଁମାନେ ସାହିତ୍ୟ କ୍ଷେତ୍ରରେ ଏ ଦର୍ଶନର ମୂଲ୍ୟାଙ୍କନ କରିବାରେ ସଫଳତା ଅର୍ଜନ କରି ପାରିଛନ୍ତି । ସେମାନେ ହେଲେ ବଦଲେୟାର, ଇବସନ୍‌ ଓ ଫ୍ରେନଚ କାଫକା ଏବଂ ସେମାନଙ୍କର ଅନ୍ୟାନ୍ୟ ସାଥୀ । ଏହା ସତ୍ତ୍ୱେ ସାର୍ତ୍ତହିଁ ଏ ଦର୍ଶନର କର୍ଣ୍ଣଧାର ଭାବରେ ଶକ୍ତିଶାଳୀ ତର୍କଦ୍ୱାରା ସ୍ୱଆଦର୍ଶ ପ୍ରତିଷ୍ଠା କରିବାରେ ଜଣେ ସଫଳ ସ୍ରଷ୍ଟା ଭାବରେ ସମ୍ମାନିତ ହୁଅନ୍ତି ।

 

ଆଧାରଶିଳା....

 

ହେଗେଲଙ୍କ ସିଦ୍ଧାନ୍ତର ପ୍ରତ୍ୟେକ ସକାରାତ୍ମକ (ପଜିଟିଭି ) ବସ୍ତୁସହ କୌଣସି ନା କୌଣସି ନକାରାତ୍ମକ (ନେଗେଟିଭି) ବସ୍ତୁର ଦ୍ୱନ୍ଦ୍ୱ ହୁଏ । ଯାହାକୁ ହେଗେଲବାଦ (ଥିସିସ୍‌), ପ୍ରତିବାଦ (ଏନ୍‌ଟି ଥିସିସ୍‌)ର ସଂଘର୍ଷ ଓ ପରିଣାମସ୍ୱରୂପ ସଂବାଦ (ସିନ୍‌ ଥେସିସ୍‌ )ର ସୃଷ୍ଟି ହେବା କଥା କହନ୍ତି । ତଦ୍ରୂପ ଅସ୍ତିତ୍ୱବାଦର ସୃଷ୍ଟି ମଧ୍ୟ ଏକ ସଂଘର୍ଷର ବୋଲି କୁହାଯାଇପାରେ ।

 

ଊନବିଂଶ ଶତାବ୍ଦୀର କ୍ଷୀପ୍ର ବୈଜ୍ଞାନିକ ପ୍ରଗତି ଓ ବିଭିନ୍ନ ପ୍ରକାର ସାଂଗଠନିକ ବିଚାରର ବହୁଳ ପ୍ରସାର ଫଳରେ ବ୍ୟକ୍ତିତ୍ୱର ହନନ ଓ ସ୍ୱାତନ୍ତ୍ର୍ୟତାର ସଂହାର ହେଲା । ଏହା ପୂର୍ବରୁ ଷୋଡ଼ଶ ଶତାବ୍ଦୀର ବିଚାରକଗଣ ଅମୂର୍ତ୍ତ ବୌଦ୍ଧିକତାର ସ୍ଥାନ ପରେ କୌଣସି ନବୀନ ସତ୍ତାର ସ୍ଥାପନ କରି ସାରିଥିଲେ । ସେମାନଙ୍କ ସମ୍ମୁଖରେ ଦୁଇଟି ମାର୍ଗ ଥିଲା । ପ୍ରଥମଟି ଆଦର୍ଶବାଦ ଓ ଅନ୍ୟଟି ନିଶ୍ଚିତବାଦ । ପରବର୍ତ୍ତୀକାଳରେ ଏହା ପୁଣି ଦୁଇଭାଗରେ ବିଭକ୍ତ ହୋଇ ମାନବବାଦ ଓ ବସ୍ତୁବାଦରୂପେ ପରିବର୍ତ୍ତିତ ହୋଇଗଲା । ବିଚାରଧାରାଗୁଡ଼ିକର ପାରସ୍ପାରିକ ବିରୋଧ ଏହି ସୀମା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା କି ସେହି ଶତାବ୍ଦୀର ଶେଷ ଆଡ଼କୁ ଆଧ୍ୟାତ୍ମକି ସଙ୍କଟ ଆରମ୍ଭ ହୋଇ ସାରିଥିଲା ।

 

ନୂତନ ତତ୍ତ୍ୱ ଆବିଷ୍କାରଗୁଡ଼ିକୁ ଖ୍ରୀଷ୍ଟଧର୍ମ ବିରୋଧ କରିବାରେ ଈଶ୍ୱରଙ୍କ ଆଜ୍ଞାକାରୀ ବୋଲି ମନେ କଲା । ମଣିଷର ସାଂସାରିକ ସୁଖ ଦୁଃଖକୁ ଅସ୍ୱୀକାର କରି ସ୍ୱର୍ଗର ସ୍ୱାଦ ଚାଖିବାପାଇଁ ଅତିମାତ୍ରାରେ ବ୍ୟଗ୍ର ହୋଇ ଉଠୁଥିବା ପାଦ୍ରୀଙ୍କ ବିରୁଦ୍ଧରେ ପ୍ରତିକ୍ରିୟାସ୍ୱରୂପ ପାଶ୍ଚାତ୍ୟରେ ମୁଣ୍ତଟେକି ଉଠିଲା ଘୋର ନାସ୍ତିକତା । ତା’ ପୂର୍ବରୁ ବ୍ରୁନୋ, ଗାଲିଲିଓ ଓ କୁପରନିକସ୍‌ ଆଦି ବିଚାରକ ଓ ବୈଜ୍ଞାନିକ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରି ସାରିଥିଲେ । ହଠାତ୍‌ ଶିଳ୍ପବିପ୍ଳବ ମନୁଷ୍ୟକୁ ସୁଖ ଦେବା ପ୍ରତିଶ୍ରୁତିରେ ଦାସତ୍ୱରେ ଶୃଙ୍ଖଳିତ କରି ଦେଲା । ମେସିନ୍‌ର ଗୀତ ଗାଇ ମଣିଷ ସାଇକଲ୍‍ର ସ୍ପୋକ ଭଳି କାମ କରି ଚାଲିଲା । ତା’ ପାଖରେ ଚିନ୍ତା କରିବାକୁ ଅବସର ରହିଲା ନାହିଁ । ପର୍ଯ୍ୟାପ୍ତ ବାସ୍ତବତା ପରେ ସେ କ୍ଳାନ୍ତ ହୋଇ ପଡ଼ିଲା । ଗୋଟିଏ ପାଖରେ ଈଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରି ପ୍ରଚଳିତ ମୂଲ୍ୟବୋଧ ପରେ ସେ ହାତୁଡ଼ି ପ୍ରହାର କଲା ସତ୍ୟ ମାତ୍ର ଅନ୍ୟ ପାଖରେ ଡକ୍ଟର ଫାଷ୍ଟସ୍‌ଙ୍କ ଭଳି ନିଜକୁ ମେସିନ୍‌ ବା ମେଫିଷ୍ଟିଫିଲିସ୍‌ ପାଖରେ ଅର୍ପଣ କରି ଭୀଷଣଭାବରେ ସେ ନିଃସହାୟ ଓ ନିରାଶ ହୋଇ ପଡ଼ିଲା । ଆତ୍ମନିରୀକ୍ଷଣ କରି ସେ ଅନୁଭବ କଲା, ବର୍ତ୍ତମାନ ତା’ର ସ୍ଥିତି ବିପର୍ଯ୍ୟୟ, ଅବସ୍ଥା ବିଶୃଙ୍ଖଳିତ । ସେ ଏକାକୀ, ଅସହାୟ ଓ ତା’ର ଭବିଷ୍ୟତ୍ ବର୍ତ୍ତମାନ ମଧ୍ୟରେହିଁ ସମାପ୍ତ ।

 

‘‘ଆଗକୁ ରାସ୍ତା ନାହିଁ’’ କହୁଥିବା ଦାର୍ଶନିକ ଚାର୍ବାକ୍ ଚିନ୍ତାଧାରା ଏକାବେଳକେ ତା’ର ମନ ଓ ମସ୍ତିଷ୍କକୁ ଅଧିକାର କରାଗଲା । ଦୁଇ ଟୋପା ଲୁହ ଗଡ଼ାଇ ଦେଇ ନିଜକୁ ସାନ୍ତ୍ୱନା ଦେବାରେ ସମସ୍ତେ କିର୍କେଗାଡ଼ ଓ ସାର୍ତ୍ତଙ୍କୁ ଆପଣାର ମନେକଲେ । ମାର୍କସ ଆର୍ଥିକ ସ୍ଥିତି ପରିବର୍ତ୍ତନ କରିବାପାଇଁ ଯେଉଁ ରୋଟି ଭୋକିଲା ସର୍ବହରାଙ୍କୁ ଫିଙ୍ଗୁଥିଲେ ତାକୁ ଗୋଡ଼ରେ ଆଡ଼େଇ ଦେଲେ । ମଣିଷ ଚିତ୍କାର କରି ଉଠିଲା–‘‘ରୋଟି ନୁହେଁ, ମାନସିକ ଶାନ୍ତି ଓ ସ୍ୱାତନ୍ତ୍ର୍ୟତା ଦିଅ । ଏମାନଙ୍କୁ ଆଶ୍ୱାସନା ବାଣୀ ଶୁଣାଇଲେ ମର୍ଲେପନ୍ତି, ସାର୍ତ୍ତ, ବୁଭୋକାମ୍ୟୁ ଓ ପିକାଶୋ ।’’

 

ପରିଭାଷା ଓ ଆସ୍ଥା.....

 

‘‘ଏକ୍‌ଜିଷ୍ଟେନସ୍‌’’ ବା ‘‘ଅସ୍ତିତ୍ୱ’’ହିଁ ଏହି ଦର୍ଶନର ମୂଳମନ୍ତ୍ର ହୋଇଥିବାରୁ ପ୍ରତ୍ୟେୟ ଅପେକ୍ଷା ବ୍ୟକ୍ତିର ଅସ୍ତିତ୍ୱକୁହିଁ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ । ପ୍ଳୁଟୋ ମାନୁଥିଲେ ସୃଷ୍ଟିର ପ୍ରାରମ୍ଭରେ ପ୍ରଥମେ ବିଚାର ବା ‘‘ଆଇଡ଼ିଆ’’ର ଉଦୟ ହେଲା ଏବଂ ସେହି ଅନୁସାରେ ବସ୍ତୁର ଆବିର୍ଭାବ ହେଲା । ଏଣୁ ସ୍ୱଭାବତଃ ବ୍ୟକ୍ତିଠାରୁ ବିଚାର ଯଥେଷ୍ଟ ଶକ୍ତିଶାଳୀ ବୋଲି ଧରାଯାଉଥିଲା । ଅସ୍ତିତ୍ୱବାଦୀ କହିଲେ, ଯଦି ବସ୍ତୁହିଁ ନାହିଁ, ତେବେ ସେ ସମ୍ପର୍କରେ ବିଚାର କିପରି କରାଯାଇପାରିବ-? ମନନଶୀଳ ମନୁଷ୍ୟର ଅସ୍ତିତ୍ୱ ପ୍ରଥମେ ଆସିଲା, ତା’ପରେ ତା’ର ବିଭିନ୍ନ ସିଦ୍ଧାନ୍ତର ସୃଷ୍ଟି ହେଲା-। ସେମାନଙ୍କ ମତରେ ସିଦ୍ଧାନ୍ତ ଅପେକ୍ଷା ବ୍ୟକ୍ତିତ୍ୱ ଅସ୍ତିତ୍ୱ ସର୍ବପ୍ରଥମେ ଆସିଲା ।

 

ବ୍ୟକ୍ତି ସବୁ କିଛି । ତା’ର ସୁଖ ଦୁଃଖପାଇଁ ସେ ନିଜେହିଁ ଦାୟୀ । ଗ୍ରୀକ୍‌ ଶୋକାନ୍ତବାଦକୁ ଖଣ୍ତନ କରି ଚରିତହିଁ ଭାଗ୍ୟ ବୋଲି ପ୍ରମାଣ କରିଦେଇଥିବା ସେକ୍‌ସପିୟରଙ୍କ ପରି ଅସ୍ତିତ୍ୱବାଦୀ କହିଲେ ପ୍ରତ୍ୟେକ ଅନୁକୂଳ ଓ ପ୍ରତିକୂଳ ପରିସ୍ଥିତିରେ ବ୍ୟକ୍ତିତ୍ୱହିଁ ନିର୍ବାଚିତ ହୋଇଥାଏ । ଅନ୍ୟକୁ ଦୋଷୀ କରିବା ବା ଅନ୍ୟଠାରେ କୃତଜ୍ଞ ହେବା ଅସ୍ତିତ୍ୱବାଦୀଙ୍କ ପକ୍ଷରେ ଆତ୍ମଦହନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଅସ୍ତିତ୍ୱବାଦୀଙ୍କ ଆତ୍ମବିଶ୍ୱାସ, ମଣିଷ ଯାହା ଚାହିଁବ, ସେ ତାହା ହୋଇ ପାରିବ । ଏହା ଯଦି ସତ୍ୟ ତେବେ ଅବାଞ୍ଛିତ କାର୍ଯ୍ୟରେ ସେ କାହିଁକି ବଳାତ୍କାରରେ ପ୍ରବେଶ କରେ ? କାରଣ ତା’ ଭିତରେ ସଙ୍କଟ, ଅହେତୁକ ଭୟ ଓ ମୃତ୍ୟୁର ତ୍ରାସ ରହିଛି । ମନୁଷ୍ୟର ଅସ୍ତିତ୍ୱବୋଧ ଦୁଃଖ ସମୟରେହିଁ ହୋଇଥାଏ । ଦୁଃଖ ଓ ମୃତ୍ୟୁକୁ ଯଦି ସେ ସ୍ୱାଗତ କରିନିଏ ତାହାହେଲେ ଦୁଃଖ ଓ ସଙ୍କଟ ଆପେଆପେ ତା’ ପାଖରୁ ଦୂରେଇ ଯିବ ।

 

ଦର୍ଶନକ୍ଷେତ୍ରରେ ଆଧ୍ୟାତ୍ମିକ ସଙ୍କଟ ବା ପରାଭବବାଦୀ ବିଚାରର ଜନକ ହୋଇଥିବାରୁ ଅସ୍ତିତ୍ୱବାଦୀ ଆଶା ସ୍ଥାନରେ ନିରାଶକୁ ଅବସ୍ଥାପିତ କରେ । କାରଣ ଆମକୁ ଆଧ୍ୟାତ୍ମିକ ସ୍ଥିତି ମୂଳରେ ସଙ୍କଟ ବିଦ୍ୟମାନ । ଅନୁଭବଦ୍ୱାରା ଶୋଧିତ ସତ୍ୟସହସ୍ର ଅନାବଶ୍ୟକ । ସତ୍ୟଦ୍ୱାରା ଘେରା ହୋଇଥିବାରୁ ଏହାର ବୈଶିଷ୍ଟ୍ୟ ଅନୁଭବ କରି ହୁଏ ନାହିଁ । ଯାହ୍ୱାରା ଧୈର୍ଯ୍ୟଚ୍ୟୁତ ହୋଇ ଆମେ ସମୟ ପାଖରେ ଆତ୍ମସମର୍ପଣ କରି ଦେଉ ଓ ପରିସ୍ଥିତିର ଦାସତ୍ୱକୁ ହସି ହସି ସ୍ୱାଗତ କରୁଁ-

 

ଆଖି ଆଗରେ ପଡ଼ିଥିବା ମହାଶୂନ୍ୟର ବିଶାଳ ରୂପ ଦେଖି ମନୁଷ୍ୟ ସ୍ୱକ୍ଷୁଦ୍ରତାରେ ହୀନମନ୍ୟ ହୋଇ ସ୍ୱରକ୍ଷାପାଇଁ ଧାର୍ମିକ ପ୍ରବାହରେ ପ୍ରଭାବିତ ହୋଇଯାଏ ଏବଂ ଅସୀମତାରେ ଭୟଭୀତ ହୋଇ ସେ ଏକ ଅଜ୍ଞାତ ଶକ୍ତିକୁ ନିଜକୁ ସମର୍ପଣ କରିଦିଏ । ଏ ସ୍ଥିତିକୁ କିର୍କେଗାର୍ଡ଼ ଅସ୍ୱୀକାର କରନ୍ତି ନାହିଁ । ଯଦିଓ ସାର୍ତ୍ତ ଏହାକୁ ମାନିବାକୁ ବାଧ୍ୟ ନୁହନ୍ତି । ସାର୍ତ୍ତଙ୍କ ଭାଷାରେ ଏହା ‘‘ନଥିଙ୍ଗନେସ୍‌’’ ବା ଶୂନ୍ୟତାର ଆକ୍ରମଣ । ଏଥିରୁ ରକ୍ଷା ପାଇବାପାଇଁ ସେ ପ୍ରସ୍ତୁତ ହୋଇଯାନ୍ତି ! ବ୍ୟକ୍ତିତ୍ୱର ସ୍ୱତନ୍ତ୍ରତା ସହ ଦୁଃଖ ଭୋଗରେ ରୁଚିପାଇଁ ପରିବେଶ ଓ ପରିସ୍ଥିତିକୁ ଦଳିଚକଟି ନିଜଦ୍ୱାରା ନିର୍ବାଚିତ ଦିଗକୁ ନିରନ୍ତର ଗତି କରିବା ଅସ୍ତିତ୍ୱବାଦର ଏକ ମହତ୍ୱପୂର୍ଣ୍ଣ ଦିଗ ।

 

ହେଢ଼ଗର କହନ୍ତି–ଏ ପ୍ରାକୃତିକ ଜଗତରେ ବୌଦ୍ଧିକ ଜ୍ଞାନ ଅପେକ୍ଷା ବ୍ୟକ୍ତିର ଆନ୍ତରିକ ଅନୁଭବର ମହତ୍ତ୍ୱ ଯଥେଷ୍ଟ । ଗେବ୍ରିଏଲ ମାର୍ଶଲ ମଧ୍ୟ ଅନୁରୂପ ମତ ଦିଅନ୍ତି–ବୌଦ୍ଧିକ ବିଚାର ମାନବ ସମାଜ ମଧ୍ୟରେ ଚାଲିଥିବା ବିଭିନ୍ନ ଦ୍ୱନ୍ଦ୍ୱ ଓ ଯୁଦ୍ଧର ମୂଳକାରଣ । ଯଦି ଆମେ ଶବ୍ଦକୋଷରୁ ପ୍ରଜାତନ୍ତ୍ରବାଦ, ସାସ୍ୟବାଦ, ଏବଂ ପୁଞ୍ଜିବାଦ ଆଦି ଶବ୍ଦ ବହିଷ୍କାର କରି ଦେଉଁ, ତାହାହେଲେ ବିଶ୍ୱଯୁଦ୍ଧର ଆଶଙ୍କା ଆମ ମନରୁ ପ୍ରାୟ ଚାଲିଯିବ । ଅସ୍ତିତ୍ୱବାଦୀ ଯେ ଯୁଦ୍ଧ ସଙ୍କଟ ଓ ସଂଘର୍ଷରେ ଭୟଭୀତ ହୋଇ ଏ କଥା କୁହନ୍ତି, ଏପରି ଆକ୍ଷେପ କରିବା ଯଥାର୍ଥ ହେବ ନାହିଁ । କାରଣ ଏ ସବୁ ସ୍ଥିତିରେହିଁ ତା’ର ଅସ୍ତିତ୍ୱବୋଧ ହୋଇଥାଏ । ତେବେ ଇତିହାସ, ଭୂଗୋଳ, ସାମାଜିକ ଶିକ୍ଷା, ଦର୍ଶନ ଓ ମନୋବିଜ୍ଞାନ ଆଦି ପଢ଼ିବା ପକ୍ଷରେ ସେମାନେ ରାୟ ନ ଦେବା ପଛରେ ଗୋଟିଏ କାରଣ ବିଦ୍ୟମାନ । ତା’ ହେଲା, ସବୁ ବିଦ୍ୟା ମଣିଷର ଅସ୍ତିତ୍ୱବୋଧରେ ସହାୟକ ନୁହନ୍ତି । ଏ ସ୍ଥିତି ଜ୍ଞାନ, ବୁଦ୍ଧି ବା ତର୍କ ପରେ ଆଧାରିତ ନୁହେଁ, ବରଂ ବେଦନାଦ୍ୱାରା ପ୍ରାପ୍ତ ଆନ୍ତରିକ ସହାନୁଭୂତିରୁହିଁ ଏହାର ଅନୁଭବ ହୋଇଥାଏ । ଯାହା ‘‘ଡନ ଇନ୍‌ଟ୍ରଆକସନ୍‌ ଟୁ ଏକଜିଷ୍ଟାନ୍‌ସିଆଲିଜିମ୍‌’’ ପୁସ୍ତକରେ ରବର୍ଟ ଜି. ଅଲସନ୍‌ ସୁନ୍ଦର ଭାବରେ ବୁଝାଇଛନ୍ତି ।

 

ଅସ୍ତିତ୍ୱବାଦୀ ପାରମ୍ପାରିକ ମୂଲ୍ୟବୋଧକୁ କୁଠାରଘାତ କରି ପ୍ରଚାର କରନ୍ତି–ଦିନଥିଲା ମହାପୁରୁଷଗଣ ନିଜେ କଷ୍ଟ ଭୋଗି ଅନ୍ୟକୁ ସୁଖ ଦେବାରେ ଆନନ୍ଦ ପାଉଥିଲେ । ନିଜେ ଜଳି ଅନ୍ୟକୁ ଆଲୋକ ଦେବାରେ ସେମାନେ ଥିଲେ ମାର୍ଗ ପ୍ରଦର୍ଶକ । ମାତ୍ର ତାହା ସୁଖ ନୁହେଁ ବରଂ ତାହା ଲୋକୈଷଣାଗ୍ରସ୍ତ ବ୍ୟାଧି । ଏପ୍ରକାର ସୁଖରେ ପକ୍ଷରେ ନିଜକୁ ଢଳାଇ ନ ଦେଇ ସେମାନେ ଅସ୍ୱାଭାବିକ ବେଦନା ସୃଷ୍ଟି କରନ୍ତି । ସେମାନଙ୍କ ମତରେ ଯନ୍ତ୍ରଣା ସୃଷ୍ଟି କରିବାକୁ କୌଣସି ବଡ଼ ଧରଣର ସାଧନା ଆବଶ୍ୟକ ନାହିଁ । ଗୋଟିଏ ଛୋଟ ଆଲ୍‍ପିନ୍‌ ବା ଧାରୁଆ ଘାସ ଏଥିପାଇଁ ପର୍ଯ୍ୟାପ୍ତ । ଯନ୍ତ୍ରଣା ସାଧ୍ୟ ନୁହେଁ, ସାଧନ ମାତ୍ର ।

 

ଈଶ୍ୱର ବା ଅସ୍ତିତ୍ୱବାଦ.....

 

ଦର୍କାର୍ତ୍ତଙ୍କ ସୂତ୍ର ଥିଲା–Logito, orgo sum ବା ‘‘ଚିନ୍ତୟାମି ଅତଃ ଆସ୍ମି’’ତ ସାର୍ତ୍ତତାର ଓଲଟା ତର୍କ କଲେ ‘‘ନାସ୍ତି, ଅରିଃ ଚିନ୍ତୟାମି ।’’ ସେ ପ୍ରମାଣ କରିବାକୁ ଚାହିଁଲେ ଯେ ମନୁଷ୍ୟହିଁ ମନୁଷ୍ୟର ନିୟାମକ । ସେ ଈଶ୍ୱରଙ୍କର ସାକାର ଓ ନିରାକାରସ୍ୱରୂପକୁ ଖଣ୍ତନ କଲେ । ଈଶ୍ୱରଙ୍କୁ ଯେଉଁମାନେ ଏକ ବିଶିଷ୍ଟସ୍ୱରୂପରେ ସର୍ବଶକ୍ତିମାନ ନିରପେକ୍ଷ ଓ ସୃଷ୍ଟିକର୍ତ୍ତା ବୋଲି ମାନନ୍ତି, ସେମାନଙ୍କୁ ସେ ଶାସ୍ତ୍ରୀୟ ଦର୍ଶନର ବିରୋଧୀ ବୋଲି କହିଲେ ।

 

କିର୍କେଗାର୍ଡ଼ଙ୍କ ବିଶ୍ୱାସ ଥିଲା ଯେ, ଭୟତ୍ରସ୍ତ ମନୁଷ୍ୟ ଏକ ଅସୀମ ସୃଜନକର୍ତ୍ତା ରୂପରେ ଈଶ୍ୱରଙ୍କ ଶକ୍ତିର ଅସ୍ତିତ୍ୱ ମାନିବାକୁ ବାଧ୍ୟ ହୋଇଯାଏ । ଅସ୍ତିତ୍ୱବାଦର ରହସ୍ୟହିଁ ଈଶ୍ୱରଙ୍କର ରହସ୍ୟ, ମାନିନେବାଦ୍ୱାରା ତାଙ୍କୁ ଲୋକେ ଧାର୍ମିକ ଅସ୍ତିତ୍ୱବାଦୀ ବୋଲି କହିଲେ । ସେ ଈଶ୍ୱରଙ୍କ ଅସ୍ତିତ୍ୱକୁ ସ୍ୱୀକାର କଲେ, ମାତ୍ର କହିଲେ ଯେ ସେ ତର୍କଦ୍ୱାରା ଜଣାଯାଇପାରିବେ ନାହିଁ । ଏଥିପାଇଁ ଅନୁଭବ ଓ ସାକ୍ଷାତ୍‍କାର ଦରକାର । ସତ୍ୟକୁ ଜାଣିବାକୁ ହେଲେ ବୌଦ୍ଧିକ ମନୋରଞ୍ଜନ କରିବାର କି ପ୍ରୟୋଜନ, ବାସ୍ତବ ଉପଲବ୍ଧି ଆବଶ୍ୟକ । କିନ୍ତୁ ସାର୍ତ୍ତ ସିଧାସଳଖ କହି ଦେଲେ, ସେ ଈଶ୍ୱରଙ୍କୁ ମାନି ପାରିବେ ନାହିଁ । କାହିଁକି ନା ଈଶ୍ୱର ସ୍ୱତନ୍ତ୍ର ଏବଂ ସେ ନିଜେ ସର୍ବସ୍ୱ । ଭାଗ୍ୟ କିଛି ନୁହେଁ ମନୁଷ୍ୟହିଁ ସ୍ୱଭାଗ୍ୟର ନିର୍ମାତା ଓ ବିଧ୍ୱଂସ କର୍ତ୍ତା !

 

ଈଶ୍ୱରଙ୍କ ସୃଷ୍ଟି ଓ ଅସ୍ତିତ୍ୱବାଦ ପରେ ସାର୍ତ୍ତଙ୍କର ଯଥେଷ୍ଟ କିଛି କହିବାର ଅଛି । ସେ ନିଜକୁ ଅନେକ ପ୍ରଶ୍ନ ପଚାରି ମଧ୍ୟ ତା’ର ଯଥାର୍ଥ ଉତ୍ତର ପାଇ ନାହାନ୍ତି । ତାଙ୍କ ଦୃଷ୍ଟିରେ ଯଦି ଈଶ୍ୱର ସ୍ୱୟମ୍ଭୂ ବା ସେ ନିଜର ରଚନା ନିଜେ କରିଛନ୍ତି, ଏହା ଯଦି ସତ୍ୟ ବୋଲି କୁହାଯାଏ ତେବେ ତାଙ୍କୁ ନିଜଠାରୁ ଅଲଗା ଛିଡ଼ା ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ଏହାର ଅର୍ଥ ହେବ ଈଶ୍ୱରଙ୍କର ଅସ୍ମିତା ଆକସ୍ମିକ ଓ ପରାଶ୍ରିତ । ଏପରି ପରାଶ୍ରିତ ସତ୍ତା ଈଶ୍ୱର ହୋଇ ନ ପାରନ୍ତି ।

 

ଯଦି ଈଶ୍ୱର ରଚନାରେ ପ୍ରାଣୀ ଆନ୍ତରିକ ରୂପରେ ଈଶ୍ୱରଙ୍କ ପରି ଆଶ୍ରିତ, ତେବେ ସେ ଈଶ୍ୱରଙ୍କଠାରୁ ଅଲଗା ନୁହେଁ ବା ସ୍ୱତନ୍ତ୍ର ନୁହେଁ । ଏହାର ବିପରୀତ, ଯଦି ପ୍ରାଣୀ ଈଶ୍ୱରଙ୍କଠାରେ ଆନ୍ତରିକ ଭାବରେ ଆଶ୍ରିତ ନୁହେଁ, ତେବେ ତା’ର ଅସ୍ତିତ୍ୱ ଈଶ୍ୱରଙ୍କଠାରେ କୌଣସି ପ୍ରକାର ଅବଲମ୍ୱିତ, ତାହା କିପରି କୁହାଯାଇପାରିବ ? ସେମାନଙ୍କର ଈଶ୍ୱରଙ୍କ ପାଇଁ କି ଆବଶ୍ୟକତା ଅଛି-? ନତୁବା ମନୁଷ୍ୟ ସ୍ୱତନ୍ତ୍ର ଓ ଈଶ୍ୱରଙ୍କ ସହିତ ତାହାର କୌଣସି ସମ୍ପର୍କ ନାହିଁ ବା ନଥିଲା-। କିମ୍ୱା ଏ କଥା ମାନିବାକୁ ପଡ଼ିବ ଯେ, ସେ ଈଶ୍ୱରଙ୍କଠାରେ ଆଶ୍ରିତ ଓ ସ୍ୱତନ୍ତ୍ର ନୁହେଁ । ଈଶ୍ୱରଙ୍କଠାରେ ଆଶ୍ରିତ ଓ ପରତନ୍ତ୍ର ଏ ଦୁଇ କଥା ସାର୍ତ୍ତ ଚାହାନ୍ତି ନାହିଁ ।

 

ଲାଇବ୍ନିଜ୍‌ ଈଶ୍ୱର ଓ ମନୁଷ୍ୟ ମଧ୍ୟରେ ଏକ ବୁଝାମଣା କରାଇବାର ଚେଷ୍ଟା କରିଥିଲେ । ସେ କହୁଥିଲେ– ଈଶ୍ୱର ମନୁଷ୍ୟର ତତ୍ତ୍ୱ ନିର୍ମାଣ କରି ଦେଲେ ଓ ତାକୁ ମୁକ୍ତ ଆଚରଣ କରିବାକୁ ଛାଡ଼ିଦେଲେ । ସାର୍ତ୍ତ କୁହନ୍ତି–ଏହା ସ୍ୱତନ୍ତ୍ରତା ନୁହେଁ । ଯଦି ଈଶ୍ୱର ମନୁଷ୍ୟର ତତ୍ତ୍ୱ ଏକ ବିଶେଷ ପ୍ରକାରେ ନିର୍ମାଣ କରିଛନ୍ତି ଓ ସେ ତତ୍ତ୍ୱ ଅନୁସାରେ ମନୁଷ୍ୟର ଭବିଷ୍ୟତ୍‌ ନିର୍ଦ୍ଧାରିତ ହୁଏତ ଏଥିରେ ସ୍ୱତନ୍ତ୍ରତା କାହିଁ ? ଯଦି ମନୁଷ୍ୟ ନିଜ ତତ୍ତ୍ୱ ସ୍ୱୟଂ ରଚନା କରେ ନାହିଁ ତେବେ ତା’ର ସାରା ସ୍ୱତନ୍ତ୍ରତା ଦାସତ୍ୱର ଅଭିନବସ୍ୱରୂପ ମାତ୍ର । ଏ କଥା ସେ ତାଙ୍କ L ‘Etreet Ne ‘ant’ରେ ଉଠାନ୍ତି ।

 

ସାର୍ତ୍ତଙ୍କ ଅନୁସାରେ ସଂସାରରେ ସମସ୍ତ ବସ୍ତୁ କୌଣସି ନା କୌଣସି ନିର୍ମାତାଦ୍ୱାରା ନିର୍ମିତ । ପ୍ରତ୍ୟେକ ବ୍ୟକ୍ତି ସଂସାରର ଏକ କେନ୍ଦ୍ର ଓ ସେ ସଂସାରର ବିଭିନ୍ନ ଉପକରଣ ପରି ପ୍ରୟୋଗରେ ଆସେ । ଏହା ଦେଖି ଆମେ ଭାବୁଁ କି ଈଶ୍ୱର ଜଣେ ମହାନ୍‌ କଳାକାର, ଯେ ସଂସାର ପରି ବୃହତ୍ତମ ଉପକରଣର ରଚନା କରିଛନ୍ତି । ଏଥିପାଇଁ ଆମେ ଈଶ୍ୱରଙ୍କୁ ସର୍ବଜ୍ଞାତା ବୋଲି ଭାବୁଁ କି ସେ ଏପରି ଜଣେ ହୋଇଥିବେ ଯେ ସମସ୍ତଙ୍କୁ ଦେଖୁଥିବେ ମାତ୍ର ତାଙ୍କୁ କେହି ଦେଖିପାରୁ ନଥିବେ । ସାମାନ୍ୟ ରୂପରେ ଆମେ ଦେଖୁଁ କି ବହୁବ୍ୟକ୍ତିର ସମଷ୍ଟିହିଁ ସମାଜ । ସେହି ସମାଜରେ ମୁଁ ମଧ୍ୟ ସମ୍ମିଳିତ । ତଦ୍ରୂପ ଅନ୍ୟ ରୂପରେ ଚିନ୍ତା କଲେ ସମାଜ ପରି ଈଶ୍ୱର ଏକ କଳ୍ପନା ମାତ୍ର ।

 

ପୁନଶ୍ଚ ସେ ତର୍କର ଦ୍ୱାହି ଦେଇ କହିବାକୁ ଆରମ୍ଭ କରି ଦିଅନ୍ତି ଯେ ମୃତ୍ୟୁର ନିର୍ଣ୍ଣୟ ଈଶ୍ୱର କରନ୍ତି । ଯଦି ଆମେ କହୁ ଚେଷ୍ଟା କରି ସ୍ୱଜୀବନର ଅଧାକ୍ଷଣ ମଧ୍ୟ କମ୍ ବେଶୀ କରି ନେଉଁ ଭାବିବାକୁ ହେବ ତାହା ମଧ୍ୟ ଈଶ୍ୱରଙ୍କର ଇଚ୍ଛାର ପରିମାଣ । ଈଶ୍ୱର କାହାକୁ ଶୀଘ୍ର ଓ କାହାକୁ ଡେରିରେ ମାରନ୍ତି କାହିଁକି ତାହା ପଚରାଯାଇପାରିବ ନାହିଁ । ଏହା ସତ୍ତ୍ୱେ ସାର୍ତ୍ତ ଏହା ମାନିବାକୁ ନାରାଜ । କାରଣ ଏ ସମ୍ପର୍କରେ ତାଙ୍କର ମଧ୍ୟ କିଛି କହିବାର ଅଛି ।

 

ସେ କୁହନ୍ତି–ଯଦି ନିଜ ଗ୍ରନ୍ଥ ସମ୍ପୂର୍ଣ୍ଣ କରିବା ପୂର୍ବରୁ ମରିଯାଏ ବା କୌଣସି ଅପରାଧ କରି ମରିଯାଏ ତାହାହେଲେ ମୋ ଜୀବନର ଅର୍ଥ ବଦଳି ଯିବ । ଯଦି ଈଶ୍ୱର ମୃତ୍ୟୁ ଦିଅନ୍ତି ତାହାହେଲେ ମୋ ଜୀବନପାଇଁ ମୁଁ ଉତ୍ତରଦାୟୀ ନୁହେଁ । ଯଦି ଈଶ୍ୱର ମୃତ୍ୟୁକ୍ଷଣ ନିଶ୍ଚିତ ନ କରନ୍ତି ତାହାହେଲେ ଏକ ସମସ୍ୟା ଆସି ଛିଡ଼ା ହେବ । ଯେ ପର୍ଯ୍ୟନ୍ତ ମୁଁ ଆତ୍ମହତ୍ୟା ନ କରିଛି ସେ ପର୍ଯ୍ୟନ୍ତ ମୁଁ ନିଜର ମୃତ୍ୟୁ ନିଶ୍ଚିତଭାବରେ କିପରି କହି ପାରିବି ? ସାର୍ତ୍ତଙ୍କ ଦୃଷ୍ଟିରେ ଏହା ଏକ ସମସ୍ୟା ନୁହେଁ । କାରଣ ମୃତ୍ୟୁ ସମ୍ପର୍କରେ ତାଙ୍କର ବିଚାର କିଛି ଭିନ୍ନ ।

 

ଦାସ୍ତବସ୍କୀ କୁହନ୍ତି–‘‘ଯଦି ଈଶ୍ୱରଙ୍କର ଅସ୍ତିତ୍ୱ ଲୋପ କରି ଦିଆଯାଏ ତେବେ ସବୁ କିଛି ସମ୍ଭବ ।’’ ଏହାକୁ ଅନୁମୋଦନ କରି ସାର୍ତ୍ତ ‘‘ଏକ ଜୀଷ୍ଟାନ୍‌ସିଆଲିଜିମ୍‌ ଏଣ୍ତ ହ୍ୟୁମେନ ଇମୋସନ୍‌ରେ କହିଲେ–ବସ୍ତୁତଃ ଯଦି ଈଶ୍ୱରଙ୍କ ଅସ୍ତିତ୍ୱ ମନା ନ ଯାଏଁ ତାହାହେଲେ ସବୁ କିଛି ସମ୍ଭବ । କାହିଁକି ନା ଏ ସ୍ଥିତିରେ ମନୁଷ୍ୟ ନିରାଶ୍ରିତ ହୋଇ କୌଣସି ନା କୌଣସି ଆନ୍ତରିକ ବା ବାହ୍ୟ ବସ୍ତୁରେ ବନ୍ଧା ହୋଇ ପାରିବ ନାହିଁ । ଯଦି ‘‘ଅସ୍ତିତ୍ୱ’’ ପ୍ରକୃତରେ ‘‘ସାରତତ୍ତ୍ୱ’’ର ପୂର୍ବବର୍ତ୍ତୀ ତେବେ କୌଣସି ପୂର୍ବ ପ୍ରଦତ୍ତ ବା ନିର୍ଦ୍ଧାରିତ ମାନବ ପ୍ରକୃତିର ଆଧାର ପରେ ବସ୍ତୁର ବ୍ୟାଖ୍ୟ ଆପେକ୍ଷିତ ହୋଇ ପାରିବ ନାହିଁ । ଅନ୍ୟ ଶବ୍ଦରେ ମନୁଷ୍ୟ ପୂର୍ବ ନିର୍ଦ୍ଧାରିତ ନୁହେଁ ସେ ସ୍ୱତନ୍ତ୍ର ଅଟେ-

 

ପ୍ରକୃତରେ କହିବାକୁ ଗଲେ କୌଣସି ବିଷୟ ପ୍ରତି ସନ୍ଦେହ ଯେ ବସ୍ତୁର ଅସ୍ତିତ୍ୱକୁ ସୂଚାଇ ଦିଏ । ତେବେ ସାର୍ତ୍ତ ସମସ୍ତ ବୌଦ୍ଧିକ ଆଲୋଚନା ମଧ୍ୟରେ ନାସ୍ତିକତାର ବାହାନା କଲାପରି ମନେ ହୁଅନ୍ତି । ଏହା ସତ୍ତ୍ୱେ ସାର୍ତ୍ତଙ୍କ ପଥରେ ଚାଲି କେହି ନିର୍ଜନ ଭୂମିରେ ନ ପହଞ୍ଚି ଏକ ଶକ୍ତିଶାଳୀ ବିଶ୍ୱସ୍ରଷ୍ଟାଙ୍କ ପାଖରେ ପହଞ୍ଚିବ ଏହା ନିଶ୍ଚିତଭାବରେ କୁହାଯାଇପାରିବ ।

 

ଗୌତମ ବୁଦ୍ଧ ନିରିଶ୍ୱରବାଦୀ ଦର୍ଶନ ପ୍ରଚାର କରିବା ସତ୍ତ୍ୱେ ମଧ୍ୟ ମାନବର ଦୁଃଖ, ଶୋକ, ତାପ ମୋଚନପାଇଁ ଯେପରି ସଚେତନ ଥିଲେ, ଅସ୍ତିତ୍ୱବାଦୀ ସାର୍ତ୍ତ ସେପରି ଈଶ୍ୱରଙ୍କୁ ମଣିଷର ସୁଖ ଦୁଃଖରେ ଭାଗୀ ନ କରାଇ ମାନବିକତା ଉଦ୍ଦେଶ୍ୟରେ ତାଙ୍କର ଦର୍ଶନକୁ ସମର୍ପଣ କରିଦିଅନ୍ତି । ତାଙ୍କ ‘‘ଏକ୍‌ଜିଷ୍ଟେନସିଆଲିଜିମ୍‌ ଏଣ୍ତ ହ୍ୟୁମାନିଜିମ୍’’ରେ ସେ ବୁଦ୍ଧଙ୍କ ଭଳି ନିର୍ବାଣ ବା ଜୀବନ ମୁକ୍ତିର ଆସ୍ଥାରେ ମଣିଷକୁ ନିରାଶା ଆଡ଼କୁ ଟାଣି ନ ନେଇ ଆଶା ଓ ବିଶ୍ୱାସ ଦିଅନ୍ତି । ଅସ୍ତିତ୍ୱବୋଧ ଆସିଲା ପରେ ମଣିଷ କିପରି ମାନବିକତାର ସହାୟକ ସେ ସବୁର ପ୍ରାଞ୍ଜଳ ତତ୍ତ୍ୱ ତାଙ୍କ ଗ୍ରନ୍ଥଗୁଡ଼ିକରେ ପରିସ୍ଫୁଟ ହୋଇଛି ।

 

ହିଟଲରଙ୍କ ବିଜୟ ପରେ ଫ୍ରାନ୍‌ସର ସ୍ଥିତି ସମ୍ପର୍କରେ ସାର୍ତ୍ତ ସ୍ୱପୁସ୍ତକ ‘‘ଦି ରୋଡ଼ସ୍‌ ଅଫ୍‌ ଫ୍ରିଡ଼ମ୍‌ରେ ଯେଉଁ ଜୀବନ୍ତ ବର୍ଣ୍ଣନା ଦେଇଛନ୍ତି ସେଥିରେ ହୋଟେଲଗୁଡ଼ିକର ନଗ୍ନଚିତ୍ର ଓ ବିଳାସବ୍ୟସନରେ ମନମତ୍ତ ହୋଇ ଲୋକେ ଢଳି ପଡ଼ୁଥିବା ବର୍ଣ୍ଣନା ଦେଖି ମନେ ହୁଏ ମନୁଷ୍ୟ ପଶୁ ନୁହେଁ ତ ? ଏହାହିଁ ତାଙ୍କର ଦୃଢ଼ ନୈତିକତାର ପରିଚୟ । ଅସ୍ତିତ୍ୱବାଦ ପକ୍ଷରେ ଲେଖିଥିବା ତାଙ୍କର ପ୍ରତ୍ୟେକ ପୁସ୍ତକ ଏହି ବିଚାରରେ ବିଚାର କରାଯାଇପାରେ । ସନ୍ଦେହ ପରେ ପରେ ତାଙ୍କର ବିଶ୍ୱାସ ମାନବିକତାର କାରୁଶିଳ ପକ୍ଷକୁ ଘନିଷ୍ଠଭାବରେ ଜାବୁଡ଼ି ଧରେ । ଆମେ ଯନ୍ତ୍ରାସ ମଧ୍ୟ ଦେଇ ଆତ୍ମଦର୍ଶନ କରୁଁ ।’’

Image

 

ଅଶ୍ଳୀଳତାର ସ୍ୱରୂପ ଓ ସିଦ୍ଧାନ୍ତ

 

ଶ୍ଳୀଳ ଓ ଅଶ୍ଳୀଳ ସମସ୍ୟା ନେଇ ଅର୍ବାଚୀନ ସାହିତ୍ୟ ଜଗତ ଦୁଇଭାଗରେ ବିଭକ୍ତ ହୋଇ ଯାଇଛି । ଏକ ସୁଦୀର୍ଘ ସାହିତ୍ୟିକ କାଳଖଣ୍ତ ମଧ୍ୟରେ ଆମେ ସେତୁ ନିର୍ମାଣ କରିବା ଭୁଲି କାନ୍ଥ ନିର୍ମାଣ କରି ଚାଲିଛୁଁ । ଜଣେ ସ୍ୱଚ୍ଛନ୍ଦ ସ୍ୱାଧୀନ ବ୍ୟକ୍ତି ବିଚାରକ ପକ୍ଷ ନେଲେ ଆଉ ବିଚାର କରୁଛି ସ୍ୱାଧୀନତାରୁ ମୂଲ୍ୟ ଆମେ ସଂଯତଭାବେ ଅଧିକ ଉପଭୋଗ କରିପାରିବା । କାହା କଥା ଶୁଣିବା କାହା କଥା ଶୁଣିବା ନାହିଁ ଏ ସମସ୍ୟା ଖୁବ୍‌ ଜଟିଳ ଜଣାପଡ଼ୁଛି । ଗୋଟିଏ ପାଖରେ ଜଣେ କହୁଛି ଉତିଷ୍ଠିତ ଜାଗ୍ରତ ତ ଆଉ ଜଣେ କହୁଛି ଶୋଇପଡ଼ ରାତି ଅଛି । ସିଦ୍ଧାନ୍ତିକ ସଂଘର୍ଷ ମଧ୍ୟରେ କୌଣସି ପକ୍ଷରେ ଓକିଲ ମୁଁ ନୁହେଁ । ଏହି ଦୃଷ୍ଟିରୁ ଦୁଇ ପକ୍ଷକୁ ସମାନ ଓଜନ କରି ପାରିବା ପରେ କିଛି ଲାଭ ମୋ ପକ୍ଷରୁ ଅଧିକ ଦେଇପାରେଁ, ଯା ମୋର ନିଜସ୍ୱ ।

 

ଶ୍ଳୀଳ ପକ୍ଷରେ ଯେତେ ତର୍କ ରହିଛି ଅଶ୍ଳୀଳ ପକ୍ଷରେ ମଧ୍ୟ ଠିକ୍‌ ସେତିକି ରହିଛି । ପକ୍ଷ ବିପକ୍ଷରେ ଅନେକ କିଛି କୁହାଯାଇପାରେ । ଭାରତୀୟ ସଂସ୍କୃତି କୁହେ ଶ୍ଳୀଳ ଅଶ୍ଳୀଳ ବୋଲି କିଛି ନାହିଁ । ଦୃଷ୍ଟିକୋଣ ବଦଳାଅ, ତେବେ ଦେଖିବ ଅଶ୍ଳୀଳତା ମଧ୍ୟ ନିଜର ଏକ ମୌଳିକ ସ୍ୱର ଓ ସୌନ୍ଦର୍ଯ୍ୟ ଅଛି, ଯାହା ଅନ୍ଧାରରେ ଅଧିକ ଉପଭୋଗ୍ୟ । ଦେଖିବାକୁ ଗଲେ ଅହଲ୍ୟା, ଦ୍ରୌପଦୀ, ତାରା, କୁନ୍ତୀ, ମନ୍ଦୋଦରୀ କ’ଣ ଶ୍ଳୀଳ ଥିଲେ ? କିନ୍ତୁ ଦୃଷ୍ଟିକୋଣ ବଦଳାଇ ପୁରାଣକାରଗଣ ଏମାନଙ୍କୁ ପ୍ରାତଃସ୍ମରଣୀୟ ସତୀ ଶିରୋମଣିର ସମ୍ମାନ ଦେଲେ ।

 

ଅଶ୍ଳୀଳତାକୁ ବ୍ୟଭିଚାର ଭାବରେ ବିଚାର କରି ଆଜିର ସମାଜ ନିଜ ମଧ୍ୟରେ ଶାଳୀନତା ଓ ସହିଷ୍ଣୁତାର ଅଭାବ ପ୍ରଦର୍ଶନ କରି ଆସିଛି । ଆମେ ନିଜକୁ ଯେତେ ଆଧୁନିକ ପ୍ରଗତିଶୀଳ ମନେକଲେ ମଧ୍ୟ କ’ଣ ଛୋଟଭାଇଙ୍କ ସ୍ତ୍ରୀଙ୍କୁ ଋତୁଦାନ ଦେଇଥିବା ଜାରଜ ସନ୍ତାନ ବ୍ୟାସଙ୍କୁ କ୍ଷମା କରିପାରିବା ? ରୁକ୍ମିଣୀ ହରଣକାରୀ ଶ୍ରୀକୃଷ୍ଣ, ଦ୍ୟୁତକ୍ରୀଡ଼ାରତ ଯୁଧିଷ୍ଠିରଙ୍କୁ ଧର୍ମରାଜ ଉପାଧିରେ ବିଭୂଷିତ କରିପାରିବା ? ଆଜି ସମାଜରେ ଯଦି ଏପରି ଶ୍ରୀକୃଷ୍ଣ, ଯୁଧିଷ୍ଠିର, ଦ୍ରୌପଦୀ, କୁନ୍ତୀ, ଅହଲ୍ୟା ବା ବ୍ୟାସ ଜନ୍ମଗ୍ରହଣ କରନ୍ତି ତାହାହେଲେ ସମାଜରେ ସେମାନଙ୍କର ସ୍ଥାନ କେଉଁଠି ରହିବ ? ତଦ୍ରୂପ ପୁରାତନ ନିୟମର ମହାନ୍ ଚରିତ୍ର ମହାତ୍ମା ଲୋଟ ସ୍ୱକନ୍ୟା ଦ୍ୱୟଙ୍କୁ ଗର୍ଭଦାନ କରିବା, ଦାଉଦଙ୍କ ସୁପୁତ୍ର ଅମ୍ୱୋଜ ନିଜ ଭଗିନୀସହ ସମ୍ଭୋଗ କରିବା କିମ୍ୱା ପରମେଶ୍ୱର ସିୟୋନର କନ୍ୟାଗଣଙ୍କ ଗୁପ୍ତସ୍ଥାନ ଅନାବୃତ କରିବାର ଇଚ୍ଛାକୁ କିପରି ଧର୍ମଶାସ୍ତ୍ରର ବାଣୀ ବୋଲି ବିଶ୍ୱାସ କରି ନେବା ? କେଉଁ ପରିସ୍ଥିତି ଓ ପରିବେଶରେ ସେମାନେ ଏ ଅପକର୍ମ କରିଥିଲେ ତାକୁ ବୁଝିବାପାଇଁ ଧୈର୍ଯ୍ୟ ବା ସମୟ ଆମ ପାଖରେ କାହିଁ ?

 

କୋଣାର୍କ, ଭୁବନେଶ୍ୱର ବା ଖଜରାହ ଯାଆନ୍ତୁ । ସବୁଠି ନଗ୍ନମୂର୍ତ୍ତି । ସେଠାରେ ବସ୍ତ୍ରାବୃତ୍ତ ମଣିଷ ଯଦି ଲଜ୍ଜିତ ହୁଏ ତାହାହେଲେ ଆମର କହିବାର କିଛି ନାହିଁ । ତନ୍ତ୍ର ପ୍ରଚାର ଫଳରେ ହେଉ ବା ମଣିଷର ଆଦିମ ପ୍ରବୃତ୍ତିକୁ ପ୍ରସ୍ଫୁଟିତ କରିବାକୁ ହେଉ, କୌଣସି ଏକ କାରଣରୁ ଏହାର ପ୍ରଚଳନ ଥିଲା । ଏ କଥା ସ୍ୱୀକାର କରିବାରେ ମୋର ଆଦୌ ସଂକୋଚ ନାହିଁ ଯେ, ସେ କଳା ଭାସ୍କର୍ଯ୍ୟରେ ଯୌନକ୍ରୀଡ଼ା ଅତି ନଗ୍ନ ଭାବରେ ଅଙ୍କିତ । ଏହାକୁ ଦେଖି ଜଣେ କଳା ପ୍ରିୟ କଳାକାର ତା’ର ଶୁଷ୍କ ଆଦର୍ଶରେ ଅଭିଭୂତନ ହୋଇ ବରଂ ସେ କଳାତ୍ମକ ଅଭିବ୍ୟକ୍ତିରେ ତନ୍ମୟ ହୋଇପଡ଼େ । ଏଥିରେ ନଗ୍ନତା ଅଛି ମାତ୍ର ଭ୍ରଷ୍ଟାଚାର ବା ପ୍ରଳାପ ନାହିଁ ।

 

ଦେଖିବାକୁ ଗଲେ ନଗ୍ନତା ଯଦି ଅନ୍ଧକାରରେ ରହିଯାଏ ତାହାହେଲେ ତା’ର ନଗ୍ନତା ତ ନଗ୍ନ ନ ରହି ବସନାବୃତ ହୋଇଗଲା । ସତ୍ୟ ତ ନଗ୍ନତାରେ । ସତ୍ୟକୁ ଖୋଜିବାକୁ ହେଲେ ବାହ୍ୟ ଆବରଣ ହଟାଇବାକୁ ପଡ଼ିବ । ନଗ୍ନରୁ ନଗ୍ନତର ନଗ୍ନତମ ପ୍ରଦେଶକୁ ଯିବାକୁ ପଡ଼ିବ । ତେବେ ଯାଇ ସାହିତ୍ୟରେ ସତ୍ୟକୁ ଉନ୍ମୋଚନ ସମ୍ଭବ । ସାହିତ୍ୟକୁ ସର୍ବଦା ଘୋଡ଼ାଇ ରଖିବା ପକ୍ଷରେ କୌଣସି ଆଧୁନିକବାଦୀ ଲେଖକ ବା କବି କେବେ ମଧ୍ୟ ଇଚ୍ଛା କରିବେ ନାହିଁ । ସେମାନଙ୍କ କହିବାର ହେଲା–ସାହିତ୍ୟ ଯେତିକି ଖୋଲା ରହିବ, ସେତେ ସୁନ୍ଦର ହେବ । ଏହା ଉପରେ ଆବରଣ ରଖିବା ଅର୍ଥ ସାହିତ୍ୟ ପରେ ଆବରଣ ରଖିବା ।

 

ଶ୍ଳୀଳ ଅଶ୍ଳୀଳତାର ସମ୍ୱନ୍ଧ ତ ସମାଜରେ । ସାହିତ୍ୟର ସ୍ରଷ୍ଟା ସମାଜଠାରୁ ଦୂରରେ ରହି ନ ପାରେ । ଯଦି ସେ ଦୂରରେ ରୁହେ ତାହାହେଲେ ସେ କାହାପାଇଁ ସାହିତ୍ୟ ସୃଷ୍ଟି କରୁଛି ? ସମାଜପାଇଁ ନା ନିଜପାଇଁ ? ଦିନରାତି ପରି ଶ୍ଳୀଳ ଓ ଅଶ୍ଳୀଳ ମଧ୍ୟ ସାହିତ୍ୟର ଅଙ୍ଗ । ଏ ଦୁଇଟିର ଅସ୍ତିତ୍ୱ ବିନା ସାହିତ୍ୟ ପୂର୍ଣ୍ଣାଙ୍ଗ ପ୍ରାପ୍ତ କରିପାରିବ ନାହିଁ ।

 

ଭଲମନ୍ଦ ସବୁଠି ରହିଛି । ଶିଶୁକୁ ଅଗ୍ନି ପାଖକୁ ଯିବାକୁ ମନା କରାଯାଏ । ଏହା ଅର୍ଥ କ’ଣ ଅଗ୍ନି ଖରାପ ? ଚାତକ ଚାତକୀର ପ୍ରେମ ଦେଖି ଯଦି କୌଣସି ବ୍ୟକ୍ତି କାମାଶକ୍ତ ହୁଏ ତାହାହେଲେ କ’ଣ ସମସ୍ତ ଚାତକୀକୁ ମାରିଦେବା ସୌଜନ୍ୟ ହେବ ?

 

ଜର୍ମାନୀର ମନୋବୈଜ୍ଞାନିକ ଫ୍ରଏଡ଼୍‌ କୁହନ୍ତି ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟ ପଛରେ କାମର ପ୍ରେରଣା ପ୍ରଚ୍ଛନ୍ନ ଭାବରେ କାର୍ଯ୍ୟ କରି ଚାଲିଛି । ହିନ୍ଦୁ ଧର୍ମରେ ଚତୁର୍ବର୍ଗ ପ୍ରାପ୍ତିରେ ‘କାମ’ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରାଚୀନ ସାହିତ୍ୟରେ ‘କାମ’ ସୃଷ୍ଟିର ଉତ୍ପାଦକରୂପେ ବର୍ଣ୍ଣିତ ହୋଇଛି । ଋଗ୍‌ବେଦର ଦଶମ ମଣ୍ତଳରେ ସୃଷ୍ଟି ନିର୍ମାଣ କରିବାର ପ୍ରବୃତ୍ତି, ବ୍ରହ୍ମାଙ୍କ ହୃଦୟରେ କାମଠାରୁହିଁ ଆରମ୍ଭ ହୋଇଛି । ଶତପଥ ବ୍ରାହ୍ମଣରେ ସୃଷ୍ଟିର ଆଦିରେ କାମର ମହତ୍ତ୍ୱ ପ୍ରତିପାଦିତ ହୋଇଛି । ଏଣୁ କାମକୁ ଆଦିରସ ଭାବରେ ଚିତ୍ରିତ ହୋଇଥାଏ । ହିନ୍ଦୀ ସାହିତ୍ୟର ବରେଣ୍ୟ କବି ପ୍ରସାଦ ‘କାମାୟନୀ’ କାବ୍ୟରେ ‘କାମ’ ସର୍ଗରେ କାମ ଓ ରତିର ପରିଚୟ ଦେବାକୁ ଯାଇ କାମର ଆତ୍ମକଥା ଲେଖନ୍ତି–

 

ହାମ୍‌ ଦୋନୋଁକା ଅସ୍ତିତ୍ୱ ରହା ଉସ ଆରମ୍ଭିକର ଆବର୍ତ୍ତନ ସା,

ଜିସସେ ସଂସ୍କୃତିକା ବନତା ହୈ ଆକାର ରୂପକେ ନର୍ତ୍ତନ ସା ।

ଉସ୍‌ ପ୍ରକୃତି ଲତାକେ ଯୌବନ ମୈ ଉସ୍ ପୁଷ୍ପବତୀ କେ ମାଧବ କା,

ମଧୁ ହସ୍‌ ହୁଆଥା ବହ ପହିଲା, ଦୋ ରୂପ ମଧୁର ଜୋ ଢାଲସକା ।।

 

ବିଶ୍ୱର ପ୍ରାଚୀନ ସାହିତ୍ୟ ଓ କାବ୍ୟରେ ‘କାମ’କୁ ଦେବତା ରୂପରେ ବର୍ଣ୍ଣନା କରାଯାଇଛି ଏବଂ ଏହାପରେ ସୁନ୍ଦର ସୁନ୍ଦର ଆଖ୍ୟାୟିକା ମଧ୍ୟ ସୃଷ୍ଟି ହୋଇଛି । ଗ୍ରୀକ୍‌ ପୁରାଣରେ ଭେନିସ୍‌ ସୌନ୍ଦର୍ଯ୍ୟର ଦେବୀ ଯାହାଙ୍କ ପୁତ୍ର କୁପିଡ଼ । ତାଙ୍କ ପରେ ଥିବା ଆଖ୍ୟାୟିକା ଭାରତୀୟ ପୁରାଣ ବର୍ଣ୍ଣିତ କାମଦେବଙ୍କ ସହିତ ତୁଳନା କରାଯାଇପାରେ । କାମଦେବଙ୍କ ଚାରି ହାତରେ ଶଙ୍ଖ, ପଦ୍ମ ପୁଷ୍ପଧନୁ ଓ ପୁଷ୍ପଶର ଧରିଥିବା ଅବସ୍ଥାରେ ଆମେ ପୁରାଣରେ ଆବିଷ୍କାର କରୁଁ । ବ୍ରହ୍ମକୈବର୍ତ୍ତ ପୁରାଣରେ ତ ତାଙ୍କୁ ମଦନ, ମନସିଜ, ମନ୍ମଥ, ମାର, କନ୍ଦର୍ପ, ଅନଙ୍ଗ, ପୁଷ୍ପଧନ୍ୱା ଓ ବିଶ୍ୱକେତୁ ନାମରେ ଡକା ଯାଇଛି ।

 

ଭାରତର ସ୍ଥାନେ ସ୍ଥାନେ ଉଲଗ୍ନ କାଳୀମୂର୍ତ୍ତି ଏବଂ ଯୋନି ସଂଲଗ୍ନ ଶିବଲିଙ୍ଗ ଦେଖି ଏହାକୁ ଅଶ୍ଳୀଳ କହିବା ପରିବର୍ତ୍ତେ ଭକ୍ତ ଭକ୍ତିରେ ପୁଷ୍ପ ଅର୍ପଣ ପୂର୍ବକ ପୂଜା ଅର୍ଚ୍ଚନା କରିଥାନ୍ତି । ଭୁବନେଶ୍ୱରୀ ମନ୍ତ୍ରରେ ଦେବୀଙ୍କୁ ‘ତୁଙ୍ଗ କୁଚାଙ୍ଗ’ ଓ ପୂଜା ଅର୍ଚ୍ଚନା କରିଥାନ୍ତି । ଭୁବନେଶ୍ୱରୀ ମନ୍ତ୍ରରେ ଦେବୀଙ୍କୁ ‘ତୁଙ୍ଗ କୁଚାଙ୍ଗ’ ଓ କାଳୀଙ୍କୁ ‘ବିପରିତୀତ ରତାତୁରାମ’ ବା ବିପରୀତ ରତିପାଇଁ ଯେ ଆତୁର ବୋଲି କୁହାଯାଇଛି । ପୁଣି ଅପରାଜିତ ମନ୍ତ୍ରରେ ‘ପିନ ତୁଙ୍ଗସ୍ତନି ସାଧ୍ୱୀ’ ବା ଉତଙ୍ଗ ହୋଇଛି ସ୍ତନ ଯା’ର, ଏପରି ନଗ୍ନ ବର୍ଣ୍ଣନା କରିବାରେ ଭକ୍ତ ଦୋଷୀ ହେଉ ନାହିଁ ।

 

କବି ମିଲଟନଙ୍କ ଏଡ଼େନ ଉଦ୍ୟାନ ମଧ୍ୟରେ ପ୍ରଥମ ନବଦମ୍ପତ୍ତିଙ୍କୁ ସୁଜନ କରି ଯେଉଁ ଦୃଶ୍ୟ ଉନ୍ମୋଚନ କରିଛନ୍ତି ତାଙ୍କୁ କେଉଁ ସମାଲୋଚକ ଅଶ୍ଳୀଳ ବୋଲି ପ୍ରତିପାଦନ କରିବ ? ବଙ୍କିମଚନ୍ଦ୍ରଙ୍କ ଦୃଷ୍ଟିକୋଣ ଏ କ୍ଷେତ୍ରରେ ଖୁବ୍‌ ନିଷ୍ପକ୍ଷ ହୋଇଛି । ସେ ଦେଖିଛନ୍ତି ସେଥିରେ ଅପୂର୍ବ ଆଦିରସର ସଂଯୋଜନା । ନିଷ୍ପାପା ଲୋକମାତା ନିଦ୍ରା ଯାଇଛନ୍ତି । ଆଦିପୁରୁଷ ତାଙ୍କୁ ନିରୀକ୍ଷଣ କରୁଛନ୍ତି । ଏ ଦୃଶ୍ୟକୁ କିପରି ଅଶ୍ଳୀଳ କୁହାଯିବ ।

 

ଏକଥା ଅବଶ୍ୟ ମାନିବାକୁ ଆମେ ବାଧ୍ୟ ଯେ, ଯେଉଁ କବି ଲେଖକ ନିଷ୍ଠାବାନ, ପବିତ୍ର ଓ ନୀତିବାନ ସେମାନଙ୍କ ଲେଖନୀ ନିଃସୃତ ଲଗ୍ନ କାମ ବର୍ଣ୍ଣନାକୁ ଅଶ୍ଳୀଳ କୁହାଯାଇ ନାହିଁ ବରଂ ଧୈର୍ଯ୍ୟର ସହିତ ସମାଜ ସେମାନଙ୍କ କୃତିକୁ ସ୍ୱୀକୃତି ପ୍ରଦାନ କରିଛି । ନିକଟ ସମ୍ପର୍କ ଦୃଷ୍ଟିରୁ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର ଆଦିଙ୍କ ଉଦାହରଣ ନିଆଯାଇପାରେ ।

 

ସମୟର ହସ୍ତାକ୍ଷର.......

 

ଶ୍ଳୀଳ ଅଶ୍ଳୀଳର ବିଚାର ସମୟ ଓ ପରିସ୍ଥିତି ସାପେକ୍ଷ । ଯେଉଁ ଅନାତୋଲ ଫ୍ରାନ୍‌ସଙ୍କ ରଚନାକୁ ବିଲାତରେ ଅଶ୍ଳୀଳ ବୋଲି ଧରାଯାଏ, ତାହା ଫ୍ରାନ୍‌ସ ମାଟି ମାଡ଼ିବାମାତ୍ରେ ଶ୍ଳୀଳ ବୋଲି ସମ୍ମାନିତ ହୁଏ । ଡି. ଏଚ. ଲାରେନ୍‌ସଙ୍କ ୧୯୨୨ରେ ଲିଖିତ ‘ଲେଡ଼ି ଚେଷ୍ଟଲରେଜ୍‌ ଲଭର’କୁ ଦୀର୍ଘ ପଇଁତିରିଶବର୍ଷ ଅଶ୍ଳୀଳତା ଅଭିଯୋଗରେ ଅଭିହିତ କରାଯାଇ ଯୌନଜୀବନ ସହିତ ଯେପରି ଭାବରେ ସତ୍ୟକୁ ଅପଳାପ କରାଯାଇଥିଲା ତା’ ଜଣେ ଲେଖକ ହିସାବରେ ସହ୍ୟ କରିବା କିଛି କମ୍ କଥା ନୁହେଁ ।

 

ତଦ୍ରୂପ ମାର୍କୀନ କବି ହ୍ୱିଟ୍‌ମେନଙ୍କ ‘ଏ ଓମେନ ୱେଟସ ଫର ମି’କୁ ଥରେ ଅଶ୍ଳୀଳ କହି ପରବର୍ତ୍ତୀ କାଳରେ ଏହାକୁ ଶ୍ରେଷ୍ଠ କୃତି ବୋଲି କହିଥିବା ସମାଲୋଚକଙ୍କ ସମ୍ପର୍କରେ ମତ ଦେବାକୁ ଆମେ ଲଜ୍ଜାବୋଧ କରିବା । ୧୯୨୨ରେ ଲିଖିତ ଜେମ୍‌ସ ଜୟସଙ୍କ ‘ଉଲୁସିଜ୍‌’ ଅଶ୍ଳୀଳତାର କାରାଗାରରେ ବହୁଦିନ ରହି ପୁଣି ଶ୍ଳୀଳ ଭାବରେ ୧୯୩୭ ସାଲରେ ମୁକ୍ତିଲାଭ କଲା । ଏ ସବୁ ଉଦାହରଣରୁ ଜଣାଯାଏ ଆମେ କାଲି ଯା’କୁ ଅଶ୍ଳୀଳ ବୋଲି କହି ନାକ ଟେକୁଥିଲୁ ଆଜି ବିଚାର ଦରବାରରେ ତାହା ଶାଳୀନତାର ସିଂହାସନାରୂଢ଼ ।

 

୧୯୭୩ ସାଲରେ ପର୍ତ୍ତୁଗାଲ ସରକାର ତିନିଜଣ ଲେଖିକାଙ୍କୁ ସାର୍ବଜନୀନ ନୈତିକତା ପରେ ଆଘାତ କରିବା ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ପରେ ଆରୋପ କରି ମକଦ୍ଦମା ଚଳାଇଛନ୍ତି । ସେମାନଙ୍କ ମଧ୍ୟରୁ ମାରିୟା ଟେରେସା ହୋଚା ଜଣେ ପଇଁତିରିଶ ବର୍ଷିୟା ଲେଖିକାଙ୍କ ‘ମୋ ସହିତ ମୋର ପ୍ରେମିକା’ କାବ୍ୟ ସଂଗ୍ରହ ଜବତ କରି ତାଙ୍କୁ ଅନେକ ମାନସିକ ଯାତନା ଦିଆଯାଉଛି । ତାଙ୍କ ଏକମାତ୍ର ପୁଅକୁ ତାଙ୍କ ମା’ ବେଶ୍ୟା ବୋଲି କହି ସ୍କୁଲ୍‍ରେ ଚିଡ଼ାଯାଉଛି । ପୁଣି ତାଙ୍କ ନାମରେ ଅଶ୍ଳୀଳ କବିତା ରଚନା କରି ପ୍ରଚାର କରାଯାଉଛି । ମୋର ମନେହୁଏ ଆଉ କିଛି ବର୍ଷ ମଧ୍ୟରେ ଆମେ ଶୁଣିବାକୁ ପାଇବା ମେରିୟା ମଧ୍ୟ ଜେମ୍‌ସ ଜୟସ ଓ ହ୍ୱିଟମେନଙ୍କ ଭଳି ନୀତି ଓ ସତ୍ୟର ସ୍ରଷ୍ଟା ଭାବରେ ପୁରସ୍କୃତ ହେବେ, ଏଥିରେ ସନ୍ଦେହ ନାହିଁ ।

 

ବିଶ୍ୱରେ ଯାହା କିଛି ଶ୍ରେଷ୍ଠ ସାହିତ୍ୟ ବୋଲି କୁହାଯାଉଛି ସବୁଥିରେ ଯୌନଜୀବନକୁ ଆଲୋକକୁ ଆଣିବାକୁ ଚେଷ୍ଟା କରାଯାଇଛି । ଟଲଷ୍ଟୟଙ୍କ ‘ଅନ୍ନା କରିନିନା’ କୁହାଯାଉ ବା ଗ୍ଳୋଷ୍ଟଭ ଫ୍ଳୁବାର୍ଟଙ୍କ ‘ମାଡ଼ାମ୍‌ ବ୍ରେଭାରୀ’ କୁହାଯାଉ, ସବୁଥିରେ ନାରୀର ନଗ୍ନ ପକ୍ଷକୁ ଆମେ ପଢ଼ି ଉପଭୋଗ କରିବାରେ ଆନନ୍ଦ ପାଇଥାଉଁ । ଇଟାଲୀୟ ଉପନ୍ୟାସିକ ଆଲବର୍ଟ ମୋରାଭିଆଙ୍କ ‘ଦି ଓମେନ ଅଫ ରୋମ’ରେ ଇଟାଲୀୟ ନାରୀ ସମାଜରେ ସଂସ୍କାର ଆଣିବାପାଇଁ ସେ ଯେଉଁ ବ୍ୟଙ୍ଗାତ୍ମକ ଚିତ୍ରଣ ଆଙ୍କିଲେ ତା’ ଭିତରେ ନାରୀର ନଗ୍ନତାକୁ ଆମେ ମନବୋଧ କରି ଉପଭୋଗ କଲୁଁ । ମୋପାସାଁ ଫରାସୀ ନାରୀମାନଙ୍କ ନଗ୍ନତା ଓ ବ୍ୟଭିଚାରକୁ ତାଚ୍ଛଲ୍ୟ କରି ଯାହା ଚିତ୍ରଣ କଲେ ତା’ର ନଗ୍ନତାପକ୍ଷକୁ ଆମେ ଆଉଜେଇ ହୋଇ ପଡ଼ିଲୁ ।

 

ସବୁ କ୍ଷେତ୍ରରେ ନଗ୍ନତା, ବ୍ୟଭିଚାର ଓ ଅଶ୍ଳୀଳତା ବ୍ୟାପକଭାବେ ରହିଛି । ସମୟ, ପରିବେଶ ଓ ପରିସ୍ଥିତି ନେଇ ଆମେ ନଗ୍ନତାକୁ ମାପୁଁ । ସଂସ୍କୃତ ସାହିତ୍ୟରେ ସୂର୍ଯ୍ୟଙ୍କୁ ‘ହିରଣ୍ୟରେତା’ କୁହାଯାଏ । ‘ରେତାକୁ କେହି ଅଶ୍ଳୀଳ ବୋଲି କହିବାକୁ ପଛେଇବେ ନାହିଁ । ତଦ୍ରୂପ ‘ଦୁଧ’ ଓଡ଼ିଶାର ପୂର୍ବାଞ୍ଚଳରେ ଗୋରସ ଅର୍ଥରେ ବ୍ୟବହୃତ ହୁଏ, ଯେଉଁ ଶବ୍ଦ ପଶ୍ଚିମ ଓଡ଼ିଶାରେ ଅଶ୍ଳୀଳ ବୋଲି ଅଭିହିତ । ଏପରି କି ଗହମକୁ ହିନ୍ଦୀରେ ଓଡ଼ିଆ ପ୍ରୟୋଗ କରିବା ଅଶ୍ଳୀଳ । ବୈଦିକ ସାହିତ୍ୟରେ ‘ଚୋଦନା’ ଶବ୍ଦ ପ୍ରେରଣାର୍ଥେ ବ୍ୟବହୃତ ହେଉଥିବା ସତ୍ତ୍ୱେ ମୌଳିକ ଅର୍ଥରେ ଏହା ଅଶ୍ଳୀଳ ।

 

ସବୁଠି ଅଶ୍ଳୀଳ, ବ୍ୟଭିଚାର ଓ ବିକୃତ ରହିଛି । ଏ ସବୁକୁ ହଟାଇବାକୁ ଯାଇ ଅଶ୍ଳୀଳତା ବିରୁଦ୍ଧରେ ଆମେ ଯେଉଁ ସବୁ ଉଦାହରଣ ଓ ଉଦ୍ଧୃତାଂଶ ଦେଉଁ ତା’ ମଧ୍ୟ ଅଶ୍ଳୀଳତାକୁ ପ୍ରୋତ୍ସାହନ କରିଥାଏ । ଯେପରି ଅଧିକାଂଶ ସମୟରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନପାଇଁ ତତ୍‌ସମ୍ପର୍କୀୟ କିଛି ପୁସ୍ତକ ପଢ଼ି ଆମେ କାମାତୁର ହୋଇପଡ଼ୁଁ ।

 

ସ୍ୱାଧୀନତା-ସହ ସଂଯମ..........

 

ଏସବୁ କହିବା ମଧ୍ୟରେ ମୁଁ ଅଶ୍ଳୀଳତାକୁ ଯେ ସାହିତ୍ୟ ବୋଲି ଘୋଷଣା କରୁଛି, ଏହା ଯେପରି କେହି ନ ବୁଝନ୍ତି । ସାହିତ୍ୟ ମାନେ ଯଦି ଅଶ୍ଳୀଳତା ବୁଝାଯାଏ ତାହାହେଲେ ‘କନ୍‌ଫିଡ଼େନସିଏଲ’ ବା ପଚିଶ ପୃଷ୍ଠିଆ ବଜାରରେ ବିକ୍ରି ହେଉଥିବା ଅଶ୍ଳୀଳ ଚୋରା ପୁସ୍ତକ ଶ୍ରେଷ୍ଠ ସାହିତ୍ୟ ବୋଲି ପ୍ରତିପାଦିତ ହୋଇଯିବ, କାରଣ ଲୋକେ ଏସବୁ ପୁସ୍ତକ ବା ପତ୍ରିକାଗୁଡ଼ିକର ଏତେ ପ୍ରିୟ ପାଠକ ଯେ ତକିଆତଳେ ରଖି ସେସବୁ ପୁସ୍ତକ ଏକାନ୍ତରେ ପଢ଼ିଥାନ୍ତି । ଯଦିଓ ପର୍ଣ୍ଣୋଗ୍ରାଫି ଲିଟ୍ରେଚରର ସ୍ଥାନଟିଏ ମଧ୍ୟ ବଡ଼ବଡ଼ ପୁସ୍ତକାଳୟର ଗୋଟିଏ ପାଖରେ ଥାଏ ତଥାପି ଏହା ସାର୍ବଜନୀନ ନୁହେଁ ।

 

ଅଶ୍ଳୀଳ ରଚନାଗୁଡ଼ିକ ପ୍ରତି ସହାନୁଭୂତିଶୀଳ ହେବା ସଙ୍ଗେ ସଙ୍ଗେ ସାହିତ୍ୟିକ ଆତ୍ମନିରୀକ୍ଷଣ କରିବା ଦରକାର; ଯଦ୍ୱାରା ସାହିତ୍ୟ କେବଳ ବୟସ୍କମାନଙ୍କ ପାଇଁ ନ ରହି ସାର୍ବଜନୀନ ହୋଇ ପାରିବ । ସାର୍ବଜନୀନ ସାହିତ୍ୟ ସୃଷ୍ଟିପାଇଁ ଅଷ୍ଟମ ଶତାବ୍ଦୀରେ ତତ୍କାଳୀନ ଆଳଙ୍କାରିକ ଆଚାର୍ଯ୍ୟ ବାମନ ତାଙ୍କ ରଚିତ ‘କାବ୍ୟଳଙ୍କାର ସୂତ୍ର’ର ଦ୍ୱିତୀୟ ଅଧ୍ୟାୟରେ ଯେଉଁ ନିୟମ ପ୍ରଣୟନ କରିଥିଲେ ତାହା ଆଜିପାଇଁ ମଧ୍ୟ ପ୍ରୟୋଗ ହୋଇ ପାରିବ । ତାଙ୍କ ଭାଷାରେ ‘ବ୍ରଡ଼ା ଜଗୁପସା ମଙ୍ଗଳାତଙ୍କ ଦାୟୀ’ ବା ଯେଉଁ ରଚନା ମନରେ ଲଜ୍ଜା, ଘୃଣା ଇତ୍ୟାଦି ଆଶଙ୍କା ଜାତ କରାଏ, ତାକୁ ଅଶ୍ଳୀଳ ବୋଲି ସେ ଅବିହିତ କରନ୍ତି । ତାଙ୍କପରି ଊନବିଂଶ ଶତାବ୍ଦୀର ଶ୍ରେଷ୍ଠ ସଂସ୍କାରକ ମହର୍ଷି ଦୟାନନ୍ଦ ସରସ୍ୱତୀ କୁହନ୍ତି ଯେଉଁ କାର୍ଯ୍ୟଦ୍ୱାରା ମନରେ ଲଜ୍ଜା, ସଂକୋଚ ଓ ଭୟ ଜାତ ହୁଏ ସେପରି କାର୍ଯ୍ୟ କରିବା ଅନୁଚିତ । ଏ କଥାକୁ ଆମେ ଏପରି କହିଲେ କିଛି ଭୁଲ ହେବ ନାହିଁ ଯେ ଯେଉଁ କଥା କହିବା, ଦେଖିବା ଓ କରିବାଦ୍ୱାରା ମନରେ ଲଜ୍ଜା, ସଂକୋଚ ବା ଭୟ ଜାତ ହୁଏ, ସେପରି କଥା ନ କହିବା ନ ଲେଖିବା ବା ନରିବା ସମାଜ ପକ୍ଷରେ ହିତକାରକ ।

 

ପାଶ୍ଚାତ୍ୟର ଯୌନ ପରମ୍ପରା ଓ ପ୍ରାଚ୍ୟର ଅନ୍ଧାନୁକରଣ ସଙ୍ଗମରେ ଆଜି ଆମେ ଯେଉଁ ବାଷ୍ଟଡ଼ ସାହିତ୍ୟ ସୃଷ୍ଟି କରି ଚାଲିଛୁ, ସେଥିରେ ଶ୍ଳୀଳ ଅଶ୍ଳୀଳର ଭେଦ କିଛି ନାହିଁ । ଏଣୁ ଯୌନ ଉତ୍ତେଜନାଦ୍ୱାରା ସୃଷ୍ଟି ହୋଇଥିବା ସାହିତ୍ୟିକୁ ଆମେ ହିଷ୍ଟ୍ରିକ ସାହିତ୍ୟ ନ କହି, ସାମାଜିକ ବୋଲି କହିବା ମଧ୍ୟରେ ନିଜକୁ ପ୍ରଗତିଶୀଳ ମନେ କରୁଛୁ । ଯେଉଁ ଯୁଗରେ ପିଲାଏ ‘ନିରୋଧ’ କିଣି ବେଲୁନ ଉଡ଼ାଇବାରେ ବ୍ୟସ୍ତ, ପୁଣି ରାସ୍ତାରେ କାନ୍ଥରେ ବାଡ଼ରେ ‘ନାଲି ତ୍ରିକୋଣ’ଦ୍ୱାରା ଯୌନଜୀବନର ଅପ୍ରାକୃତିକ ସଂକେତ ବେଶୀ ପରିମାଣରେ ପ୍ରଚାରିତ ସେଠିକାର କୌଣସି ବାଳକ ଯଦି ତା’ର ବାପାଙ୍କୁ ଏ ସମ୍ପର୍କରେ ଜିଜ୍ଞାସା କରେ ସେଥିରେ ଲଜ୍ଜା କରିବାର ବା କ’ଣ ଅଛି-?

 

‘ପ୍ରାପ୍ତ ବୟସ୍କଙ୍କ ପାଇଁ କେବଳ’ କହି ଯେଉଁ ସାର୍ବଜନୀନ ଚଳଚ୍ଚିତ୍ର ଆଜି ପରିବେଷଣ କରାଯାଉଛି ସେଥିରେ ଗୁପ୍ତଭାବରେ ଅପ୍ରାପ୍ତ ବୟସ୍କଙ୍କ ସଂଖ୍ୟାଧିକ ଥିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ସବୁ କ୍ଷେତ୍ରରେ ‘ଲିବିଡ଼େ’ ବା କାମ ପ୍ରବୃତ୍ତି ଯଥେଷ୍ଟ ପରିମାଣରେ ମଣିଷର ପୁରୁଷତ୍ୱକୁ ଲୁଣ୍ଠନ କରି ସାରିଲାଣି ।

 

ବାତ୍ସାୟନଙ୍କ କାମସୂତ୍ର, ନାଗାର୍ଜୁନ ଆଦି ମହର୍ଷିଗଣଙ୍କ ଜୀବନ କି କଠୋର ସଂଯମ ମଧ୍ୟରେ ବଢ଼ିଥିଲା ସେ ବିଷୟରେ ଭାବିବାକୁ ସମୟ କାହାର ନାହିଁ । ଯୌନଜୀବନର ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରିଥିବା ଫ୍ରଏଡ଼ଙ୍କ ବିଷୟରେ ଚିନ୍ତା କରାଯାଉ । ତାଙ୍କ ନାମରେ ସାହିତ୍ୟର ଇଜ୍ଜତ୍‌କୁ ଆମେ ଅନେକ ପରିମାଣରେ ବଜାରେ ପକାଇ ସାରିଛୁ । ମାତ୍ର ଫ୍ରଏଡ଼ ଏହାର ବହୁ ଊର୍ଦ୍ଧ୍ୱରେ ଥିଲେ । କାରଣ ଜଣେ ଅନିୟନ୍ତ୍ରିତ ଯୌନ ପିପାସୁ ଯୁବକ ଫ୍ରଏଡ଼ଙ୍କ ପରାମର୍ଶ ନେବାକୁ ଯାଇ ତାଙ୍କ ପାଖରୁ ଯେଉଁ ଉତ୍ତର ପାଇଲେ ତାହା କେତେ ଜଣ ସାହିତ୍ୟିକ ଶୁଣି ପାରିଲେ ।

 

କାମୁକତାକୁ ପଦାରେ ପକାଇଲେ କ’ଣ ପ୍ରେମ ହୁଏ ? ନଗ୍ନତାକୁ ଆମେ ପାପ କହୁନୁ, ମାତ୍ର ଯେଉଁ ନଗ୍ନତା ସମାଜ ମଧ୍ୟରେ ଶୃଙ୍ଖଳା ରକ୍ଷା କରିପାରେ ନାହିଁ ସେ ପ୍ରକାର ସାହିତ୍ୟ ସହିତ ସମାଜର କି ସମ୍ପର୍କ ? ନଗ୍ନତା ସଭାମଣ୍ତପରେ ନୁହେଁ ବାସର ଗୃହରେ ଶୋଭାପାଏ । ଯେଉଁ ପିତା ମାତା ଏ କଥା ଜାଣନ୍ତି ନାହିଁ ଯେ ପୁତ୍ର ବା ପୁତ୍ରୀକୁ ବିବାହ ଦେବା ମାନେ ନୂତନ ସୃଷ୍ଟି ଓ ଆନନ୍ଦପାଇଁ ସେମାନଙ୍କୁ ସହବାସ କରାଇବା ? ତା’ ଅର୍ଥ ନୁହେଁ ଯେ ପୁତ୍ର ସ୍ୱସ୍ତ୍ରୀ ସହିତ ପିତା ମାତାଙ୍କ ସମ୍ମୁଖରେ ସମ୍ଭୋଗ କରୁ । ନାରୀକୁ ନଗ୍ନ କରି ତା’ର ଗୁପ୍ତାଙ୍ଗକୁ ସ୍ପଷ୍ଟ ଭାଷାରେ ଚିତ୍ରଣ କରିବାରେ ଆମ ମଧ୍ୟରେ ଆଦୌ ସଂକୋଚ ନାହିଁ । ନାରୀ କେବଳ ଜାୟା ନୁହେଁ ସେ ଜନନୀ ଓ ଭଗିନୀ ମଧ୍ୟ, ଏକଥା ଭୁଲି ଆମେ ଲେଖୁଛୁ–

 

ଖରାବେଳେ ସ୍ତ୍ରୀ ମୋର ଶାଢ଼ି ସାୟା ତାରରେ ଶୁଖାଇ–ଫାଳେ ସ୍ତନ ଦିଶୁଥିବା ଏବଂ ଜଙ୍ଘର ଲୁଗା ଖସି ଯାଇଥିବା–ଅବସ୍ଥାରେ ଶୋଇଥିବା ପରି । (‘ସଂବିତ’ ଆଜିର କବିତା, ଜୟପୁର–୧୯୭୩ )

 

ଆମେ ଆଜି ଅସ୍ତିତ୍ୱବାଦର ଦ୍ୱାହି ଦେଇ ପ୍ରତ୍ୟେକ ମୁହୂର୍ତ୍ତଗୁଡ଼ିକର ଉପାଦାନ ଉପଭୋଗ କରିବାକୁ ଚାହୁଁଛୁ । ସାକ୍ରେଙ୍କ ଦୃଷ୍ଟିରେ ଆମେ ସୁରା ଓ ଯୌନଜୀବନ ଆଡ଼କୁ ଢଳିପଡ଼ି ଜୀବନର କେଇ ମୁହୂର୍ତ୍ତର ସୁଖପାଇଁ ଦୀର୍ଘ ଭବିଷତକୁ ଜଳାଞ୍ଜଳି ଦେଉଛୁ । ଏଣୁ ଆମରି ଇଚ୍ଛା ମଧ୍ୟରେ ଉପନିଷଦ ଯୁଗର ବିଶ୍ୱାତ୍ମା ପ୍ରତି ସହାନୁଭୂତି ନାହିଁ ନା ନିଜପାଇଁ ସଂଯମ ଶୃଙ୍ଖଳା ନାହିଁ । ଆଧୁନିକ ଯୁଗର ବ୍ୟସ୍ତତା ଭିତରେ, ଦାରିଦ୍ରର କଷାଘାତରେ ଏବଂ ବିଶ୍ୱବ୍ୟାପି ସଂଘର୍ଷ ଓ ସଂଗ୍ରାମ କ୍ଷଣରେ ମଧ୍ୟ ଆମର ଇଚ୍ଛା ହେଉଛି–

 

ଦିନେ ଦିନେ ମନେ ହୁଏ ରମଣରେ ମତ୍ତ ହେବାପାଇଁ,

ଯୋଜନ ଯୋଜନ ବ୍ୟାପୀ ଆଦିଗନ୍ତ ବିସ୍ଫୋରିତ ଯୋନି,

ଇଚ୍ଛା ହୁଏ ଛୁଇଁବାକୁ କୁଢ଼କୁଢ଼ ସ୍ତନର ପାହାଡ଼ !

 

(ବିଷାଦ ଏକ ଋତୁ)

 

ଉପରୋକ୍ତ ଦୁଇଟି ଆଧୁନିକ କବିତା ଉଦ୍ଧୃତ କରିବା ପରେ ପରେ ପ୍ରସିଦ୍ଧ ପାରସ୍ୟର ପ୍ରେମିକ କବି ଓମାର ଖୟାମଙ୍କ ରୁବାୟତ ମୋର ମନେ ପଡ଼ିଯାଏ । ସୁରା ଓ ସାକୀକୁ କେନ୍ଦ୍ର କରି ସେ ଯେଉଁ କବିତା ଲେଖିଲେ ସେଥିରେ ଆମେ ଏତେ ତନ୍ମୟ ହୋଇଯାଉ ଓ ପ୍ରକୃତ ସୁରାପାନ ନ କରି ତାଙ୍କ କବିତାର ସ୍ୱର୍ଗୀୟ ଆହ୍ୱାନରେ ସେ ଆମକୁ ମନ୍ତ୍ରମୁଗ୍ଧ କରି ଗାଇ ଚାଲନ୍ତି–

 

ଢାଳିଦିଅ ପ୍ରିୟେ ରକ୍ତ ମଦିରା

ପିଆଲା ମୋ ଭରିଦିଅ,

ଲିଭି ଯାଉ ତହିଁ ଅତୀତ ଦୈନ୍ୟ

ଅନାଗତ ଶତ ଭୟ !

ଏବଂ

କହି କି ପାରିବ ମଦିରାଠୁ ଭଲ

କି ଅଛି ଭୁବନ କ୍ରୟେ ?

ମୂଲ୍ୟ କି ଛାର ଲଭେ ବିକ୍ରେତା

ଅମୃତ ବିନିମୟେ !!

 

ଏହିପରି ସମ୍ପୂର୍ଣ୍ଣ ରୁବାୟତଟି ପଢ଼ାଯାଇପାରେ । ଏଥିରେ ଅଶ୍ଳୀଳତା ନାହିଁ । ପ୍ରତ୍ୟେକ ପଦରେ ପ୍ରେମ ଖୁବ୍‌ ସଞ୍ଜତ ଓ ସଂଯମଦ୍ୱାରା ପରିଚାଳିତ ଅଥଚ ଆମର କବିତା ନିଜକୁ ମୁକ୍ତ ଓ ସ୍ୱାଧୀନ କରିବା ମଧ୍ୟରେ ଉଚ୍ଛୃଙ୍ଖଳ ଓ ବ୍ୟଭିଚାରଦ୍ୱାରା ଶରବ୍ୟ । ସଂଯମ ହୋଇଛି ଶୋଭା । ଏହାକୁ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ସମସ୍ତେ ଭଲ ପାଆନ୍ତି । ବେଶ୍ୟା ଅନେକ ଅତୃପ୍ତ ପ୍ରାଣରେ ଚନ୍ଦନ ପ୍ରଲେପ ଦେଇପାରେ, ମାତ୍ର ତାକୁ କ’ଣ ଆମେ କୁଳବଧୂର ଆସନରେ ଅଳଙ୍କୃତ କରିପାରିବା ? ଶସ୍ତା ରଚନା ଲୋକପ୍ରିୟ ହୋଇପାରେ ମାତ୍ର ତା’ର ସ୍ଥାନ ସାହିତ୍ୟ କ୍ଷେତ୍ରରେ ନୁହେଁ-

 

ସବୁ କ୍ଷେତ୍ରରେ ଏକ ସୀମା ଅଛି । ଅତି ସର୍ବତ୍ର ଗର୍ହିତ ନୀତି ଦୃଷ୍ଟିରୁ ପୂର୍ବାଚାର୍ଯ୍ୟଗଣ ରତିକ୍ରୀଡ଼ା ଏବଂ କାମଚର୍ଚ୍ଚା ପାଇଁ ଯେଉଁ ଧର୍ମସମ୍ମତ ବିଚାର ସିଦ୍ଧ କରି ଯାଇଛନ୍ତି, ତା’ଠୁ ଦୁଇପାଦ ଆଗକୁ ଅବାଟରେ ଯାଇ ଆମେ ପ୍ରଗତିଶୀଳ ବୋଲି ଦାବି କରିବା, ବର୍ଣ୍ଣଶଙ୍କର ସୃଷ୍ଟି କରିବା ପରି ମନେହୁଏ । ଆଜିର ନଗ୍ନତା ମଧ୍ୟରେ ଅସ୍ୱାଭାବିକତାର ପରିମାଣ ଅଧିକ ଭାବରେ ବ୍ୟାପ୍ତ ଓ ବିକଶିତ । ଭୟ ଲାଗେ, ଏ ନଗ୍ନତା ଯୌନଜୀବନକୁ ଗନେରିଆ ବା ସିଫ୍‌ଲିସ୍‌ରେ ସାହିତ୍ୟକୁ ବର୍ଷ ବର୍ଷ ଧରି ଘାଣ୍ଟିଦେବ ନାହିଁ ତ ? ଏଥିପାଇଁ ବୋଧହୁଏ ଋଷିଗଣ ଅଶ୍ଳୀଳତା ଓ ନଗ୍ନତାକୁ କାୟିକ, ମାନସିକ ଓ ବାଚନିକ ଚିନ୍ତା ମୁକ୍ତ କରି ସୁସ୍ଥ ଓ ଦୀର୍ଘଜୀବୀ ରହୁଥିଲେ ।

 

ସାହିତ୍ୟ ହେଉଛି ସାର୍ବଜନୀନ । ପିତା କନ୍ୟାକୁ ପୁଣି ମାତା ପୁତ୍ରକୁ, ଭାଇ ଭଉଣୀକୁ ଯେଉଁ ସାହିତ୍ୟକୁ ପଢ଼ାଇବା ପାଇଁ, ଆଲୋଚନା କରିବାପାଇଁ ସଂକୋଚ ମନେ କରନ୍ତି ତାକୁ ଆମେ କିପରି ସାର୍ବଜନୀନ ବୋଲି ସାବ୍ୟସ୍ତ କରିପାରିବା ? ଉଦାହରଣସ୍ୱରୂପ ଝଙ୍କାରରେ ପ୍ରକାଶିତ ‘ବୃତ୍ତ’ ନାମକ ଗଳ୍ପଟିର ଏକ ଅନୁଚ୍ଛେଦ ଉଦ୍ଧାର କରାଯାଇପାରେ, ଯା ୧୭ଶ ବର୍ଷ ୩ୟ ମିଥୁନ ସଂଖ୍ୟାରେ ପ୍ରକାଶିତ ହୋଇଥିଲା–

 

‘‘ଗାଁ ମାଇପେ କାଠ ନେଇ ଯାଉଛନ୍ତି । ...ଦୋହଲି ଦୋହଲି ନାଚିଲା ଛନ୍ଦରେ ଚାଲିଛନ୍ତି । ଢେଉଢେଉକା ଲୁଗା ଉଡ଼ୁଛି । ...କିଛି ଜଙ୍ଘ ଦୋହଲା ଚାଲିରେ ଦୁଲୁକି ଦୁଲୁକି ଉଠୁଛି ଗୋଲ ଗୋଲ ସ୍ତନ । ଲୋଭ ହୁଏ, ମଝିରେ କାଳି ହୋଇ ବେଶ୍‌ ସ୍ୱାସ୍ଥ୍ୟବତୀ ଝିଅଟି । ଭାରି ଭାରି ପଛ । ଉଚ୍ଚ ଉଚ୍ଚ ଛାତି । ଭୀଷଣ ଇଚ୍ଛା ହୁଏ, ତା’ର ଶାଢ଼ି ଖଣ୍ତିକ ଓଟାରି ଆଣି ଟିକିଟିକି ଛିଣ୍ତାଇ କରି ଫିଙ୍ଗିଦେଇ ତାକୁ ଉଲଗ୍ନ କରି ବିରାଟ ବିରାଟ ସ୍ତନ ଦୁଇଟାକୁ ଭୀଷଣ ଜୋରରେ ଦଳିମାଡ଼ି ଗୁଣ୍ତ କରି ଦେବାକୁ । ତା’ର ଓହଳା ପଛରେ ଆଖିବୁଜି ମନଇଚ୍ଛା ଅତି ଜୋରରେ ବିଧା ଗୋଇଠା ମାରି ମାରି ଧୂଳି କରି ଦେବାକୁ ।’’

 

ଏଥିରେ ଗାଳ୍ପିକ ଅନ୍ୟକୁ କଷ୍ଟ ଦେଇ ନିଜର କାମ ପ୍ରବୃତ୍ତି ତୁଷ୍ଟ କରିବାକୁ ଚାହାନ୍ତି । ତାଙ୍କର ପୁଅ ଝିଅମାନେ ଭବିଷ୍ୟତରେ ଏ ଗଳ୍ପ ପଢ଼ି ବାପାଙ୍କ ବୃଦ୍ଧ ଅବସ୍ଥାରେ ଯେତେବେଳେ ଏହାର ଅର୍ଥ ଓ ତାତ୍ପର୍ଯ୍ୟ ପଚାରିବେ ସେ ଏହାର କି ଉତ୍ତର ଦେବେ ? ଆଧୁନିକତାର ସ୍ୱର ତୋଳି ଆମେ ଅସଂଯତ ଭାବପ୍ରବଣତାକୁ ଅଧିକ ପରିମାଣରେ ଯଥାର୍ଥ ଓ ପ୍ରକୃତ ବୋଲି ପ୍ରମାଣ କରି କି ଲାଭ ପାଇଲୁ ? ଯେଉଁ କଥା ନ କହିଲେ ଚଳିଯିବ ବା ଭଲ ହୁଅନ୍ତା ତାକୁ କହି ଆମେ ଯେଉଁ ଯଶର କାମନା କରୁଛୁ ତା’ର ସାମାଜିକ ଅଙ୍ଗୀକାର ପ୍ରତି ଆମର ଦୃଷ୍ଟି ନାହିଁ ।

 

କେତେକ ଶକ୍ତିଶାଳୀ ସମାଲୋଚକ ନ୍ୟାୟର ତରାଜୁ ନେଇ ବିଚାର କରନ୍ତି ଯେ, ସମାଜରେ ଯେପରି ସମାଜ ବିରୋଧୀ ତତ୍ତ୍ୱକୁ ବିମନ ଓ ଶାସନ କରିବାପାଇଁ ରାଷ୍ଟ୍ରର ସ୍ମୃତିସଂହିତା ଆଇନକାନୁନର ଅସ୍ତ୍ର ପ୍ରୟୋଗ କରିଥାନ୍ତି ତଦ୍ରୂପସାହିତ୍ୟ ସାମ୍ରାଜ୍ୟରେ ଏପ୍ରକାର ଅସଭ୍ୟ ଅନିୟନ୍ତ୍ରିତ ବର୍ଗର କାମୁକ କବି ଲେଖକମାନଙ୍କୁ ମଧ୍ୟ ତୀବ୍ର ସମାଲୋଚନାଦ୍ୱାରା ଦମନ କରିବା ବିଧେୟ । ମୋର ଇଚ୍ଛା ହେଲା ମୁଁ ହତ୍ୟା କଲି, କହିଲେ ଯେପରି କୋଟ୍‍ ମୁକ୍ତି ଦିଏନା ସେପରି ମୋର ଇଚ୍ଛା ହେଲା ମୁଁ ଲେଖିଦେଲି କହୁଥିବା ଲେଖକମାନଙ୍କ ପାଇଁ ମଧ୍ୟ ସମାଲୋଚନାର ନ୍ୟାୟାଳୟ ରହିବା ଦରକାର । ତାହାହେଲେ ଯାଇ ସାହିତ୍ୟରେ ଅଶ୍ଳୀଳତାର ଅନୁପ୍ରବେଶ କମିଯିବ ।

 

ତେବେ ସରକାରୀ ଆଇନକାନୁନଦ୍ୱାରା ସାହିତ୍ୟ ନିୟନ୍ତ୍ରଣ ସମ୍ଭବ ନୁହେଁ କିମ୍ୱା ବିଧେୟ ନୁହେଁ । ସରକାର ଏ କ୍ଷେତ୍ରରେ ହସ୍ତକ୍ଷେପ କରି ଅନେକ ସମୟରେ ବିଫଳ ହୋଇଛନ୍ତି । ଅଶ୍ଳୀଳ ଅସାମାଜିକ ସାହିତ୍ୟର ସଂଖ୍ୟା ଆଜି ଏତେ ପରିମାଣରେ ବଢ଼ି ଚାଲିଛି ଯେ ଭାରତୀୟ ପେନାଲ କୋଟ୍‍ର ୭୯୨ ନିୟମରେ ପକାଇବା ମଧ୍ୟ ସମ୍ଭବପର ହେଉ ନାହିଁ । ଲଣ୍ତନରେ ମଧ୍ୟ ୧୮୫୭ଠାରୁ ପ୍ରଚଳିତ ଅବସିନ୍‌ସ ପବ୍ଲିକେଶନସ୍‌ ଆକ୍‌ଟ ହାଲିଆ ହେବାପରି ମନେହୁଏ । ଏ ସବୁଥିରେ ଆମର ବିଶ୍ୱାସ ନାହିଁ ।

 

ଯେତେ ଦିନ ପର୍ଯ୍ୟନ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ କ୍ଷେତ୍ରରେ ସଂସ୍କାର ଆସି ନାହିଁ, ଏହିପରି ଅନେକ ଆକ୍‌ଟ ଆଟିକେଲ୍‌, ଧାରାଦ୍ୱାରା ଏହାର ପ୍ରତିରୋଧ କଲେ ପରିଣାମ ଭଲ ହେବ ନାହିଁ । ଏଥିପାଇଁ ମନର ସଂସ୍କାର ଲୋଡ଼ା । ଏ କଥା ଅନେକ ଲୋକ ଅନୁଭବ କଲେଣି ଯେ ଯୌନ ସର୍ବସ୍ୱ ସାହିତ୍ୟର ବହୁଳ ପ୍ରଚାର ଫଳରେ ଆଗାମୀ ବଂଶଧର ଧୀରେ ଧୀରେ ନପୁଂସକ ଓ କ୍ଳୀବତ୍ୱ ଆଡ଼କୁ ଗତି କରୁଛନ୍ତି । ଏ ପ୍ରତିକ୍ରିୟା ସାହିତ୍ୟିକମାନଙ୍କ ପାଇଁ ଯଥେଷ୍ଟ ।

Image

 

ଓଡ଼ିଆ ସାହିତ୍ୟର ବ୍ୟାପକ ପ୍ରସାରପାଇଁ ଏକ ସହଲିପିର ଆବଶ୍ୟକତା

 

ସର୍ବବ୍ୟାପୀ ଯୋଗାଯୋଗ, ଧର୍ମ ସଂସ୍କୃତି କ୍ଷେତ୍ରରେ ଅଭୂତପୂର୍ବ ସମନ୍ୱୟ ଏବଂ ଜାତି ଜାତି ମଧ୍ୟରେ ଭାବରେ ଆଦାନପ୍ରଦାନ ଫଳରେ ଆଜିର ପୃଥିବୀରେ ଜାତୀୟତାବୋଧ କିମ୍ୱା ବିଚ୍ଛିନ୍ନତାବାଦ ଶବ୍ଦ ପ୍ରାୟ ଅର୍ଥହୀନ ହୋଇ ପଡ଼ିଛି । ବିଜ୍ଞାନର ବହୁଳ ପ୍ରଚାର ଓ ପ୍ରସାର ଫଳରେ ସମଗ୍ର ପୃଥିବୀର ଲୋକେ ଏକ ଭଳିଆ ବସବାସ କରିବା ସଙ୍ଗେ ସଙ୍ଗେ ଏକପ୍ରକାର ଚିନ୍ତା କରିବାରେ ଏପରି ଅଭ୍ୟସ୍ତ ହୋଇ ପଡ଼ିଛନ୍ତି ଯେ ସେମାନଙ୍କୁ ଜାତୀୟତାବୋଧ ମାଦକତାରେ ଭୁଲେଇ ଦେଇ ପୃଥିବୀକୁ ବିଭିନ୍ନ ପ୍ରକୋଷ୍ଠରେ ଭାଗ ଭାଗ କରିଦେବା ଆଉ ସମ୍ଭବପର ନୁହେଁ । ତଥାପି ନିରାଶର କାଳଖଣ୍ତ ସମାପ୍ତ ହୋଇ ନାହିଁ । ଭାରତର ବିଭିନ୍ନ ପ୍ରଦେଶରେ ଅବକାଶ ସମୟ ଅତିବାହିତ କରିବା ସମୟରେ ଏକଥା ମୋ ମନକୁ ବାରମ୍ୱାର ସ୍ପର୍ଶ କରିଛି । ବିଭିନ୍ନ ଭାଷାଗୁଡ଼ିକର ମିଷ୍ଟତା ଅନୁଭବ କରି ସେହି ଭାଷାଗୁଡ଼ିକ ଶିକ୍ଷା କରିବାକୁ ପ୍ରବଳ ଇଚ୍ଛା ଥିଲେ ସୁଦ୍ଧା ସେମାନଙ୍କ ବହୁପ୍ରକାର ଲିପି ଦେଖି ମୁଁ ଦୂରେଇ ଯାଇଛି କାରଣ ସହଜତମ ଭାବରେ କୌଣସି ଭାଷା ଶିକ୍ଷା କରିବାକୁ ୟୁରୋପୀୟ ଭାଷାଗୁଡ଼ିକ ପାଇଁ ଯେଉଁ ଏକ ଲିପିର ସୁବିଧା ରହିଛି ତାହା ଭାରତବର୍ଷରେ ନାହିଁ । ଏହି ପରିପ୍ରେକ୍ଷୀରେ ମୁଁ ସେହି କବି ଓ ଲେଖକମାନଙ୍କ ବିଷୟରେ କିଛି କହିବି ନାହିଁ, ଯେଉଁମାନେ ଭାଷା ଓ ଲିପିର ସୀମା ପାରହୋଇ ଅନୁବାଦ ମାଧ୍ୟମରେ ବିଶ୍ୱର ସମସ୍ତ ଜାତିମାନଙ୍କ ପାଖରେ ପହଞ୍ଚି ସାରିଛନ୍ତି । ପ୍ରତ୍ୟେକ ଭାଷାରେ ଉଚ୍ଚକୋଟୀର ସାହିତ୍ୟିକ ଅଛନ୍ତି ମାତ୍ର ସେ ସମସ୍ତେ ଅନୁଦିତ ହୋଇ ନାହାନ୍ତି କିମ୍ୱା ସେମାନଙ୍କୁ ଯଥାଯଥ ଭାବରେ ଅନୁବାଦ କରିବାକୁ ଅନୁବାଦକମାନେ କ୍ଷମ ନୁହଁନ୍ତି । ଏ କ୍ଷେତ୍ରରେ ମୂଳଲେଖା ପଢ଼ିବାପାଇଁ ଆମେ ଆଗ୍ରହୀ ହୋଇପଡ଼ୁ ମାତ୍ର ଲିପି ଶିକ୍ଷା କରି ସେମାନଙ୍କୁ ସାହିତ୍ୟର ସ୍ୱାଦ ଦେବା ଆମ ପକ୍ଷରେ ଦୁରୂହ ବ୍ୟାପାର ହୋଇପଡ଼େ ।

 

ଭାଷା ଭିତ୍ତିକ ପ୍ରଦେଶ ଗଠନ ଫଳରେ ଆମ ମନରେ ଆମ ଭାଷା ଓ ଲିପି ପ୍ରତି ଏପରି ମମତା ଭରି ଦିଆଯାଇଛି ଯାହା ଫଳରେ ଆମେ ବହୁ ପରିମାଣରେ ପୃଥକତାବାଦୀ ହୋଇ ପଡ଼ିଛୁ-। ସମଗ୍ର ଭାରତବର୍ଷକୁ ଏକ ଏକକ ଭାବରେ ଗ୍ରହଣ କରିବା ଅପେକ୍ଷା ଆମ ମନର ଅହେତୁକ ପ୍ରାଦେଶିକ ମନୋଭାବ ଆମକୁ ଅନ୍ୟମାନଙ୍କ ପାଖରୁ ବିଚ୍ଛିନ୍ନ କରି ରଖିଛି । ‘‘ଆମେହିଁ ମହାନ୍’’ ଏ ଚିନ୍ତା ଆମ ମନରେ ସ୍ୱାଭିମାନ ଜାଗ୍ରତ ନ କରି ଅନ୍ୟମାନେହିଁ ନୀଚ ଏହି ଭାବହିଁ ଜାଗ୍ରତ କରୁଛି-। ଏଣୁ ପଡ଼ିଶା ରାଜ୍ୟର ଭାଷା ସାହିତ୍ୟ ସହ ଆମର ସୁସମ୍ପର୍କ ନ ରହିବା ଫଳରେ ଆମ ସାହିତ୍ୟ ଆମ ପ୍ରାଦେଶିକ ସୀମା ପାରହୋଇ ଅନ୍ୟମାନଙ୍କ ପାଖକୁ ପହଞ୍ଚି ପାରୁ ନାହିଁ । ଆମ ସାହିତ୍ୟ ଯଦି ମହାନ୍‌ ତାହାହେଲେ ଅନ୍ୟମାନଙ୍କଦ୍ୱାରା ଏହା ମହାନ୍‌ ବୋଲି ପ୍ରତିପାଦିତ ହେବା ଆବଶ୍ୟକ-। ଏଥିପାଇଁ ଆମେ ଆମର ପ୍ରାଚୀର ହୋଇ ଠିଆହେବା ଅନୁଚିତ । ଏହି ପ୍ରାଚୀର ଆଉ କିଛି ନୁହେଁ, ତାହା ଆମର ଲିପି । ଆମେ ଆମର ଭାଷାର ପ୍ରବଳ ସମର୍ଥକ ମାତ୍ର ଲିପିର ନୁହେଁ-। ଶିଶୁ ପ୍ରଥମରେ ଯେଉଁ ଭାଷାରେ କହେ ତାହା ମାତୃଭାଷା ସତ୍ୟ ମାତ୍ର ମାତୃଲିପି ନୁହେଁ । ଏଣୁ ମାତୃଲିପି ବୋଲି କିଛି ନାହିଁ । ଭାରତରେ ଆଜି ଆବଶ୍ୟକତାଠାରୁ ମଧ୍ୟ ଅଧିକ ଲିପି ଅଛି ତାହା ଯେ କେହି କହିପାରିବ । ଊର୍ଦ୍ଦୁକୁ ଆରବୀ ଲିପିରେ ଲେଖିଲେ ଯାଇ ଏହା ଊର୍ଦ୍ଦୁହେବ ଏବଂ ଓଡ଼ିଆକୁ ଓଡ଼ିଆ ଲିପିରେ ଲେଖିଲେ ଯାଇ ଓଡ଼ିଆ ହେବ ସେ ଧାରଣା ଆଜି ବଦଳି ସାରିଛି-। ଲିପି ହେଲା ବାହ୍ୟ ଆବରଣ, ଭାଷା ହେଲା ଆତ୍ମା । ବସ୍ତ୍ର ପରିବର୍ତ୍ତନ ପରି ଲିପି ପରିବର୍ତ୍ତନ ହୋଇପାରିବ ମାତ୍ର ଭାଷା ଏକ ଶାଶ୍ୱତ ସତ୍ୟ ହୋଇଥିବାରୁ ଏହା ଆତ୍ମା ପରି ଅମର ଓ ଅପରିବର୍ତ୍ତନୀୟ ।

 

ଯଦିଓ ସମସ୍ୟା ଭାଷା ଭାଷା ମଧ୍ୟରେ ରହିଛି ତଥାପି ବିଶ୍ୱର ପ୍ରାୟ ସମସ୍ତ ଭାଷା ସଂସ୍କୃତରୁ ଉଦ୍ଭବ ହୋଇଥିବାରୁ ଆଜି ନହେଲେ ମଧ୍ୟ କାଲି ଆମେ ଏହାର ସମାଧାନ କରିପାରିବୁ-। ମାତ୍ର ଏତେଗୁଡ଼ିଏ ଲିପି ଯାହା ସହିତ ଆମର ଅସ୍ତିତ୍ୱର ଆକାଂକ୍ଷା ଜଡ଼ିତ ସେ ସମସ୍ତଙ୍କୁ ତ୍ୟାଗ କରି ଗୋଟିଏ ବୈଜ୍ଞାନିକ ଲିପିକୁ ଆମେ କିପରି ଆମ ବିଶ୍ୱାସର ପରିଧି ମଧ୍ୟକୁ ଆଣିପାରିବୁ ତାହାହିଁ ସବୁଠାରୁ କଠିନତମ ବ୍ୟାପାର । ପୃଥିବୀର ଅନ୍ୟାନ୍ୟ ଭାଷାଗୁଡ଼ିକ ସମ୍ପର୍କରେ ଚିନ୍ତା ନ କରି ଯଦି ଆମେ ଭାରତୀୟ ଭାଷାଗୁଡ଼ିକ ବିଷୟରେ ମଧ୍ୟ ଚିନ୍ତା କରୁ ତଥାପି ଏଠି ସ୍ଥିତି ରହିଛି ଗଭୀର ନିରାଶବାଦର । ଅନେକ ଭାଷା ସହ ଅନେକ ଲିପି । କେଉଁ ଲିପି ଆମେ ଗ୍ରହଣ କରିବା ତାହାହିଁ ଏକ ବିବାଦୀୟ ପ୍ରଶ୍ନ । ଏପରିକି ରାଷ୍ଟ୍ରଭାଷା ହିନ୍ଦୀ ଏବଂ ଭାରତୀୟ ଭାଷାମାନଙ୍କ ପାଇଁ କେଉଁ ଲିପି ଉପଯୁକ୍ତ ହେବ ବୋଲି ଯେବେ ତିନିଜଣ ଭାଷା ଓ ଶିକ୍ଷାବିତ୍‍ଙ୍କୁ ପଚରାଗଲା ସେମାନେ ରୋମାନ୍ ଲିପି ସପକ୍ଷରେ ମତ ଦେଲେ । ଏହି ତିନି ଜଣ ବିଶିଷ୍ଟ ବ୍ୟକ୍ତି ଥିଲେ ମୌଲାନା ଆଜାଦ, ହୁମାୟୁନ କବୀର ଏବଂ ଡା. ସୁନୀତି କୁମାର ଚାଟାର୍ଜୀ । ଏମାନଙ୍କୁ ଚିନ୍ତାଶୀଳ ବିଜ୍ଞ ସମାଜ କେବେ କ୍ଷମା କରି ନ ପାରନ୍ତି । ୧୯୪୮ ଜାନୁଆରୀରେ ହୋଇଥିବା ପ୍ରଥମ ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ମୌଲାନା ଆଜାଦ୍‌ ଯେବେ ରୋମାନ୍ ଲିପିପାଇଁ ଦୃଢ଼ ସମର୍ଥନ କରି ସୈନ୍ୟ ବିଭାଗରେ ରୋମାନ୍ ଲିପିର ପ୍ରଚଳନ ପାଇଁ ପଦକ୍ଷେପ ନେବାକୁ ଯାଉଥିଲେ ଭାଗ୍ୟକୁ ସେ ସମୟରେ ସେନାଧିକାରୀ ତାହା ଗ୍ରହଣ କଲେ ନାହିଁ । ସେମାନେ କହିବାକୁ ଚାହୁଁଥିଲେ ରୋମାନ୍ ଲିପିଦ୍ୱାରା ତାଙ୍କର ଗୁପ୍ତ ସମାଚାର ଶତ୍ରୁପକ୍ଷ ଜାଣିପାରିବେ; ଏଣୁ ନାଗରୀ ଲିପିରେହିଁ ସମସ୍ତ କାର୍ଯ୍ୟ ହେବା ଉଚିତ । ଯା’ହେଉ ସୈନ୍ୟ ବିଭାଗୀୟ ସାପ୍ତାହିକ ‘‘ସୈନିକ ସମାଚାର’’ ଯାହା ରୋମାନ୍ ଲିପି ଓ ନାଗରୀ ଲିପିରେ ପ୍ରକାଶ ପାଇଲା, ନାଗରୀ ଲିପିରେ ପ୍ରକାଶିତ ପତ୍ରିକାର ଲୋକପ୍ରିୟତା ତା’ର ଗ୍ରାହକମାନଙ୍କଠାରୁହିଁ ପ୍ରମାଣିତ ହୋଇଗଲା । ତଦ୍ରୂପ ହାଇଦ୍ରାବାଦ ନିଜାମଙ୍କ ପ୍ରେରଣାରେ ଭାରତର ସମସ୍ତ ଭାଷାପାଇଁ ଦେବନାଗରୀ ପରିବର୍ତ୍ତେ ରୋମାନ୍ ଲିପିର ତଳେ ଉପରେ ବିଭିନ୍ନ ଚିହ୍ନ ଦେଇ ଡା. ସୈୟଦ ଲତୀଫ୍‌ ଏକ ଯୋଜନା ପ୍ରସ୍ତୁତ କରିଥିଲେ, ଯାହା ପ୍ରଖର ସମାଲୋଚନାର ସମ୍ମୁଖୀନ ହୋଇ ସ୍ଥଗିତ ରହିଲା । ସେମାନଙ୍କ କଥା ଗ୍ରହଣ କରି ଯଦି ଆମେ ଆମ ଲିପିଗୁଡ଼ିକୁ ରୋମାନ୍ ଲିପିରେ ପରିବର୍ତ୍ତନ କରିଦେଇଥାନ୍ତୁ ତାହାହେଲେ ଆମ ଭାଷାଗୁଡ଼ିକ ଆହୁରି କଷ୍ଟକର ହୋଇପଡ଼ିଥାନ୍ତା ।

 

ରୋମାନ୍ ଲିପିକୁ ପ୍ରତ୍ୟାଖ୍ୟାନ କରି ଆମେ ଏକ ବିଜ୍ଞତାର ପରିଚୟ ଦେଇଛୁ । ଏ ଲିପି ଏକ ଅଣବୈଜ୍ଞାନିକ ଲିପି ଯାହାର କୌଣସି ଧ୍ୱନିତତ୍ତ୍ୱ ନାହିଁ । ଏ ଲିପିରେ ଖ, ଘ, ଛ, ଝ, ଭ, ଠ, ଥ ଏବଂ ଧ ଆଦି ଧ୍ୱନିପାଇଁ ଉପଯୁକ୍ତ ଅକ୍ଷର ନାହିଁ । ଦୁଇ ତିନୋଟି ଅକ୍ଷରକୁ ଯୋଡ଼ି ସେହି ଅକ୍ଷରଗୁଡ଼ିକ ଲେଖାଯାଇଥାଏ । ଯେଉଁ କ୍ଷେତ୍ରରେ ଦେବନାଗରୀରେ ସ୍ୱର ମାତ୍ରା ଭାବରେ ବ୍ୟଞ୍ଜନ ସହ ମିଶି ଯୁକ୍ତାକ୍ଷର ହୋଇଯାଏ । ଯେଉଁମାନେ କହନ୍ତି ଯେ ଇଂରାଜୀ କମ୍‌ ଜାଗାରେ ଛପା ଯାଇପାରେ, ସେମାନେ ଜାଣିବା ଉଚିତ ଯେ ତା’ଠାରୁ ଆହୁରି କମ୍ ଜାଗା ଓ ଅକ୍ଷର ନିଏ ଦେବନାଗରୀ । ଉଦାହରଣଟିଏ ନିଆଯାଉ ଆମେ ଯଦି ଦେବ ନାଗରୀରେ ଲେଖୁଁ–‘‘ମୋର ଘୋଡ଼ା ଅଛି’’ ଛଟି ଅକ୍ଷରରେ ତେବେ ରୋମାନ୍‍ରେ ଏଥିପାଇଁ ତେରଟି ଅକ୍ଷର ଆବଶ୍ୟକ ହେବ । ଯେପରି–Me-ra gho-da a-chi. ରୋମାନ୍ ଲିପିରେ କେତୋଟି ଅକ୍ଷରକୁ ଚାରିପ୍ରକାର ଲିଖିତ ଓ ପଠିତ ଅକ୍ଷରଭାବେ ବ୍ୟବହାର ହେଉଥିବାରୁ ଏହା ଚାରିଗୁଣ ଅକ୍ଷର ହୋଇଯାଏ । ଏଥିର ପ୍ରତ୍ୟେକ ଅକ୍ଷର ବିଭିନ୍ନ ଶବ୍ଦରେ ବିଭିନ୍ନ ଧ୍ୱନି ପରିବର୍ତ୍ତନ କରିପାରନ୍ତି । ଆମ ପିଲାଏ ବୁଝିପାରନ୍ତି ନାହିଁ ଏହା କିପରି ହେଲା ? କାରଣ ଏଥିପାଇଁ କୌଣସି ନିୟମ ନାହିଁ । ମୁଁ ଏଠି କେତୋଟି ଅକ୍ଷର ଉଦାହରଣସ୍ୱରୂପ ରଖୁଛି । ଗୋଟିଏ ହେଲା c, ଆଉ ଗୋଟିଏ ହେଲା i ଏବଂ ଅନ୍ୟ ଅକ୍ଷରଟି ହେଲା k. ଏହି c ଅକ୍ଷରଟି କେଉଁଠି ‘‘କ’’,କେଉଁଠି ‘‘ସ’’ ତ କେଉଁଠି ‘‘ଚ’’ ଉଚ୍ଚାରିତ ହୁଏ । ଯେତେବେଳେ ଆମେ cab, cabbage, cable ଏବଂ click ଲେଖୁ ସେତେବେଳେ c କ୍ଷରଟି ‘‘କ’’ ହୋଇଯାଏ । ସେହିପରି c କେତେବେଳେ ‘‘ସ’’ ହୋଇଯାଏ ଯେତେବେଳେ ଆମ ଲେଖୁ cipher, cinder, cinnamon ଏବଂ କେତେବେଳେ ‘‘ଚ’’ ଭାବରେ ଉଚ୍ଚାରିତ ହୁଏ, ଯେବେ ଆମେ church. Chop ଆଦି ଶବ୍ଦ ଲେଖୁଁ । ସେହିପରି ‘‘ଇ’’ ସ୍ୱରବର୍ଣ୍ଣପାଇଁ i, y, e, ie, u, o ଏବଂ ee ଅକ୍ଷର ମଧ୍ୟ ବ୍ୟବହାର ହୋଇଥାଏ, ଯେବେ fit, symbol, become, village varieties, minute, women ଏବଂ three ଶବ୍ଦ ଲେଖୁଁ । ଆମେ ‘‘କ’’ ଲେଖିଲେ ‘‘କ’ ହିଁ ଉଚ୍ଚାରଣ କରୁ । ଯେଉଁ କ୍ଷେତ୍ରରେ ରୋମାନ୍‍ରେ k କେଉଁଠି କେଉଁଠି c, କେଉଁଠି ch, କେଉଁଠି qu ତ କେଉଁଠି x ଭାବରେ ବ୍ୟବହାର କରାଯାଏ । ଏଥିପାଇଁ king, cat, chemist, queen, box ଶବ୍ଦ ପଢ଼ାଯାଇପାରେ । ସେହିପରି ରୋମାନ୍ f ଅକ୍ଷରଟି ଫେ, ଫି, ଫା ଭାବରେ ଉଚ୍ଚାରିତ ହୁଏ ଯେବେ ଆମେ Face, fiction, phone ଆଦି ଶବ୍ଦ ଲେଖୁଁ । ଅକ୍ଷର ‘‘o’’ଟିର ତ ଅନେକ ଉଚ୍ଚାରଣ ରହିଛି ତାହା ଅ, ଉ, ଇ, ଓ ଏବଂ ଔ ଭାବରେ ପଢ଼ାଯାଏ, ଯେବେ ଆମେ Prove, love, woman, women, cora, cot ଏବଂ cold ଆଦି ଶବ୍ଦ ଲେଖୁଁ । cut ଲେଖି ତାକୁ ‘‘ଅ’’ ଏବଂ put ଲେଖି ତାକୁ ‘‘ଉ’’ ବୋଲି ନ ପଢ଼ି ଅନ୍ୟ ଉପାୟ ନାହିଁ ଏବଂ ‘‘ଏ’’ ଧ୍ୱନିପାଇଁ a, ay, ea, er ଏବଂ ey ଶବ୍ଦ ଆମେ ଦେଖୁ ଯେବେ ଆମକୁ ଲେଖିବାକୁ ହୁଏ name, nay, break, eight, they ହ୍ରସ୍ୱତା ଓ ଦୀର୍ଘତାର ସ୍ପଷ୍ଟ ସଙ୍କେତ ଯାହା ନାଗରୀ ଲିପିରେ ରହିଛି ତାହା ରୋମାନ୍‍ରେ ନାହିଁ । ଏଣୁ ଆମେ pin ଏବଂ machine ଏଇ ଦୁଇଟି ଶବ୍ଦ ଲେଖୁତ ଗୋଟିଏ ପ୍ରକାର । ମାତ୍ର ପଢ଼ିବା ସମୟରେ ଏଥିରେ ହ୍ରସ୍ୱ ଓ ଦୀର୍ଘ ଉଚ୍ଚାରଣ କରିବାକୁ ପଡ଼େ ।

 

ଏ ପ୍ରକାର ତ୍ରୁଟିପୂର୍ଣ୍ଣ ଉଚ୍ଚାରଣର କାରଣ ଅଛି । ସେମାନେ ଗ୍ରହଣ କରିଥିବା ପାଞ୍ଚଟି ସ୍ୱରବର୍ଣ୍ଣ a, e, i, o, u, ଏଥିପାଇଁ ଦାୟୀ । ଦେବନାଗରୀରେ ବାରଟି ସ୍ୱରବର୍ଣ୍ଣ ଅ, ଆ, ଇ, ଈ, ଉ, ଊ, ଏ, ଐ, ଓ, ଔ, ଅଂ, ଅଃ ସହ ଦୁଇଟି ବିଶେଷ ସ୍ୱର ଋ, ଋ ଥିବାରୁ ଆମେ ଯାହା ଲେଖୁଁ ତାହାହିଁ ପାଠ କରିଥାଉଁ । ତେବେ ନାଗରୀ ଲିପି ସମ୍ପର୍କରେ ଗୋଟିଏ ଅପବାଦ ହେଲା ଏଥିରେ ଥିବା ତିନୋଟି ‘‘ସ’’ ଅର୍ଥାତ୍ ସ, ଶ ଏବଂ ଷ ଅକ୍ଷରଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରି ଉଚ୍ଚାରଣର ସୂକ୍ଷ୍ମତା ଦୃଷ୍ଟିରୁ ଏହାର ଆବଶ୍ୟକତା ଯେ ଅଛି ତାହା ଭାଷାବିତ୍‍ମାନଙ୍କ ମତ । ଏହି ଉଚ୍ଚାରଣ ନୈଡ଼ିକ୍‌ ଭାଷାରେ ‘‘ରଶହ’’ ଭାବରେ ଏବଂ ଋଷୀ, ଫରାସୀ ଓ ଫାରସୀରେ ‘‘ଶ୍ଚଜ’’ ଭାବରେ ମଧ୍ୟ ରହିଛି । ଯଦି ରୋମାନ୍ ଲିପି ଏତେ ଅଶୁଦ୍ଧ ତେବେ ପଶ୍ଚିମ ୟୁରୋପୀୟ ସମସ୍ତ ଭାଷା ସେହି ଲିପି ପ୍ରୟୋଗ କରି ମଧ୍ୟ ତାଙ୍କ ସାହିତ୍ୟକୁ ଏତେ ସମୃଦ୍ଧ କିପରି କରିପାରିଛନ୍ତି ବୋଲି ପ୍ରଶ୍ନ ଉଠୁଛି । ଏଠି ବିଶଦ ଆଲୋଚନାକୁ ନଯାଇ ମୁଁ ଏତିକି କହିବାକୁ ଚାହେଁ ଯେ ଯେଉଁ ଭାଷାଗୁଡ଼ିକ ରୋମାନ୍ ଲିପିକୁ ଗ୍ରହଣ କରିଛନ୍ତି ସେ ସମସ୍ତେ ସାହିତ୍ୟରେ ସମୃଦ୍ଧ ହୋଇପାରନ୍ତି ମାତ୍ର ଭାଷାତତ୍ତ୍ୱରେ ସେମାନେ ଅତି ଦୁର୍ବଳ । କୁହାଯାଏ ୟୁରୋପୀୟ ଭାଷାମାନଙ୍କ ମଧ୍ୟରେ ଜର୍ମାନୀ ଭାଷାହିଁ ଗୋଟିଏ ଭାଷା ଯାହା ଯେପରି ଲେଖାଯାଏ ସେପରି ପଢ଼ାଯାଏ । ମାତ୍ର ମୁଁ ଏଥିରେ ଏକମତ ନୁହେଁ । ଇଂରାଜୀଠାରୁ ସେମାନଙ୍କ ପାଖରେ ଅଧିକ ଶବ୍ଦ ଥାଇପାରେ ଯଦ୍ୱାରା the ଶବ୍ଦଟିପାଇଁ ସେମାନେ ସ୍ତ୍ରୀଲିଙ୍ଗ, ପୁଂଲିଙ୍ଗ ଏବଂ କ୍ଳୀବଲିଙ୍ଗ ଭାବରେ der, die ଏବଂ das ଲେଖନ୍ତି ମାତ୍ର ତାକୁ ପଢ଼ନ୍ତି ଡିଆ, ଡିଇ ଏବଂ ଡସ୍‌ ଭାବରେ । ଉଚ୍ଚାରଣ ସଜାଗ ହେବାକୁ ଯାଇ ସେମାନେ ତାଙ୍କର ସ୍ୱରବର୍ଣ୍ଣ ଉପରେ ଦୁଇ ଦୁଇଟି ବିନ୍ଦୁ ବ୍ୟବହାର କରିଥାନ୍ତି । ଯେପରି u, a ଏବଂ o ଏବଂ ଦୀର୍ଘ (ss) ଉଚ୍ଚାରଣ ପାଇଁ B ଶବ୍ଦ ଲିପିକା (daB) ବ୍ୟବହାର କରିଥାଆନ୍ତି । ପର୍ତ୍ତୁଗୀଜ୍, ଫରାସୀ ଏବଂ ସ୍ପେନିସ୍‌ ଭାଷାରେ ସି ତଳେ ଗୋଟିଏ ମାତ୍ରା (c) ପ୍ରୟୋଗ କରନ୍ତି ତାକୁ s ଉଚ୍ଚାରଣ କରିବାକୁ । ଯେପରି facade. ସ୍ପେନିସ୍ ଏବଂ ପର୍ତ୍ତୁଗୀଜ୍‍ମାନେ ଏନ୍‌ ଉପରେ ଗୋଟିଏ ମାତ୍ରା (n) ଲଗାନ୍ତି ny ଏବଂ nj ଉଚ୍ଚାରଣ କରିବାକୁ । ଯେପରି–canon. ଇଟାଲୀୟ ଭାଷାରେ ଅକ୍ଷର ଉପରେ ଏପାଖ ସେପାଖ କରି କମାପରି ଗାର ଦିଆଯାଇଥାଏ । ଯେପରି a, e, e, I, u, ପୋଲିସ୍‌ ଚେକ ଏବଂ କ୍ରୋଟେନ୍‌ ଆଦି ଭାଷାରେ ତ ଅନେକ ପ୍ରକାର ଚିହ୍ନ ଅକ୍ଷରର ତଳେ ଉପରେ ଦିଆଯାଇଥାଏ । ସେମାନଙ୍କ ବିଶେଷ ଧ୍ୱନିଗୁଡ଼ିକୁ ଉଚ୍ଚାରଣ କରିବାପାଇଁ । ଯେପରି–a, e, c, c, s, s, z; z, z, ଇତ୍ୟାଦି । ଏପରିକି ଆଜି ତୁର୍କୀରେ ଯେଉଁ ନୂତନ ଲାଟିନ୍ ଟର୍କୀ ଲିପି ପ୍ରଚଳନ ହୋଇଛି, ସେଥିରେ ଅଣତିରିଶଟି ଅକ୍ଷର ସମତେ ଦୁଇଟି ସ୍ୱରବର୍ଣ୍ଣ o ଏବଂ u ଏବଂ ତିନୋଟି ବ୍ୟଞ୍ଜନ ବର୍ଣ୍ଣ c, g, ଏବଂ s ରହିଛି ଏବଂ i ଉପରୁ ବିନ୍ଦୁକୁ ହଟାଇ ଦିଆଯାଇଛି-। i ଏକ ବିଶେଷ ଉଚ୍ଚାରଣ ପାଇଁ । ଏ କ୍ଷେତ୍ରରେ ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କ କଥାରେ ପଡ଼ି ଯଦି ଆମେ ଆମର ଲିପି ପରିବର୍ତ୍ତନ କରି ରୋମାନ୍ ଲିପି କରିଥାନ୍ତୁ ଇଂରେଜୀ ଓ ୟୁରୋପୀୟ ଭାଷାମାନଙ୍କ ପରି ଆମର ଅବସ୍ଥା ହୋଇଥାନ୍ତା । ଏହି ରୋମାନ୍ ଲିପିପାଇଁ ସାହିତ୍ୟ ଏକାଡ଼େମୀଦ୍ୱାରା ପୁରସ୍କୃତ ପୁସ୍ତକ ‘‘କଲା ଓୌର ବୁଢ଼ା ଚାନ୍ଦ’’କୁ ‘‘କାଲା ଓୌର ବୁରା ଚାନ୍ଦ’’ ବୋଲି ପଢ଼ା ଯାଉଥିଲା । ରୋମାନ୍ ଲିପି କାରଣରୁ ଲୋକମାନ୍ୟ ତିଳକ ଆଜି ତିଲକ, ଉଦ୍ଦ୍ୟୋଗପତି ଜମଶେଦଜୀ ତାତା ଆଜି ଟାଟା, ମିଶ୍ର ଆଜି ମିଶ୍ରା, ପଣ୍ତା ଆଜି ପାଣ୍ତା, ପତ୍ରୀ ଆଜି ପାଟୀ ଏବଂ ଦିଲ୍ଲୀ ଆଜି ଡେଲି, ମୁମ୍ୱେଇ ଆଜି ବମ୍ୱେଇ, ପୁଣେ ଆଜି ପୁନା ଏବଂ ଓଡ଼ିଶା ଆଜି ଓରିସା, ଆକାଶବାଣୀ କଣ୍ଟ୍ରାକ୍ଟଗୁଡ଼ିକ ଓଡ଼ିଆକୁ ରୋମାନ୍ ଲିପିରେ ଯେପରି ଟାଇପ୍ କରି ପଠାଉଛନ୍ତି, ସେମାନଙ୍କୁ ଯଦି କେବେ ‘‘କାମ ନ କରିଲେ ଖାଇବା ବନ୍ଦ’’ ବିଷୟଟି ଟାଇପ୍ କରିବାକୁ ହୁଏ ଏହାହିଁ ହେବ ସବୁଠାରୁ ଅଶିଷ୍ଟ ବିଷୟ, ଏଥିରୁ ରୋମାନ୍ ଲିପିର ଅରାଜକତା ବେଶ୍ ବୁଝି ହୁଏ-। ରୋମାନ୍ ଲିପି ବ୍ୟବହୃତ ଇଂରାଜୀ ଭାଷାର ଏହି ଅବସ୍ଥା ଦେଖି ବର୍ଣ୍ଣାଢ଼୍ୟଶ ଏତେ ବିରକ୍ତ ଓ ବ୍ୟସ୍ତ ହୋଇଯାଇଥିଲେ ଯେ ସେ ନିଜ ମୃତ୍ୟୁ ପତ୍ରରେ ଲିପି ଓ ଭାଷା ସଂଶୋଧନ ପାଇଁ କିଛି ଅର୍ଥ ରଖିଯାଇଥିଲେ । ଏହି ଅର୍ଥ ଲୋଭରେ କେତେକ ଭାଷାବିତ୍ ହୁଏତ କାମ କଲେ ମାତ୍ର ଏଥିରେ କିଛି ଲାଭ ହେଲା ନାହିଁ ।

 

ଭାରତୀୟ ଭାଷାମାନଙ୍କ ପାଇଁ ରୋମାନ୍ ଲିପି ଯେ ଅନୁପଯୁକ୍ତ ତାହା ପ୍ରମାଣିତ । ତେବେ ଆମ ଭାଷାମାନଙ୍କ ମଧ୍ୟରେ ଖାସି ଭାଷା କେବଳ ରୋମାନ୍ ଲିପିରେ ଲେଖାଯାଉଛି । ଖାସିଭାଷୀ ମଧ୍ୟ ତାଙ୍କ ଭାଷା ଅଭିବ୍ୟକ୍ତିରେ ଅସୁବିଧା ଅନୁଭବ କଲେଣି । ସଂସ୍କୃତ ଭାଷାରୁ ସମସ୍ତ ଭାଷା ଜନ୍ମ ହୋଇଥିବାରୁ ଅଭିବ୍ୟକ୍ତିରେ କୌଣସି ଭାଷା ଅସ୍ପଷ୍ଟ ନୁହେଁ । ତେବେ ଗୁଡ଼ାଏ ଲିପି ଆମପାଇଁ ଭାଷା ଭାଷା ମଧ୍ୟରେ ପ୍ରାଚୀର ନିର୍ମାଣ କରିବା ମନେ ହେଉଛି । ଏଠି ତାମିଲ ଭାଷା ବିଷୟରେ କିଛି କହିବା ଦରକାର । ସେମାନେ ତାଙ୍କ ଭାଷାକୁ ସଂସ୍କୃତଠାରୁ ଆହୁରି ପ୍ରାଚୀନ ମନେ କରନ୍ତି । ସେମାନଙ୍କ ଅନୁସାରେ ‘‘ଳ’’ ହେଉଛି ତାମିଲର ଆତ୍ମା । ‘‘ଲ’’ ଯାହା ଳ ଓ ଲର ସମ୍ମିଶ୍ରିତ ଧ୍ୱନି ତାହା ନାଗରୀ ଲିପିରେ ନାହିଁ । ଏଣୁ ପୁଳୀ (ତେନ୍ତୁଳି) ଏବଂ ପୁଲୀ (ଚୀତା ) ପଳମ (ଫଳ) ଏବଂ ପଲମ୍‌ (ମାର) ଲେଖିବା ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଯାଏ । ମାତ୍ର ସେମାନେ ଭୁଲିଯିବା ଅନୁଚିତ ଯେ ମରାଠୀ ମଧ୍ୟ ନାଗରୀ ଲିପିରେ ଲେଖାଯାଏ ଯେଉଁଥିରେ ‘‘ଳ’’ ଶବ୍ଦର ବହୁଳ ବ୍ୟବହାର ରହିଛି । ଯେପରି ‘‘ସକାଳୀ’’ ଏବଂ ବେଦର ପ୍ରଥମ ମନ୍ତ୍ର ‘‘ଅଗ୍ନି ମିଳେ’’ ବା ‘‘ଅଗ୍ନି ମିଡ଼େ’’ ଭାବରେ ରହିଛି । ଏ ଦୃଷ୍ଟିରୁ ନାଗରୀ ଲିପିରେ ସେମାନେ ତାଙ୍କ ଭାଷା ଲେଖିପାରିବେ । ଇଣ୍ତୋ-ୟୁରୋପୀୟ ଭାଷା ଭାବରେ ସଂସ୍କୃତ ଯେଉଁଠି ୟୁରୋପୀୟ ଭାଷାଗୁଡ଼ିକର ଜନନୀ ବୋଲି ସ୍ୱୀକାର କରାଯାଇସାରିଲାଣି ସେ କ୍ଷେତ୍ରରେ ଭାରତ ଭିତରେ ରହି ମଧ୍ୟ ଆମେ ସଂସ୍କୃତ କ’ଣ ଜାଣିନାହୁଁ କହିଲେ ତାହା କିପରି ମନା କରାଯାଇପାରିବ । କାଶ୍ମୀର ଭାଷା ସେ ପ୍ରକାର ଇବ୍ରାନୀ ବା ହିବ୍ରୁ ଭାଷାରୁ ଆସିଛି । ବୋଲି କେତେକ କାଶ୍ମୀରବାସୀଙ୍କୁ ଯିହ୍ମଜୀ ବୋଲି ପ୍ରମାଣ କରିଛନ୍ତି । ମାତ୍ର ଏକଥାକୁ ପୁଷ୍ଟି କରିବାକୁ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ । ପ୍ରଥମରୁ ଏ ଭାଷା ଯେ ସଂସ୍କୃତନିଷ୍ଠ ଥିଲା ଏବଂ ସେଠି ଅନେକ ସୁବିଖ୍ୟାତ କବି ଜନ୍ମ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ଆନନ୍ଦ ବର୍ଦ୍ଧନ, ରତ୍ନାକର, ବାମନ, ବିହ୍ମଣ, କହ୍ମଣ, କ୍ଷେମେନ୍ଦ୍ର, ଅଭିନବ ଗୁପ୍ତ ଏବଂ ମମ୍ମଟ ଆଦି । ଚତୁର୍ଦ୍ଦଶ ଶତାବ୍ଦୀର ଯେବେ ଇସଲାମ ଧର୍ମର ମୂଳଦୁଆ କାଶ୍ମୀରରେ ପଡ଼ିଲା ଆରବୀ ଫରାସୀ ଭାଷାରେ ପ୍ରଭାବ ଫଳରେ ଭାଷାରେ ଅନେକ ପାର୍ଥକ୍ୟ ଆସିଲା । ପ୍ରଥମରେ ଏହା ସଂସ୍କୃତନିଷ୍ଠ ଥିଲା, ପରବର୍ତ୍ତୀ ସମୟରେ ଏହା ଫାରସୀ । ନିଷ୍ଠ ହୋଇ ଦୁଇଟି ଲିପିରେ ଦେଖାଗଲା-। ସେଠି ହିନ୍ଦୁମାନଙ୍କର ଲିପି ହେଲା ଶାରଦା ଓ ମୁସଲମାନମାନଙ୍କର ଫାରସୀ । ଫାରସୀ ରାଜଭାଷା ହେବା ଫଳରେ ଶାରଦା ଲିପି କେବଳ କେତେକ ପଣ୍ତା ପୁରୋହିତମାନଙ୍କ ମଧ୍ୟରେ ଆଜି ସୀମିତ ।

 

ସମଗ୍ର ଭାରତବର୍ଷର ଲିପି ସଂସ୍କୃତ ଭାଷା କାରଣରୁହିଁ ପରସ୍ପରର ପାଖାପାଖି । ସେତିକି ନୁହେଁ ଏହି ସଂସ୍କୃତ କାରଣରୁ ତେର ହଜାର ଦ୍ୱୀପ ସମୂହର ଦେଶ ଇଣ୍ତୋନେସିଆ ଆଜି ଭାରତାଭିମୁଖୀ । ସମଗ୍ର ଇଣ୍ତୋନେସିଆରେ ଦୁଇ ଶହ ନୂଆ ପୁରୁଣା ଭାଷା ରହିଛି । ସେ ମଧ୍ୟରୁ ଜାଭା, ସଣ୍ତେନ, ମାଳୟ, ବାଲୀ ଭାଷାଗୁଡ଼ିକରେ ପର୍ଯ୍ୟାପ୍ତ ସାହିତ୍ୟ ସୃ‌ଷ୍ଟି ହୋଇଛି । ସେମାନଙ୍କ ଭାଷାରେ ଏପର୍ଯ୍ୟନ୍ତ ସଂସ୍କୃତିର ପ୍ରଭାବ ରହିଛି । ଯଦି ଦେଖାଯାଏ ତିନି ହଜାର ଭାଷା ଯାହା ତିନୋଟି ଭାଷା ଗୋଷ୍ଠୀ ସହ ସଂଶ୍ଳିଷ୍ଟ, ୟୁରୋପୀୟ, ଚୀନ-ଜାପାନୀ ଏବଂ ମାଳୟ ପେଲିନେସୀୟ ଭାଷା ସହ ଏକ ଆତ୍ମିକ ଯୋଗସୂତ୍ର ଅଛି । ଲିପି କାରଣରୁହିଁ ଆଜି ଆମେ ପରସ୍ପରଠାରୁ ଆଜି ଦୂରେଇ ଯାଇଛୁ ।

 

ଚୀନ ଭାଷା କଥା ଚିନ୍ତା କରନ୍ତୁ । ଏଥିରେ ପ୍ରାୟ ଦୁଇ ହଜାର ଚିତ୍ର ଅଛି । ଏହା ଶିକ୍ଷା କରିବା ଖୁବ୍‌ କଠିନ ମନେହୁଏ । ଚୀନର ଶିକ୍ଷାବିତ୍‍ମାନେ ଚିନ୍ତା କଲେ ଯେ ଯଦି ତାଙ୍କ ଭାଷାକୁ ରୋମାନ୍ ଲିପିଦ୍ୱାରା ଲେଖାଯାଏ ତାହାହେଲେ ଅସୁବିଧା ଦୂର ହୋଇପାରନ୍ତା । ମାତ୍ର ଗୋଟିଏ ଧ୍ୱନି ‘ଶି’କୁ ଲେଖିବାକୁ ଯାଇ ସେମାନେ ରୋମାନ୍‍ରେ hsi, syi ଏବଂ xi ‘ଚି’କୁ ଲେଖିବାକୁ ଯାଇ chi ଏବଂ ji ଲେଖିଲେ । ଏହା ସତ୍ତ୍ୱେ ସେମାନେ ଅନୁଭବ କଲେ ଯେ ରୋମାନ୍ ଲିପିଦ୍ୱାରା ଏସବୁ ଅକ୍ଷର ଠିକ୍‌ରୂପେ ବ୍ୟକ୍ତ କରି ହେଉନାହିଁ । ସେମାନଙ୍କର ଲିପି ଯେ କେତେ କଠିନ ତା’ର କେତୋଟି ଉଦାହରଣ ଏଠି ମୁଁ ଉପସ୍ଥାପିତ କରୁଛି । ଗୋଟିଏ ଦୃଷ୍ଟିରୁ ସେମାନେ ଧନ୍ୟବାଦାର୍ହ କାରଣ ସମସ୍ତ ପ୍ରକାର ବୌଜ୍ଞାନିକ ଶବ୍ଦ ସେମାନେ ତାଙ୍କ ଭାଷାପାଇଁ ସୃଷ୍ଟି କରିଛନ୍ତି । ଯେପରି–

 

ଉଡ଼ାଜାହାଜକୁ ସେମାନେ ‘ଫିଇଜୀ’ କହନ୍ତି ‘ଯା’ ଅର୍ଥ ହେବ ଉଡ଼ୁଥିବା ମେସିନ୍‌ ।

 

ଟ୍ରାମ୍‍କୁ ସେମାନେ ‘ଡିୟାନଛାହ’ କହନ୍ତି ‘ଯା’ ଅର୍ଥ ହେବ ବିଦ୍ୟୁତ ଗାଡ଼ି ।

 

ଆଧୁନିକ ଚୀନ ଭାଷା ଅର୍ଥ ପେକିଙ୍ଗ୍‍ର ଭାଷା । ଏହି ଭାଷାରେ ସାତୋଟି ସ୍ୱରବର୍ଣ୍ଣ ରହିଛି : ଅ, ଆ, ଇ, (ଈ), ଉ (ଊ), ଏ ଓ, ୟୁ । ୟୁ କୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଧ୍ୱନି ନାଗରୀରେ ରହିଛି । ଏତଦ୍‍ବ୍ୟତୀତ ‘ୟ’ ଓ ‘ବ’ ଏହି ଦୁଇ ଅର୍ଧସ୍ୱର ସହ ସତେଇଶଟି ବ୍ୟଞ୍ଜନ ବର୍ଣ୍ଣ ଏମାନଙ୍କର ଅଛି : କ, ଖ, ଡ, ଚ, ଛ, ତ, ଥ, ନ, ପ, ଫ, ମ, ଫ, ୟ, ଋ (ର), ଲ, ବ, ଶ, ଷ, ସ, ହ, ଳ (ଅଳ), ତ୍‌ ଚ୍‌ (ଚ) ଥ୍‌ ଚ୍‌ (ଛ), ଶ୍ଚ, ଚୂ, ଛୂ, ଷ୍ୱ । ଏସବୁ ଧ୍ୱନିରୁ ମନେହୁଏ ସେମାନଙ୍କ ଭାଷା ଓ ନାଗରୀ ଧ୍ୱନି ସହ ଏକ ଘନିଷ୍ଠ ସମ୍ପର୍କ ଥିଲା । ମାଉସେତୁଂ ଯେତେବେଳେ ଅନୁଭବ କରିଥିଲେ ଯେ ଶିଶୁମାନଙ୍କ ପାଇଁ ଏତେଗୁଡ଼ିଏ ଅକ୍ଷର କଷ୍ଟପ୍ରଦ ହୋଇଥିବା ଦୃଷ୍ଟିରୁ ସେମାନେ ରୋମାନ୍‍ଲିପିର ଆଶ୍ରୟ ମଧ୍ୟ ନେଇ ପାରନ୍ତି । ସେ କ୍ଷେତ୍ରରେ ଚୀନଭାଷୀ ଧ୍ୱନିଗତ ଏକତା ଓ ଅଭିବ୍ୟକ୍ତି ପାଇଁ ଏକାନ୍ତ ସୁବିଧା ହେଉଥିବା ନାଗରୀ ଲିପି ଗ୍ରହଣ କରିବା ବିଜ୍ଞତାର କାର୍ଯ୍ୟ ଅଟେ । ଚୀନ ଭାଷା ପରି ଜାପାନୀ ଭାଷା ମଧ୍ୟ ଭାରତୀୟ ଭାଷା ଓ ଧ୍ୱନି ସହ ସମତ୍ୱ ରକ୍ଷା କରେ । ଆମ ଭାଷାଗୁଡ଼ିକରେ ପ୍ରଥମେ କର୍ତ୍ତା, ତା’ପରେ କର୍ମ, ପୁଣି କ୍ରିୟା ରହି ବାକ୍ୟ ଗଠନ ଯେପରି ହୁଏ ଜାପାନୀ ଭାଷାରେ ଠିକ୍‌ ସେହି ନିୟମ ପାଳନ ହୋଇଥାଏ । ଯେଉଁ କ୍ଷେତ୍ରରେ ଇଂରାଜୀ ବାକ୍ୟର କ୍ରମ ହାସ୍ୟାସ୍ପଦ ମନେ ହୁଏ । ଆମେ ଲେଖୁଁ I drink the milk of cow ଯାହା ଅନୁବାଦ କଲେ ହେବ ମୁଁ ପିଏଁ ଦୁଧର ଗାଈ ।

 

ସବୁ ଦୃଷ୍ଟିରୁ ନାଗରୀହିଁ ଏକମାତ୍ର ବୈଜ୍ଞାନିକ ଲିପି, ପାଣିନୀଙ୍କ ଅଷ୍ଟାଧ୍ୟାୟୀ ଏକମାତ୍ର ବ୍ୟାକରଣ ଏବଂ ସଂସ୍କୃତହିଁ ଏକମାତ୍ର ଭାଷା ତାହା ବିଶ୍ୱର ସମସ୍ତ ଭାଷାବିତ୍ ବିନାଦ୍ୱିଧାରେ କହନ୍ତି-। ପ୍ରଥମରେ ଭାରତରେ ସଂସ୍କୃତ ଭାଷା ଚାଲୁଥିଲା । ଏଣୁ ଏକମାତ୍ର ଲିପି ଥିଲା ବ୍ରାହ୍ମୀ । ତା’ପରେ ବ୍ରାହ୍ମୀ ଲିପି ସଂସ୍କାର ହୋଇ ନାଗରୀ ଲିପି ହେଲା । ନାଗରୀ ଲିପିକୁ ଏପାଖ ସେପାଖ କରି ବିଭିନ୍ନ ଭାଷାର ଲିପି ତିଆରି ହେଲା । କେତେକ ଭାରତକୁ ୟୁରୋପ ସହ ତୁଳନା କରନ୍ତି । ତେବେ ଭାରତ ଓ ୟୁରୋପ ତୁଳନୀୟ ନୁହେଁ । ଭାରତ ଷୋହଳଟି ଭାଷାର ଗୋଟିଏ ଦେଶ ହେଲେ ୟୁରୋପର ପ୍ରତ୍ୟେକ ଭାଷାପାଇଁ ଗୋଟିଏ ଗୋଟିଏ ଦେଶ ହୋଇଛି । ଯେବେ ୟୁରୋପ ଏକତ୍ରୀକରଣର ପ୍ରଶ୍ନ ଉଠିବ ସେ ସମୟରେ ହୁଏତ ସେମାନେ ଭାଷା ସମସ୍ୟାରେ ପଡ଼ିବେ ମାତ୍ର ଲିପି ସମସ୍ୟାରେ ନୁହେଁ ।

 

ଭାବାତ୍ମକ ଏକତା ଏବଂ ରାଷ୍ଟ୍ରୀୟ ସଂହତିପାଇଁ ନାଗରୀ ଲିପିହିଁ ଏକମାତ୍ର ପନ୍ଥା । ତେବେ କେତେକଙ୍କର ଧାରଣା ହେଉଛି ଦେବନାଗରୀମାନେ ହିନ୍ଦୀ ଲିପି । ସେମାନେ କହୁଛନ୍ତି ହିନ୍ଦୀଭାଷୀ ହିନ୍ଦୀ ସାମ୍ରାଜ୍ୟବାଦୀ ନୀତି ନେଇ ତାଙ୍କର ଲିପିକୁ ଆମ୍ଭମାନଙ୍କ ଉପରେ ଚପାଇ ଦେବାକୁ ନାଗରୀଲିପି ପରିଷଦ ମାଧ୍ୟମରେ ଏକ ଚକ୍ରାନ୍ତ କରୁଛନ୍ତି । ପୁନଶ୍ଚ ଓଡ଼ିଆ ଲିପି ପରି ସୁନ୍ଦର ଲିପି ପୁଣି ଏତେ ପୁରୁଣା ଲିପିକୁ ତ୍ୟାଗ କରି ହିନ୍ଦୀ ଲିପି ଆମେ କାହିଁକି ଗ୍ରହଣ କରିବୁ ? ଭାଷା ଓ ଲିପି ଏ ଦୁଇଟି ତତ୍ତ୍ୱକୁ ନେଇ ଆମେ ଛିଡ଼ା ହୋଇଛୁ । ଏହା ଆମର ପ୍ରାଦେଶିକ ମାନବିନ୍ଦୁର କଥା । ଏହା ଉପରେ କୁଠାରାଘାତ କରୁଥିବା କୌଣସି କଥା ଆମେ ଶୁଣିବାକୁ ନାରାଜ-। ମାତ୍ର ଏହା ଭୁଲିଗଲେ ଚଳିବ ନାହିଁ ଯେ ଓଡ଼ିଶା ଭିତରେ ନାହିଁ ବରଂ ଭାରତ ଭିତରେ ଓଡ଼ିଶା ପରି ଅନେକ ପ୍ରଦେଶ ଅଛି । ଏହି ପ୍ରଦେଶଗୁଡ଼ିକ ମଧ୍ୟରେ ଯୋଗସୂତ୍ର ରହିବା ଏକାନ୍ତ ଆବଶ୍ୟକ-। ଏ ଦୃଷ୍ଟିରୁ ନାଗରୀ ଲିପି କଥା ଉଠୁଛି । ନାଗରୀ ଲିପିକୁ ହିନ୍ଦୀ ଲିପି କହିବା, ଅର୍ଥ ରୋମାନ୍ ଲିପିକୁ ଇଂରାଜୀଲିପି କହିବା । ବ୍ରାହ୍ମୀ ଲିପିର ସଂସ୍କୃତ ଲିପି ହେଲା ଦେବନାଗରୀ ଲିପି ଯାହା ସଂସ୍କୃତ, ପାଲି, ଆର୍ଦ୍ଧମାଗଧି, ହିନ୍ଦୀ, ମରାଠୀ, ନେପାଳୀ, ପହାଡ଼ୀ, ରାଜସ୍ଥାନୀ, ବିହାରୀ, ଆଦି ଭାଷା ଗ୍ରହଣ କରି ନେଇଛନ୍ତି । ଏତଦ୍‍ବ୍ୟତୀତ ସିନ୍ଧୀ, ପଞ୍ଜାବୀ, ସଂଥାଳୀ, ଊର୍ଦ୍ଦୁ, କାଶ୍ମୀରୀ, କୋଁକଣୀ, ବୋତାଡ଼େ ଆଦି ଭାଷାର ସହଲିପି ଭାବରେ ପ୍ରଯୁକ୍ତ । ଅନ୍ୟ ସବୁ ଭାରତୀୟ ଲିପି ତଥା ତିବ୍ବତୀ, ବର୍ମୀ, ସୟାମୀ, କମ୍ୱୋଦୀ, ଲାବୋ, ବିୟତନାମୀ, କୋରିୟନ ଏବଂ ସିଂହନୀଳୀ ଆଦି ଲିପି ବ୍ରାହ୍ମୀ ଜନିତ ଦେବନାଗରୀରୁହିଁ ସମ୍ଭୂତ । ଭାରତର ସମସ୍ତ ଧର୍ମଶାସ୍ତ୍ର ସମତେ ବୌଦ୍ଧ ଓ ଜୈନ ଶାସ୍ତ୍ରଗୁଡ଼ିକ ମଧ୍ୟ ନାଗରୀରେ ଲିଖିତ । ତେଣୁ ରାଷ୍ଟ୍ରର ସାମୂହିକ ଓ ବୃହତ୍ତର ସ୍ୱାର୍ଥପାଇଁ ନାଗରୀକୁ ଫେରିଗଲେ ଆମ ଭାଷାର ମୃତ୍ୟୁ ହେବନାହିଁ ବରଂ ଆମ ଭାଷା ସାହିତ୍ୟ ସର୍ବବ୍ୟାପୀ ହେବ । ଆଉ ଗୋଟିଏ କଥା ଏଠି ସ୍ପଷ୍ଟ ହୋଇଯିବା ଉଚିତ ଯେ ଫେରିଯିବା ଅର୍ଥ ବର୍ତ୍ତମାନ ପ୍ରଚଳିତ ଲିପି ଓ ସାହିତ୍ୟକୁ ଆମେ ସଂଗ୍ରହାଳୟରେ ସାଇତି ରଖିବା ନୁହେଁ । ବର୍ତ୍ତମାନ ପ୍ରଚଳିତ ଲିପି ସହ ନାଗରୀ ଲିପି ସହ ନାଗରୀଲିପିକୁ ଜୋଡ଼ି ଲିପି, ଅତିରିକ୍ତ ବା ସମ୍ପର୍କ ଲିପି ଭାବରେ ଗ୍ରହଣ କଲେ ଆମର ଭାଷା ସାହିତ୍ୟରେ ଯେଉଁ ଅସୀମ ଓ ଅମୂଲ୍ୟ ଭଣ୍ତାର ପଡ଼ି ରହିଛି ତାହା ବିଭିନ୍ନ ପ୍ରଦେଶର ଲୋକମାନଙ୍କ ପାଖକୁ ପହଞ୍ଚି ପାରିବ ଏବଂ ଆମେ ମଧ୍ୟ ଅନ୍ୟାନ୍ୟ ପ୍ରଦେଶ ସାହିତ୍ୟର ରସ ଆସ୍ୱାଦନ କରିପାରିବା । ଏଥିପାଇଁ ଭାଷା ସହ ପରିଚୟ ହେଲେ ଚଳିଲା-। ଲିପିପାଇଁ ଅଯଥା ପରିଶ୍ରମ କରିବାକୁ ହେବ ନାହିଁ ।

 

ପଞ୍ଜାବର ଉଦାହରଣ ନିଅନ୍ତୁ । ଶିଖମାନଙ୍କର ଗୁରୁଗ୍ରନ୍ଥ ସାହେବ କେବଳ ସାହିତ୍ୟ ନୁହେଁ ଏହା ଏକ ଉଚ୍ଚକୋଟୀର ଧର୍ମଗ୍ରନ୍ଥ ଅଟେ । ଗୁରୁଙ୍କ ବାଣୀ ସର୍ବତ୍ର ପ୍ରଚାର କରିବାକୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଏହାକୁ ନାଗରୀ ଲିପିରେ ପ୍ରକାଶ କରିବାକୁ ଚାହିଁଲେ । କେତେକ ଧର୍ମାନ୍ଧଙ୍କ ସମାଲୋଚନାର ଶିକାର ତାଙ୍କୁ ହେବାକୁ ପଡ଼ିଲା । ତଥାପି ଗ୍ରନ୍ଥସାହେବ ଦେବନାଗରୀରେ ପ୍ରକାଶ ହେବାଦ୍ୱାରା ଯେଉଁମାନେ ସାମାନ୍ୟତମ ପଞ୍ଜାବୀ ଭାଷା ଜାଣିଥିଲେ ସେମାନେ ଏହି ପବିତ୍ରଗ୍ରନ୍ଥ ପାଠ କରିବାର ସୁଯୋଗ ପାଇଲେ । ସେହିପରି ସିନ୍ଧୀ ଭାଷାଭାଷୀ ପ୍ରଥମରେ ଚାରୋଟି ଲିପିରେ ଲେଖୁଥିଲେ । ତନ୍ମଧ୍ୟରୁ ଫରାସୀ ଲିପି ଅନ୍ୟତମ । ଯେତେବେଳେ ଲିପି ପ୍ରସଙ୍ଗ ଉଠିଲା ସିନ୍ଧବାସୀ ଚାହିଁଲେ ଏହା ଦେବନାଗରୀରେ ଲେଖାହେବା ଉଚିତ ମାତ୍ର ଇଂରେଜମାନେ କହିଲେ ମୁସଲମାନମାନଙ୍କ ଆରବୀ ଲିପି ପ୍ରତି ବିଶେଷ ଆଦର ଅଛି । ଯଦି ସିନ୍ଧୀକୁ ଅରବୀ ଲିପିରେ ଲେଖାଯାଏ ତାହାହେଲେ ଲିପି କାରଣରୁ ସେମାନେ ଏହାକୁ ମୁଣ୍ତରେ ମୁଣ୍ଡେଇ ଚାଲିବେ । ମୁସଲମାନମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଲିପି ଆରବୀ ରହିଲା । ଏ ପ୍ରକାର ଦୁର୍ଦ୍ଦଶା ସତ୍ତ୍ୱେ ଆଜି ପାଞ୍ଚଶହରୁ ଅଧିକ ପୁସ୍ତକ ଦେବନାଗରୀରେ ପ୍ରକାଶ ପାଇ ସିନ୍ଧୀସାହିତ୍ୟରେ ତ୍ରିମୂର୍ତ୍ତି କୁହାଯାଉଥିବା ତିନିଜଣ କବି ଶାହ, ସଚନ ଏବଂ ସାମୀକ୍‌ ଗ୍ରନ୍ଥ ମଧ୍ୟ ନାଗରୀରେ ପ୍ରକାଶ ପାଇ ସାରିଛି । ଊର୍ଦ୍ଦୁ ଭାଷା ଫରାସୀ ଲିପିରେ ଲେଖାଯିବା କାରଣରୁ ସେଥିରେ ଭରି ରହିଥିବା ସାଇରୀ ଆମେ ପଢ଼ି ପାରୁନା । ଏହା ଯଦି ନାଗରୀ ଲିପିରେ ଲେଖାଯାନ୍ତା ତାହାହେଲେ ଅନେକ ଲୋକ ଏହାର ମିଷ୍ଟତା ଅନୁଭବ କରି ପାରନ୍ତେ । ଏହାର ଚାକ୍ଷୁଷ ପ୍ରମାଣ ହେଲା ମହାକବି ଗାଲିବଙ୍କ କବିତା । ଏହା ଯେବେ ନାଗରୀରେ ଛପା ହେଲା, ସହସ୍ର କପି ବିକ୍ରି ହୋଇଗଲା । ଫାରସୀ ନ ଜାଣିଥିବା ଲୋକେ ମଧ୍ୟ ଏହାର ସ୍ୱାଦ ନେଇ ପାରିଲେ । ଆସାମ କଥା ନିଅନ୍ତୁ । ଆଜି ସେମାନେ ଚିନ୍ତା କରୁଛନ୍ତି ଯେ ତାଙ୍କର କୌଣସି ଲିପି ନଥିବାରୁ ବଙ୍ଗଳା ଲିପିକୁ ସେମାନେ ନେଇଛନ୍ତି । ଏବେ ସେମାନେ ଅନୁଭବ କଲେଣି ଯେ ନାଗରୀ ଲିପିହିଁ ସେମାନଙ୍କ ପ୍ରଦେଶରେ ଚାଲୁଥିବା ବିଭିନ୍ନ ଭାଷାପାଇଁ ଏକମାତ୍ର ଉପଯୁକ୍ତ ଲିପି ହୋଇ ପାରିବ ।

 

ଓଡ଼ିଶା ତ ପ୍ରଥମେ ନାଗରୀ ଲିପିର ଲାଭ ଉଠାଇବା ଉଚିତ । ଉପେନ୍ଦ୍ରଭଞ୍ଜଙ୍କ ସାହିତ୍ୟ ଯଦି ନାଗରୀ ଲିପିରେ ପ୍ରକାଶ ପାଆନ୍ତା । ତାହାହେଲେ ଏହାର ସଂସ୍କୃତନିଷ୍ଠ କାବ୍ୟମାନ ଭାରତର ସବୁ ପ୍ରାନ୍ତରେ ପଠନ ପାଠନ ହୋଇ ପାରନ୍ତା । ଲୋକେ ଅନୁଭବ କରିପାରନ୍ତେ ଯେ ଓଡ଼ିଶାର କବି କିପରି ଲେଖିପାରେ । ତା’ ନ କରି ଆମେ ଆମର ଗୋଲ ଅକ୍ଷରକୁ ଜାବୁଡ଼ି ଧରିଲେ କ’ଣ ଆମ ଭାଷା ଓ ସାହିତ୍ୟ ବୈତରଣୀ ପାର ହୋଇ ପାରିବା ? ଏଥିପାଇଁ ଚିନ୍ତା କରିବା ଦରକାର । ଆମେ କୌଣସି ବିଷୟରେ ଗଭୀର ଭାବରେ ଚିନ୍ତା କରିବା ଛାଡ଼ି ଦେଇଛୁ । ଆମ ଚିନ୍ତା ଶକ୍ତିରେ ଜଡ଼ତ୍ୱ ଆସିଗଲାଣି । ୧୯୪୦ରେ ମହାତ୍ମାଗାନ୍ଧୀ ଗୁଜରାଟୀ ଭାଷାରେ ସ୍ୱଆତ୍ମଜୀବନୀ ‘ସତ୍ୟନୋ ପ୍ରୟୋଗ’କୁ ଦେବନାଗରୀରେ ପ୍ରକାଶ କରାଇଲେ । ବିନୋବାଜୀ ତାଙ୍କ ‘ଗୀତା-ପ୍ରବଚନକୁ’ ତେରଟି ଭାଷାରେ ନାଗରୀରେ ପ୍ରକାଶ କଲେ । ଏହାଦ୍ୱାରା ସାହିତ୍ୟ ବିସ୍ତାର ଲାଭ କଲା । କନ୍ନଡ଼ ଓ ତାମିଲ ଭାଷା ପରସ୍ପରର ସନ୍ନିକଟ ଥିବା ସତ୍ତ୍ୱେ କନ୍ନଡ଼ର ସର୍ବଶ୍ରେଷ୍ଠ ଲେଖକ ବନ୍ଦ୍ରେ; ପୁଟପ୍‌ପା ଏବଂ କାରନ୍ତକ ଲେଖା ତାମିଲଭାଷୀ ପଢ଼ନ୍ତି ନାହିଁ । ଏହା ଦୁଃଖର ବିଷୟ । ନାଗରୀ ଲିପିଦ୍ୱାରା ଆମେ ଯେ କେବଳ ଅନ୍ୟ ଭାଷା ଓ ସାହିତ୍ୟ ଶିକ୍ଷା କରିବା ତା’ ନୁହେଁ । ଏହାଦ୍ୱାରା ଆମ ଭାଷା ଓ ସାହିତ୍ୟକୁ ମଧ୍ୟ ଅନ୍ୟମାନଙ୍କ ଆଗରେ ଉପସ୍ଥାପିତ କରିପାରିବା । ବର୍ତ୍ତମାନ ନାଗାଲାଣ୍ତ, ମେଘାଳୟ ଆଦି ପୂର୍ବାଞ୍ଚଳୀୟ ରାଜ୍ୟର କେତେକ ବନବାସୀଙ୍କ ନିଜର କୌଣସି ଲିପି ନାହିଁ, ସେମାନଙ୍କୁ ନାଗରୀ ଲିପି ଗ୍ରହଣ କରିବାକୁ ପ୍ରେରଣା ଦେବା ଉଚିତ । ନତୁବା ଖାସୀ ଭାଷୀ ଯେପରି ରୋମାନ୍ ଲିପି ଗ୍ରହଣ କଲେ ସେହି ଅବସ୍ଥା ଅନ୍ୟାନ୍ୟ ଲିପି ନଥିବା ଭାଷାଗୁଡ଼ିକର ହେବ-। ସମ୍ୱଲପୁରୀ ଭାଷାପାଇଁ ମୋର କେତେକ ବନ୍ଧୁ ବିଧିବଦ୍ଧ ଭାବରେ ବ୍ୟାକରଣ ପ୍ରସ୍ତୁତ କରୁଛନ୍ତି-। ସେମାନଙ୍କୁ ମୁଁ ଗୋଟିଏ ପରାମର୍ଶ ଦେଇଛି ଯେ ସମ୍ୱଲପୁରୀ ଭାଷାର ନିଜର ଲିପି ନାହିଁ-। ଏଣୁ ପ୍ରଥମରୁ ସେମାନେ ନାଗରୀ ଲିପି ଗ୍ରହଣ କରିନେବା ଉଚିତ । ଏଥିରେ ସେମାନେ ଏକମତ ହୋଇଛନ୍ତି ।

 

ନାଗରୀ ଲିପିଦ୍ୱାରା ଦକ୍ଷିଣ ଭାରତର ଭାଷାଗୁଡ଼ିକ ଏକ ହୋଇ ପାରିବ, ଉତ୍ତର ଭାରତର ଭାଷାଗୁଡ଼ିକ ଏକ ହୋଇ ଏହି ପ୍ରକାର ସମଗ୍ର ଭାରତର ଭାଷାଗୁଡ଼ିକ ପରସ୍ପର ସନ୍ନିକଟ ଆସିପାରିବେ । ଏହାପରେ ଏସିଆ ଓ ସମଗ୍ର ବିଶ୍ୱର ଭାଷା ନାଗରୀଦ୍ୱାରା ଏକୀକରଣ ହୋଇପାରିବ ବୋଲି ବିନୋବା ଚିନ୍ତା କରନ୍ତି । କାରଣ ଦେବନାଗରୀ ବିଶ୍ୱର ଅନ୍ୟ କୌଣସି ଭାଷା ତୁଳନାରେ ସବୁଠାରୁ ବ୍ୟବସ୍ଥିତ । ଏହାର ତୁଳନାରେ ଇଂରାଜୀ ବର୍ଣ୍ଣମାଳା ଏତେ ଅବୈଜ୍ଞାନିକ ମନେ ହୁଏ ଯେ ସାର୍‌ ଉଇଲିୟମ୍‌ ଜୋନ୍‌ସଙ୍କ ପାଇଁ ଏହା ହାସ୍ୟାସ୍ପଦ ମନେହୁଏ । ତାଙ୍କ ଭାଷାରେ : Devanagari is more naturally arranged than any other–Our English alphabet and orthography are disgracefully and almost ridiculously imperfect.

Image